ଗଳ୍ପ

ପ୍ରକୋଷ୍ଠ ସଭା

Dr Nilamani Lenka's odia story Prakoshtha Sabhaa

ସଭା ପ୍ରାରମ୍ଭରେ ଦେଶାତ୍ମବୋଧ ସଂଗୀତ ଛାଡ଼ି ଓଡ଼ିଆ ଲଘୁସଂଗୀତଟିକୁ କାହିଁକି ଯେ ଗାନ କଲେ ଜଣାପଡୁ ନଥାଏ । ମୁଁ ଭାବିଲି ବିଶୁବାବୁ ଜଣେ ପେଷାଦାର ଗାୟକ ନୁହଁନ୍ତି, ତେଣୁ ଯାହା ସେ କଣ୍ଠସ୍ଥ କରିଥିଲେ ତାକୁ ହିଁ ପରିବେଷଣ କରିଦେଲେ ।

ପ୍ରକୋଷ୍ଠ ସଭା

-: ପୂର୍ବରୁ :-

ଜଳଖିଆ, ଚା’ ଚର୍ଚ୍ଚା ସରିବା ବେଳକୁ ପ୍ରାୟ ସାଢ଼େ ଚାରିଟା ଟପି ଯାଇଥିଲା । ବାର୍ତ୍ତାଳାପ ଭିତରେ ପକେଟ୍ରେ ରଖିଥିବା ସଉଦା ଚିଠା ଭିତରୁ ଭାଷଣର ପଏଣ୍ଟ ଗୁଡ଼ାକୁ ମୁଁ ଆଉଥରେ ଦେଖିନେଲି । ସବୁ ଠିକ୍ ଠାକ୍ ଅଛି । ସ୍ମରଣ ଭିତରୁ କୌଣସି ପଏଣ୍ଟ ହଟିଯାଇ ନାହିଁ ।

ପାର୍ଶ୍ୱରେ ବସିଥିବା ବିଶୁବାବୁଙ୍କୁ ଲକ୍ଷ୍ୟକରି ସୁରଥ ବାବୁ କହିଲେ- “ଏଥର ଆରମ୍ଭ କରିବା ।”

ସେ ହସି ଦେଇ ହଁ କହିଲେ ।

ତାଙ୍କୁ ଛାଡ଼ି ସମୁଦାୟ ବାହାର ଲୋକ ଭାବରେ ବସିଥିବା ଆମ ଚାରିଜଣଙ୍କୁ ଆଖି ବୁଲାଇ ଚାହିଁଲେ ।

ସେ ଚାହିଁବା ଭିତରେ ନିଜ ମନ ଭିତରେ କୌଣସି ପ୍ରଶ୍ନଗୁଡ଼ିକର ସମାଧାନ ସୂତ୍ର ବୋଧହୁଏ ଖୋଜୁଥିଲେ ।

ଅବସରପ୍ରାପ୍ତ ଶିକ୍ଷକ ସୁଧାକର ବାବୁଙ୍କ ଆଡ଼କୁ ଚାହିଁ ସେ କହିଲେ- “ସାର୍ ଆଜି ଆପଣ ଆମ ସଭାର ମୁଖ୍ୟ ଅତିଥି । ମୋତେ ମଧ୍ୟ କହିଲେ ଆପଣ ଆଜି ମୁଖ୍ୟ ବକ୍ତା । ଆମ ଦୁଇଜଣଙ୍କ ବ୍ୟତୀତ ଅନ୍ୟ ଯେଉଁ ଦୁଇଜଣ ଥିଲେ ସେମାନେ ସମ୍ମାନୀତ ଅତିଥି ଓ ସମ୍ମାନୀତ ବକ୍ତା ଭାବରେ ତାଙ୍କ ଦ୍ୱାରା ନିର୍ବାଚିତ ହୋଇଗଲେ ।”

ମୋତେ ଏସବୁ ଅଡୁଆ ଅଡୁଆ ଲାଗିଲା । ଏ ରହସ୍ୟ ମୋ ମନକୁ ବୁଝାଇ ପାରୁନଥିଲା । ଭାବିଲି ବୋଧହୁଏ ସଭାକୁ ଯିବା ପୂର୍ବରୁ ସେ ତାଙ୍କ ଅଫିସ୍‌ରେ ଅତିଥିଙ୍କ ଚର୍ଚ୍ଚା କରି କିଏ କେଉଁ ଆସନ ଅଳଙ୍କୃତ କରିବେ, ପୂର୍ବରୁ ସ୍ଥିରୀକୃତ କରିଦେଲେ ।

ବାସ୍ତବରେ ପରିସ୍ଥିତି ତାହା ନଥିଲା ।

କାରଣ, ସୁରଥ ବାବୁ ପୂର୍ବରୁ ଲେଖି ରଖିଥିବା ଛୋଟ କାର୍ଯ୍ୟସୂଚୀକୁ ସେତେବେଳକୁ ଡ୍ରୟାରରୁ କାଢ଼ି ତାଙ୍କ ସାମ୍ନାରେ ରଖି ସାରିଥିଲେ ।

ସୁରଥବାବୁଙ୍କୁ ତଥାପି ମୁଁ ପଚାରିଲି-

– ସଭା କେଉଁଠି ହେବ ?

ଉତ୍ତର ଦେଲେ ଏଇଠି କରିଦେବା, କମ୍ ଲୋକ ତ, ଆରାମ୍‌ସେ ଏଇଠି କରିଦେବା, ମହାପୁରୁଷଙ୍କୁ ଯେଉଁଠି ହେଉ ଶ୍ରଦ୍ଧା ସୁମନ ଅର୍ପଣ କରିଲେ ବି ଚଳିବ ।

ମୋର ଆଉ ବୁଝିବାକୁ ବାକି ନଥିଲା । ଏଇ ଅଫିସ୍‌ରେ ହିଁ ସଭା ହେବ ଏ ଅବିଶ୍ୱସନୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ପଡ଼ିଲା ।

ଜୀବନରେ କିଛି ଅନୁଭୂତି ସଂଗ୍ରହ କରିବା ଆଶାରେ ମୁଁ ଆଦୌ ରାଗିଲି ନାହିଁ । ସଭାକାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଗଲେ ସୁରଥ ବାବୁ । ଟହଲିଆ ପିଲାକୁ ଡାକି କହିଲେ- “ଦୁଆର ମୁହଁର ସ୍କିନ୍‌କୁ ଭଲ କରି ଟାଣି ଦେଇ ସେପଟରେ ବସିଥା । ସଭା ନ ସରିବା ଯାଏ କାହାକୁ ଭିତରକୁ ଛାଡ଼ିବୁ ନାହିଁ ।”

ପିଲାଟି ତା’ କାମ କରିବା ପାଇଁ ଚାଲିଗଲା । ସୁରଥବାବୁ ବିଶୁବାବୁଙ୍କୁ କହିଲେ- “ଆପଣ ତ ସଂଗୀତ ବାଲା, ପ୍ରଥମେ ଗୋଟିଏ ଉଦ୍‌ଘାଟନୀ ସଂଗୀତ ପରିବେଷଣ କରି ପରିବେଶକୁ ସରଗରମ କରିସାରିଲା ପରେ ଆମେ ତା’ପରେ ଆଗେଇବା ।”

ବିଶୁବାବୁ ନିଜକୁ ପରଖି ନେଲେ । ଖୁଁ-ଖାଁ ହୋଇ କଣ୍ଠକୁ ସଜାଡ଼ି ନେଇ ଠିଆ ହୋଇ ସଂଗୀତ ପରିବେଷଣ କରିବାକୁ ଉଦ୍ୟମ କଲାବେଳେ ସୁରଥ ବାବୁ ତାଙ୍କୁ ବାରଣ କରି ବସି ବୋଲିବାକୁ ପରାମର୍ଶ ଦେଲେ ।

ବିଶୁବାବୁ ଆରମ୍ଭ କଲେ- “ଏ ପରବତ କୁଞ୍ଚି କୁଞ୍ଚିକା, ମୋ ମନ ଯାଏ ନାଚି ନାଚିକା, ମୋ ପ୍ରିୟା ଯାଏ ଘୁଞ୍ଚି ଘୁଞ୍ଚିକା ।”

ସଭା ପ୍ରାରମ୍ଭରେ ଦେଶାତ୍ମବୋଧ ସଂଗୀତ ଛାଡ଼ି ଓଡ଼ିଆ ଲଘୁସଂଗୀତଟିକୁ କାହିଁକି ଯେ ଗାନ କଲେ ଜଣାପଡୁ ନଥାଏ । ମୁଁ ଭାବିଲି ବିଶୁବାବୁ ଜଣେ ପେଷାଦାର ଗାୟକ ନୁହଁନ୍ତି, ତେଣୁ ଯାହା ସେ କଣ୍ଠସ୍ଥ କରିଥିଲେ ତାକୁ ହିଁ ପରିବେଷଣ କରିଦେଲେ ।

ଅନିଚ୍ଛାକୃତ ଭାବରେ ସମସ୍ତଙ୍କ ସହିତ ମୁଁ ବି କରତାଳି ମାରି ତାଙ୍କୁ ଉତ୍ସାହିତ କଲି । ତା’ପରେ ସଭାକାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସୁରଥବାବୁ ତତ୍ପର ହେଲେ । କାରଣ ସନ୍ଧ୍ୟା ହୋଇଗଲେ ବ୍ୟାବସାୟିକ କାର୍ଯ୍ୟ ଆରମ୍ଭ ହୋଇଯିବ । ସହରର କେଉଁ ଦୋକାନରେ କେତେ ନୂଆ ମାଲ୍ ଲାଗିଲା, କେଉଁମାନେ କେତେ ଲେଖାଏଁ ପୂର୍ବ ବାକି ଆଦାୟ କଲେ, ସେସବୁର ତର୍ଜମା ଚାଲିବ । ମୋଟାମୋଟି ଭାବରେ ବର୍ତ୍ତମାନର ସାହିତ୍ୟ ପରିସର କିଛି ସମୟ ପରେ ବ୍ୟବସାୟ ସ୍ଥଳ ହୋଇଯିବ ।

ସଂଗୀତ ପରିବେଷଣ ପରେ ସୁରଥ ବାବୁ ତାଙ୍କ ଚେୟାରରେ ବସି ମୋ ଆଡ଼କୁ ଚାହିଁ କହିଲେ- “ଆପଣ ତ ବ୍ୟାସକବିଙ୍କ ସମ୍ପର୍କରେ ଅଧିକ ଜାଣନ୍ତି । ଯଦିଓ ଆପଣଙ୍କୁ ମୁଖ୍ୟ ଅତିଥି କରିବା ଇଚ୍ଛା ଥିଲା, କିନ୍ତୁ ଅନ୍ୟମାନେ ଆପଣଙ୍କୁ ମୁଖ୍ୟ ବକ୍ତା ଆସନରେ ବସାଇବାକୁ ଅନୁରୋଧ କଲେ । ସେ ଯାହାହେଉ ଆପଣଙ୍କୁ ମୁଁ ଏବେ ଅନୁରୋଧ କରୁଛି ଦମ୍ଦାର୍ ଅଭିଭାଷଣ ପ୍ରଦାନ କରନ୍ତୁ ।”

କ’ଣ କିପରି କେଉଁଠୁ ଆରମ୍ଭ କରିବି ଭାବିପାରିଲି ନାହିଁ । ସଭାର ଅବସ୍ଥା ଦେଖି ମୋ ମନ ମରି ଯାଇଥିଲା । ତଥାପି ଯେତେବେଳେ ସଭାସ୍ଥଳକୁ ଆସିଯାଇଛି କିଛି ତ କହିବାକୁ ପଡ଼ିବ । ନିର୍ବିକାର ଭାବରେ ବ୍ୟାସକବିଙ୍କ ସଂଗୃହୀତ ତଥ୍ୟ ଉପରେ ଆଧାରିତ ଅଭିଭାଷଣ ଦେଲି ।

ପୂର୍ବର କଳଗାଉନା ଭଳି ପକେଟ୍ରେ ରଖିଥିବା ତଥ୍ୟଗୁଡ଼ିକୁ ମନେପକାଇ ବ୍ୟାସକବିଙ୍କର ଉପନ୍ୟାସ, ଗଳ୍ପ ସମ୍ପର୍କରେ ଅନେକ ତଥ୍ୟ ଉପସ୍ଥାପନ କଲି । ପାଞ୍ଚ- ଦଶ ମିନିଟ୍ କହିଲା ଭିତରେ ସୁରଥ ବାବୁ ଏବଂ ଅନ୍ୟମାନେ ମଝିରେ ମଝିରେ ଖୁବ୍ ତାଳି ମାରୁଥିଲେ ।

ଅନ୍ୟୂନ କୋଡ଼ିଏ ମିନିଟ୍ କହିଲା ପରେ ବି ମୋର ସମୟ ସଂଯମତା ଜ୍ଞାନ ନ ଥିଲା । କାରଣ ଶ୍ରୋତାଙ୍କ ଦୁର୍ବଳ ଉପସ୍ଥିତି ପ୍ରତି ମୋର ନଜର ରହିବା କଥା, ସେତକ ମୁଁ ଭୁଲି ଯାଇଥିଲି ।

ସେମାନଙ୍କ ଆଉ ଧୈର୍ଯ୍ୟ ନଥିଲା ଶୁଣିବା ପାଇଁ । ମୋତେ ଉତ୍ସାହିତ କହିବା ବାହାନରେ ଏତେ ଜୋର୍ ତାଳି ମାରିଲେ ଯେ ଶେଷରେ ସଂଗୃହୀତ ତଥ୍ୟ କିଛିକୁ ମୁଁ ଭୁଲିଗଲି ।

ଶୀଘ୍ର ସାରିବା ପାଇଁ ସଭାପତି ସୁରଥବାବୁ ଇଙ୍ଗିତ ଦେଲେ । ଅନ୍ୟମାନେ ବାରମ୍ୱାର ନିଜ ଘଣ୍ଟାରୁ ସମୟ ଦେଖିବା ବାହାନାରେ ମୋତେ ସମୟ ସଚେତନ କରିଦେଲେ ।

ମୋ ଅଭିଭାଷଣ ସରିଲା । ଅନ୍ୟମାନେ ମାତ୍ର ଗୋଟିଏ କିମ୍ୱା ଦୁଇ ମିନିଟ୍ ଭିତରେ ସେମାନଙ୍କର ବକ୍ତବ୍ୟ ସାରିଦେଲେ । ସୁରଥ ବାବୁଙ୍କ ହାତରେ ଆଉ ସମୟ ନଥିଲା ।

ସ୍କ୍ରିନ୍ ଆଡ଼େଇ ଆମକୁ ବାହାରୁ ଚାହୁଁଥିଲେ ଜଣକ ପରେ ଜଣେ ଲୋକ । ପୁଣି ଫୁସୁରୁ ଫାସର ହୋଇ ଆମ ସମ୍ପର୍କରେ କ’ଣ କଥା ହେଉଥିଲେ ।

ସୁରଥ ବାବୁ ବାରମ୍ୱାର ଅନ୍ୟମନସ୍କ ହୋଇଯାଉଥିଲେ । ଶେଷରେ ତାଙ୍କର ଗୁମାସ୍ତା ନରେଶବାବୁ ସ୍କ୍ରିନ୍ ଆଡ଼େଇ ଭିତରକୁ ଆସି କହିଲେ- “ଆଜ୍ଞା ! ହିସାବ ବୁଝେଇ ପିଲାମାନେ ଯିବାକୁ ବ୍ୟସ୍ତ ହେଲେଣି ।”

ହେଇ ସରିଲା- ସରିଲା କହି ଧନ୍ୟବାଦ ଦେବାକୁ ବିଶୁ ବାବୁଙ୍କ ହିଁ କହିଲେ । ସଭା ସରିଗଲା ।

ଆମେ ଚେୟାର୍‌ରୁ ଉଠୁ ଉଠୁ ସ୍କ୍ରିନ୍ ଆରପଟେ ଅପେକ୍ଷାରତ ବ୍ୟାବସାୟିକ ପିଲାମାନେ ଭୁସ୍‌ଭାସ୍ ଭିତରକୁ ପଶିଆସି ସୁରଥବାବୁଙ୍କୁ ଘେରି ଠିଆ ହେଲେ ।

ଔପଚାରିକ ଦୃଷ୍ଟିରୁ ଆମକୁ ବିଦାୟକାଳୀନ ସୂଚନା ଦେବାକୁ ଯାଇ ସୁରଥ ବାବୁ ଚେୟାର୍‌ରୁ ଉଠି ନମସ୍କାର କରି ସଭାକୁ ଆସି ଥିବାରୁ ସାଧୁବାଦ୍ ସହିତ କୃତଜ୍ଞତା ଜ୍ଞାପନ କଲେ ।

ପ୍ରକୋଷ୍ଠ ସଭାରୁ ଫେରିବା ପରେ ମୋତେ ରାତିଟାଯାକ ଆଦୌ ଭଲ ଲାଗିଲା ନାହିଁ । ସ୍ୱତଃସ୍ଫୂର୍ତ୍ତ ଭାବରେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା । ମୋର ଏ ପ୍ରକାର ସଭାକୁ ଯିବା ଠିକ୍ ହେଲା ନାହିଁ ମିମାଂସା କରିପାରିଲି ନାହିଁ । ଛାଇ ନିଦ ଭିତରେ ଚେତନ ସ୍ତରର ମୁହୂର୍ତ୍ତମାନଙ୍କରେ ଭାବୁଥିଲି ସାହିତ୍ୟକୁ ନେଇ ସୁରଥ ବାବୁଙ୍କ ଭଳି ମୁଷ୍ଟିମେୟ ବ୍ୟକ୍ତିମାନେ କେଉଁଠି ରଖିଲେଣି । ନିଜର ବ୍ୟାବସାୟିକ ପ୍ରସାର ନିମିତ୍ତ ସାହିତ୍ୟକୁ ଯେ ଏମାନେ ମାଧ୍ୟମ କରିସାରିଲେଣି ଏ ପ୍ରସଙ୍ଗ ବୁଝିବା ନିମିତ୍ତ ଆଦୌ ବାକି ରହିଲା ନାହିଁ ।

ସକାଳ ହେଲା ।

ଅନେକ ବନ୍ଧୁବାନ୍ଧକଙ୍କ ନିକଟରୁ ଫୋନ୍ ଆସିଲା । କେବଳ ପ୍ରଶଂସା ନଥିଲା, ବରଂ କେତେକ ପ୍ରଶ୍ନ ଥିଲା ମୋ ପାଇଁ ।

– ସୁରଥ ବାବୁ କେଉଁଦିନ ସାହିତ୍ୟିକ ହୋଇଗଲେଣି. . . ? ଆପଣ ସେ ମିଟିଂକୁ ଯାଉଥିଲେ କାହିଁକି ?

ପ୍ରଶସ୍ତି ଏବଂ ପ୍ରଶଂସା ଭିତରେ ତାତ୍ସଲ୍ୟପଣ ମୋତେ ବେଳେବେଳେ ଦୁର୍ବଳ କରିଦେଉଥିଲା ।

ଶେଷରେ ଯେତେବେଳେ ଜଣେ ବନ୍ଧୁଙ୍କ ଠାରୁ ଶୁଣିଲି ଦୈନିକ ଖବରକାଗଜମାନଙ୍କରେ ପୃଷ୍ଠା ମଣ୍ଡନ କରିଛି ଶୀର୍ଷକ ବ୍ୟାସକବି ଥିଲେ ଓଡ଼ିଆ ଭାଷାର ଏକ କାନ୍ଥ- ମୁଖ୍ୟ ବକ୍ତା ।

ଘର ପାଖର କଲେଜ ପଢୁଆ ପିଲାଟିକୁ ପଠାଇ ସେଦିନର ସମସ୍ତ ଖବର କାଗଜ ପାଖକୁ ଆଣି ଦେଖିଲି ସବୁଥିରେ ମୋତେ ଖୁବ୍ ପ୍ରଶଂସା କରାଯାଇଛି । ଆନନ୍ଦରେ ଅଧୀର ହୋଇଗଲି ।

କାନ୍ଥ ଥାକରେ ଥିବା ଲମ୍ୱା ବନ୍ଧାଇ ଖାତା ପୃଷ୍ଠାରେ ସମ୍ୱାଦଗୁଡ଼ିକ କାଟିଲା ପରେ ଅଠା ଲଗାଇ ସାଇତି ଦେଲି ଭବିଷ୍ୟତ ପାଇଁ ।

ମନେ ମନେ ଅଜସ୍ର ପ୍ରଶଂସା କଲି ସୁରଥ ବାବୁଙ୍କୁ । ଅଳ୍ପ ସମୟ ଏବଂ ବିନା ଟେନ୍‌ସନ୍‌ରେ ପ୍ରକୋଷ୍ଠ ସଭା କରି ଏତେଗୁଡ଼ିଏ ଖବରକାଗଜରେ ବିସ୍ତୃତ ସମ୍ୱାଦ ପ୍ରକାଶ କରିବାରେ ତାଙ୍କ କୌଶଳ ସେଦିନ ମୋତେ ଖୁବ୍ ଆତ୍ମହରା କରିଦେଇଥିଲା ।

ପ୍ରଚାର ଏବଂ ପ୍ରସାର କ୍ଷେତ୍ରରେ ଏ ପ୍ରକାର ଶସ୍ତାରେ ନାଁ କମେଇବା ମୋହ ତଥାପି ମୋତେ ଏବେ ଆତ୍ମହରା କରି ଦେଇଛି ବାରମ୍ୱାର ।

ଲୋକପ୍ରିୟ ଲେଖା

To Top