କବିତା

ତମ ବିନା ପୃଥିବୀ

Dr Nilamadhab Kar's odia poem Tama Binaa Pruthibi

ତମ ବିନା
ପୃଥିବୀକୁ ଭଲ ପାଇବାଟା
ମିଛ ମିଛ- ନା ଅଛି ହୃଦୟ, ନା ମନ
ନା କିଛି ଅନନ୍ୟ ଆତ୍ମୀୟତା
ଖାଲି ଛଳନା ଓ ଆତ୍ମ ପ୍ରବଞ୍ଚନା ।

ତମ ବିନା ପୃଥିବୀ

ତୁମକୁ ପାଇବି ବୋଲି
ମୁଁ ଆବୋରିଲି ସମଗ୍ର ପୃଥିବୀ
ପୃଥିବୀର ମାୟା ମୋହ
ଦୁଃଖ କଷ୍ଟ ଜଞ୍ଜାଳ ଯନ୍ତ୍ରଣା
ତମେ ପୃଥିବୀକୁ ଭଲପାଅ ବୋଲି
ମୁଁ ବି ଜଡ଼େଇଲି ତାକୁ
ଆପଣା ଛାତିରେ ।

ସମୟ ସନ୍ଧ୍ୟାରେ ଏବେ
ମୁଁ ଦେଖୁଚି ମୋ ବାହୁ ପାଶରେ
ପୃଥିବୀ ଓ ତା’ର ସାମଗ୍ରିକ ପାପପୁଣ୍ୟ
ଖାଇପିଇ ଜୀଇଁଥିବା ଜୀବନ
କିନ୍ତୁ ତମେ ନାହଁ (ସେଠି)
ତମ ବଦଳରେ କଣ୍ଟା ଝଣ୍ଟା
ଅନ୍ଧାରୁଆ ଅଙ୍କାବଙ୍କା ବାଟ ଓ ଅବାଟ
ତା’ ଭିତରେ
ମୁଁ ଗୋଟେ ଅରଣା ମଇଁଷି
ଲକ୍ଷ୍ୟହୀନ ପାହାଡ଼ି ଝରଣା ।

ତମ ବିନା
ପୃଥିବୀକୁ ଭଲ ପାଇବାଟା
ମିଛ ମିଛ- ନା ଅଛି ହୃଦୟ, ନା ମନ
ନା କିଛି ଅନନ୍ୟ ଆତ୍ମୀୟତା
ଖାଲି ଛଳନା ଓ ଆତ୍ମ ପ୍ରବଞ୍ଚନା ।

ତମ ବିନା
ପୃଥିବୀର ଚାରିଆଡୁ ଖସିଆସେ
ମୋ ଶିଥିଳ ବାହୁ- ଆଲିଙ୍ଗନ
କିନ୍ତୁ ପୃଥିବୀ ଜଡ଼େଇ ଧରେ-
ଏଣିକି ଏଣିକି
ନିବିଡ଼ରୁ ନିବିଡ଼ତର
ମୋ ପଞ୍ଜରା କାଠି କୁଟା ଭାଙ୍ଗିରୁଜି ଯିବାଯାଏ
ମୋ ନିଶ୍ୱାସ ବନ୍ଦ ହେବାଯାଏ ।

ଲୋକପ୍ରିୟ ଲେଖା

To Top