ଗଳ୍ପ

ଚାନ୍ଦର ମୁହଁ ବଙ୍କା

Laxmidhara Nayak's odia story Chandara Muhan Bankaa

ଭାଇ ବାହା ହେଇ, ଚାକିରିକରି, ତା’ ଜାଗାକୁ ନେଇଯିବ ଭାଉଜଙ୍କୁ । ଆମ ସମାଜରେ ଏମିତି ଘଟୁଛି । ବାପା ବୋଉ ବୁଢ଼ାବୁଢ଼ୀ ହେଇସାରିଥିବେ । ତାଙ୍କୁ ସେବା ଟିକେ ଦେବା ପାଇଁ, ମୋର ଆବଶ୍ୟକତା ଥିବ । ସେଇତକ କାମ ଶେଷ କରୁ କରୁ, ସେ ଦୁହେଁ ଯଦି ମୋ କୋଳରେ ଥାଇ, ଚାଲିଯାଆନ୍ତି . . . ଝିଅ ହିସାବରେ, ତାହା ମୋର ଶ୍ରେଷ୍ଠ କର୍ତ୍ତବ୍ୟ ହେବ. . . ।

ଚାନ୍ଦର ମୁହଁ ବଙ୍କା

-: ପୂର୍ବରୁ :-

ଅରୁଣ ଛାତର ଏମୁଣ୍ଡ ସେମୁଣ୍ଡ ହେଇ, ଧୀରେ ଧୀରେ ଦଉଡ଼ିଲା ପରି ଜଗିଙ୍ଗ୍ କରୁଥାଏ । ବେଳେବେଳେ ଗୋଟାଏ ଜାଗାରେ ଠିଆ ହୋଇ, କୁଦୁଥାଏ ।

ଆଗରୁ ଗାଁରୁ ସହରକୁ ଧାଇଁଥିବା ପିଚୁ ସଡ଼କରେ. . . ପ୍ରତିଦିନ କଲେଜ ସାଥୀ ଆକାଶ ସହିତ ପ୍ରାତଃ ଭ୍ରମଣ କରୁଥିଲା । ଦିନେ ସାଏଁ କରି, ଦ୍ରୁତଗାମୀ ବସ୍‌ଟାଏ ଛୁଟିଗଲା ତା’ ପାଖ ଦେଇ । ସେ ବୁଲି ପଡ଼ି ପଛକୁ ଚାହିଁଲା. . . ।

. . . ଆକାଶ କାହିଁ ???

ଆକାଶ୍ ବସ୍ ଚକା ତଳେ ଚାପି ହେଇ, ଶେଷ ହେଇସାରିଥିଲା. . . ।

ସେ ଶେଷ ହେଇଯିବା ଖବର ପାଇ, ଚନ୍ଦ୍ରା ଓଠରୁ ହସ. . . ଆଖିରୁ ଜ୍ୟୋତି. . . ମୁହଁରୁ ସରସତା. . . ଯେପରିକି ସବୁଦିନକୁ ହଜିଯାଇଥିଲା । ଅକସ୍ମାତ୍. . . ଗୋଟେ ଛଳ ଛଳ ଯୌବନ. . . ବାର୍ଦ୍ଧକ୍ୟର ରୋଗଗ୍ରସ୍ତ ଅସ୍ଥିସାର ଦେହ ହେବାକୁ ଉପକ୍ରମ କଲା ।

କାହାରିକୁ କିଛି କହିଲା ନାହିଁ ସିନା. . . ସମସ୍ତେ ଜାଣୁଥିଲେ ତା’ ଦୁଃଖ । ବୋଉ ବାପାଙ୍କର ଯେପରି ଜ୍ୱାଇଁ ଚାଲିଗଲା । ଜେଜେଜେଜୀଙ୍କ ନାତୁଣୀ ଜ୍ୱାଇଁ । ଅରୁଣ ନିଜେ ତ ଆଜିଯାଏ ଅନୁଭବ କରୁଛି- ଆକାଶ ନ ଥାଇ, କି ଅରୁଣ ସେ !

ସେହି ଦିନରୁ ବାପା ବୋଉଙ୍କର ଆକଟ- ତାଙ୍କ ଅରୁ ଛାତ ଉପରେ ଯାହା କରୁଛି କରୁ, ରୋଡ୍ ଉପରେ ସକାଳ ଦଉଡ଼ା ମନା ।

ଅରୁଣ ଦେଖିଲା- ଗୋଟେ ଗୋଟେ ଗଛକୁ ଲଣ୍ଡା କରିସାରିଲାଣି ଚନ୍ଦ୍ରା । ଏବେ ଭାସିଯାଇଛି କେଉଁ ଭାବପ୍ରବଣତାରେ ଯେ. . . ଫୁଲଟିଏ ପାଖରେ ହାତ ବଢ଼ାଇ ରଖିଛି. . . ତାକୁ ତୋଳୁ ନାହିଁ, କି. . . ହାତ ଘୁଞ୍ଚାଉ ନାହିଁ ।

ଅରୁଣ ଜାଣିପାରିଲା- ଚନ୍ଦ୍ରା ଆକାଶ ସ୍ମୃତିରେ ହଜିଯାଇଛି । ଯେବେ ଆସେ ଆକାଶ. . . ସେମାନେ ଛାତ ଉପରକୁ ଆସନ୍ତି. . . ଏଇଠି ବସନ୍ତି । ଘରେ କାହାରି ବାଧା ନଥାଏ, କାରଣ. . . ସ୍ଥିର ହେଇସାରିଥାଏ- ଅଳ୍ପ ଦିନରେ ଆକାଶ ଏ ଘରର ଜ୍ୱାଇଁ ହେବ ।

ବିବାହ ଆଗରୁ, ସେମାନେ ପରସ୍ପରକୁ ବୁଝନ୍ତୁ. . . ।

ଚନ୍ଦ୍ରା ଓ ଆକାଶଙ୍କ ଉପରେ ପୁରା ଭରସା ଥିଲା ସମସ୍ତଙ୍କର. . . ।

ଏହି ଫୁଲର ଉତ୍ସବରେ. . . ସେମାନେ କେତେ ଯେ ସ୍ମୃତି ଅଜାଡ଼ି ସାରିଥିବେ । ଜୀବନର କେତେ ଯେ ସ୍ୱପ୍ନକୁ, ଫୁଲଙ୍କ ବାସ୍ନାରେ ଭିଜାଇଥିବେ । ହଠାତ୍ ସବୁଆଡ଼ ଅନ୍ଧାର ହେଇଗଲା ପରେ, ଚନ୍ଦ୍ରା ତ ନିଶ୍ଚୟ ସ୍ମୃତି ସବୁଙ୍କୁ ସାଉଣ୍ଟୁ ସାଉଣ୍ଟୁ. . . ଅତୀତରେ ଭାସିଯାଉଥିବ । ଦୁଃଖିନୀ ଭଉଣୀ. . . ! !

ଚନ୍ଦ୍ରା ପାଖକୁ ଆସିଲା ଅରୁଣ । ତାକୁ ଛୁଇଁଲା । ଚମକି ପଡ଼ିଲା ଚନ୍ଦ୍ରା । ଅରୁଣ ପଚାରିଲା- ଏତେ ଫୁଲ ? କ’ଣ କରିବୁ ? ପୂଜା ଖଟୁଲି ପୁରିଗଲେ ବି ଆହୁରି ବଳିବ. . . ।

ଚନ୍ଦ୍ରା କହିଲା- ତିନୋଟି ହାର ଗୁନ୍ଥିବି । ଗୋଟିଏ ଲକ୍ଷ୍ମୀ ଠାକୁରାଣୀଙ୍କ ପାଇଁ. . . ତାଙ୍କୁ ଅର୍ପଣ କରି ପ୍ରାର୍ଥନା କରିବି- ମୋ ଭାଇ ଓ.ଏ.ଏସ୍. ପାଇଯାଉ. . . । ଆରଟି ତୋ ପାଇଁ. . . ଜନ୍ମଦିନର ଶୁଭକାମନା ଫୁଲର ପାଖୁଡ଼ାମାନଙ୍କରୁ ଝରୁଥିବ । ଆରଟି ତୋ ସାଙ୍ଗ ଆକାଶର ଆତ୍ମା ପାଇଁ । ସେଇଟିକୁ ଠାକୁରାଣୀଙ୍କୁ ଛୁଆଁଇ, ମୁଁ ପିନ୍ଧିବି । ଲାଗିବ- ଯେମିତିକି. . . ଆକାଶ ମୋତେ ଛୁଇଁଛନ୍ତି ।

ଏତେ କୋହ ଭରିଗଲା ଯେ ଅରୁଣ ଛାତିରେ. . . ଗରମ ଗରମ ନିଶ୍ୱାସ ଛାଡ଼ି, ଓଠରେ ଅଧରକୁ ଚାପି ଚାପି, ଆଖିଲୁହ ଝରି ନ ଆସିବାକୁ ଚେଷ୍ଟା କଲା । କୁହୁଡ଼ିଆ ହେଇ ଆସୁଥାନ୍ତି- ଉଭଣୀ ପ୍ରତି ସ୍ନେହ ଛଳଛଳ ତା’ ଆଖି ଯୋଡ଼ିକ । ନଇଁ ପଡ଼ିଥିବା ଚନ୍ଦ୍ରାକୁ ସିଧା କଲା । ତା’ର ଥରୁଥିବା ଓଠ ଅଧରକୁ ଛୁଇଁଲା । ମୁଣ୍ଡକୁ ଆଉଁସିଲା । ଆଖି ଧାରରେ ଆଙ୍ଗୁଳି ଖସାଇଲା । କିଛି ମଧ୍ୟ କହିଲା ନାଇଁ. . . ।

ଚନ୍ଦ୍ରା ବୁଝିଗଲା ଭାଇ ମନର ଦୁର୍ଦ୍ଦଶା । ନିଜକୁ ଟାଣକରି ପଚାରିଲା- “କ’ଣ ? ମନେପଡୁଛନ୍ତି. . . ଆକାଶ ! ଭାବୁଛୁ କି ଭାଇ, – ତୋ ଭଉଣୀ ଆକାଶଙ୍କୁ ଭାବିଭାବି. ଭାଙ୍ଗିଭାଙ୍ଗି ଯାଉଛି । ନାହିଁ । ମୁଁ ତ ତୋ ପରି ହେଉ ନାହିଁ । ସେ ମୋର ଆତ୍ମା ଥିଲେ । ମୋ ସହିତ ଅଛନ୍ତି । ନ ଥାନ୍ତେ ତ. . . ମୁଁ ମରିସାରନ୍ତିଣି । ତୁ ବି ଏମିତି ଭାବ. . . ସେ ତୋ ଚନ୍ଦ୍ରା ଛାତିରେ ଅଛନ୍ତି ମାନେ, ତୋ ଛାତିରେ ଅଛନ୍ତି । ଯିଏ ଅଛନ୍ତି. . . ତାଙ୍କର ସାକ୍ଷାତ ରୂପ ଦେଖିପାରୁନୁ ସିନା. . . ଭାବିଦେଲେ ବୁଝିଯିବୁ- ତାଙ୍କର ସ୍ପର୍ଶ, ତାଙ୍କର କଥା, ତାଙ୍କର ହସ. . . ସବୁ ରହିଛି ତୋ ପାଖରେ । ଦୁଃଖ କରୁଛୁ କାହିଁକି ?”

ଅରୁଣ ବୁଝିଗଲା- ଚନ୍ଦ୍ରା ଯେମିତି ତାକୁ ନୁହେଁ, ନିଜକୁ ବୁଝାଉଥିବା ସ୍ୱରରେ, ଏ ସବୁ କହୁଛି । ଏମିତି ଯିଏ କହେ. . . ନିଶ୍ଚୟ ସେ ଭିତରେ ଭିତରେ ଜଳିପୋଡ଼ି ଯାଉଥାଏ । ଯାହାକୁ, ଅନ୍ତର୍ଦାହ କହନ୍ତି. . . ।

ଧୈର୍ଯ୍ୟ ଧରିପାରିଲାନାହିଁ ଅରୁଣ. . . କାନ୍ଦିଲା । ଏତେ କାନ୍ଦିଲା ଯେ. . . ଚନ୍ଦ୍ରା ସାନ ହେଇ ବି, ତାକୁ ଛାତିରେ ଆଉଜାଇ ବୋଧ ଦେଲା ।

ଅରୁଣ କହିଲା- “ଚନ୍ଦ୍ରା ! ଆକାଶକୁ ଭୁଲିଯା’. . . ।

ଭାବନାକୁ ସଜାଡ଼ି ନେ. . . ।”

ଆଉ ତୃତୀୟ ହାର ଗୁନ୍ଥ୍ ନା. . . ।

ଆକାଶ. . . ତୋର ନ ଥିଲା, ଆମ ସମସ୍ତଙ୍କର ନ ଥିଲା. . . ଯାହାର ଥିଲା, ତା’ ପାଖକୁ ସେ ଚାଲିଗଲା । ତାହାର ଅବର୍ତ୍ତମାନରେ, ଆମର ବର୍ତ୍ତମାନକୁ ଜାଳିବା ଠିକ୍ ନୁହେଁ. . . ।

ଚନ୍ଦ୍ରା କ’ଣ କହନ୍ତା ? ନାରୀ ଜଣଙ୍କର ହୃଦୟ ଏତେ ଗଭୀର ଯେ. . . ତା’ ତଳେ କ’ଣ ଅଛି, କିଏ କହିବ ? ତା’ର ପ୍ରତିଟି କଥା. . . ପ୍ରତ୍ୟେକ ବ୍ୟବହାର, କେବଳ ଚକିତ କରୁଥିବ ସମସ୍ତଙ୍କୁ । ତଥାପି କହିଲା ଚନ୍ଦ୍ର ।

. . . ଦେଖିଚୁ ଭାଇ, କେବେ ଦୁଃଖରେ ଲୁହ ଗଡ଼େଇ, ଓଦା କରିଛି- ବିଛଣା ତକିଆକୁ । ରହିଛି- ଅଖିଆ ଅପିଆ କେବେ । ଆକାଶ ପ୍ରଥମେ ସାରା ପରିବାରରେ କଳ୍ପନା ସୃଷ୍ଟି କରିଥିଲେ । ସେହି କଳ୍ପନାର ବଗିଚାରେ ମୁଁ ଫୁଲ ହେଇ ଫୁଟିଥିଲି । ମୋତେ ତୋଳିବା ଆଗରୁ. . . କଳ୍ପନା, ସ୍ୱପ୍ନରେ ହଜିଗଲା । ସେ ପାଇଁ, ଦୁଃଖ କରି ଲାଭ କ’ଣ ? ଏଠି କ’ଣ ନିଜ ଇଚ୍ଛାରେ କିଛି ଘଟେ ? ନୁହେଁ ନା !

. . . ଛାତ ଉପର ଫୁଲକୁଣ୍ଡର ଏ ବଗିଚା. . . କେବଳ ଆକାଶ ସ୍ମୃତିରେ ହିଁ ମହକୁଛି । ମୋର ସମସ୍ତ ସ୍ନେହ, ସରାଗ, ପ୍ରେମିଳ ସ୍ମୃତିର ଫୁଲ ଏସବୁ । ଏଥିରୁ ମୁଁ ଆକାଶଙ୍କ ମୁହଁ ସବୁବେଳେ ଦେଖେ । ଯେତେବେଳେ ଯେଉଁ ଫୁଲରେ ସେ ଦିଶନ୍ତି, ତାକୁ ତୋଳୁ ତୋଳୁ ମୋ ହାତ ସ୍ଥିର ହୋଇଯାଏ । ଚୁପ୍ଚାପ୍ ତାଙ୍କୁ କହେ- ମୁଁ ତୁମ ପାଖକୁ ଯିବାଯାଏ… ଏଇମିତି ମୋତେ ଫୁଲରେ ଫୁଲରେ ଦିଶୁଥାଅ ଆକାଶ. . . ।

ସେ କହନ୍ତି- ଆକାଶ ବିନା ଚାନ୍ଦ, ଚାନ୍ଦ ବିନା ଆକାଶ. . . କେବେ ବି ସମ୍ଭବ ନୁହେଁ ଚାନ୍ଦ । ତମକୁ ମୁଁ ଅପେକ୍ଷା କରୁଛି. . . ।

. . . ଭାଇ ! ଆକାଶଙ୍କ ଆଗରୁ ବି ମୋତେ ଆମ ଘରେ ଚାନ୍ଦ ଡାକୁଥିଲେ, କିନ୍ତୁ ଯେଉଁଦିନୁ ଆକାଶ ଚାନ୍ଦ କହିଲେ. . . ସେହି ଦିନଠୁ ମୁଁ ତାଙ୍କରି ମୁହଁରୁ ଚାନ୍ଦ ଡାକ ଶୁଣିବାକୁ ଭଲପାଏ । ଆଉ କେହି ଡାକିଲେ, ମନ ଜଳିଥାଏ । ଏହିପାଇଁ ଜେଜୀ ଜେଜେଙ୍କ ଡାକ ମୋତେ ବିରକ୍ତ କରେ । ବୋଉ ବି ଚାନ୍ଦ ଡାକେ. . . । ତା’ ଉପରେ ବିଗିଡ଼ିବାକୁ ଶବ୍ଦ ଅଟକିଯାଏ । ମୁଁ ଭାବେ- ବୋଉ ବି ତ ମୋରି ପରି ଝୁରୁଛି. . . ଆକାଶକୁ । ମୋ ଛାତିର ଶୂନ୍ୟତା. . . ପ୍ରିୟ ପାଇଁ । ତା’ ଛାତିର ଶୂନ୍ୟତା. . . ଗୋଟେ ପୁଅପରି ପୁଅ ପାଇଁ । ସେ ସିନା ଉପରେ ଉପରେ କାଠ ହେଇ ରହିଛି । ମା’ ନ ହେଇଥିଲେ ବି. . . ମୁଁ ବୁଝିପାରେ ଗୋଟେ ମା’ର ମନ । ସେହି ପାଇଁ, ବୋଉକୁ ବିରକ୍ତ ହେଉ ହେଉ, ମୁଁ ଅଟକିଯାଏ. . . ।

ମଉନ ରହିଗଲା କେତେ କ୍ଷଣ ଅରୁଣ । ତା’ପରେ କହିଲା- ଏ ବର୍ଷ ତୋ ବିବାହ ଯେମିତି ଯେମିତି ହେବ । ବାପା ଦୁଇ ଚାରିଜଣ ମଧ୍ୟସ୍ଥିଙ୍କୁ କହିସାରିଲେଣି । ତୁ ମନ ଥୟ କରିନେ ଚନ୍ଦ୍ରା । କଞ୍ଚା ବୟସଟି ଦେହଛଡ଼ା ହେଇନି । କେତେ ଯେ ଲମ୍ୱା ଜୀବନପଥ ଆଗରେ । ଚାଲିବାକୁ ହେବ ତ । ଆମେ ତ କେବଳ ନିଜ ପାଇଁ ନୁହନ୍ତି ନା । ପରିବାରର ସମସ୍ତେ ଆମକୁ ଗଢ଼ିଲେ । ଆମଠୁ କିଛି ଆଶା ବି ରଖିଲେ । ତାଙ୍କୁ କ’ଣ ଆମେ ନିଜ ସ୍ୱାର୍ଥ ପାଇଁ ଦୁଃଖ ଦେଇପାରିବା ।

ଚନ୍ଦ୍ରା କହିଲା- ବୈଦିକ ମନ୍ତ୍ର ସହିତ, ବେଦୀ ଉପରେ କନ୍ୟାଦାନ କରାଗଲେ ଯାଇ. . . ତାହା ସମାଜ ସ୍ୱୀକୃତ ବିବାହ ରୂପେ ଗଣାଯାଏ । ଏ କଥା ବୋଉ ମୋତେ ବୁଝାଇବା ଛଳରେ କହିଥିଲା, କିନ୍ତୁ ଭାଇ ! ଏମିତି ବିବାହ କରିଥିବା ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଛାଡ଼ପତ୍ର କେମିତି ଘଟେ ?

ଅରୁଣ ନିରବ ରହିଗଲା. . . ।

ଚନ୍ଦ୍ରା ପୁଣି କହିଲା- ଆତ୍ମାର ମିଳନ ହିଁ ପ୍ରକୃତ ମିଳନ । ଏହା ଦ୍ୱାରା ଚଞ୍ଚଳ ମନ ଭଲପାଇବା ପାଖରେ, ସ୍ଥିର ରହେ । ଏହା ବାହାରକୁ ଡିଏଁ ନାହିଁ । ଏଣୁ ଦାମ୍ପତ୍ୟ ଜୀବନ ଅମୃତମୟ ହୁଏ ।

ଚନ୍ଦ୍ରା ପୁରା ଆକାଶମନସ୍କ ହେଇସାରିଥାଏ. . . ।

ଅରୁଣକୁ ଲାଟ୍ରିନ୍ ଲାଗିଲା. . . ଗଲାବେଳେ କହିଦେଇଥିଲା- ତୁ ଆଜି ମୋତେ ପୂଜାମାଳା ପିନ୍ଧାଇବାବେଳେ, ବୋଉ ଆଉ ଲକ୍ଷ୍ମୀମା’ଙ୍କ ଆଗରେ ମୁଁ ଏହି ଶପଥ କରିବି- ତୁ ବାହା ନ ହେଲେ, ମୁଁ ଅଭିଆଡ଼ା ରହିବି । ତେଣିକି ସବୁ ନିଷ୍ପତ୍ତି ତୋର . . . ।

ଚନ୍ଦ୍ରା ଓଠରେ ସରୁ ହସଧାରେ ଖେଳିଗଲା ।

ମନକୁ ମନ କହିହେଲା- ସମସ୍ତେ ସ୍ୱାର୍ଥପର ଭାଇ ! ମୁଁ ବି !

ପ୍ରେମର ପ୍ରତୀକ ଗୋଲାପ ଫୁଲର ଡାଳଟି ପାଖରେ ଠିଆ ହେଇଥାଏ ଚନ୍ଦ୍ରା ।

ଲାଲ୍ ଗୋଲାପ ।

ତାକୁ ଛୁଇଁ ଛୁଇଁ, ଡାଳ ସହିତେ ନାକରେ, ଗାଲରେ, କପାଳ ଓ ଛାତିରେ ଲଗାଉଥାଏ- ଏହି ବିରହବାତୁଳୀ । ତାକୁ ଲାଗୁଥାଏ- ସେହି ଗୋଲାପ ପାଖୁଡ଼ାମାନଙ୍କ ମଝିରେ. . . ତା’ ଆକାଶ ହିଁ ଅଛନ୍ତି । ତାଙ୍କ ମୁହଁ ଓଠ ଦିଶୁଛି ତାକୁ. . . ।

. . . ଏଁ ! ଓଠରେ ହସ ନାହିଁ କ’ଣ ? ଆଖି ଛଳ ଛଳ ହେଇଗଲେଣି । ବିରହର ଛଳଛଳ କମ୍ପନ ଓଠଅଧରରେ । ହଠାତ୍ ଏମିତି କାହିଁକି ?

ଥର ଥର ସ୍ୱରରେ ଚନ୍ଦ୍ରା କହୁଛି- ମୁଁ ବୁଝିଗଲିଣି ଆକାଶ. . . ଆଜି ତମେ ଏମିତି ହେଉଛ କାହିଁକି ? ତୃତୀୟ ହାର ଏ ଯାଏ ଗୁନ୍ଥିନାହିଁ । ତୁମକୁ ବେକରୁ ଲମ୍ୱାଇ ନାହିଁ । ତୁମର ମଧୁର ଛୁଆଁରେ. . . ତୁମର ଉଷୁମ ଆଉଁଶାରେ. . . ତୁମ ସହିତ ବିମଗ୍ନ ସ୍ୱପ୍ନରେ ହଜିଯାଇ ନାହିଁ କିପରି. . . ଏହିପାଇଁ ତ !

. . . କିମ୍ୱା, ଭାବୁଛ କି- ଏ ଯାଏ ତୁମପାଖକୁ ନ ଯାଇ, ରହିଛି କିପରି ?

ଆକାଶ. . . ! ମୁଁ ଏଇଠି ରହିବି. . . ।

ତପସ୍ୱିନୀଟିଏ ପରି, ଜୀବନ ବଞ୍ଚିବି. . . ଯୋଗ କରିବି. . . ତୁମକୁ ଦେଖିବି ସହସ୍ରାର କମଳ କର୍ଣ୍ଣିକାରେ । ଦୀପ ଜାଳୁଥିବି- ଆକାଶ ଆଡ଼େ ଚାହିଁ. . . ମୋ ଆକାଶ ପାଇଁ ।

ତୁମ ପାଖକୁ ଯିବି କେତେବେଳେ, ଜାଣ ।

ଭାଇ ବାହା ହେଇ, ଚାକିରିକରି, ତା’ ଜାଗାକୁ ନେଇଯିବ ଭାଉଜଙ୍କୁ । ଆମ ସମାଜରେ ଏମିତି ଘଟୁଛି । ବାପା ବୋଉ ବୁଢ଼ାବୁଢ଼ୀ ହେଇସାରିଥିବେ । ତାଙ୍କୁ ସେବା ଟିକେ ଦେବା ପାଇଁ, ମୋର ଆବଶ୍ୟକତା ଥିବ । ସେଇତକ କାମ ଶେଷ କରୁ କରୁ, ସେ ଦୁହେଁ ଯଦି ମୋ କୋଳରେ ଥାଇ, ଚାଲିଯାଆନ୍ତି . . . ଝିଅ ହିସାବରେ, ତାହା ମୋର ଶ୍ରେଷ୍ଠ କର୍ତ୍ତବ୍ୟ ହେବ. . . ।

ତା’ପରେ ଆଉ କି ଆକର୍ଷଣ ଥିବ ମୋ ପାଇଁ ।

ଏବେ ତୁମ ପାଖକୁ ଯିବାର ବାଟ ପରିଷ୍କାର ଦିଶିବ. . . ।

ସେ ଯାଏ. . . ତୁମ ପାଇଁ ନୟନଦୀପ ଜାଳୁଥିବି. . . ଅଶ୍ରୁକୁ ତୈଳକରି । ଭୁଲ୍ ବୁଝିବ ନାହିଁ ଆକାଶ । ତୁମେ ତ ବହୁତ ଉଦାର. . . ।

ବହୁତ ବିସ୍ତୃତ ନା- ତୁମର ଛାତି. . . ।

ଏମିତି କହି କହି, ଫୁଲ ତୋଳୁଥାଏ ଚନ୍ଦ୍ରା. . . ତୃତୀୟ ହାର ଗୁନ୍ଥିବା ପାଇଁ । ଫୁଲର ପାଖୁଡ଼ାମାନଙ୍କରେ ଲାଖିଥିବା ରାତିର ଶିଶିର ବିନ୍ଦୁ ସହିତ, ତା’ ଆଖିର ଅଶ୍ରୁବିନ୍ଦୁମାନ ମିଶିଯାଉଥାନ୍ତି, ଚନ୍ଦ୍ରା ଜାଣିପାରୁ ନଥାଏ ।

ଲୋକପ୍ରିୟ ଲେଖା

To Top