ଗଳ୍ପ

ନିଶୀଥିନୀ

Kalindicharana Panigrahi's odia Story Nisheethinee

ମୁଁ ତ ସେହିକଥା ପଚାରିବାକୁ ଯାଉଥିଲି, କିନ୍ତୁ ଭରସିପାରୁ ନ ଥିଲି, ନିଶି । ତୁମର ଏ ବିକଳ ଚେହେରାରେ ମୋ ପ୍ରାଣ ଯେତେଦୂର ବ୍ୟଥିତ, ତୁମେ ତାହା କାହୁଁ ବୁଝିବ ।

ନିଶୀଥିନୀ

ଦିନଯାକ ମୁଣ୍ଡଟା ବଡ଼ ବେଠିକ୍ ହୋଇପଡ଼ିଛି । ଦୁଃଖ କି ସୁଖ, ଯନ୍ତ୍ରଣା କି ଆହ୍ଲାଦ, କାହିଁକି ଏହା ଏପରି ଭାରାକ୍ରାନ୍ତ, ବୁଝିବା କଠିନ । ମନସ୍ତତ୍ତ୍ୱବିତ୍ ଏ ଅବସ୍ଥାଟାର ନାନା ବିଶ୍ଳେଷଣ କରି ବୁଝାଇ ଦେଇପାରନ୍ତି, କିନ୍ତୁ ଏ ତ ଅନୁଭବର କଥା- ଆଦିକାଳରୁ ମଣିଷର ଭାଷା ଉପରେ ଯେତେଦୂର ଅଧିକାର ହୋଇଆସିଛି, ଏ ଅନୁଭୂତି ଜିନିଷଟାକୁ ସ୍ପଷ୍ଟକରି ବୁଝାଇ ଦେବା ଲାଗି, ତାହା ଆଜି ପର୍ଯ୍ୟନ୍ତ ଯଥେଷ୍ଟ ନୁହେଁ । ମୁଁ କଷ୍ଟ ଅନୁଭବ କରୁଛି- ଏ ଭାଷାରେ ଆନ୍ତରିକ ବେଦନାର ଠିକ୍ ଅନୁବାଦ ହେଲା ବୋଲି ମନେ ହୁଏ ନାହିଁ । ଆଉ ଯେପରି କେତେ କଥା ବାକି ରହିଗଲା । କେତେ ବିଷୟ ବାଦ ପଡ଼ିଗଲା- ଏହିପରି ବୋଧହୁଏ ।

ଏଥିପାଇଁ କବି ଓ ଲେଖକମାନେ ଭାଙ୍ଗି ବଦଳାଇ ଓଲଟାଇ ପାଲଟାଇ ଗୋଟାଏ ଗୋଟାଏ କଥାକୁ ନାନା ଭାବରେ ବର୍ଣ୍ଣନା କରିଯାଇଛନ୍ତି । ସକଳ ଯୁଗରେ କବି, ସାହିତ୍ୟିକଙ୍କର ଆବିର୍ଭାବ ହେଉଛି । ଗୋଟାଏ ପୁରୁଣା କଥାକୁ ଭାଷାର ନାନା ଛାଞ୍ଚରେ ପକାଇ ନୂଆ କରି ଦେଖାଇବା ଲାଗି । ଏ ଚେଷ୍ଟାରେ ବିରାମ ନାହିଁ । ତଥାପି ଅନୁଭୂତି ଜିନିଷଟାର ଯଥାର୍ଥ ଅନୁବାଦ ଏ ପର୍ଯ୍ୟନ୍ତ ନ ହେଲା । ଏତେ ଗଭୀର, ଏତେ ଅତଳ ସେ ।

ତା’ ଉପରେ ପୁଣି ନିଜେ ଅନୁଭବି ଯଦି ଦୁଃଖ କି ସୁଖ ଜାଣିପାରୁ ନାହିଁ, ସେ ଅବସ୍ଥାଟାକୁ କି ଭାଷାରେ ବୁଝାଇ ଦିଆଯାଇପାରେ । ସେଥିଲାଗି ଏହାର ମୁଁ ନାମ ଦିଏ କିମ୍ଭୂତ କିମାକର ଯେମିତି ଗୋଟାଏ ପ୍ରେତର ଗ୍ରାସ, ମନୁଷ୍ୟର ବୁଦ୍ଧି, ଜ୍ଞାନ, ବିବେଚନା ହାରିଯାଏ ଏଠାରେ । ଥରେ ନୁହେଁ, ଦୁଇଥର ନୁହେଁ- ବହୁବାର ଏ ପ୍ରେତଟାର ଆକ୍ରମଣରେ ମୋତେ ପଢ଼ିବାକୁ ହୋଇଛି । ଏହା କବଳରୁ ଉଧୁରିଯିବା ଲାଗି ବାରମ୍ୱାର ଛଟପଟ ହୋଇଛି ମୁଁ, କିନ୍ତୁ ପାରି ନାହିଁ । ବୋଧହୁଏ, ଏହିପରି କେତେଟା କାରଣରୁ ମନୁଷ୍ୟର ଆତ୍ମଶକ୍ତି ଓ ପୁରୁଷକାର ଉପରେ ଅବିଶ୍ୱାସ ଜନ୍ମିଯାଏ ।

ଚିତ୍ରକର ଯେତେ ଭଙ୍ଗିରେ ତୂଳିକା ଧରି ରଙ୍ଗ ଫୁଟାଉ ବିଚକ୍ଷଣ ଦର୍ଶକ ହୋଇଥିଲେ ନିଶ୍ଚୟ ତା’ର ଅପୂର୍ଣ୍ଣତାଟି ସେ ଦେଖିପାରିବ । କାରଣ ଗାୟକର ଛନ୍ଦ ହେଉ, ଶିଳ୍ପୀର ରଙ୍ଗ ହେଉ, ସୃଷ୍ଟିର ସକଳ ପ୍ରକାର ଚିତ୍ରରେ ସ୍ୱଭାବସୁଲଭ ଅଭାବଟାକୁ କେହି ଏ ପର୍ଯ୍ୟନ୍ତ ଏଡ଼ି ଦେଇ ନାହିଁ । ଏଥିଲାଗି ମନୁଷ୍ୟ ଜୀବନ ଅସମ୍ପୂର୍ଣ୍ଣ ଏବଂ ପୂର୍ଣ୍ଣତା ହିଁ ତାହାର ଆଦର୍ଶ ଓ ଲକ୍ଷ୍ୟ । ଏହି ଅସ୍ପଷ୍ଟ ନାମ ପ୍ରୟୋଗଦ୍ୱାରା ଲେଖକର ଭାଷାନଭିଜ୍ଞତା ପ୍ରତୀୟମାନ ହେଲେ ମଧ୍ୟ ସହଜରେ ସେ ଦୋଷୀ ସାବ୍ୟସ୍ତ ହେବାର ଆଶଙ୍କା ନାହିଁ ।

ମୋ ଉପରେ ଏହି ପ୍ରେତର ଆକ୍ରମଣ ଏତେ ଦିହଘଷା ହୋଇଯାଇଛି ଯେ, ଏହାର ଆସିବା ସମ୍ୱାଦ ପାଇ ଏଣିକି ଆଉ ମତେ ବିଶେଷ ବିବ୍ରତ ହେବାକୁ ହୁଏ ନାହିଁ । ସମୟର ପ୍ରବାହରେ ଏହା କାହିଁ ଉଭେଇଯାଏ । ଆଜି ଏହି ଅଜ୍ଞାତ କାରଣ କିମ୍ଭୂତ କିମାକାରଟାକୁ ନେଇ ମୁଣ୍ଡ ଭିତରେ ମୋର ଅସହ୍ୟ ଆଲୋଡ଼ନ । ପଦେ ଆଗକୁ ଯିବାକୁ ଉତ୍ସାହ ନାହିଁ, ପଛକୁ ଚାହିଁବାକୁ ସାହସ ନାହିଁ । ନଯଯୌ ନ ତସ୍ଥୌ ଅବସ୍ଥାରେ ଅସମ୍ଭବ ଶୂନ୍ୟ ଚିନ୍ତା କରୁ କରୁ ସନ୍ଧ୍ୟା ଆସିଗଲା । ଆଲୁଅଟା ଜାଳି ଟେବୁଲ ପାଖରେ ବସି ରହିଲି । ରାତ୍ରି କ୍ରମେ ତା’ର ସମସ୍ତ ନିସ୍ତବ୍ଦତା ଘେନି ସେହି ପ୍ରେତଗ୍ରାସକୁ ଅଧିକ ନିଘଞ୍ଚ କରି ଘୋଟି ଆସିଲା । ମୁଣ୍ଡଟା ଅଧିକତର ଭାରାକ୍ରାନ୍ତ ହୋଇପଡ଼ିଲା । ବାହାରେ ଦୁଇ ଚାରିଟା ଝିଙ୍କାରି ଏକସ୍ୱରରେ ଅବିରାମ ଗତିରେ ଏହି ଅନ୍ଧକାରକୁ ଚିରି ତାନ ଧଇଲେ, କିନ୍ତୁ ନିରବତା ବରଂ ବୁଦ୍ଧି ପାଇଲା । ସେଇ ନିରବତା ଭିତରେ ମୋର ଦୁର୍ବିଷହ ଏକାକିତ୍ୱ ।

କାଗଜ କଲମ ଧରି ବହୁକ୍ଷଣ ବସି ରହିଲି । ଇଚ୍ଛା କିଛି ଲେଖେ, କିଛି ତ କାହିଁ ପଶିଲା ନାହିଁ । କେତେ ସମୟ ପରେ, ଠିକ୍ କଲି, ଗୋଟାଏ ଗଳ୍ପ ଲେଖିବି । କ’ଣ କରେ, ଲେଖିବା ବ୍ୟତୀତ ଯେ ଏ ଅବସ୍ଥାରେ ଅନ୍ୟ କିଛି ଉପାୟ ନଥିଲା । ଅନେକ ଶୃଙ୍ଖଳାହୀନ ଭାବନା ପରେ ଏହି ନିଶୀଥକୁ ଅବଲମ୍ୱନ କରି ଗଳ୍ପଟିଏ ଲେଖିବି ବୋଲି ମନସ୍ଥ କଲି ଏବଂ ସେହି ସମ୍ପର୍କରେ ଗଳ୍ପର ନାୟିକାର ନାମ ରଖିଲି “ନିଶୀଥିନୀ” । ବହୁ କଷ୍ଟରେ ଗୋଟାଏ ପାରା ଶେଷ କରିଦେଲି, ବେଶ୍, ଏହି ପର୍ଯ୍ୟନ୍ତ ମନେଅଛି । ଆଉ ମନେ ଅଛି, ସେତେବେଳକୁ ଝରକା ବାହାରେ ଅଷ୍ଟମୀ ଆଶ୍ୱିନଚନ୍ଦ୍ରର ଶୁଭ୍ର ଜ୍ୟୋତ୍ସ୍ନା ଲୀଳା କରୁଥିଲା ଏବଂ ସେହି ଶୀତଳଜ୍ୟୋତ୍ସ୍ନାର ଗନ୍ଧ ଘେନି ଶରତର ଗୋଟାଏ କ୍ଷୀଣ ବତାସ ଲାଗୁଥିଲା ।

ନିଶୀଥିନୀର ନିରବ ମାଧୁରୀ ସେତେବେଳେ ମୁଁ କଳ୍ପନା କରୁଥିଲି କିମ୍ୱା ଲେଖି ଯାଉଥିଲି, ମନେ ନାହିଁ । ହଠାତ୍ କାହିଁକି ମୋର ଏକାକୀ କକ୍ଷରେ କାହାର ନିରବ ପଦଶବ୍ଦ ଶୁଣିପାରିଲି । ସେ ନିରବତାର କି ଉପମା ଅଛି । ହୃଦୟର ଦୁକ୍‌ଦୁକ୍‌ଠାରୁ ତାହା ଆହୁରି ନିରବ । ପାଠକ ହସିବେ ନାହିଁ- ନିରବତାର ଶବ୍ଦ ଯେ ବହୁ ସମୟରେ ବଡ଼ ଗଭୀର, ବଡ଼ ମର୍ମଭେଦୀ ।

ପ୍ରତି ଶିରାରେ ମୋର ରକ୍ତ ଶୀତଳ ହୋଇଆସିଲା । ମନେ ହେଲା, କାଶ୍ମୀରର କେଉଁ ଅଜ୍ଞାତ ଶୈଳ ପ୍ରଦେଶରେ ମୁଁ ବସତି ବାନ୍ଧିଛି । ଅତି ସନ୍ତର୍ପଣରେ ମୁହଁ ଫେରାଇ ଚାହିଁଲି ମୋର ଦକ୍ଷିଣ ପାର୍ଶ୍ୱରେ ଟେବୁଲ୍ ନିକଟରେ ଏକ ନାରୀ ମୂର୍ତ୍ତି । କିଏ ସେ, ଏ ସ୍ଥଳକୁ ଆସିଲେ କିପରି ଇତ୍ୟାଦି ତର୍କ ସେତେ ଘନିଷ୍ଠ ଭାବରେ ମନକୁ ଆସିନାହିଁ । କିଛିକ୍ଷଣ ଏକ ଦୃଷ୍ଟିରେ ଚାହିଁ ଚିହ୍ନିଲି, ମୋର ସେହି ଗଳ୍ପର ନାୟିକା ନିଶୀଥିନୀ । ତାହାର ରକ୍ତିମ ଓଷ୍ଠାଧାରରୁ କରୁଣ ମୃଦୁହାସ୍ୟ ଟିକିଏ ଧୀରେ ଧୀରେ ଫୁଟି ବାହାରୁଛି । ଆକାଶ-ନୀଳ ଅତି ସୂକ୍ଷ୍ମ ଶାଢ଼ିଟିରେ ଆବୃତ ତାହାର ଅଙ୍ଗସୁଷମା, କିନ୍ତୁ ସେ ଆଭରଣ ଜ୍ୟୋତ୍ସ୍ନାକାନ୍ତି ଯୌବନ ଶୋଭିତ ତନୁ ପ୍ରତି ତାହାର ଯେପରି ଅସହ୍ୟ ହୋଇଉଠିଛି । ମୃଦୁ ହିଲ୍ଲୋଳରେ ନେଳି ଶାଢ଼ିଟି ଅଳ୍ପ ପ୍ରକମ୍ପିତ ହେଉଛି ଏବଂ ତାହା ମଧ୍ୟରେ ସଂଗ୍ରାମ ଇଚ୍ଛା କରି ପୁଣି ସଂଯତ ହେଲାପରି ପ୍ରଶାନ୍ତ ତନୁଟି ବିଶ୍ରାମ ନେଇଛି । ସୁନୀଳ ନୟନ ଦି’ଓଟି ତାହାର ସ୍ଥିର, ପଲକ ପଡ଼ିବାକୁ ନାହିଁ । ଗଭୀର ଜଳଧି ମଧ୍ୟରେ ଚନ୍ଦ୍ରର ପ୍ରତିବିମ୍ୱ ପରି ସେ ତାହାର ନୀଳ ବସନ ମଧ୍ୟରୁ ସମସ୍ତ ତନୁ ସାହାଯ୍ୟରେ ମୋତେ ଯେପରି ଦେଖିବାକୁ ଲାଗିଲା ।

ତାକୁ ଦେଖି ପ୍ରାଣରେ କି ଗୋଟାଏ ଅବ୍ୟକ୍ତ ବ୍ୟଥା, ଗୋଟାଏ ନିବିଡ଼ ଅବସାଦ ଅନୁଭବ କଲି । ତାହାର ସୂର୍ଯ୍ୟୋଦୟ ସମ ରକ୍ତାଧାରରେ ଏ କାଳିବିନ୍ଦୁ, କାହିଁକି ଉତ୍‌ଫୁଲ୍ଲ ବଦନର ଚମ୍ପକବରଣ ସୁଷମାରେ ଏତେ କ୍ଷତଚିହ୍ନ କାହିଁକି, ଏତେ କଳାଦାଗ କାହିଁକି ?

ନିଶୀଥିନୀ କଥା କହିବାକୁ ଆରମ୍ଭ କଲା । ତାହାର ଓଠ ଦି’ଓଟି ସାମାନ୍ୟ କମ୍ପିତ ହେଉଥାଏ ମାତ୍ର, ଅଥଚ ମୁଁ ସବୁ ସ୍ପଷ୍ଟ ବୁଝି ପାରୁଥାଏ । ସେ ସେହିପରି ମୃଦୁ ହସି (ଓଃ, ସେ ହାସ୍ୟରେ କି ମର୍ମତୁଦ ବେଦନାର ଚିତ୍ର ରଞ୍ଜିତ । ପଚାରିଲା, ତୁମେ ମତେ ସତ ସତ ସ୍ନେହ କର । ସେ ଆଖି କୋଣରେ, ସେ ଅଧରରେ ଯେଉଁ ବ୍ୟଥା ବାଜୁଥିଲା, ମୋ ଅନ୍ତରରେ ତାହା ଶତଗୁଣ ହୋଇ ପ୍ରତିଧ୍ୱନିତ ହେଲା । ଗୋଟାଏ ଅଧୀର କ୍ରନ୍ଦନରେ ମୋର କଣ୍ଠ ଫାଟିପଡ଼ିଲା, କିନ୍ତୁ ବଡ଼ ଚେଷ୍ଟାରେ ମୁଁ ପ୍ରକୃତିସ୍ଥ ହୋଇ ଉତ୍ତର କଲି, ଏକଥା କ’ଣ ପଚାରିବାର ଏହି ସମୟ ? ସେ ଉପହାସ ସ୍ୱରରେ କହିଲା ଇସ୍, ଏହା ପଚାରିବାର ସମୟ ନୁହେଁ ? ତୁମ ପ୍ରେମର ଏ ଅସମ୍ଭାଳ ଆବେଗ କାହିଁକି ? ମୁଁ ଛାଏଁ ଆସି ଦେଖା ଦେଲି । ମୋର ଏହି ରୂପ ଦେଖି, ନା ପ୍ରାଣ ଦେଇ ସ୍ନେହ କର ବୋଲି । ଉଃ, ପ୍ରେମର ଯେ ଗୌରବ ଚିହ୍ନି ଆଙ୍କି ଦେଇଛି, ତାହା ମୁଁ କିପରି ଭୁଲିବି । ମୁଁ ନିବିଷ୍ଟ ହୋଇ ତା’ କଥା ଶୁଣିଥିଲି, କିନ୍ତୁ ଏସବୁ କିଛି ବୁଝି ନ ପାରି ପଚାରିଲି, ମୁଁ ତ ଏ ସବୁରୁ କିଛି ବୁଝୁ ନାହିଁ ନିଶି ।

ସେ ପୂର୍ବସ୍ୱରରେ ଉତ୍ତର କଲା, ଆହା, କିପରି ବୁଝିବ ? ଏ ମୁଖର ସବୁ କାଳି ଦାଗ ଦେଖୁଛ । ଏ ଦେହର ସମସ୍ତ କ୍ଷତଚିହ୍ନ ଦେଖୁଛ ।

ମୁଁ ତ ସେହିକଥା ପଚାରିବାକୁ ଯାଉଥିଲି, କିନ୍ତୁ ଭରସିପାରୁ ନ ଥିଲି, ନିଶି । ତୁମର ଏ ବିକଳ ଚେହେରାରେ ମୋ ପ୍ରାଣ ଯେତେଦୂର ବ୍ୟଥିତ, ତୁମେ ତାହା କାହୁଁ ବୁଝିବ ।

ନା, କାହୁଁ ବୁଝିବି । ଜାଣି କି, କାଳି ଚିହ୍ନ ଆଉ ନିଭିବାର ନୁହେଁ, ଏ କ୍ଷତର ଆଉ ଔଷଧ ନାହିଁ । ଆଉ ଏସବୁର କର୍ତ୍ତା କିଏ ଜାଣ ? ସେ ମୋର ପ୍ରିୟତମ, ମୋର ଏକାନ୍ତ ଉପାସକ- ଅତ୍ୟଧିକ ପ୍ରେମର ଦାନ ଏ !

ମୁଁ ହତ୍‌ବାକ୍ ହୋଇଗଲି, ମୁଇଁ ତେବେ ଏସବୁ କିଛି । ହଁ ତୁମେ, ତୁମରି ଅପାର ପ୍ରେମର ଚିହ୍ନ ଏ- ତୁମର ସେହି ତୀକ୍ଷ୍ଣ ଲେଖନୀଧାରରେ ସମସ୍ତ ଅଙ୍ଗ ବିକ୍ଷତ, ତୁମରି ସ୍ୟାହିର ଅସହ୍ୟ କାଳିଗାର ଏ ଶରୀରର ଭୂଷଣ । ଛି, ଛି, ପ୍ରେମ ଯାହାକୁ କରାଯାଏ ତା’ ପ୍ରତି ଜଗତରେ ଏପରି ପୈଶାଚିକ ବ୍ୟବହାର । ପ୍ରେମର ମାୟା ସନ୍ନ୍ୟାସୀ ଆଜି ଅତି ମହତ୍, ଅତି ପବିତ୍ର ସେହି ନୈସର୍ଗିକ ଜିନିଷଟା ଉପରେ ପଶୁତ୍ୱର ଏହି ବୀଭତ୍ସ କାଣ୍ଡ । ମାନବ ସମାଜରେ ଏ ବିଷୟରେ ତୁମ ଲେଖକ ଜାତିଟା ପୁଣି ଅତି ହୀନ । କଳ୍ପନା ଦେଇ, ସ୍ନେହ ଦେଇ, ଆଦର ଦେଇ ତୁମେମାନେ ଯେଉଁ ପ୍ରେମର ପଦାର୍ଥଟିକି ଗଢ଼ି ବସ, ସେହି ଅନ୍ତରତମ ନିଭୃତ ଉପାସ୍ୟ ଦେବତାଟିକି ଦାଣ୍ଡରେ ହାଟରେ ପକାଇ ନିର୍ଲଜ୍ଜ ଭାବରେ ତୁମେମାନେ ତା’ ପ୍ରତି ସଂସାରର ନ୍ୟାବିଚାର ଲୋଡ଼ । ଏ କର୍ମରେ ତୁମର ପୁଣି ନାମ ନେବାର ଆକାଂକ୍ଷା, ଗୌରବ ଲଭିବାର ଅଭିଳାଷ । ସ୍ନେହ ସାମଗ୍ରୀର ଏହି ବଜାରୀ ବ୍ୟବସାୟ କରି ତୁମେ କବି ଲେଖକର ଉପାଧି ଲୋଡ଼ । ସେଥିରେ ପୁଣି ତା’ର ମୂଲ୍ୟ ତୁମେମାନେ ସବୁଠାରୁ ଅଧିକ ଜାଣ ବୋଲି ଗର୍ବ କର ।

ବଡ଼ ଆଶ୍ଚର୍ଯ୍ୟ, ସଂସାରରେ ତୁମମାନଙ୍କର ଉଚିତ ବିଚାର ନହୁଏ କାହିଁକି ? ତୁମର କୁପାଞ୍ଚ ତୁମର ନୈତିକତାର ଅବାବ ସଂସାର ଚକ୍ଷୁକୁ ସ୍ପଷ୍ଟ ନ ଦିଶେ କାହିଁକି ? ଯେ ନିରବରେ ମାନସ ସୁନ୍ଦରୀ ଗଢ଼ି ବସେ, ନିଭୃତତମ ଅନ୍ତରର ସମ୍ଭୋଗଶ୍ରୀକୁ କାଳି କଲମରେ ଆବଦ୍ଧ ନ ରଖି ପ୍ରାଣେ ପ୍ରାଣେ ଅନୁଭବ କରେ, କୂଟବୁଦ୍ଧି ବ୍ୟବସାୟୀ ତୁମଠାରୁ ସେ ବହୁ ଉର୍ଦ୍ଧ୍ଵରେ । ଭ୍ରଷ୍ଟ ଚରିତ୍ର ତୁମମାନଙ୍କ ପରି ପ୍ରାଣର ଦେବତାକୁ ପଦାରେ ପକାଇବାର ଲୋକଙ୍କର ବାରକଥା ଶୁଣିବାଟାକୁ ସେମାନେ ଅପମାନଜନକ ବୋଧ କରନ୍ତି, କିନ୍ତୁ ଅତି ନିଷ୍ଠୁର ତୁମେମାନେ ଲେଖକ ଜାତି, ଯାଗା କହ ତାହା ନୁହଁ । ସବୁଠାରେ ଗୋଟାଏ ବ୍ୟବସାୟ ଚାଲ । ଏହି ବ୍ୟବସାୟଟା ଚଳାଇବା ପାଇଁ ତୁମେମାନେ ସ୍ନେହ, ମମତା, ଦୟା, ଧର୍ମ, ବନ୍ଧୁତ୍ୱ ଇତ୍ୟାଦି ସମସ୍ତ ଜଳାଞ୍ଜଳି ଦେଇପାର । ଏଥିଲାଗି ତୁମେମାନେ ଟଙ୍କା କଉଡ଼ିର ବ୍ୟବସାୟୀମାନଙ୍କ ଅପେକ୍ଷା ମଧ୍ୟ ନିମ୍ନରେ । ମନୁଷ୍ୟର ଶ୍ରେଷ୍ଠ ବୃତ୍ତି ସକଳକୁ ନେଇ ବ୍ୟବସାୟ କରିବାର ଦୁଃଖସାହସିକତା ସେମାନଙ୍କର ତ ନାହିଁ । ସ୍ନେହ ପ୍ରେମ ଯାହା କିଛି ନେଇ ତୁମେମାନେ କଥା କହ, ସବୁ ଛଳନା, ଏସବୁଠାରୁ ବ୍ୟବସାୟଟା ହିଁ ତୁମମାନଙ୍କର ଆଖିକି ବଡ଼ ହୋଇ ଦିଶେ । ବ୍ୟବସାୟୀ ହିଁ ଆଗ, ଏସବୁ ତାହାର ଉପକରଣ ମାତ୍ର ଅସମ୍ଭବକୁ ମୁହୂର୍ତ୍ତରେ ସମ୍ଭବ କରିପାର, ତୁମମାନଙ୍କଠାରେ ବିଶ୍ୱାସ କରିବା ମୂଢ଼ତା ।

ଏ ତିରସ୍କାରରେ ମୋ ଅନ୍ତର ଅତି ମାତ୍ର ସ୍ନେହାଦ୍ରୁ ହୋଇଆସିଥିଲା । ତାହାର କୋମଳ କର ଦି’ଓଟି ଧରି କ୍ଷମା ମାଗିବାକୁ ଅଗ୍ରସର ହେଲି, ସେ ପଛରୁ ଘୁଞ୍ଚି ଅଦ୍ଭୁତ ରୀତିରେ ପ୍ରଥମରୁ ଲେଖା ସେହି କେତେଟା କଳା ଅକ୍ଷର ଧାଡ଼ିରେ ଧୀରେ ଧୀରେ ମିଶିଗଲା । ମୁଁ ଆଖି ମଳି ଚାହିଁଲି, ସେହି ଶୁଷ୍କ କାଗଜ ଉପରେ କଳା କଳା ଅକ୍ଷର କେତେଟା ନିଶୀଥିନୀର ପ୍ରେମଆତ୍ମା ପରି ମନେ ହେଉଛି । ମୁହୂର୍ତ୍ତକ ପାଇଁ ମୋ ମନରେ କାହିଁକି ଗୋଟାଏ କ୍ଷୋଭ ଜାତ ହେଲା- ମୁଁ ଅବା କଲମ ମୁନରେ କଳା ଅକ୍ଷର ଧାଡ଼ିରେ ନିଶୀଥିନୀକୁ ମୋର ନୃଶଂସ ଭାବରେ କ୍ରୁସିଫାଇ କରି ପକାଇଛି ।

ଯେତେବେଳେ ପୂର୍ଣ୍ଣ ରୂପେ ଆପଣା ଭିତରକୁ ଫେରିଆସେ, ଦେଖିଲି ମୋର ବିଜନ କକ୍ଷଟି ପୂର୍ବବତ୍ ନିସ୍ତବ୍ଦ । କେବଳ ଆଲୋକ ନିଭାଇଲାବେଳକୁ ଦେଖାଗଲା, ଝରକା ମଧ୍ୟ ଦେଇ ଖଣ୍ଡେ ଜ୍ୟୋତ୍ସ୍ନାପଟ ଟେବୁଲ୍ ଉପରେ ପଡ଼ି ମୃଦୁ ହିଲ୍ଲୋଳରେ ଆସ୍ତେ ଆସ୍ତେ କମ୍ପିତ ହେଉଛି ।

ଲୋକପ୍ରିୟ ଲେଖା

To Top