ପ୍ରବନ୍ଧ

ଗୋପୀ ପ୍ରେମ

Dr Gauranga Samantaray's odia prose Gopee Prema

ମୁଁ ଗୋପୀମାନଙ୍କ ପଛେ ପଛେ ଚାଲିଥାଏ ଯେପରିକି ସେମାନଙ୍କ ଚରଣର ଧୂଳି ଉଡ଼ି ମୋ ଉପରେ ପଡ଼ିବ ଓ ମୁଁ ପବିତ୍ର ହୋଇ ଯିବି ।

ଗୋପୀ ପ୍ରେମ

-: ପୂର୍ବରୁ :-

ପ୍ରେମାସ୍ପଦଙ୍କର ସୁଖ ହିଁ ପ୍ରେମର ସ୍ୱଭାବ । ପ୍ରାଣ ପ୍ରିୟତମ ଭଗବାନ ଶ୍ୟାମସୁନ୍ଦରଙ୍କ ସୁଖ ହିଁ ଗୋପୀର ଜୀବନ । ଏହି କାରଣରୁ ନିଷ୍କାମ, ପୂର୍ଣ୍ଣକାମ ଆନନ୍ଦଘନ ଶ୍ରୀକୃଷ୍ଣ ଗୋପୀ-ପ୍ରେମାମୃତର ରସ ଆସ୍ୱାଦନ କରି ଆନନ୍ଦ ପାଇବାକୁ ଇଚ୍ଛା କରନ୍ତି । ଯିଏ ଆନନ୍ଦକନ୍ଦ, ଆନନ୍ଦର ଅଗାଧ ସାଗର ଯାହାଠାରୁ ସମସ୍ତ ଆନନ୍ଦ ଜାତ ହୋଇଛି, ଯିଏ ଆନନ୍ଦମୟ, ତାଙ୍କର ପୁଣି ଆନନ୍ଦ ପାଇବାକୁ ଇଚ୍ଛା ହୁଏ । କାହାଠାରୁ ? ଗୋପୀମାନଙ୍କଠାରୁ । ଭଗବାନ ଶ୍ୟାମସୁନ୍ଦର ଗୋପୀମାନଙ୍କ ଠାରୁ ପ୍ରେମରସର ଆସ୍ୱାଦନ କରି ଆନନ୍ଦ ପାଇବା ପାଇଁ ବ୍ୟାକୁଳ ହୁଅନ୍ତି । ଯଶୋଦା ମାଆଠାରୁ ସ୍ତନ୍ୟପାନ କରିବା ପାଇଁ ଭୋକିଲା ହୋଇ କାନ୍ଦି କାନ୍ଦି ତଳେ ଗଡ଼ନ୍ତି, ବ୍ରହ୍ମାଙ୍କ ଦ୍ୱାରା ଗାଈ ଓ ଗୋପବାଳକ ହରଣ ପରେ ସେମାନଙ୍କୁ ବନରେ ଇତଃସ୍ତତଃ ଖୋଜନ୍ତି । ବ୍ରଜସୁନ୍ଦରୀମାନଙ୍କୁ ମୋହନ ବଂଶୀ ସ୍ୱନରେ ନାମଧରି ନିଜ ପାଖକୁ ଡାକନ୍ତି । ଏ ସବୁ ପ୍ରେମ- ପ୍ରେମର ମଧୁରିମା । ଯେଉଁଠି ତ୍ୟାଗ, ସେଇଠି ପ୍ରେମ ଏବଂ ଯେଉଁଠି ପ୍ରେମ, ସେଇଠି ଆନନ୍ଦ । ନିଜର ମନ, ଧନ, ଯୌବନ, ପ୍ରେମ ସବୁକିଛି ପ୍ରେମମୟ ଶ୍ରୀକୃଷ୍ଣଙ୍କର ସୁଖ ପାଇଁ ଏହି ବିଶୁଦ୍ଧ ଅନୁରାଗ ଓ ଭାବ ହିଁ ଗୋପୀପ୍ରେମ । ସଦାସର୍ବଦା ଭଗବତ ପ୍ରେମରେ ମଜ୍ଜି ରହିବା, ଭଗବତ୍ ଚିନ୍ତନରେ ମଜ୍ଜି ରହିବା ଓ ଆତ୍ମ ସମର୍ପଣ କରିବା ହିଁ ଗୋପୀ ପ୍ରେମର ବୈଶିଷ୍ଟ୍ୟ ।

ସେଥିପାଇଁ ଉଦ୍ଧବ ସନ୍ଦେଶ ଆଣି ଆସି ଗୋପୀ ପ୍ରେମର ଉଦ୍‌ବୁଦ୍ଧ ହୋଇ ନିଜକୁ ଜଣେ ଗୋପୀ ଭାବରେ ଗ୍ରହଣ କଲେ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ କହିଛନ୍ତି, ତୁମ ଭଳି ଭକ୍ତ ମୋର ଯେତେ ପ୍ରିୟ, ବ୍ରହ୍ମା, ଶଙ୍କର୍ଷଣ, ଅର୍ଦ୍ଧାଙ୍ଗିନୀ ଲକ୍ଷ୍ମୀ ଓ ଏପରିକି ମୋର ଆତ୍ମା ମଧ୍ୟ ସେତେ ପ୍ରିୟ ନୁହଁନ୍ତି ।

ନାରଦକୁ ମଧ୍ୟ କହିଛନ୍ତି, ମୁଁ ବୈକୁଣ୍ଠରେ ରହେ ନାହିଁ, କି ଯୋଗୀମାନଙ୍କ ହୃଦୟରେ ରହେ ନାହିଁ, ଯେଉଁଠି ଭକ୍ତମାନେ ମୋର ଗୁଣଗାନ କରନ୍ତି, ସେଠାରେ ମୁଁ ଥାଏ । ତେଣୁ ଭଗବାନ ସବୁବେଳେ ଭକ୍ତଶ୍ରେଷ୍ଠ ଗୋପୀମାନଙ୍କ ହୃଦୟରେ ହିଁ ବାସ କରନ୍ତି ।

ଭଗବାନ କୃଷ୍ଣ ଅର୍ଜୁନକୁ କହିଛନ୍ତି, “ହେ ଅର୍ଜୁନ ! ମୋର ମହିମା, ମୋ ସେବାର ସ୍ୱରୂପ, ମୋର ଶ୍ରଦ୍ଧାର ସ୍ୱରୂପ, ମୋର ମନର କଥା କେବଳ ଗୋପୀମାନେ ଜାଣନ୍ତି । ଆଉ କେହି ଜାଣନ୍ତି ନାହିଁ । ତେଣୁ ଭଗବାନ କେଉଁଥିରେ ସୁଖୀ ହେବେ, ସେକଥା ତାଙ୍କୁ କହିବାକୁ ପଡ଼େନାହିଁ, ତାଙ୍କ ଅନ୍ତରରେ ଥିବା ଭଗବାନଙ୍କର ମନ ହିଁ କାମ କରେ । ତେଣୁ ଶ୍ରୀକୃଷ୍ଣ ହିଁ ଗୋପୀମାନଙ୍କର ଓ ଶ୍ରୀକୃଷ୍ଣ ହିଁ ଗୋପୀମାନଙ୍କର ପ୍ରାଣ । ତେଣୁ ସେମାନଙ୍କର ସମସ୍ତ କାର୍ଯ୍ୟ ହିଁ ଶ୍ରୀକୃଷ୍ଣଙ୍କ ସୁଖ ପାଇଁ ଉଦ୍ଦିଷ୍ଟ । ସମୟ ସମୟରେ ରସିକନାଗର ଶ୍ୟାମସୁନ୍ଦର ନିଜକୁ ରାଧା ଭାବି ହା କୃଷ୍ଣ ! ହା ଶ୍ୟାମସୁନ୍ଦର ! ପ୍ରେମରେ ବିହ୍ୱଳ ହୁଅନ୍ତି ।” ଆଉ କେତେବେଳେ ବୃନ୍ଦାବନେଶ୍ୱରୀ ରାଧିକା ନିଜକୁ କୃଷ୍ଣ ଭାବି ହେ ରାଧେ ! ହେ ପ୍ରାଣେଶ୍ୱରୀ ! ବୋଲି ବିହ୍ୱଳ ହୁଅନ୍ତି । ଏହା ସବୁ ପ୍ରେମ-ପ୍ରେମ ସମୁଦ୍ରର ମଧୁର ତରଙ୍ଗ ।

ଗୋପୀମାନେ ସମସ୍ତ ମମତା ସମସ୍ତଙ୍କଠାରୁ ତ୍ୟାଗ କରି ତାହା ପ୍ରେମମୟ ପୁରୁଷଙ୍କୁ ହିଁ ସମର୍ପଣ କରିଥିଲେ । ତନ, ମନ, ବଚନରେ ତାଙ୍କର ଆରାଧନା କରୁଥିଲେ । ତେଣୁ ତାଙ୍କର ଜୀବନ ଥିଲା ପ୍ରେମମୟ- କୃଷ୍ଣମୟ ।

ସୃଷ୍ଟିକର୍ତ୍ତା ବ୍ରହ୍ୱାମଧ୍ୟ ଶ୍ରୀକୃଷ୍ଣଚନ୍ଦ୍ରଙ୍କୁ କହିଲେ- “ହେ ବ୍ରଜେନ୍ଦ୍ର ! ହେ ଗୋପୀନାଥ ! ହେ ଗୋପୀପ୍ରାଣ ବଲ୍ଲଭ !

ଏ ଗୋପୀମାନେ, ନନ୍ଦଯଶୋଦା, ଶ୍ରୀରାଧା, ଗୋପପୁରର ଗାଈଗୋରୁ, ପଶୁପକ୍ଷୀ, ଲତାଗୁଳ୍ମ, ଯମୁନା ଇତ୍ୟାଦି ଏତେ ଭାଗ୍ୟବାନ ଯେ ପରମେଶ୍ୱରଙ୍କୁ ପୁତ୍ର, ବନ୍ଧୁ, ସଖା, ପ୍ରିୟତମ ହିସାବରେ ପାଇପାରିଛନ୍ତି । ଗୋପୀମାନେ ଏତେ ଭାଗ୍ୟବତୀ, ଯେ ଜଗଦୀଶ୍ୱରଙ୍କ ସହ ରାସଲୀଳା କରିପାରିଛନ୍ତି, ସର୍ବୋକୃଷ୍ଣ ଭଗବତ ପ୍ରେମ ଲାଭ କରିଛନ୍ତି । ମହା ଭାଗ୍ୟବତୀ ମାତା ଯଶୋଦା ଯେ ନିଜ କୋଳରେ ସ୍ତନ୍ୟପାନ କରାଇଛନ୍ତି, ସରଲବଣୀ ଚୋରୀ ଅପରାଧରେ କାନ ଧରି ମାରିଛନ୍ତି, ବାଡ଼ିରେ ଶାସନ କରିଛନ୍ତି, ଦଉଡ଼ିରେ ବାନ୍ଧିଛନ୍ତି । ଗୋପପୁର, ଗୋପଦାଣ୍ଡର ଧୂଳି, ଯମୁନା କୂଳ, କଦମ୍ୱମୂଳ, ଗିରି ଗୋବର୍ଦ୍ଧନ ଆପଣଙ୍କ ପଦସ୍ପର୍ଶ ପାଇ ଧନ୍ୟାତିଧନ୍ୟ । ତେଣୁ ହେ ପ୍ରଭୋ ! ମୋତେ କୌଣସି ନା କୌଣସି ଜନ୍ମରେ ଏହି ପବିତ୍ର ବ୍ରଜଭୂମିରେ ଜଣେ ଗୋପୀ ହୋଇ ଜନ୍ମଲାଭ କରିବାର ସୌଭାଗ୍ୟ ଦିଅନ୍ତୁ । ଯଦି ସମ୍ଭବ ନ ହୁଏ ତେବେ ବ୍ରଜଭୂମିରେ କୀଟ ପତଙ୍ଗଠାରୁ ଆରମ୍ଭ କରି ଲତାଗୁଳ୍ମ ପର୍ଯ୍ୟନ୍ତ କିମ୍ୱା ଏହି ଗୋପୀମାନଙ୍କର ଦାସ ଦାସୀ ହେବାର ସୁଯୋଗ ଦିଅନ୍ତୁ । ଯାହାଫଳରେ ଆପଣଙ୍କର ପଦଧୂଳି ପଡ଼ିଥିବା କିମ୍ୱା ଆପଣଙ୍କ ଯେ କୌଣସି ପ୍ରେମୀର ପଦଧୂଳି ପଡ଼ିଥିବା ସ୍ଥାନର ଧୂଳି ପ୍ରସାଦତୁଲ୍ୟ ପାଇ ଜୀବନ ସାର୍ଥକ କରିବି ।

ଭଗବାନ ଶ୍ରୀକୃଷ୍ଣଚନ୍ଦ୍ର ଗୋପୀପ୍ରେମର ଯେଉଁ ପବିତ୍ର ଶୁଦ୍ଧ ଲୀଳା କରିଥିଲେ, ସେଥିରେ କୌଣସି କାମ ବାସନା କିମ୍ୱା ରମଣ ବାସନା ନ ଥିଲା । ସେଥିରେ କେବଳ ହୃଦୟର ହୃଦୟ ସହିତ ଓ ଆତ୍ମାର ପରମାତ୍ମାଙ୍କ ସହିତ ମିଳନ ଥିଲା, ଅଲୌକିକ ପ୍ରେମ ଥିଲା । ସେଥିପାଇଁ ଭଗବାନ କୃଷ୍ଣ କହିଛନ୍ତି “ମୁଁ ଗୋପୀମାନଙ୍କ ପଛେ ପଛେ ଚାଲିଥାଏ ଯେପରିକି ସେମାନଙ୍କ ଚରଣର ଧୂଳି ଉଡ଼ି ମୋ ଉପରେ ପଡ଼ିବ ଓ ମୁଁ ପବିତ୍ର ହୋଇ ଯିବି ।”

ଧନ୍ୟ ଗୋପୀ- ଧନ୍ୟ ଗୋପୀପ୍ରେମ !

ଲୋକପ୍ରିୟ ଲେଖା

To Top