ଗଳ୍ପ

ମୁଁ ଏବେ ବି ଅବିବାହିତ

T.Durga Prasad Rao's odia story Mun Ebe Bi Abibaahita

ସୁମିର ମୁହଁଟା ଲାଲ୍ ହେଇ ଆସିଲା । ସେ ଦୀପଙ୍କର ଆଖିକୁ ଠିକ୍ ଭାବରେ ଚାହିଁ ପାରିଲା ନାହିଁ । ଚୋର ଧରା ପଡ଼ିଗଲା ପରି ତାର ପାଟି ଖନି ମାରିଗଲା ।

ମୁଁ ଏବେ ବି ଅବିବାହିତ

ଦୀପଙ୍କର ଷ୍ଟେସନ ପ୍ଳାଟଫର୍ମ ଉପରେ ଟ୍ରେନ୍‌କୁ ଅପେକ୍ଷା କରି ଏକଡ଼ ସେକଡ଼ ଟହଲୁ ଥାଏ । ଅଦୂରରେ ଏକତରୁଣୀ । ଧଳାରଙ୍ଗର ଛିଟ ଶାଢ଼ୀଟିଏ ପିନ୍ଧି ସିମେଣ୍ଟ ବେଞ୍ଚ୍‌ଟାରେ ଆଉଜି ବସିଛି । କେରାଏ ଅଲରାବାଳ ତାର କପୋଳ ଦେଇ ଚିବୁକ ସ୍ପର୍ଶ କରୁଛି । ଆଉ ସେଇ ଅଲରାବାଳକୁ ବାରମ୍ୱାର ସଜାଡ଼ିବାରେ ବ୍ୟସ୍ତ ତରୁଣୀର ଭାବଭଙ୍ଗୀ ଦେଖି ଦୀପଙ୍କରର ମନେ ହେଲା ସେ ଯେମିତି ତରୁଣୀକୁ କେଉଁଠି ଦେଖିଛି ।

ହଠାତ୍ ତାର ମନେ ପଡ଼ିଲା, ଆରେ ଏ ସୁମି ନୁହଁ ତ ?

ସୁମି ଶବ୍ଦ ତା ଓଠରେ ଆସିବା ମାତ୍ରେ ଆଖି ସାମ୍ନାରେ ଭାସି ଆସିଲା ଏକ ସାଦା ଚୁଡ଼ିଦାର ପିନ୍ଧା ଚଉଦ ପନ୍ଦର ବର୍ଷର ଝିଅଟିଏ । ତୈଳଯୁକ୍ତ ବେଣୀଦ୍ୱୟ ଗ୍ରୀବା ବେଷ୍ଟନ କରି ଲମ୍ୱି ଯାଇଥାଏ ତଳକୁ । ଭୁରୁ ମଧ୍ୟ ଭାଗରେ ସବୁଜ ରଙ୍ଗର ଟିକିଲି । ମୁଖରେ ବା ଓଠରେ କୌଣସି ପ୍ରସାଧାନର ପ୍ରଲେପ ନାହିଁ । ସରୁ ସରୁ ହାତରେ ଦୁଇପଟ ଲେଖାଏଁ ପ୍ଳାଷ୍ଟିକ୍ ଚୁଡ଼ି ।

ଦୀପଙ୍କର ଆଗକୁ ବଢ଼ିଲା ।

ତରୁଣୀ ମୁହଁ ତୋଳି ଦୀପଙ୍କର ଆଡ଼କୁ ଚାହିଁଲା ।

– ଆରେ ଦୀପୁ ଭାଇ ! ତମେ ! ତରୁଣୀ ଯେମିତି ଉଚ୍ଛ୍ୱସିତ ହୋଇ ଉଠି ପଚାରିଲା ।

ଦୀପଙ୍କରର ସଂଶୟ ଦୂର ହେଲା । ଉପରକୁ ଚାହିଁ ନିରବରେ ଏକ ଦୀର୍ଘଶ୍ୱାସ ଟାଣିଲା ଦୀପଙ୍କର । ତାପରେ ସୁମି ଆଡ଼କୁ ଚାହିଁ କହିଲା

– ମୁଁ ତତେ ପାଞ୍ଚ ମିନିଟ୍ ହେଲା ଲକ୍ଷ୍ୟ କରୁଛି, ହେଲେ ଦୋ ଦୋ ପାଞ୍ଚରେ ଥିଲି । କିନ୍ତୁ ଦେଖ, ଏଇ ତ ତୁ ମୋ ସାମ୍ନାରେ । ସୁମି, ହାଃ । ବହୁତ ଦିନ ପରେ ଦେଖା । ଆଉ ତୋର ସବୁ ଖବର କଣ, ଏଠି କେମିତି ?

– ଟ୍ରେନ୍‌କୁ ଅପେକ୍ଷା କରିଛି । ମୁଁ ଏଇ ନିକଟରେ ଆସିଷ୍ଟାଣ୍ଟ ଟ୍ରେଜେରୀ ଅଫିସର ପାଇଛି । ଏଇ ଦାସ୍‌ପୁରରେ ।

ଦୀପଙ୍କର ଟିକେ ଚମତ୍କୃତ ହେଲା । ସରଳ ନିରାଡ଼ମ୍ୱର ପରିପାଟୀର ସୁମି ଯା ହେଉ ଇତି ମଧ୍ୟରେ କିଞ୍ଚିତ୍ ମଡର୍ଣ୍ଣ ଲାଗୁଛି । ବେଶରେ, କଥାରେ… ଦୀପଙ୍କର ଆଉ କିଛି ପଚାରିବା ପୂର୍ବରୁ ନିଜ କଥା ଟିକେ କହିଦେବା ଉଚିତ୍ ମନେ କଲା ।

– ମୁଁ ଏଇ ସମ୍ୱଲପୁରରେ …

– ଆସିଷ୍ଟାଣ୍ଟ ଇଞ୍ଜିନିୟର ଅଛ । ସୁମି କଥା ଛଡ଼ାଇ ନେଲା ।

– ତା ପୂର୍ବରୁ …

– ମୁଁ ଜାଣେ, ତା ପୂର୍ବରୁ କୋଲାବରେ ଥିଲ ।

– ହଁ, ଏଇ ପନ୍ଦର ଦିନ ହେବ ସମ୍ୱଲପୁରକୁ ଟ୍ରାନ୍ସଫର୍ ହୋଇଛି । ତୁ କିନ୍ତୁ ମୋ ବିଷୟରେ ଗୁଡ଼ାଏ ଖବର ରଖିଛୁ ।

– ଗାଁ ପାଖ ଲୋକ । ଖବର ଆପେ ଆପେ ପହଞ୍ଚିଯାଏ ।

ସୁମି ଆଉ କିଛି କହିବାକୁ ଯାଉଛି ଟ୍ରେନ୍ ଆସି ପ୍ଳାଟ୍‌ଫର୍ମରେ ଲାଗିଲା । ଦୁଇଜଣଙ୍କ ଗନ୍ତବ୍ୟ ସ୍ଥଳକୁ ସେଇ ଗୋଟିଏ ଟ୍ରେନ୍ । ଦୁହେଁ ଟ୍ରେନ୍ ଚଢ଼ି ପାଖାପାଖି ସିଟ୍ରେ ବସିଲେ । ଟ୍ରେନ୍‌ରେ ବିଶେଷ ଭିଡ଼ ନ ଥିଲା । ଲୋକାଲ୍ ଟ୍ରେନ୍ ହେତୁ କାକୁଡ଼ି ଓ ଚା ବିକାଳି ଟ୍ରେନ୍ ଛାଡ଼ିବା ସତ୍ତ୍ୱେ ଓହ୍ଲାଇ ନ ଥିଲେ । ସେମାନଙ୍କ ଶବ୍ଦ ବାରମ୍ୱାର କାନପାଖରେ ଗୁଞ୍ଜରିତ ହେଉଥିଲା । ଦୀପଙ୍କର ଚାହିଁଲା ସୁମିକୁ । ସେ ତାର ଭ୍ୟାନିଟିକୁ ସିଟ୍ ଉପରେ ରଖି ଶାଢ଼ୀ ସଜାଡ଼ିବାରେ ବ୍ୟସ୍ତ । ଦୀପଙ୍କର ବି ତାର ବ୍ୟାଗ୍‌କୁ କାନ୍ଧରୁ ଓହ୍ଲାଇ ସୁମି ଓ ତା ମଝିରେ ଥୋଇଲା ।

– ବାପା, ଟିକେ ଘୁଞ୍ଚିବ କି ? ଜଣେ ବୟୋ ବୃଦ୍ଧା ଠିଆ ହୋଇ ଦୀପଙ୍କରକୁ ଅନୁରୋଧ କରୁଥିଲେ ।

ଅଗତ୍ୟା ସେ ନିଜ ବ୍ୟାଗ୍‌କୁ ସିଟ୍ ଉପରୁ ଉଠାଇ ନେଇ ସୁମି ଆଡ଼କୁ ଘୁଞ୍ଚିଗଲା । ବୃଦ୍ଧାଜଣକ ତାକୁ ଲାଗି ବସିଲେ । ଦୀପଙ୍କର ସୁମି ଆଡ଼େ ଚାହିଁ କହିଲା – ବସିବାରେ କିଛି ଅସୁବିଧା ହେଉ ନାହିଁ ତ ?

– ଓ, ନା, ନା, ଠିକ୍ ଅଛି । ସୁମି ତା ଆଡ଼େ କଣେଇ ଚାହିଁଲା । ସୁମି ଅନେକ ଦିନ ପରେ ଦୀପଙ୍କରକୁ ଦେଖୁଥିଲା । ତା ପୁଣି ଅତି ପାଖରୁ । ସେଇ ସୁଠାମ ଶରୀର । ଆଖିରେ ଫ୍ରେମ୍ବିହୀନ ଚଷମା । କାନ ପାଖର ଚୁଟି ଠାଏଁ ଠାଏଁ ପାଚି ଧଳା ଦିଶୁଛି । ଧଳା ହାଫ୍ ସାର୍ଟରେ ଦୀପଙ୍କରର ଅଙ୍ଗ ସୌଷ୍ଠବ ବାରି ହୋଇ ପଡୁଛି ।

– ଆଛା ଦୀପୁଭାଇ ଗାଁ ଆଡ଼େ ତ ଆଉ ଆସୁନାହଁ ? ତମର କଣ ସେ ଆମ୍ୱ ତୋଟା, ତେନ୍ତୁଳି ଗଛ, ପାନ ବରଜ କିଛି ମନେ ପଡୁନାହିଁ । ନଈପଠାର ସୁଲୁସୁଲିଆ ପବନ, ନଈର ଓଦାବାଲିରେ ଘର କରିବାର ପ୍ରତିଯୋଗୀତା । ତମର କଣ କିଛି ବି ମନେ ନାହିଁ? ସୁମି ଯେମିତି ପଚାରିବ ପଚାରିବ ହେଉଛି ସେମିତି ମନେ ହେଲା ଦୀପଙ୍କରର ।

– ହଁ ସବୁ ମନେ ପଡୁଛି । ଦୀପଙ୍କର ପାଟିରୁ ଅନାୟସରେ ବାହାରି ଆସିଲା ।

ସୁମି ଚାହିଁଲା ।

ଟିକିଏ ଅପ୍ରସ୍ତୁତ ହୋଇ ଦୀପଙ୍କର କଥା ବୁଲେଇ କହିଲା – ସମସ୍ତଙ୍କ କଥା ମନେ ପଡୁଛି । ତୋର ସେ ଫୁଲେଇ ସାଙ୍ଗ ରୁବି, କଣ କରୁଛି ଆଜିକାଲି ? ଆଉ ସେ ମାମିନା, ଦମୟନ୍ତୀ ଡଙ୍କୁଣୀ ? ତାଙ୍କର ସବୁ ଖବର କଣ ? ଦମୟନ୍ତୀ ଡଙ୍କୁଣୀ ଡାକରେ ସୁମି ଫିକ୍ କରି ହସି ପକେଇଲା ।

ଦମୟନ୍ତୀକୁ କ୍ଳାସର ସବୁ ପିଲା ଏମିତି ଚିଡ଼ୋଉଥିଲେ । କହିଲା – ସବୁ ବାହା ସାହା ହେଇ ଶାଶୁ ଘରେ । ରୁବିର ବର ଆମରି ଗାଁରେ ମାଷ୍ଟ୍ର ଅଛନ୍ତି । ହଁ, ସେ ଲିଚିର କିନ୍ତୁ ଏ ଯାଏଁ ବାହାଘର ହେଇନି ।

ସୁମି ବୋଧହୁଏ ଭାବୁଥିଲା ଦୀପଙ୍କର ତାକୁ ପଚାରୁ – ଆଉ ତୁ ? ତୁ ସୁମି ବିବାହ କରିଛୁ ?

ଦୀପଙ୍କର ପଚାରି ଚାଲିଥିଲା ଅନ୍ୟ ସାଙ୍ଗସାଥୀମାନଙ୍କ କଥା, ଘର କଥା, ଗାଁ କଥାା ପ୍ରତ୍ୟୁତ୍ତରରେ ସୁମି ଗୋଟିଏ ପରେ ଗୋଟିଏ କଥା କହି ଚାଲିଥିଲା । ଟ୍ରେନ୍ ବ୍ରିଜ୍‌ଟିଏ ପାର ହେଲା । ଟ୍ରେନ୍‌ର ଚକ ଓ ରେଳ ଧାରଣାର ସଙ୍ଘର୍ଷରେ ଉତ୍ପନ୍ନ ଶବ୍ଦର ତୀବ୍ରତାରେ ଦୀପଙ୍କର କିଛି ଶୁଣୁଥିଲା, କିଛି ଶୁଣି ପାରୁନଥିଲା । ମଝିରେ ମଝିରେ ଖୁବ୍ ଜୋର୍‌ରେ କିନ୍ତୁ ହୁଁ ଟିଏ ମାରୁଥିଲା ।

ଦୀପଙ୍କର ଚାହିଁ ରହିଥିଲା ବ୍ରୀଜ୍ ତଳର ନଈ ପାଣିକୁ । ଏମିତି ଗାଁର ନଈ ପାର ହେବା ସମୟରେ ଦିନେ ପଥରରୁ ଖସି ଗଭୀର ପାଣିରେ ପଡ଼ି ଯାଇଥିଲା ସୁମି । ସୁମିକୁ ପହଁରା ଜଣା ନ ଥିଲା । ଆଉ ଦୀପଙ୍କର ଭାବୁଥିଲା ସୁମି ଦୁଷ୍ଟାମି କରୁଛି । କିନ୍ତୁ ଯେତେବେଳେ ଦୀପଙ୍କର ଦେଖିଲା ସୁମି ଉପରକୁ ଉଠିବା ପାଇଁ ଆପ୍ରାଣ ଚେଷ୍ଟା କରି ଉଠି ପାରୁନାହିଁ । ସେତେବେଳେ ସେ ଅନ୍ୟ ସାଙ୍ଗମାନଙ୍କ ସହାୟତାରେ ସୁମିକୁ ଉଦ୍ଧାର କରିଥିଲା । ତା ପରଠାରୁ ଦୀପଙ୍କର ଲକ୍ଷ୍ୟ କରିଥିଲା ସୁମି ଆଖିରେ ସେ ଯେମିତି ହୀରୋ ପାଲଟି ଯାଇଛି । ସେସବୁ କିଶୋର ସମୟର କଥା । ବୋଧହୁଏ ଦୀପଙ୍କର ସେତେବେଳେ ଦଶମ ଶ୍ରେଣୀରେ ପଢୁଥିଲା ଆଉ ସୁମି ନବମ ଶ୍ରେଣୀରେ । ସୁମିର ଏସବୁ କଥା କଣ ମନେ ଥିବ ? କିଶୋର ସମୟର ଭାବପ୍ରବଣତା ଏତେ ସହଜରେ ଭୁଲି ହୁଏ ନାହିଁ । ତେବେ… ଏ ବୟସରେ…

ଟ୍ରେନ୍‌ର ଗତି ଧିମା ହୋଇ ସ୍ଥିର ହୋଇଗଲା । ବୋଧହୁଏ ଷ୍ଟେସନ ଆସି ପହଞ୍ଚିଛି । ବୃଦ୍ଧା ଜଣକ ଉଠି ଠିଆ ହୋଇ ସାରିଥିଲେ । ଦୀପଙ୍କର ବାହାରକୁ ଚାହିଁଲା । ସିମେଣ୍ଟ୍ ଫଳକ ଉପରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି ଦାସ୍‌ପୁର । ସୁମି ଆଡ଼େ ଚାହିଁଲା ଦୀପଙ୍କର । ସୁମି ସେତେବେଳେ ତା କାନ୍ଧ ଉପରେ ମୁହଁ ରଖି ଆଖିବୁଜି ଶୋଇବାକୁ ଚେଷ୍ଟା କରୁଥିଲା ।

– ଆରେ ଦାସ୍‌ପୁର ଆସିଗଲା, ତୁ ଓହ୍ଲାଇବୁ ପରା?

ସୁମି ମୁହଁ ତୋଳି ଚାହିଁଲା ଦୀପଙ୍କରକୁ । ରବିଦାସ୍‌ପୁର । ରବିଦାସ୍ପୁରରେ ଓହ୍ଲେଇବି ।

– ଓ… ।

ସୁମି ପୁଣି ଥରେ ଶୋଇବାକୁ ଚେଷ୍ଟା କଲା । ଟ୍ରେନର ଗତି କ୍ରମେ ତୀବ୍ର ହେଉଛି । ଝରକା ଦେଇ ପଶି ଆସୁଥିବା ଶୀତଳ ପବନର ଲହରୀରେ ସୁମିର ଅଲରା ବାଳ ଏଣେ ତେଣେ ଖେଳି ବୁଲୁଛି । ଟ୍ରେନ୍ର ମୃଦୁ ଛୁକ୍‌ଛୁକ୍ ଶବ୍ଦରେ ସୁମିକୁ ଧୀରେ ଧୀରେ ନିଦ ଆସିଯାଉଛି । ଯେମିତି ମା ଜଣେ ତାର ଶିଶୁକୁ ନାନା ବାୟା ଗୀତ ଶୁଣାଇ ଶୁଆଇ ଦେଉଛି । ସୁମି ଦୀପଙ୍କରକୁ ଆଉଜି ଶୋଇଯାଇଛି । ଦୀପଙ୍କରକୁ ଭଲ ଲାଗୁଥିଲା । ତାର ଅଲରା ବାଳ ମୁହଁରେ ବାଜି ଦୀପଙ୍କର ଶରୀରରେ ଅହେତୁକ କମ୍ପନ ସୃଷ୍ଟି କରୁଛି । ତଥାପି ଟିକିଏ ଘୁଞ୍ଚିବାକୁ ଚେଷ୍ଟାକଲା ଦୀପଙ୍କର । ନା, ସୁମିର ନିଦୁଆ ଦେହଟା ଦୀପଙ୍କର ଉପରେ ଆହୁରି ଟିକିଏ ଢ଼ଳିଗଲା । ଦୀପଙ୍କରର ମନଟା ପୁଣି ଥରେ ଅତୀତକୁ ଫେରିଗଲା ।

ସୁମି ଯେ ଦେଖିବାକୁ ଅସୁନ୍ଦରୀ ଥିଲା ତା ନୁହେଁ । କିନ୍ତୁ ମୁହଁଟାକୁ ସବୁବେଳେ ଯେମିତି ତେଲିଆ କରି ରଖିଥିବ, ସେମିତି ତାର ବେଶ ପୋଷାକରେ ମଧ୍ୟ ଚାକଚକ୍ୟତାର ଘୋର ଅଭାବ । ସୁମି ଥିଲା ଏକ ଗରିବ ଘରର ଝିଅ । ପିଲାଟି ବେଳୁ ତାର ମାଆ ନ ଥିଲା । ବାପାର ସ୍ୱଳ୍ପ ଅର୍ଜିତ ରୋଜଗାରରେ ପରିବାର ପ୍ରତିପୋଷଣ ସାଙ୍ଗକୁ ତାର ପାଠ ପଢ଼ା କଷ୍ଟକର ହୋଇ ପଡୁଥିଲା । ଘରର ଯାବତୀୟ କାମରେ ସୁମିର ଭୂମିକା ଥିଲା ଅଧିକ । ନିଜକୁ ଦେଖିବାକୁ କେବେ ସମୟ ପାଇନି ସୁମି । ତେବେ ଦୀପଙ୍କର ପ୍ରତି ତାର ମମତା ଅନେକ । ଘରୁ ଅନେକ ପ୍ରକାର ଖାଇବା ଜିନିଷ ସେ ଲୁଚାଇ ଆଣି ଦୀପଙ୍କରକୁ ଦିଏ । ଯାହା କିଛି କଥା ତା ଜୀବନରେ ଘଟେ, ଦୀପଙ୍କରକୁ ନ ଜଣାଇଲେ ତାକୁ ଭଲ ଲାଗେନି । ଆମ୍ୱ ତୋଟା, ନଈପଠାରେ ସାଙ୍ଗଗହଣରେ ବୁଲିବା, ବିଲମାଳରେ କାକୁଡ଼ି ଚୋରି କରି ଖାଇବା, ଗାଁ ସଂକୀର୍ତ୍ତନ ଉତ୍ସବରେ ବଡ଼ କରି ଦୀପଙ୍କର ମଥାରେ ସିନ୍ଦୁର ଲଗାଇଦେବା ଇତ୍ୟାଦି ଇତ୍ୟାଦି । ଦୀପଙ୍କରର ପରିବାର ଯେତେବେଳେ ଭୁବନେଶ୍ୱର ଚାଲି ଆସିଲେ, ତା ପରଠାରୁ ଗାଁ କଥା ଦୀପଙ୍କରର ଆଉ ଖିଆଲରେ ନ ଥିଲା । ଆଉ ସୁମି ବି ତା ମନରୁ ଯେମିତି ହଜି ଯାଇଥିଲା ।

ସୁମି କଣ ତାକୁ ଆଉ ସେମିତି ମନେ ରଖିଥିବ…

ଷ୍ଟେସନ ପରେ ଷ୍ଟେସନ ପାର ହୋଇଯାଉଛି । କିଏ ଜଣେ ପାଟି କରି ଉଠିଲା, ଆରେ ଏ ରବିଦାସ୍‌ପୁର ଆସିଲାଣି, ଗେଟ୍ ପାଖକୁ ଚାଲ ।

ଗହଳଚହଳରେ ସୁମିର ଦେହଟା ଟିକିଏ ଦୋହଲିଗଲା । ସଜାଡ଼ି ହୋଇ ବସିବାକୁ ଚେଷ୍ଟା କରୁଛି ସୁମି । ଦୀପଙ୍କର ଶୂନ୍ୟ ଚାହାଣୀ ଦେଇ କହିଲା- ଆଉ ବସୁଛୁ କଣ ? ଓହ୍ଲାଇବୁ ପରା, ରବିଦାସ୍‌ପୁର ଆସିଗଲା । ସୁମି ଟିକିଏ ହସିବାକୁ ଚେଷ୍ଟା କରି ଝରକା ଦେଇ ବାହାରକୁ ଚାହିଁଲା । ତାପରେ ଭ୍ୟାନିଟି ଧରି ଉଠି ଠିଆ ହେଲା ।

ଦୀପଙ୍କର ଝରକା ପାଖକୁ ଲାଗି ଆସିଲା । କହିଲା – ତାହେଲେ ?

– କ’ଣ ?

– ନାଇଁ, ମାନେ ପୁଣି କେବେ ଦେଖା ହେବ ? ଦୀପଙ୍କର ଛେପ ଢ଼ୋକି ପଚାରିଲା ।

ପ୍ରତ୍ୟୁତ୍ତରରେ କିଛି ନ କହି ପୁଣି ଥରେ ହସିଲା ସୁମି । ଅଳସ ପାଦ ପକାଇ ଟ୍ରେନ୍‌ରୁ ଓହ୍ଲାଇ ପ୍ଳାଟ୍‌ଫର୍ମରେ ଠିଆ ହେଲା । ବୋଧେ କାହାକୁ ଅପେକ୍ଷା କରୁଛି । ଟ୍ରେନ୍ ହ୍ୱିସଲ୍ ମାରି ହଲି ଦୋହଲି ଗତିଶୀଳ ହେଲାଣି । ଦୀପଙ୍କର କିନ୍ତୁ ଚାହିଁ ରହିଥିଲା ସୁମିକୁ । ସୁମି ଝରକା ସେ ପାଖରୁ ହାତ ହଲାଉଥିଲା ଦୀପଙ୍କରକୁ ।

– ଆରେ ହେ, ରବିଦାସ୍‌ପୁରରେ ତ ଟ୍ରେଜେରୀ ଅଫିସ୍ ନାହିଁ । ସେ ତ ଅଛି ଦାସ୍‌ପୁରରେ । ଦୀପଙ୍କରର ଯେମିତି ଚେତା ପଶିଲା । ସେ ବ୍ୟାଗ୍‌ଟାକୁ ଅତର୍କିତ ଭାବରେ ଉଠାଇ ଗେଟ୍ ପାଖକୁ ଦୌଡ଼ିଲା । ଟ୍ରେନ୍‌ର ଗତି ବଢ଼ି ଚାଲିଛି । ପ୍ଳାଟ୍‌ଫର୍ମ ଶେଷ ହେବାକୁ ଆଉ ବୋଧେ ଦୁଇ ପାହୁଣ୍ଡ ଅଛି । ଦୀପଙ୍କର ଡେଇଁ ପଡ଼ିଲା ଟ୍ରେନ୍‌ରୁ । ସୁମି ଲକ୍ଷ୍ୟ କରୁଥିଲା ଦୀପଙ୍କରର କାର୍ଯ୍ୟକଳାପ । ଚଞ୍ଚଳ ପଦକ୍ଷେପରେ ସେ ତା ଆଡ଼କୁ ଦୌଡ଼ି ଆସିଲା । ପଚାରିଲା – କଣ ହେଲା, ଏମିତି ଟ୍ରେନ୍‌ରୁ ଡେଇଁ ପଡ଼ିଲ ଯେ ?

ଦୀପଙ୍କର ତା ବ୍ୟାଗ୍‌ରୁ ପାଣି ବୋତଲ କାଢ଼ି ଢକ ଢକ କରି ପାଣିତକ ଶେଷ କରିଦେଲା । ତାପରେ ଟିକିଏ ନିଶ୍ୱାସ ମାରି ସୁମିର ଆଖିରେ ଆଖି ମିଳାଇ କହିଲା – ରବିଦାସ୍‌ପୁରରେ ଟ୍ରେଜେରୀ ନାହିଁ । ତୁ ଦାସ୍‌ପୁରରେ ନ ଓହ୍ଲେଇ ମୋର ଆଉ କିଛି ସମୟର ସାନ୍ନିଧ୍ୟ ପାଇଁ ରବିଦାସ୍‌ପୁରରେ ଓହ୍ଲେଇଲୁ । ଠିକ୍ ନା ?

ସୁମିର ମୁହଁଟା ଲାଲ୍ ହେଇ ଆସିଲା । ସେ ଦୀପଙ୍କର ଆଖିକୁ ଠିକ୍ ଭାବରେ ଚାହିଁ ପାରିଲା ନାହିଁ । ଚୋର ଧରା ପଡ଼ିଗଲା ପରି ତାର ପାଟି ଖନି ମାରିଗଲା ।

ଦୀପଙ୍କର ତା ଗାଲରେ ମୃଦୁ ଚାପୁଡ଼ା ଦେଇ ଥଙ୍ଗେଇ ଥଙ୍ଗେଇ ପଚାରିଲା- ସୁମି… ତୁ କଣ ତାହେଲେ… ଏବେ ବି ମୋତେ… ।

– ଧେତ୍ । ସୁମି ଥରେ ଦୀପଙ୍କରକୁ କଣେଇ ଚାହିଁ ଦେଇ ମୁହଁ ଫେରାଇ ନେଇ ଆଗକୁ ଚାଲିଲା ।

ପଛରୁ ଦୀପଙ୍କର ପାଟି କରୁଥିଲା

– ଦେଖ୍ ମୁଁ ଏବେ ବି ଅବିବାହିତ ।

ଲୋକପ୍ରିୟ ଲେଖା

To Top