ଗଳ୍ପ

ନାବାଳକର ଡାଇରି

Pradip Nayak's odia story Naabaalakara Dairi

ସବୁ ଚିନ୍ତା ଭିତରକୁ ପଶି ଆସୁଚି ସିମାନୀର ସେଇ ଧମକ- “ମା’କୁ କହିଦେବି ।”

ନାବାଳକର ଡାଇରି

ମୋ ଆଖିକି ସମାନ ଗୋଟେ ପିଶାଚୀ ପରି ଦିଶୁଚି ସିମାନୀ । ଯଦିଓ ଗୋରା ରଙ୍ଗ, ସୁନ୍ଦର ମୁହଁ, କପାଳ ଉପରେ ଝୁଲି ରହୁଥିବା ଚୂର୍ଣ୍ଣ କୁନ୍ତଳକୁ ନେଇ ତାକୁ ସୁନ୍ଦରୀ ବୋଲି କୁହାଯାଏ । ବୟସରେ ମୋ ଠୁ ଚାରିବର୍ଷ ବଡ଼ । ଆମ ପାଖ ପଡ଼ିଶା ନ ହେଲେ ବି ଗାଁର ଝିଅ । ମାଇନର୍ ପାଶ୍ କରି ଏବେ ଘରେ ।

ଆମ ଗାଁ ସେ ମୁଣ୍ଡରୁ ସିନା ନିତି ସକାଳୁ ଆସେ ଆମ ଘରପାଖ ତୋଟା ବାଗନାକୁ ଫୁଲ ତୋଳିବାକୁ । ବାଗନାରେ ତରାଟ, କନିଅର, ମନ୍ଦାର ପରି କେତେକ ବାରମାସ ଫୁଲ ଫୁଟୁଥିବା ଗଛ ଅଛି । ଭୋର୍ ସମୟରୁ ପାଖ ମନ୍ଦିରର ପୂଜାରୀ, ଘରେ ପୂଜା କରୁଥିବା ଲୋକମାନଙ୍କର ଧାଡ଼ି ଲାଗେ ବାଗନାରେ । ସେମାନଙ୍କ ଭିତରୁ ସିମାନୀ ଜଣେ । ମୋର ମନେ ନାହିଁ କେବେଠୁ ସେ ପ୍ରତିଦିନ ତୋଳୁଥିବା ଫୁଲରୁ କିଛି ଦେଇଯାଏ ଆମ ଘରେ । ମା’ ନିଜେ ବାଗନାକୁ ଯାଇପାରେନା ଯେଣୁ ତାକୁ ଏଇ କାମ ପାଇଁ କହିଥିବ କି କ’ଣ ?

ମା’ ସିମାନୀକୁ ଭାରି ଭଲପାଏ । ଏମିତିରେ ସିଏ ପ୍ରତିଦିନ ଫୁଲ ଦେଇ ମା’କୁ ଖୁସି କରେ ବୋଲି ନୁହଁ ବରଂ ମା’ ସମସ୍ତଙ୍କୁ ଆଦର କରେ । ବାବା ମରିଯିବା ପରେ ମା’ ଭାରି ଏକଲା ଅନୁଭବ କରେ । ମୋତେ ଲାଗେ ଯେ, ବାବା ଥିଲାବେଳର ମାଆ ଆଉ ଏବେକାର ମାଆ ଭିତରେ ବହୁତ ପ୍ରଭେଦ । ବାବାଙ୍କ ଦେହାନ୍ତର ଆକସ୍ମିକ ଧକ୍କା ମାଆକୁ କେବଳ ଦୁଃଖିନୀ କରିନି ଅଧିକ ଭାବରେ ଅସହାୟ କରିଛି । ଏବେ ତ ସେ ବହୁ ମାତ୍ରାରେ ନିରବ, ନିରୀହ ଆଉ ସ୍ନେହୀ । ଆଉ କାହା କଥା ଛାଡ଼ ମୋ ଆଖିରେ ତ ପୂର୍ବାପେକ୍ଷା ଆହୁରି ଦରଦୀ । କହିପାରିବିନି ତା’ ସଂସାରରେ ଏବେ ମୁଁ ଏକା ତେଣୁ ସବୁ ମମତା ମୋରି ଉପରେ ଅଜାଡ଼ି ଦିଏ ।

ମା’ର ସକାଳ ପହରଟା ବିତିଯାଏ ଠାକୁରଘରେ । ସକାଳୁ ସକାଳୁ ଗାଧୋଇ ଶୁଭ୍ର ବସ୍ତ୍ର ପରିହିତା ମା’ ପୂଜାପାଠ କରୁଥିବ, ତା’ ହାତରେ ଘଣ୍ଟି ବାଜୁଥିବ, ଝୁଣା ଧୂପର ବାସ୍ନାରେ ସାରା ଘର ଚହଟି ଉଠୁଥିବ । ଏସବୁ ଯିଏ ଆଖିରେ ଦେଖିଥିବ ତ ଅନୁଭବ କରିବ, ସତେ ଯେମିତି ଫୁଲରେ ସଜେଇ ହେଇ ଠାକୁର ତା’ ମନ୍ତ୍ରର ଆବାହନୀରେ ଓହ୍ଲେଇ ଆସୁଛନ୍ତି । ଏମିତି ପୂଜାରିଣୀ ବେଶରେ ମୁଁ ତାକୁ ଦେଖିଲେ ଲାଗେ ଟିଭି କି ସିନେମାର ଅବା କ୍ୟାଲେଣ୍ଡରର କଉ ଛବିଟିଏ । ପୂଜାଘରୁ ଉଠିଆସିଲେ ହାତରେ ଝୁଣାଦାନୀ ଧରିଥିବ ତ ତା’ ଚେହେରା ଦିଶୁଥିବ ଏକ ସିନ୍ଦୂରବିହୀନ ଶୂନ୍ୟ କପାଳର ଦେବୀ ମୂର୍ତ୍ତି । ମୁଁ ତା’ ପାଦ ଛୁଇଁ ନମସ୍କାର କରିବାକୁ ଯିବା ପୂର୍ବରୁ ଖାସ୍ ତାକୁ ଚାହିଁ ଦେଇ ଦଣ୍ଡେ ଅଟକି ଯାଏ । ତା’ ସ୍ନେହ ମିଶ୍ରିତ ଗମ୍ଭୀର ମୁଦ୍ରା ସେତିକିବେଳେ ଅପୂର୍ବ ମମତାମୟୀ ରୂପରେ ପରିଣତ ହୁଏ, ଯେତେବେଳେ ସେ ମୋତେ କୋଳେଇ ନିଏ । ପ୍ରତି ମୁହୂର୍ତ୍ତରେ ଏକଥା ମୋତେ ଅନୁଭୂତି ଦିଏ ବାବା ନଥିଲେ କ’ଣ ହେଲାରେ ଧନ, ମୁଁ ତ ଅଛି ।

ଆଜି ବି ବିଭୋର ଲାଗେ ମାଇନର ପଢୁଥିବା ବେଳେ କେମିତି ଯେ ମା’କୁ ନେଇ କବିତାଟିଏ ଲେଖିଥିଲି । ଯାହାକୁ ସ୍କୁଲରେ ସମସ୍ତେ ପସନ୍ଦ କରିଥିଲେ । ସାର୍ ମୋ କବିତାକୁ ସବୁ ପିଲାଙ୍କୁ ଶୁଣୁଥିଲେ- ମା’ ମୋର ଶରତ ଆକାଶପରି । ପୁଣି କାଚକେନ୍ଦୁ ପାଣି । ଭୋଦୁଅର ବଢ଼ିପରି, ତା’ ରାଗ . . . ଇତ୍ୟାଦି ଇତ୍ୟାଦି । ଆହୁରି ମଧ୍ୟ ସେ ମୋତେ ଆଗକୁ ଲେଖିବାକୁ ଉତ୍ସାହିତ କରି କହୁଥିଲା ଅଂଶୁ ତୁ ଲେଖ୍ । ଭବିଷ୍ୟତରେ ନିଶ୍ଚେ ଭଲ ଲେଖିବୁ ।

ମୁଁ ବି ମନେ ମନେ ସେବେଠୁ ସ୍ୱପ୍ନ ଦେଖିଚି । ପାଠ ପଢ଼ି ଜୀବନରେ ଆଉକିଛି ହୁଏ କି ନ ହୁଏ କବିଟିଏ ହେବି ।

ଏଇ କେତେଦିନ ହେବ ମା’ର ଆଶା ଭରସା, ସାର୍‌ଙ୍କ ଆକଳନ, ମୋର ସ୍ୱପ୍ନ ସମ୍ଭାବନା ଧ୍ୱସ୍ତବିଧ୍ୱସ୍ତ ହେଇଯାଉଛି । ସିମାନୀର ପଦେମାତ୍ର କଥା, ତା’ ଧୂର୍ତ୍ତ ଆଖିର ଧମକ- ମା’କୁ କହିଦେବି ।

ମୋ ପିଲା ମନର ଶୃଙ୍ଖଳା, ମା’ର ସ୍ନେହ, ଅନୁଶାସନ, ପାଖ ପଡ଼ୋଶୀଙ୍କର ଆଦର ଭିତରେ ଥାଇ ମଧ୍ୟ ଏଇ ପଦେ କଥାର ଧାରୁଆ ଛୁରୀ ଯେମିତି ସବୁ ସୁରକ୍ଷାକୁ କାଟି ଟିକ୍ ଟିକ୍ କରି ପକାଉଛି । ମୋ ଡରକୁଳା ଭାବରୁ ଆହୁରି ଦ୍ୱିଗୁଣିତ କରୁଛି । ଏମିତିକି ମୁଁ ନିଜେ ନିଜର ଦୁଷ୍କୃତି ସମ୍ୱନ୍ଧରେ ସଚେତନ ହେବାର ସୁଯୋଗ ମଧ୍ୟ ପାଉନି । ତେଣୁ ତା’ କପଟ ଚାହାଁଣି ମୋର ପ୍ରତିଟି ମୁହୂର୍ତ୍ତକୁ ଆଶଙ୍କିତ କରି ରଖିଚି । ସତରେ ସିଏ ଯଦି ମା’କୁ କହିଦିଏ ।

ମାଆର ଆଖି ଆଗରୁ ଦଣ୍ଡେ ମାତ୍ର ଉହାଡ଼କୁ ଯିବାକୁ ମୋ ପକ୍ଷରେ ସମ୍ଭବ ନ ଥିବା ବେଳେ ଆଜି ମୁଁ ନାନାଦି ବାହାନା କରି ତା’ଠୁ ଦୂରକୁ ଯିବାକୁ ଚାହୁଁଚି । ମାଆ ଆଖି ପରିଧିର ବାହାରକୁ ଯାଇ ଏମିତି ଗୋଟେ ନିଜସ୍ୱ ପରିବେଶ ସୃଷ୍ଟି କରିବାକୁ ଚାହୁଁଚି, ଯେଉଁଠି ନିକାଞ୍ଚନରେ ବସି ଭାବିପାରିବି ସିମାନୀ କଥାର ଅର୍ଥ କ’ଣ ? ଟେଷ୍ଟ ପରୀକ୍ଷା ପର ସ୍କୁଲଟାସ୍କ ସବୁ ପଡ଼ିରହିଛି । ବହି, ଖାତା, କଲମ ଏବେ କେଉଁଠି ପଡ଼ିଛି ମନେ ପକାଇବାକୁ ଇଚ୍ଛା ହଉନି । ତୁଚ୍ଛାଟାକୁ ମା’ର ଆକଟ ପାଇଁ ବହି ପାଖରେ ବସୁଛି । ପଢ଼ା ଟେବୁଲ୍‌ରେ ବସି ଗୁଡ଼ାଏ ୟାଡୁ ସାଡୁ ଗାରାଗାରି, ଚିରାଚିରି କରୁଚି । ମୋ ବିକଳ ଭାବ ମୋତେ ଘାରି ରହିଛି, ଘୋରି ପକାଉଚି । ସବୁ ଚିନ୍ତା ଭିତରକୁ ପଶି ଆସୁଚି ସିମାନୀର ସେଇ ଧମକ- “ମା’କୁ କହିଦେବି ।”

ସିମାନୀ ଯଦି ମା’କୁ କହିଦିଏ. . . ତା’ ହେଲେ. . . ! ଓଃ ! ଆଗକୁ ଭାବିବା ମୋ ପକ୍ଷରେ ଆଉ ସମ୍ଭବ ହେଉନି । ସତରେ ମା’ ମୋତେ କ’ଣ ଯେ ଭାବିବ ? କି ଦାରୁଣ ଆଘାତ ନ ଲାଗିବ ସତରେ ତା’ କୋମଳ ମନରେ । ମୋ ପାଇଁ ତା’ ମନରେ ଥିବା ସଜଡ଼ା ସୁନ୍ଦର ଥାକଟେ ହଠାତ୍ ଝଣଝାଣ୍ ହୋଇ ଖସିପଡ଼ି ମାଟିରେ ମିଶିଯିବନି ତ ? ବାବାଙ୍କ ଅବର୍ତ୍ତମାନକୁ ଅତୀତ କରି ମୋ ବର୍ତ୍ତମାନକୁ ନେଇ ବଞ୍ଚୁଥିବା ମାଆର ଅବସ୍ଥା ଯେ କ’ଣ ହେବ ତାହା ବି ମୋ କଳ୍ପନାକୁ ଆସିଯାଉଚି ।

ରକ୍ଷା ! ସିମାନୀ କହିବ, କହିବ ଏମିତି କରି କରି ଏଯାଏ ମୋତେ ରକ୍ଷା କରିଆସିଚି । ଯାହାଫଳରେ ମୋର ପ୍ରତିଟି ଆସନ୍ତା କାଲି ପାଲଟି ଯାଉଛି ଆତଙ୍କ, ଉତ୍କଣ୍ଠାର ଶ୍ୱାସରୁଦ୍ଧକାରୀ ପ୍ରତୀକ୍ଷା ।

ମୁଁ କାହାକୁ ସାମ୍ନା କରିବି ? ଏକଥା ଭାବିଲା ବେଳକୁ ଦ୍ୱନ୍ଦ୍ୱରେ ପଡୁଚି । ମାଆର ପବିତ୍ରତା ପାଖରେ ଅପରାଧୀ ହୋଇ ଠିଆହେବି ନା- ସିମାନୀ ଧମକ ଆଗରେ ଆତ୍ମସମର୍ପଣ ? ମୋର କ’ଣ କରିବା ଉଚିତ୍ ହବ ?

ପ୍ରଥମେ ମା’ କଥା ଭାବିଲା ବେଳକୁ ଆକାଶରୁ ଖସି ପଡ଼ିବା ପରି ଲାଗୁଚି । ଅନ୍ତହୀନ ଦୀର୍ଘତାକୁ ଲଙ୍ଘି ନ ପାରିବାର ନିଶ୍ଚିତତା ପାଖରେ ଅଟକୁଚି । ଯାହା ଏ ଜୀବନରେ ବି ସମ୍ଭବ ନୁହେଁ । ଅପରପକ୍ଷେ ସିମାନୀ. . . ତାକୁ ଚୁପ୍ କରାଯାଇ ପାରିବ କି ?

ଯେତେ ଯେତେ ଦିନ ଗଡୁଚି ସେତିକି ସେତିକି ଭୟଙ୍କର ଦିଶୁଚି ସିମାନୀର ଚେହେରା । ତା’ ଧମକର ବିଷାକ୍ତ ନଖଦନ୍ତଗୁଡ଼ା ମୋ ଆଡ଼କୁ ମାଡ଼ିଆସୁଚି । ବୋଧହୁଏ ମୋ ନିଷ୍ପତ୍ତି ନେବାର ବିଳମ୍ୱ ତାକୁ ଆହୁରି ଭୟଙ୍କର କରିଦବ କି କ’ଣ ?

ମୁଁ ମୋ ବିଚାର ବୁଦ୍ଧିର ଅସାମର୍ଥତା ପାଖରେ ବାରମ୍ୱାର ହାର ମାନୁଚି । ମୋର ସାମର୍ଥ୍ୟର ସମସ୍ତ ଅସ୍ତ୍ର ସିମାନୀ ପାଦତଳେ ଥୋଇ ହାତ ଟେକି ଦେଇଚି । ଏବେ ଗୋଟିଏ ମାତ୍ର ମୋ ମୁକ୍ତିର ବାଟ, ସେଇଟା ହେଉଚି ତା’ ଇସାରାରେ ମୋତେ ନାଚିବାକୁ ପଡ଼ିବ ।

ଘରଠୁ ଦୂରକୁ ଚାଲିଆସି ନଈପଠାର ନିର୍ଜନ ସ୍ଥାନରେ କେବଳ ମାତ୍ର ଭଗବାନଙ୍କୁ ସ୍ମରଣ କରୁଚି । ବିନତି କରୁଚି- “ପ୍ରଭୁ ମୋତେ ଏ ବିପତ୍ତିରୁ ମୁକ୍ତି ଦିଅ ! ମୁକ୍ତି ଦିଅ !” ଏମିତିକି ଏଇ କେଇଦିନ ସନ୍ଧ୍ୟା ପ୍ରାର୍ଥନା କଲାବେଳେ ମା’ ପାଖରେ ବସି ହାତଯୋଡ଼ି, ଆଖି ବନ୍ଦ କରି ମଧ୍ୟ ମୁଁ ଭଗବାନ ଏବଂ ମା’ ଠାରୁ ବହୁ ଦୂରକୁ ଚାଲିଯାଉଚି । ପ୍ରାର୍ଥନାର ପ୍ରତିଟି ଶବ୍ଦ ମୋତେ ମୋ ମା’, ଆତ୍ମୀୟସ୍ୱଜନଙ୍କ ଠାରୁ ମଧ୍ୟ ଅଲଗା କରିଦଉଚି । ଗୋଟିଏ ଘଟଣାର ସମାଧାନ ବାଟ ଖୋଜି ଖୋଜି କ୍ଳାନ୍ତ ବିବ୍ରତ ମଣିଷର ପ୍ରାର୍ଥନା ପରି ଗୋଟେ ମିଛ ସ୍ୱୀକାରୋକ୍ତି ମୁଁ କାହା ପାଖରେ କରୁଚି । ମୋ ନିଜ ପାଖରେ ନା ଭଗବାନଙ୍କ ପାଖରେ ।

ଅନେକ ଚିନ୍ତା କରି ମଧ୍ୟ ଗୋଟେ ରହସ୍ୟମୟୀର ଫାଶରେ ନିରୀହ ହରିଣ ଛୁଆଟି ପରି ମୁଁ ଛଟପଟ । ମୋତେ ଉଦ୍ଧାର କରିବାକୁ କେହି ନାହିଁ । ମୋତେ ହିଁ ମୋ ବନ୍ଧନ ଛିଡ଼େଇବାକୁ ପଡ଼ିବ । ସିମାନୀ କହୁଥିବା ଘଟଣା ଏବେ ବି ମୋ ପାଖରେ ଗୋଟେ କୁହେଳି ।

ତା’ପରେ

ଲୋକପ୍ରିୟ ଲେଖା

To Top