ଅଣୁଗଳ୍ପ

ନୌକାଡୁବି

Hemanta Kumar Rout's odia short story Naukaadubi

ତାଙ୍କର ଏ ପରିବାର ଉପରେ ମାୟା ନଥିଲେ ନିଜେ ମରି ଆମକୁ ଦେଢ଼ ଲକ୍ଷ ଦେଇନଥାନ୍ତେ ।

ନୌକାଡୁବି

ସହର ପାଖ ନଈରେ ଯେତେବେଳେ ଡଙ୍ଗା ବୁଡ଼ିଗଲା ସେଥିରେ କୋଡ଼ିଏ ଜଣ ଲୋକଙ୍କର ପତ୍ତା ମିଳିଲାନି । ଆଉ ତିରିଶ ଜଣ ପହଁରି ପଳେଇ ଆସିଲେ । ପାଶୁରା ଜାଣିଲା ତା’ ବାପା ବି ନିଖୋଜ ହୋଇଯାଇଛି । ସେତେବେଳେ ସେ ବହୁତ କାନ୍ଦିଲା । ପିଲାପିଲିଙ୍କ କାନ୍ଦଣାରେ ସେଦିନ ଗାଁ କମ୍ପି ଉଠିଲା ।

ପଶୁରା ଭାବିଲା, ବାପା ବୁଢ଼ାଲୋକ ବଡ଼ ଅସହାୟ ଅବସ୍ଥାରେ ଉବୁଟୁବୁ ହୋଇ ମରିଥିବେ । ଜୀବନରେ ସେ ତାଙ୍କୁ ସୁଖୀ କରି ପାରିଲାନି । ବୁଢ଼ା ବୟସ, ପିଣ୍ଡା ଉପରେ ବସିବା କଥା । ସେ ବି ରାତି ଦିନ କାମ କରେ । ସେ ଯଦି କାମ କରି ଯାଇନଥାନ୍ତେ ଏମିତି ଅଣନିଃଶ୍ୱାସୀ ହୋଇ ନଈ ମଝିରେ ମରିଥାନ୍ତେ କାହିଁକି ? ଆହା କେମିତି ତାଙ୍କ ପ୍ରାଣ ଛାଡ଼ିଥିବ । ସେଇ କଥା ଭାସି ଉଠିଲା, ପିଲାଦିନର ବାପାଙ୍କର ସେହି ସ୍ନେହ ମମତା ।

ହଠାତ୍ ମନ୍ତ୍ରୀଙ୍କର ଘୋଷଣା ରେଡ଼ିଓରୁ ଶୁଭିଲା । ନୌକା ଡୁବିରେ ମରିଥିବା ଲୋକେ ରାଜ୍ୟ ସରକାରଙ୍କଠାରୁ ପଚାଶ ହଜାର ଲେଖା ପାଇବେ । ପରେ ପରେ ପୁଣି ଘୋଷଣା ହେଲା କେନ୍ଦ୍ର ସରକାର ଦେବେ ଲକ୍ଷେ ।

ନିରବି ଗଲା ପାଶୁରାର ଘର । ପାଶୁରା ଆଶ୍ୱସ୍ତ ହୋଇ ପିଲାପିଲିଙ୍କୁ ବୁଝେଇଲା ।

ତମେମାନେ ସମସ୍ତେ କାନ୍ଦିବା ବନ୍ଦ କର । ବାପା ପାଞ୍ଚବର୍ଷ ପରେ ମରିଥାନ୍ତେ ପାଞ୍ଚବର୍ଷ ଆଗରୁ ମଲେ । ତାଙ୍କର ଏ ପରିବାର ଉପରେ ମାୟା ନଥିଲେ ନିଜେ ମରି ଆମକୁ ଦେଢ଼ ଲକ୍ଷ ଦେଇନଥାନ୍ତେ । ତାଙ୍କ ପାଇଁ ବାଡ଼ିରେ ସମାଧିଟିଏ କରିବା ଓ ପ୍ରତିଦିନ ସଞ୍ଜ ସଳିତା ଦେବା । ନିଶ୍ଚୟ ସେ ଆରପାରିରେ ଶାନ୍ତିରେ ରହିବେ । ଜୀବନରେ ପାଶୁରା ଏତେ ଟଙ୍କା କେବେ ଦେଖିନି । ସେଦିନ ରାତିରେ ସ୍ୱପ୍ନରେ ସେ ଖାଲି ବିଡ଼ାବିଡ଼ା ଟଙ୍କା ଗଣୁଥିଲା ।

ଲୋକପ୍ରିୟ ଲେଖା

To Top