କବିତା

ହେ ପ୍ରତ୍ୟୁଷ

Rudramadhab Sahoo's odia poem Hey Pratyusha

ପୂରୁବ ଝର୍କା ସେପାଖେ ଆସ ତୁମେ ସୂରୁଯଟେ ହୋଇ
ଭିତର ଓ ବାହାରର ଅନ୍ଧକାର ଅବା କ୍ଳାନ୍ତିତକ ଧୋଇ
ପହିଲି ମୂରୁଜ ବୁଣି ଆଭାହିତ ହୁଏ ଧରା
ଦିନଟେ ଅଳସ ଭାଂଗେ , ଫୁଟିଉଠେ କମନୀୟ ଧରଣୀର ଶୋଭା!

ହେ ପ୍ରତ୍ୟୁଷ

ଜଣାଥିଲା, ତୁମ ଆଗମନୀ ନିଶ୍ଚିତ ବୋଲି ।
କେତେ ସମୟ ଅବା ନିଜ ସାଥେ ଆମକୁ
ରଖିପାରିଥାନ୍ତ ଘନ ତିମିରରେ !
ଅଗତ୍ୟା ଦୀପାଳି ତେଜିଲ..
ତୁମ ଏକମାତ୍ର ଦୀପ ହିଁ ଆଲୋକିତ କଲା ସାରା ବିଶ୍ୱ !
ଛାୟାନ୍ଧକାର ଶୂନ୍ୟ ଅଗ୍ନିଶିଖା ତୁମେ
ଅଜ୍ଞାନତା ଦୂରିଭୂତ କରିବାର
ସାମର୍ଥ୍ୟ ରଖିପାର ବୋଲି ତ ତୁମେ ଅତିପ୍ରିୟ ସଭିଙ୍କର ।

ତୁମେ ଆସିଲେ ହିଁ ଜଡତାରେ ହୁଏ ପ୍ରାଣ ସଂଚାର,
ନବପଲ୍ଲବିତ ଆଶାଅଂକୁର ।
ତବ ଆଗମନେ ଆସେ ନବ ସଂଭାବନା
ପୁଲକିତ ହୁଏ ସାରା ବିଶ୍ୱ,
ଭରିଯାଏ ପ୍ରତିଟିରେ ସୁମଧୁର ଉନ୍ମାଦନା !
କମନୀୟତାରେ ସିକ୍ତ ହୁଅନ୍ତି ସମଗ୍ର ଜାଗତିକ ବସ୍ତୁ ।
ତୁମେ ଆସିଲେ ହିଁ ନିନାଦିତ ହୁଏ ମନ୍ତ୍ରଟିଏ- ଶୁଭମସ୍ତୁ, ଶୁଭମସ୍ତୁ..,
ନିଦାଘ ଜ୍ୱଳନେ ଦଗ୍ଧ ପାଦପେ ଉଏଁ ନବ କିଶଳୟ ।
କୋରକିତ ହୁଏ ଆଶା-ସୁରଭିତ ପ୍ରସୂନ
ଜଣାଇ ଅଭିବାଦନ-ଉଚ୍ଛ୍ୱସିତ ସମ୍ବର୍ଦ୍ଧନା
ପକ୍ଷୀଗଣ ମଧୁର କାକଳିରେ ମୁଖରିତ କରାନ୍ତି ତୁମକୁ ।
ବେପଥୁ ଶିହରଣେ ରୋମାଂଚିତ ହେଉଥାଏ ଦୁନିଆର ବୁକୁ ।

ପୂରୁବ ଝର୍କା ସେପାଖେ ଆସ ତୁମେ ସୂରୁଯଟେ ହୋଇ
ଭିତର ଓ ବାହାରର ଅନ୍ଧକାର ଅବା କ୍ଳାନ୍ତିତକ ଧୋଇ
ପହିଲି ମୂରୁଜ ବୁଣି ଆଭାହିତ ହୁଏ ଧରା
ଦିନଟେ ଅଳସ ଭାଂଗେ , ଫୁଟିଉଠେ କମନୀୟ ଧରଣୀର ଶୋଭା!

ହେ ପ୍ରତ୍ୟୁଷ, ତୁମ ଲାଗି ସାରା ବିଶ୍ୱେ ଖେଳିଯାଉ
ଶାନ୍ତିର ପୀୟୁଷ, ହୃଦର ଉଚ୍ଛ୍ୱାସ ।
ହଟିଯାଉ ଯେତେ ଅବଶୋଷର ଦୀର୍ଘଶ୍ୱାସ
ଚିର ଇପସିତ-ଲଭ୍ୟ ପ୍ରାପ୍ତି ହିଁ ତୁମେ ଆମର
ଶିରେ ଢାଳୁଥାଅ ଶୁଭ ଆଶିଷ ଚାମର ।
ହେ ପ୍ରତୁ୍ୟଷ, ଲୋଡାଖାଲି ତୁମକୁ ଭୋଗିବାକୁ
ଚେନାଏ ଆୟୁଷ..!!

ଲୋକପ୍ରିୟ ଲେଖା

To Top