କବିତା

ଆଉ ଏକ ଧର୍ମଯୁଦ୍ଧ

Dr Mousumi Parida's Odia poem Aau Eka Dharmajuddha

ସେମାନଙ୍କ ବର୍ବରତା! କୋଉ ସୀମାକୁ ଚାହିଁଛ !
ସତ ମଣିଷମାନେ ଧର୍ମ ବଦଳାଇଲେଣି !

ଆଉ ଏକ ଧର୍ମଯୁଦ୍ଧ

ଦେଖିପାରୁଛ, ସେଠି ନାଚୁଥିବା କବନ୍ଧମାନଙ୍କୁ !
ମୁଣ୍ଡମାଳା ପିନ୍ଧି ଉଗ୍ର ହୋଇଉଠୁଥିବା
ଅର୍ଦ୍ଧଉଲଗ୍ନ ଉଦ୍ଧଣ୍ଡମାନଙ୍କୁ !
ଏମାନେ କାଳେ
ତୁମଠୁ ଗାଦି ଛଡାଇବାକୁ ଯୋଜନାବଦ୍ଧ !
ତୁମ ବିରୁଦ୍ଧରେ ଯୁଦ୍ଧ ଦେହିଂ ଡାକରା ଏବେ !
ଋକ୍ତନଦୀ କୂଳରେ ଥାଇ ବି ଆକଳି ପାରୁନ
ସେମାନଙ୍କ ବର୍ବରତା! କୋଉ ସୀମାକୁ ଚାହିଁଛ !
ସତ ମଣିଷମାନେ ଧର୍ମ ବଦଳାଇଲେଣି !
ମାନବୀୟ ଧର୍ମରୁ ଆସୁରିକ ଧର୍ମ.. !
ତେବେ ବି ତୁମେ କୁମ୍ଭକର୍ଣ୍ଣ ନିଦରେ !
ମନେରଖ ଈଶ୍ୱର,ତୁମେ ଏବେ ମନ୍ଦିର ଭିତରର
ପରାଧୀନ ଗୋଟେ ମସୃଣ ପଥର !
ଯାହା ଆଖି ଆଗରେ ଦ୍ରୌପଦୀ ଲୁଟେ ।
ଦୁର୍ଯୋଧନ ଅମୃତ ନଦୀରେ ସନ୍ତରଣ
କରି ସ୍ୱର୍ଗର ଇନ୍ଦ୍ର ପାଲଟେ ।

ତେବେ ବି ତୁମେ ମଗ୍ନ ବୋଧେ ଅପ୍ସରୀ ମାୟାରେ !
ନିରୀହର ଲୋତକ-ବନ୍ୟାରୁ ବଂଚିବା ପାଇଁ
ଚାରିପଟେ କୁଢେଇଦିଅ ମାୟାର ବାଲିବସ୍ତା ।
ଆଖିଆଗେ କୁହୁଡି ପରଳରେ
ଲୁଚିଯାଅ ମାୟା ଆବର୍ତରେ !
ଯେବେ ଅନ୍ୟାୟ ହାତୁଡିରେ
ନ୍ୟାୟର ମେରୁଦଣ୍ଡ ଭାଙ୍ଗେ,
ମିଛର ଅର୍ଗଳି ଭିତରେ ମଣିଷ ନିଜକୁ
ଈଶ୍ୱର ବୋଲି ପ୍ରମାଣିତ କରେ ।
ସତ୍ୟକୁ ମହାବାତ୍ୟାରେ ଭୂଲୁଣ୍ଠିତ କରାଯାଏ,
ତୁମ ଭିତରେ ସେ କ୍ଷତ, ରକ୍ତନଦୀ ରଚେନି?
ଈଶ୍ୱରତ୍ୱ ସମର୍ପିଥିବା ଏ ମର୍ତ୍ତେଶ୍ୱରଙ୍କ
ହାତେ ତୁମେ ଗୋଟେ ଶସ୍ତା ଖେଳନା ।
ପରଖିନିଅ, ଛଳନାର ପାହାଡ ଉପରେ
ନିରୀହତାର ଗଣ୍ଡିବିହୀନ ଶବ
ତେବେ ବି ଅଶ୍ରୁଳ ନୟନରେ ପଚାରୁଛି
ଆଉ କଣ ଈଶ୍ୱର ଆସିବେନି ଧର୍ମଯୁଦ୍ଧ ପାଇଁ !!

ଲୋକପ୍ରିୟ ଲେଖା

To Top