ଗଳ୍ପ

ବୁଆରୀ

Dr Sharat Chandra Parida's odia story Buaaree

ମଶାଣିରେ ପିଲା ଜନ୍ମ କରି ଡାହାଣୀକୁ ଡରିଲେ ହବ କି ! କିଛି ଦୂରଗଲା ପରେ ଦେଖିଲୁ ସରୁ ନଈଟିଏ ବହିଯାଉଚି ।

ବୁଆରୀ

-: ପୂର୍ବରୁ :-

ପରିଣତ ବୟସରେ ଯୁଆନ ବେଳର କଥା ମନେପଡ଼ିଲେ ପୂର୍ବ ଘଟନାଗୁଡ଼ିକ ଅଧିକ ରଙ୍ଗିନ ହୋଇଯାନ୍ତି । ତନୁମନ ରୋମାଞ୍ଚିତ ହୋଇ ଉଠେ । କହି ଚାଲିଥିଲେ ମଧୁବାବୁ । ଥରେ ମୋତେ ସେମାନେ ବେଣ୍ଟକୁ ଡାକିଲେ । ମୋର ମଧ୍ୟ ନିଘଞ୍ଚ ନିକାଞ୍ଚନ ଜଙ୍ଗଲରେ ବୁଲିବାରେ ଭାରି ଆନନ୍ଦ । ପଶୁ ଶିକାର ଭଳି ଏକ ରୋମାଞ୍ଚକର ଅଭିଯାନରେ ମୋତେ ସାମିଲ କରିଥିବାରୁ ମୋର ମଜା କହିଲେ ନସରେ । ମୁଁ ସେମାନଙ୍କ ସାଥିରେ ଚାଲିଲି । ବହୁତ ବୁଲାବୁଲି କଲା ପରେ କିଛି ମିଳିଲା ନାଇଁ । ସମସ୍ତଙ୍କ ମନ ଭାଙ୍ଗି ପଡୁଥାଏ । ଠିକ୍ ଏତିକିବେଳକୁ ଗୋଟିଏ ବିରାଟ ବାରହା ଆଖି ସାମ୍ନାକୁ ଆସିଲା । ତାକୁ ଦେଖି ଆମ୍ଭମାନଙ୍କ ମନ କୋଟି ନିଧି ପାଇଲା ପରି ନାଚିବାକୁ ଲାଗିଲା । ବାରହାଟା ଆମକୁ ଯେମିତି ଦେଖି ଦେଇଛି ଏକ ମୁହାଁ ହୋଇ ଧାଇଁଲା । ସେ ଜୀବନ ବିକଳରେ ଧାଇଁଲା ବେଳକୁ ଆମ ଭିତରୁ ଜଣେ ବିଚକ୍ଷଣ ଶିକାରୀ ତାକୁ ଲକ୍ଷ୍ୟ କରି ନଳୀବନ୍ଧୁକରୁ ଢୋ’ କରି ଗୁଳିଟାଏ ଛାଡ଼ି ଦେଲା । ତା’ ଲକ୍ଷ୍ୟଭେଦୀ ଗୁଳିଟା ବାରହାର ପଛ ଫରିଆରେ ପଶିଗଲା ଯେ ଆଉ ବାହାରିଲା ନାଇଁ । ସେ ପ୍ରଚଣ୍ଡ ଭାବରେ ଆହତ ହୋଇ ତଡ଼ିତ୍ ଗତିରେ ଧାଇଁଲା । ଘନ ଘୋର ଜଙ୍ଗଲର କୋଉ ନିଘଞ୍ଚ ଇଲାକାରେ ଲୁଚିଗଲା ଯେ ଆମକୁ ଆଉ ଦୃଶ୍ୟ ହେଲା ନାଇଁ । ପୂର୍ବ ଅପେକ୍ଷା ଆମେ ଅଧିକ ଶଙ୍କିଗଲୁ । କାହାକୁ ଆହତ କରି ଛାଡ଼ିବା ଅର୍ଥ ନିଜ ନିଧନକୁ ପ୍ରତି ମୁହୂର୍ତ୍ତରେ ସ୍ୱାଗତ କରିବା । ଶଙ୍କା ଆଶଙ୍କା ବିଶଙ୍କାର ତ୍ରିଛକରେ ଆମର ହୃତ୍ସ୍ପନ୍ଦନ ବଢ଼ି ଯାଉଥାଏ । ତଥାପି ମଶାଣିରେ ପିଲା ଜନ୍ମ କରି ଡାହାଣୀକୁ ଡରିଲେ ହବ କି ! କିଛି ଦୂରଗଲା ପରେ ଦେଖିଲୁ ସରୁ ନଈଟିଏ ବହିଯାଉଚି । ଆଉ ସେହି ଆହତ ବାର୍ହା ମିଳିବ ନାଇଁ ବୋଲି ମନରେ ଯେଉଁ ଧାରଣା ଆସୁଥିଲା ନଈର ଜଳଧାରାକୁ ଦେଖି ତାହା ଉଭେଇ ଗଲା । ପୁଣି ଆଗକୁ ଯିବାକୁ ଦୃଷ୍ଟି ପ୍ରସାରନ୍ତେ ହଠାତ୍ ସେହି ବାରହାକୁ ଦେଖିବାକୁ ପାଇଲୁ । ଦେଖିବାକୁ କ’ଣ ମ, ସେ ତ ଆମ ଆଡ଼କୁ ଚମକି ପଡ଼ି ପ୍ରତିଶୋଧ ନେବାକୁ ତୀବ୍ର ବେଗରେ ଧାଇଁଲା । ମୋ ହାଲୁକ ଶୁଖିଗଲା । ଆଉ ରକ୍ଷା ନାଇଁ । ଆଗରେ ଯିଏ ପଡ଼ିବ ତା’ ଉପରକୁ ବାର୍ହା କୁଦି ପଡ଼ିବ । ଆମ ଭିତରେ ଭାଳେଣି ପଡ଼ିଗଲା- ନିଶ୍ଚୟ ଆଜି ଆମ ଭିତରୁ ଜଣେ ସାଥୀକୁ ହରାଇବାକୁ ପଡ଼ିବ । ତା’ର ମୁନିଆ ତୀକ୍ଷ୍ଣ ଦାନ୍ତରେ ନରସିଂହ ହିରଣ୍ୟକଶିପୁକୁ ବିଦାରଣ କଲା ପରି ସେ ଆମକୁ ଚିରି କୁଟ୍କୁଟା କରିଦେବ ।

ହେଲେ ଆମ ଦଳ ଏଭଳି ଜୀବନ ମରଣ ସଙ୍କଟ ସହିତ ବହୁ ପରିଚିତ । ଏସନ ଉଗ୍ର ପରିସ୍ଥିତି ସାମ୍ନା କରିବାରେ ଓସ୍ତାଦ । କେତେକ ପାଖରେ ନିର୍ବିକାର ଭାବରେ ଛିଡ଼ା ହୋଇଥିବା ଗଛଦେହରେ ଚଟାପଟ ଚଢ଼ିଗଲେ । ସେମାନେ ଗଛରେ ଚଢ଼ିଗଲେ ତୀର ସନ୍ଧାନ କରିବା ପାଇଁ, ମୁଁ କିନ୍ତୁ ଗଛରେ ପ୍ରାଣ ବଞ୍ଚାଇବା ପାଇଁ ଚଢ଼ିଗଲି । ଆମ ଭିତରୁ ଜଣେ ଭୀମା ବୋଲି ବିନ୍ଧାଣି ଥିଲା । ନାଁଟା ଯେମିତି କାମ ବି ସେମିତି । ସେ ନିର୍ଭୟ ହୋଇ ହଲଚଲ ନ ହୋଇ ଧାବନ୍ତ ଘାଇଲା ବାର୍ହାକୁ ଲକ୍ଷ୍ୟ କରି ଗୁଳି ଚଳାଇଲା । ସମସ୍ତେ ଭାବିଲେ ଶିକାରୀ ଆଜି ଶିକାର ପାଲଟିଯିବ । ନିଆଁବାଣ ବାର୍ହା କବଳରୁ ଆଜି ଭୀମା ମୁକୁଳି ପାରିବ ନାଇଁ । ଗୁଳି ବିନ୍ଧି ପାଖ ଗଛ ଉହାଡ଼କୁ ଆଖି ପିଛୁଳାକେ ଆଉଜି ଗଲା ଭୀମା । ଅମୋଘ ଗୁଳିଟା ବାର୍ହାର ମଥାରେ ବାଜିଲା ମାତ୍ରେ ସେ ଲକ୍ଷ୍ୟ ଭ୍ରଷ୍ଟ ହୋଇ ଶହେ ମିଟର ପର୍ଯ୍ୟନ୍ତ ଭୂଇଁରେ ଘୋଷାରି ହୋଇ ତଳେ ପଡ଼ିଗଲା । ଭାଗ୍ୟକୁ ତା’ ସାମ୍ନାରେ କେହି ନଥିଲେ ।

ଏ ଦୃଶ୍ୟ କେଉଁ ଡିଟେକ୍ଟିଭ କାହାଣୀ ଭଳି ଲାଗୁଥାଏ । ସମସ୍ତଙ୍କ ପିଣ୍ଡରେ ପ୍ରାଣ ପଶିଲା । ଯାହା ହେଉ ବଞ୍ଚିଗଲେ ସମସ୍ତେ । ମସ୍ତବଡ଼ ଖୁସିରେ ଗଛରୁ ଓହ୍ଲାଇଲେ । ସତେ ଯେମିତି କେଉଁ ଗଛର ଡାଳକୁ ଛୁଇଁଥିବା ବନ୍ୟା ଜଳ ଏବେ ଛାଡ଼ିଯାଇଚି । ହର୍ଷୋଲ୍ଲାସରେ ଗଦ୍‌ଗଦ୍ ହୋଇ ସମସ୍ତେ ଭୀମାକୁ କୁଣ୍ଢାଇ ପକାଇଲେ । ବହୁତ ବାହା ବାହା ଦେଲେ । ବିରାଟ ସଫଳତାର ପଟୁଆରରେ ବାର୍ହାକୁ କାନ୍ଧେଇ ଗାଁକୁ ଫେରିଲେ । ସତେ ଯେମିତି ସରଗରୁ ଆଜି ଚାନ୍ଦ ଖସି ପଡ଼ିଛି । ଏତେ ବଡ଼ ବାର୍ହା ଶିକାର ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ସାଙ୍ଗେ ସାଙ୍ଗେ ଆରମ୍ଭ ହୋଇଗଲା ପାରମ୍ପରିକ ନାଚଗୀତ ରଙ୍ଗ ରସ । ସମସ୍ତେ ଆନନ୍ଦରେ ଆତ୍ମବିଭୋର ହୋଇଥିଲା ବେଳେ ପାଖ ଗାଁର ଜଣେ ଭେଣ୍ଡିଆ ହରି ବସୁମତୀକୁ ଉଠାଇ ନେଲା । ବସୁମତୀ ଥିଲା ବିବାହିତ । କିନ୍ତୁ ଶାଶୁଘର ଛାଡ଼ି ବାପ ଭାଇ ସାଙ୍ଗରେ ରହୁଥିଲା । ଆଦିବାସୀ କୁଳରେ ଜନ୍ମ ହେଲେ କ’ଣ ହେଲା ଦେଖିବାକୁ ଭାରି ସୁଠାମ । ଦେହରେ ଦେହେ ଯୌବନ । ବୟସ ଜମା ପଚିଶ ବୋଧେ । ହେମ ହରିଣୀ ପରି ଭାରି ମନଲୋଭା । ଲାବଣ୍ୟବତୀ ! ମଧୁବାବୁଙ୍କ ବେଣ୍ଟ କାହାଣୀଟା ହଠାତ୍ ଏମିତି ରୋମହର୍ଷକ ପ୍ରେମ କାହାଣୀର ମୋଡ଼ ନେବ ବୋଲି ସୁକାନ୍ତବାବୁ ଓ ନକୁଳବାବୁ ଆଦୌ ଭାବି ପାରୁନଥିଲେ । ମଧୁବାବୁଙ୍କୁ ବିସ୍ଫାରିତ ନେତ୍ରରେ ଚାଇଁ ରହିଥିଲେ ଅନ୍ୟ ବନ୍ଧୁ ଦି’ଜଣ ।

ମଧୁବାବୁ ନିଜ ତରଫରୁ ସସ୍ପେନ୍ସ ଭାଙ୍ଗି ବସୁମତୀର କାହାଣୀ ଖୋଲିଲେ, ଏଇ ବସୁମତୀ ଯେମିତି ରୂପର ସେମିତି ଗୁଣର । ଶାସ୍ତ୍ର ପରା କହେ- ରୂପ ଯେଉଁଠି ଗୁଣ ସେଇଠି । ଏମନ୍ତ ରୂପର ଓ ଗୁଣର ହୋଇ ସ୍ୱାମୀ ଛାଡ଼ିରି ହେଲା କିପରି ବୋଲି ଏକ ଦୋଘାଇରେ ପଡ଼ିଗଲେ ନକୁଳ ଓ ସୁକାନ୍ତବାବୁ । ଯେଉଁଦିନ ପର୍ଯ୍ୟନ୍ତ ବସୁମତୀ ବାପଘରେ ଥିଲା ସେଦିନ ପର୍ଯ୍ୟନ୍ତ ସ୍ୱାମୀଙ୍କ ତରଫରୁ କିଛି ସ୍ୱରଶବ୍ଦ ନଥିଲା । କିନ୍ତୁ ଯେଉଁ ଦିନ ହରି ହରଣ କରି ନେଲା ସେଦିନ ବୁଦ୍ଧି ଘରେ ପଶିଲା । ଚେତନା ଚେଇଁ ଉଠିଲା । ପୂର୍ବ ସ୍ୱାମୀ କେଶବ ଥାନାକୁ ଗଲା । ଅପହରଣ କେଶ୍ ଦାୟର କଲା । ବିଚାର ହେଲା । ଛିଡ଼ିଲା ନାଇଁ । କେଶ୍ଟା କ’ଣ କାଠ ବାଉଁଶର ଗଣ୍ଠି ହୋଇଛି ଯେ ଦି’ଚୋଟ ମାରିଲେ ଏକା ଥରକେ ଦି’ଗଡ଼ ହୋଇଯିବ । କେଶବର ମଧ୍ୟ ଥିଲା ବାଟି ବାଟି ଭୂସମ୍ପତ୍ତି । ପଚାଶ ଖଣ୍ଡ ଗାଁରେ ନାମକରା ଚାଷୀ । ତା’ ବାପ କେଶ୍ ଦଫାରଫା କରିବା ପାଇଁ ଲକ୍ଷେ ଟଙ୍କା ହାଙ୍କିଲା । କିନ୍ତୁ ଯେତେ ଧନର ମାଲିକ ହେଲେ ବି ଜଣେ ଆଦିବାସୀ ଭେଣ୍ଡିଆ ପକ୍ଷରେ ଲକ୍ଷେ ଟଙ୍କା କନ୍ୟା ସୁନା ଦେବା ବଡ଼ ଅଛିଣ୍ଡା ଅଙ୍କ । ଏମିତି ଦାବି ଓ ଅସାମର୍ଥ୍ୟର ଖାପ୍‌ଛଡ଼ା ଖେଳ ଭିତରେ ବିଚରା ବିଚାରଟା ମୁହଁ ମାଡ଼ି ନେପେଟେଇ ଅନେକ ଦିନ ପଡ଼ି ରହିଲା ।

ମଧୁବାବୁଙ୍କ କାନରେ ମଧ୍ୟ ଏକଥା ପଡୁଥାଏ । ଗାଁର ଲୋକମାନଙ୍କ ମଧ୍ୟରେ କିଛି ଭଲମନ୍ଦ ଭୁଲ ବୁଝାମଣା ଘଟିଲେ ସେମାନେ ମଧୁବାବୁଙ୍କ ପାଖକୁ ଆସିଥାନ୍ତି । ଉଭୟ ପକ୍ଷର ଫରାଦ ଶୁଣି ନିରପେକ୍ଷ ଭାବରେ ସେସବୁ ଫଇସଲା କରିଦିଅନ୍ତି । ଏକଥା ଶୁଣି ନକୁଳ ଆଉ କି ନିରବ ରହିପାରନ୍ତେ । କହିଲେ- “ମଧୁ ଭାଇନା, ତା’ହେଲେ ତମେ ଥିଲ ସେ ଖଣ୍ଡମଣ୍ଡଳର ବଡ଼ ବିଚାରପତି ଓ ସେ ଗାଁ ସବୁ ଥିଲା ତମର ବିରାଟ ଦରବାର ।” ଏକଥାଶୁଣି ମଧୁବାବୁ ପରମ ଆତ୍ମ ସନ୍ତୋଷରେ ଅଳ୍ପ ଅଳ୍ପ ହସି କହିବାକୁ ଲାଗିଲେ- “ଖାଲି କ’ଣ ସେତିକି ନୁକଳବାବୁ ? ଆଦର ସମ୍ମାନ ସହିତ ଲୋକେ ଖୁସି ହୋଇ ଚାଉଳ ବସ୍ତା ଆଣି ଦୁଆର ମୁହଁରେ ଡେରି ଦେଇ ଯାଉଥିଲେ । କିଛି ଟଙ୍କା ମଧ୍ୟ ପକେଟ୍‌ରେ ଜବରଦସ୍ତି ପୁରାଇ ଦଉଥିଲେ ।” ସୁକାନ୍ତବାବୁ ପରିସ୍ଥିତିକୁ ରସାଳ କରି ଟି’ଣୀ ଦେଇ କହିଲେ- “ତା’ହେଲେ ମଧୁବାବୁଙ୍କ ମଧୁରତାରେ ସମସ୍ତେ ମନ୍ତ୍ର ମୁଗ୍ଧ ହୋଇ ଯାଉଥିଲେ ।” ଚଳ ଚଞ୍ଚଳ ସନ୍ଧ୍ୟାର ପରିବେଶଟା ତିନି ବନ୍ଧୁଙ୍କ ଠୋ’ ଠୋ’ ହସରେ ଫାଟି ପଡୁଥିଲା ।

ସୁକାନ୍ତବାବୁ କିନ୍ତୁ ମନେ ମନେ ଗୁଣି ହେଉଥିଲେ । ମଧୁବାବୁଙ୍କ ସଫଳତାରେ ଟାଣି ହୋଇ ବସୁମତୀ-କେଶବ କେଶ୍ ତାଙ୍କ ଅଦାଲତକୁ ଆସିଲା ନା ନାଇଁ । ସତକୁ ସତ ମଧୁବାବୁ କହିଲେ । ମୁଁ ମୋ ତରଫରୁ ପ୍ରସ୍ତାବ ଦେଲି । ଏ ଅଦାଲତରେ ମୁଁ ଥିଲି ଓକିଲ ଓ ହାକିମ । କିଛି ଲୋକ ଏହା ଶୁଣି ଅପସନ୍ଦ କଲେ । ଯେଉଁ କେଶ୍ କୋର୍ଟରୁ ମୁହଁ ମୋଡ଼ି ଫେରିଚି ତାକୁ ମଧୁବାବୁ ଫଇସଲା କରି ଦେବେ । ମୁଁ ତ ଭଲ ମନରେ ଦୁଇଟି ପରିବାରର ମଙ୍ଗଳ ଚାହୁଁଥିଲି । ତେଣୁ ସାମାନ୍ୟ ବିଳମ୍ୱ ଘଟିଲେ ମଧ୍ୟ ଉଭୟ ପକ୍ଷ ନିରାଶ ନ ହୋଇ ମୋ ପାଖକୁ ଆସିଲେ । ସାହାଯ୍ୟ ମାଗିଲେ । ମିଛ ତ କାଳେ କାଳେ ଅତ୍ୟାଚାରୀ । ସତ ତ ଯୁଗେ ଯୁଗେ ସହଣିକ । ଭଲର ବାଟ ମନ୍ଦ କେତେ ଦିନ ଓଗାଳି ପାରିବ ।

ସବୁ ନଈର ପାଣି ଗଡ଼ି ଗାଡ଼ି ସମୁଦ୍ରରେ ପହଞ୍ଚିଲା ପରି ଉଭୟ ପକ୍ଷର ସବୁ ସଦସ୍ୟ ମୋ ପାଖରେ ଆସି ଗୋଟି ଗୋଟି ହୋଇ ପହଞ୍ଚିଲେ । ସମସ୍ତଙ୍କ ଠାରୁ ମିଳିତ ଭାବରେ ଓ ଅଲଗା ଅଲଗା କରି ମୁଁ ବୟାନ୍ ଶୁଣିଲି । ବ୍ୟକ୍ତିଗତ ବିବୃତି ମୋ ଢଙ୍ଗରେ ମୁଁ ସଂଗ୍ରହ କଲି । ବିବୃତି ସଂଗ୍ରହ କଲା ବେଳେ ହରି, ହରିର ବାପା, ମା’, ବସୁମତୀ, ବସୁମତୀର ବାପା, ମା’, ଭାଇ, କେଶବ ଓ କେଶବର ବାପା, ମା’ ଭାଇ- ସମସ୍ତେ ମୋ ତଥ୍ୟ ସଂଗ୍ରହ ମଞ୍ଚରେ ଉଦ୍ଭାସିତ ହେଲେ । ବସୁମତୀକୁ ଜେରା କଲାବେଳେ ସେ କିଛି ଲୁଚାଉ ଥିବାର ମୁଁ ଲକ୍ଷ୍ୟ କଲି । ତାକୁ ବିଶ୍ୱାସ ଦିଆଇଲି । ଭରସା ଦେଲି । ବୈଦ୍ୟକୁ କ’ଣ ରୋଗ ଲୁଚାଯାଏ ? ମୁଁ ତୋର ବଡ଼ ଭାଇ ପରିକା । ମୋ ପାଖରେ କଥା ରଖିଲେ, ମୁଁ କାହାକୁ କିଛି କହିବି ନାଇଁ । ମୁଁ ଭିତିରି କଥା ନ ଜାଣିଲେ କୋଉଟା ଠିକ୍ କୋଉଟା ଭୁଲ୍ ଜାଣିବି କେମିତି ? ପ୍ରଥମେ କହ କେଶବ କେମିତିକା ଲୋକ ? ତୋତେ ସ୍ନେହ କରେ କି ନାଇଁ ? ତୋତେ ଖାଦ୍ୟବସ୍ତ୍ରରେ ଊଣା କରେ କି ? ବସୁମତୀର ଉତ୍ତର ସବୁ ସକାରାତ୍ମକ ଥିଲା । ମୁଁ ଆଶ୍ଚର୍ଯ୍ୟ ହେଲି । ଯଦି ସବୁଥିରେ ଭଲ ତୁ ତାକୁ ଛାଡ଼ି ଆସିଲୁ କାହିଁକି ? ସେ ଆଉ କାହାକୁ ମନ ଦିଏ କି ? ନାଇଁ, ନାଇଁ ବାବୁ, ସେ ସେମିତିକା ମରଦ ନୁଏଁ । ସେ ମୋତେ ପ୍ରାଣଭରି ଭଲ ପାଏ । ଯଦି ଭଲ ଲୋକ ତୁ ତାକୁ ଛାଡ଼ି ରହିଚୁ କିଆଁ ? ତା’ ପାଖକୁ ପଳାଇ ଯା’ । ନାଇଁ ବାବୁ ମୁଁ ସେଠାକୁ ଆଦୌ ଯିବି ନାଇଁ । ଆରେ, ବଡ଼ ଅକଳିଆ କଥା । ଭିତର ରହସ୍ୟର ଗଣ୍ଠି ଆଦୌ ଫିଟୁ ନାଇଁ । ଜବର ଗଣ୍ଠି ପଡ଼ିଚି । ତୁ ସତ କହ ବସୁମତୀ ଘଟଣା କ’ଣ ? ତୋର ବିନା ସାହାଯ୍ୟରେ ଏ ଚକ୍ରବ୍ୟୁହ ଭିତରକୁ ପଶି ହେବ ନାଇଁ ।

ଏଣେ ବସୁମତୀ ଶଶୁରର ଏକା ଜିଦ୍ । ଲକ୍ଷେ ଟଙ୍କା ଆଗ ପକା, ତା’ପରେ ମୀମାଂସା ହେବ । ଲକ୍ଷେ ଟଙ୍କା କୋଉଠି ହରି କୋଉଠି । ଏ ବିଷମ ସମସ୍ୟାରେ ସମସ୍ତେ ନିର୍ବାକ୍ ହୋଇ ପଡ଼ିଥିଲା ବେଳେ ମୁଁ ବସୁମତୀକୁ ପୁଣି ଜେରା ଆରମ୍ଭ କରିଦେଲି । ଏ ନାଟର ଗୋବର୍ଦ୍ଧନ କିଏ ତୁ ଶୀଘ୍ର କହ ! ନୋଚେତ୍ ଦୁଇ ନାଆରେ ଗୋଡ଼ ଦେଲା ପରି ତୋ ଅବସ୍ଥା ହେବ । ତୁ ଶାନ୍ତିରେ ରହି ପାରିବୁ ନାଇଁ କିମ୍ୱା ଅନ୍ୟମାନଙ୍କୁ ମଧ୍ୟ ଶାନ୍ତିରେ ରଖାଇ ଦେବୁ ନାଇଁ । ବସୁମତୀ ଆଉ କଥାକୁ ଆଗକୁ ଯିବାକୁ ନ ଦେଇ ତଳକୁ ମୁହଁ ପୋତି ଆସ୍ତେ କହିଲା- “ଶଶୁର ! ମାଡ଼ ଦିଏ ? ନାଇଁ । ଗାଳି କରେ ? ନାଇଁ । ଆଉ ତାହା ହେଲେ ? ସେ ମୋ ବାପା ତୁଲ୍ୟ ଲୋକ । ମୋ ସହିତ ପାପ ସମ୍ପର୍କ ରଖିବା ପାଇଁ ଝଗଡ଼ା କରେ । ଓହେ, ତାହାହେଲେ ଶଳା ବୁଢ଼ା ଏତେ ନାଟ ଲଗାଇଚି । ମନେ ମନେ ଭାବିଲି, ରହ ବୁଢ଼ା ତୋ ରଙ୍ଗ ଛଡ଼ାଉଚି । ନିଶାପ ବସିଲା । ଆଗ ଭଳି ମୁନାଫାଖୋର ଫରିଆଦୀ ବୁଢ଼ା ତା’ ଦାବି ବଡ଼ ଜୋର୍‌ରେ ଦୋହରାଇଲା, ଟଙ୍କା ପଇଠ ନ କଲେ ଏକଥା ଏଇଠି ଥାଉ । ମୁଁ ସଭାକୁ ପଚାରିଲି । ସେତେବେଳକୁ ମୁଁ ମୋ ଯୁକ୍ତିରେ ଅଟଳ ରହିଲିଣି । ବସୁମତୀର ଶଶୁରକୁ ଶେଷ କରିବାର ଅମୋଘ ଅସ୍ତ୍ର ମୁଁ ପାଇ ଯାଇଚି । ଆଉ ଡର କିଆଁ । ତମେମାନେ ଗୋଟିଏ କଥା ମୋତେ ବୁଝାଇ କୁହ । ତମମାନଙ୍କ ଚଳଣିରେ ବୁଆରୀକୁ ବୁଆରୀ ପରି ବ୍ୟବହାର କରାଯାଏ ନା ମାଇକିନିଆ ପରି ବ୍ୟବହାର ଦେଖାଯାଏ । ମୋର ଏ ପ୍ରଶ୍ନରେ ସଭାରେ ବସିଥିବା ସବୁ ଲୋକ ନିଜକୁ ଲଜ୍ଜିତ ମନେ କରି ମୁହଁ ତଳକୁ କରି କିଛି ସମୟ ଗୁମ୍ ଖାଇଗଲେ । କିଛି ସମୟ ପରସ୍ପରକୁ ଅତି ଗମ୍ଭୀର ଭାବରେ ଅନାଅନି ହେଲେ । ବସୁମତୀର ଶଶୁର ମୁହଁରେ କଳା ବାଦଲର ଏକ ଛାଇ ଖେଳେଇ ହୋଇଗଲା । ଗଛରେ ଶେଷ କୁରାଢ଼ିର ଚୋଟ ବାଜିଲେ ଗଛ ପଡ଼ିଗଲା ପରି ତା’ର ମୁଣ୍ଡ ଝାଇଁ ଝାଇଁ ହୋଇଗଲା । ଅର୍ଜୁନଙ୍କ ଠାରୁ ଶ୍ରୀକୃଷ୍ଣ କଳାହରଣ କଲାପରି ବୁଢ଼ା ଏକାଥରକେ ନିସ୍ତେଜ ହୋଇ ପଡ଼ିଲା ।

ବିଚାରର ଏହି ପର୍ଯ୍ୟାୟକୁ ତ ମୁଁ ଅପେକ୍ଷା କରିଥାଏ । ଏ କି ଲଜ୍ଜାର କଥା, ବୁଆରୀ ତ ବୁଆରୀ ! ତାକୁ ମାଇକିନିଆ ଭଳି ବ୍ୟବହାର କୋଉ ଶଳା ଦେଖାଉଛି । ଗୁହକୁ ମାଇଲେ ମୁହଁକୁ ପଡ଼େ । ସମସ୍ତେ ଏକ ଲୟରେ ବସୁମତୀର ଶଶୁର ଆଡ଼କୁ ଆଖି କଡ଼ମଡ଼ କରି ଅନେକ ରହିଲେ । ଛି ଛାକର କଲେ । ଆଉ କଥାର ଗଣ୍ଠି ତୁ ନ ଖୋଲି ଚୁପ୍ ସଇତାନ ଶଶୁର ବୁଢ଼ା ଆଡ଼କୁ ଚାହିଁ ମୁଁ ପ୍ରସ୍ତାବ ଦେଲି । ହରି ପାଞ୍ଚ ହଜାର ଟଙ୍କା ଦେଉ । ମାମେଲା ଏଇଠି ଖତମ ହେଉ । ଏହି ଶକ୍ତ ଝଟକାରେ ବୁଢ଼ା ମଶା କଙ୍କଡ଼ା ପରି ଆଉ ସ୍ୱର ଶବ୍ଦ ନ କରି ସେମିତି ପଡ଼ି ରହିଲା । ଉଠା ମାଛ ମୁହଁରେ ପାହାର ଦେଲା ଭଲି ହଁ, ହଁ, ବାବୁ ଠିକ୍ କହୁଚି ବୋଲି ସମସ୍ତେ ଦୁଆ ଧରିଲେ ।

ହରି ଆଠ ମାଣ ଜମି ବିକି ଆଠ ହଜାର ଟଙ୍କା ସଂଗ୍ରହ କଲା । କେଶବକୁ ଦେଲା ପାଞ୍ଚ ହଜାର, ସାଇଭାଇ ବନ୍ଧୁ ବାନ୍ଧବଙ୍କୁ ଭୋଜିରେ ଖର୍ଚ୍ଚ କଲା ଦୁଇ ହଜାରେ, ନାଇଁ ନାଇଁ କଲେ ବି ମୋ ପକେଟ୍‌ରେ ଖୁନ୍ଦି ପୁରାଇ ଦେଲା ଏକ ହଜାର । ଅଠା କାଠିରୁ ନିସ୍ତାର ପାଇଲା ବସୁମତୀ । ମୁହଁ ତା’ର ଉଜ୍ଜ୍ୱଳ ଦିଶିଲା । ହରି ବସୁମତୀ ଏକା ତା’ର ବୋଲି ଭାବି ଖୁସିଟାଏ ହେଲା । ହରି ବସୁମତୀ ପୂରୁବ ଦିଗରେ ଉଇଁ ଆସୁଥିବା ପୁନେଇଁ ଚାନ୍ଦ ଦେଖି ଶିହରିତ ହୋଇ ଉଠୁଥିଲେ. . . ।

ଲୋକପ୍ରିୟ ଲେଖା

To Top