ପ୍ରବନ୍ଧ

ଭାରତୀୟ ଦର୍ଶନ ଓ ନାଥ ତତ୍ତ୍ୱ

Shreebatsa Prasad Nath's odia prose Bhaaratiya Darshan O Naathatattwa

ନାଥ ସମ୍ପ୍ରଦାୟ ଗୋଟିଏ ଧର୍ମୀୟ ପନ୍ଥା ହୋଇଥିବାରୁ ଏମାନେ କୌଣସି ଋଷିଙ୍କର ବଂଶଧର ନୁହଁନ୍ତି ।

ଭାରତୀୟ ଦର୍ଶନ ଓ ନାଥ ତତ୍ତ୍ୱ

-: ପୂର୍ବରୁ :-

ହିରଣ୍ୟଗର୍ଭ ଯୋଗସ୍ୟ ବକ୍ତ ନାନ୍ୟଃ ପୁରାତନଃ । (ଯାଜ୍ଞବଳ୍କ୍ୟ)

ପୁନଶ୍ଚ- ସାଂଖ୍ୟସ୍ୟ ବକ୍ତା କପିଳ ପରମଷଃ ସ ଉଚ୍ୟତେ
ହିରଣ୍ୟଗର୍ଭୋ ଯୋଗସ୍ୟ ବକ୍ତା ନାନ୍ୟଃ ପୁରାତନଃ । (ମହାଭାରତ)

ହରିଣ୍ୟଗର୍ଭଙ୍କ ଠାରୁ ଯୋଗର ଉତ୍ପତ୍ତି । ତେବେ ଏହି ହିରଣ୍ୟଗର୍ଭ କିଏ ? ଋକ୍ବେଦରେ ଏହି ହିରଣ୍ୟଗର୍ଭ ପ୍ରଥମ ସୃଷ୍ଟି ବୋଲି ବର୍ଣ୍ଣିତ ହୋଇଛି । ଏ ସମ୍ପର୍କରେ ବିଦ୍ୱାନମାନେ ନାନା ମତ ପୋଷଣ କରନ୍ତି । କେହି କେହି ବେଦର ସ୍ତୁତି ଗାୟକ, ଆଉ କେହି ଗୋଟିଏ ପୌରାଣିକ ନାମ, ଅନ୍ୟ କେତେକ ସାଂଖ୍ୟର ସ୍ରଷ୍ଟା କପିଳଙ୍କୁ ହିରଣ୍ୟଗର୍ଭ ବୋଲି କହିଥାନ୍ତି । କିନ୍ତୁ ଉକ୍ତ ମତବାଦ ଗୁଡ଼ିକର ଶବ୍ଦ ତାତ୍ତ୍ୱିକ ବିଚାର ଆଲୋଚନା କଲେ ଜଣାଯାଏ- ହିରଣ୍ୟଗର୍ଭ (ହିରଣ-ଗର୍ଭ) ଶବ୍ଦର ଅର୍ଥ ହେଲା ବ୍ରହ୍ମା । ସୃଷ୍ଟିକର୍ତ୍ତା ବ୍ରହ୍ମା ଜଗତର ଆଦି ସୃଷ୍ଟି । ଭଗବାନ ବିଷ୍ଣୁଙ୍କର ଅନନ୍ତଶୟନ କାଳରେ ତାଙ୍କ ନାଭିରୁ ପଦ୍ମଫୁଲ ଜାତ ହୋଇ ତହିଁରେ ବ୍ରହ୍ମାଙ୍କର ଉତ୍ପତ୍ତି ହେଲା । ବ୍ରହ୍ମା ଯୋଗାସନରେ ବସି ସୃଷ୍ଟିକ୍ରିୟା ସଂଘଟନ କରିବା ପାଇଁ ପରମେଶ୍ୱରଙ୍କୁ ଧ୍ୟାନ କଲେ । ତେଣୁ ବ୍ରହ୍ମାଙ୍କ ଠାରୁ ଯୋଗ ସୃଷ୍ଟି ହୋଇ କାଳକ୍ରମେ ପ୍ରସାର ଲାଭ କରିଛି । ଅନ୍ୟ ଅର୍ଥରେ ଯାହାଙ୍କର ଗର୍ଭ ବା ଅଭ୍ୟନ୍ତର ହିରଣ୍ୟ (ସୁବର୍ଣ୍ଣ)ମୟ ରୂପରେ ପ୍ରତିଭାତ, ସେ ହେଉଛନ୍ତି ପ୍ରଚଣ୍ଡ ଆଗ୍ନେୟ ପିଣ୍ଡ ସୂର୍ଯ୍ୟ । ସୂର୍ଯ୍ୟ ଆମ ସୌର ଜଗତର ଆଦି ସୃଷ୍ଟି । ସେ ପୃଥିବୀର ଜନ୍ମଦାତା । ତାଙ୍କରି ଯୋଗ ବଳରେ (ଯମ, ନିୟମ ଆଦି ଅଷ୍ଟ ସାଧନ ମାର୍ଗ) କ୍ରମଶଃ ଧରଣୀ ସରସ ସୁନ୍ଦର ହୋଇ ହସି ଉଠିଛି । ଆଦିମ ମାନବ ପ୍ରଥମେ ସୂର୍ଯ୍ୟଙ୍କ ଠାରୁ ହିଁ ଜୀବନଚର୍ଯ୍ୟା ଶିକ୍ଷା ଲାଭ କରିଥିଲା । ତେଣୁ ସୂର୍ଯ୍ୟ ଦେବତା ଯୋଗମାର୍ଗର ଆଦି ସ୍ରଷ୍ଟା ।

ସେ ଯାହାହେଉ, ଯୋଗକୁ ଯେ ଆଦିମ କାଳରୁ ଅଜଣା ଭାବରେ ଜୀବଜଗତ ଓ ମାନବ ଜଗତ ସମାଜର ନୀତି ନିୟମ ଆକାରରେ ନିତିଦିନିଆ ଜୀବନ ଧାରଣରେ ପାଳନ କରି ଆସୁଛନ୍ତି ଏହା କହିବା ବାହୁଲ୍ୟ ମାତ୍ର । ମାନବ ସମାଜରେ ବୁଦ୍ଧି, ବିବେକ, ଜ୍ଞାନର ବିକାଶ ହେବା ସଙ୍ଗେ ସଙ୍ଗେ ଯୋଗର ମହତ୍ତ୍ୱ ସେମାନେ ଉପଲବ୍ଧ କରିପାରିଛନ୍ତି । ଆଦିମ ଭାରତୀୟମାନେ ସର୍ବାଗ୍ରେ ଏହାର ଉପାଦେୟତା ଉପଲବ୍ଧି କରି ପାରିଥିଲେ । ସେତେବେଳେ ତାହା ଅବ୍ୟବସ୍ଥିତ ଅବସ୍ଥାରେ ଥିଲା । ଖ୍ରୀ.ପୂ. ୨ୟ କିମ୍ୱା ୩ୟ ଶତାବ୍ଦୀରେ ପାତଞ୍ଜଳି ଯୌଗିକ ପଦ୍ଧତିକୁ ବ୍ୟବସ୍ଥିତ କରିଥିଲେ, ଏହା ସୁନିଶ୍ଚିତ । ପାତଞ୍ଜଳିଙ୍କ ରଚିତ ଯୋଗସୂତ୍ର ମାନବ ସମାଜ ପାଇଁ ଏକ ଅନନ୍ୟ ଅବଦାନ । ତାହା ଶହ ଶହ ବର୍ଷ ଧରି ଭାରତୀୟ ପରମ୍ପରାରେ ଉଦ୍ଜୀବିତ ଥାଇ ସମଗ୍ର ବିଶ୍ୱରେ ଅଭିନନ୍ଦିତ ହୋଇ ଆସିଛି । ସେଥିପାଇଁ ବ୍ରାତ୍ୟମାନଙ୍କର ଆଦି ଦେବତା ଶିବଙ୍କୁ ଆର୍ଯ୍ୟମାନେ ମହାଯୋଗୀ ରୂପରେ ଦେଖିଛନ୍ତି ।

ମହାଯୋଗୀ ଶିବଙ୍କ ଠାରୁ ସମ୍ଭୁତ ହୋଇ ଯେଉଁମାନେ ଯୋଗ ମାର୍ଗ ଆଶ୍ରା କଲେ ସେମାନେ ଆଦିନାଥ ଯୋଗୀ ସମ୍ପ୍ରଦାୟ ନାମରେ ବିଦିତ ହେଲେ । ସମଗ୍ର ଭାରତ ଓ ଭାରତ ବାହାର ଦେଶମାନଙ୍କରେ ଏମାନେ ଅଦ୍ୟାବଧି ପ୍ରାୟତଃ ପୁରୁଷାନୁକ୍ରମେ ନାଥ ସାଜ୍ଞା ବ୍ୟବହାର କରି ଆସୁଛନ୍ତି । ନାଥ ମାନେ ଜାତିରେ (ବର୍ଣ୍ଣ) ଯୋଗୀ ଓ ସେମାନଙ୍କର ଗୋତ୍ର ହେଉଛି ନିରଞ୍ଜନ । ସେମାନେ ଯୋଗାଚାରୀ ଥିଲେ ବୋଲି ଯୋଗୀ ଓ ନିରଞ୍ଜନ ଶବ୍ଦର ଅର୍ଥ ଶିବ । ତେଣୁ ପରଂବ୍ରହ୍ମ ଶିବଙ୍କ ବଂଶରେ ଜାତ ବୋଲି ସେମାନଙ୍କ ଗୋତ୍ର ନାମ କରଣ ଏପରି ହୋଇଛି । ନାଥ ସମ୍ପ୍ରଦାୟ ଗୋଟିଏ ଧର୍ମୀୟ ପନ୍ଥା ହୋଇଥିବାରୁ ଏମାନେ କୌଣସି ଋଷିଙ୍କର ବଂଶଧର ନୁହଁନ୍ତି । ସମଗ୍ର ଦେଶ ବିଦେଶରେ ଯେତେ ନାଥ ଧର୍ମାବଲମ୍ୱୀ ଅଛନ୍ତି ସମସ୍ତେ ଗୋଟିଏ ଜାତି ଓ ଗୋଟିଏ ଗୋତ୍ରର ଅନ୍ତର୍ଭୁକ୍ତ ବୋଲି ଜଣାପଡ଼େ । ବିଭିନ୍ନ ଜାତି ଓ ଗୋଷ୍ଠୀର ଲୋକମାନେ ଏପରିକି ବିଦେଶାଗତ ଶକ, ଉଇଚି, ହୁନ, ପାର୍ଥୀୟାନ ଓ ସୁଫୀ ମୁସଲମାନ ଆଦି ଉକ୍ତ ଧର୍ମ ଗ୍ରହଣ କରିଥିଲେ । ଏଥିରୁ ସ୍ପଷ୍ଟ ବୋଧ ହୁଏ ସବୁ ଭାରତୀୟଙ୍କ ଉପରେ ଏହାର ପ୍ରଭାବ ପଡ଼ିଥିଲା ।

ଉକ୍ତମାର୍ଗର ପ୍ରଥମ ପ୍ରବର୍ତ୍ତକଙ୍କ ନାମ ଜାଣିବା ଆଜି କେବେହେଲେ ସମ୍ଭବ ନୁହେଁ । ତଥାପି ବୈଦିକ ଯୁଗର ଶିବ ଉପାସନା ଓ ଯୋଗ ସମ୍ୱନ୍ଧୀୟ ଅନେକ ତଥ୍ୟ ମିଳିଛି । ବ୍ରାତ୍ୟମାନେ ହଠ ଯୋଗୀ ଥିବା ବିଷୟ ପୂର୍ବରୁ ଆଲୋଚନା କରାଯାଇଛି । ଗ୍ରୀକ୍ ପରିବ୍ରାଜକ ମେଘାସ୍ଥିନିସ୍ ତାଙ୍କ ବିବରଣୀରେ ବୌଦ୍ଧ ଓ ଜୈନ ସିଦ୍ଧଙ୍କ ସହିତ ନାଥ ଯୋଗୀ ସମ୍ପ୍ରଦାୟର ସିଦ୍ଧମାନେ ଥିଲେ ବୋଲି ଉଲ୍ଲେଖ କରିଛନ୍ତି । (Early History of India – by Dr. Nagendranath Ghosh) ଶଙ୍କରାଚାର୍ଯ୍ୟଙ୍କ ଓ ରାମାନୁଜଙ୍କ ଭାଷ୍ୟରୁ ଜଣାଯାଏ ବ୍ୟାସଦେବଙ୍କ ପରେ ଶଙ୍କରାଚାର୍ଯ୍ୟଙ୍କ ପୂର୍ବେ ୧୬ ଜଣ ପ୍ରଧାନ ବୈଦାନ୍ତିକ ଥିଲେ । ତନ୍ମଧ୍ୟରେ ପଣ୍ଡିତ ଶ୍ରୀନିବାସ ଦାସ ଯତିନ୍ଦ୍ର ମତ ଦୀପିକା ଗ୍ରନ୍ଥ ଶ୍ରୀ ପରାଙ୍କୁଶ ନାଥ ମୁନି ନାମକ ଜଣେ ନାଥପନ୍ଥୀ ବୈଦାନ୍ତିକଙ୍କ ନାମ ଉଲ୍ଲେଖ କରିଛନ୍ତି । ଏହିସବୁ ଆଲୋଚନାରୁ ଯାହା ଜଣାପଡ଼େ ଦ୍ରାବିଡ଼ ସଭ୍ୟତା କାଳରୁ ଶୈବଦର୍ଶନ ଓ ମତବାଦ ଉପରେ ପ୍ରତିଷ୍ଠିତ ହୋଇ ଆଦିନାଥ ଯୋଗୀ ସମ୍ପ୍ରଦାୟ ଆମ ଦେଶରେ ତିଷ୍ଠି ରହିଥିଲା । ସମୟାନୁକ୍ରମେ ସେମାନେ ଆୟୁର୍ବେଦର ସମ୍ପୂର୍ଣ୍ଣ ଅଧିକାରୀ ହୋଇଥିଲେ ଏବଂ ଯୋଗ ବଳରେ ନିରାମୟ ଜୀବନ ସହିତ ମୋକ୍ଷଦାନ ଓ ବନୌଷଧି ପ୍ରୟୋଗ ଦ୍ୱାରା ଜନତାଙ୍କୁ ରୋଗମୁକ୍ତ କରୁଥିଲେ । ତେଣୁ ସେ କାଳର ଜନମାନସରେ ସେମାନେ ଥିଲେ ନାଥ ଅର୍ଥାତ୍ ସ୍ୱାମୀ ବା ପ୍ରଭୁ ଓ ମୋକ୍ଷ ଦାନରେ ଦକ୍ଷ । ଜୈନ ଓ ବୌଦ୍ଧଧର୍ମର ବିକାଶ କାଳରେ ତହିଁରେ ମ୍ଳାନତା ପରିଲକ୍ଷିତ ହେବା ବିଚିତ୍ର ନୁହେଁ ।

ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ମହାତ୍ମା ମତ୍ସ୍ୟେନ୍ଦ୍ରନାଥ, ମହାଯୋଗୀ ଗୋରଖନାଥ ଆବିର୍ଭୁତ ହୋଇ ନାଥ ଧର୍ମର ବହୁଳ ପ୍ରଚାର ଓ ପ୍ରସାର କରିଥିଲେ । ତାଙ୍କର ଶିକ୍ଷ୍ୟ ଭର୍ତ୍ତୃହରି, ଜୀମୁତବାହନ, ଶାଳିବାହନ, ଚୌରଙ୍ଗୀ, ଜଳନ୍ଧରୀ ଆଦି ନାଥ ସିଦ୍ଧମାନେ ତହିଁରେ ଅନ୍ତର୍ଭୁକ୍ତ ଥିଲେ । ଜୈନ ଓ ବୌଦ୍ଧ ଧର୍ମାବଲମ୍ୱୀମାନେ ସେ ବେଳରେ ଗୋରେଖ ନାଥଙ୍କ ଯୋଗମାର୍ଗରେ ପ୍ରଭାବିତ ହୋଇଥିବା ବିଷୟ ଅନେକ ଐତିହାସିକ ଗବେଷଣାରୁ ଜଣାପଡ଼େ । ଏ ସମ୍ପର୍କରେ ବିଶଦ ଆଲୋଚନା ମୋର ପ୍ରଣୀତ “ନାଥଧର୍ମ ଓ ନାଥ ସାହିତ୍ୟ” ପୁସ୍ତକରେ ପ୍ରକାଶ ପାଇଛି । ସାରା ଭାରତ ଓ ପଡ଼ୋଶୀ ଦେଶମାନଙ୍କରେ ମତ୍ସ୍ୟେନ୍ଦ୍ରନାଥ, ଗୋରେଖନାଥ ଓ ଜଳନ୍ଧରୀ (ବାଳାନାଥ) ବିଶେଷ ପ୍ରସିଦ୍ଧି ଲାଭ କରିଥିଲେ । ଲୋକେ ଗୋରେଖ ନାଥଙ୍କୁ ପ୍ରଚ୍ଛନ୍ନ ଶିବ ବୋଲି କହୁଥିଲେ ଏବଂ ତାଙ୍କୁ ସେହିଭଳି ମାନ୍ୟତା ମଧ୍ୟ ଦେଉଥିଲେ । ସେ ଯୋଗମାର୍ଗ ଉପରେ ଗୁରୁତ୍ୱ ଦେଇ ପ୍ରବଳ ପ୍ରଚାର ଅଭିଯାନ ଚଳାଇବାରୁ ଜନ ମାନସରେ ଭକ୍ତିଭାବ ଦୂରେଇ ଯାଉଥିଲା । ତେଣୁ ତାଙ୍କର ପରବର୍ତ୍ତୀ କାଳରେ ନାଥଯୋଗୀମାନଙ୍କୁ ବ୍ରାହ୍ମଣମାନେ (ବିଷ୍ଣୁଭକ୍ତମାନେ) ଘୃଣା ଚକ୍ଷୁରେ ଦେଖି୯ ସେମାନଙ୍କ ବିରୋଧରେ ନାନା କୁତ୍ସାରଟନା କରିଥିଲେ । ସେତେବେଳେ ଧର୍ମ-ଧର୍ମ ଭିତରେ ନାନା ବାଦାନୁବାଦ ଓ ପରୀକ୍ଷା ନିରୀକ୍ଷା ଚାଲି ରାଜାନୁଗ୍ରହରେ କେଉଁ ଧର୍ମର ଉତ୍କର୍ଷ ଘଟୁଥିଲା ତ କାହାର ଅପକର୍ଷ ଘଟି ସେମାନେ ସମସ୍ତେ ରାଜ୍ୟରୁ ନିର୍ବାସିତ ହେଉଥିଲେ ବା କେତେ ରାଜଦଣ୍ଡରେ ମୃତ୍ୟୁବରଣ କରୁଥିଲେ ।

ନାଥ ଯୋଗୀମାନେ କହନ୍ତି- ଆତ୍ମାର ଚରମ ଲକ୍ଷ୍ୟ ହେଉଛି ଅଦ୍ୱିତୀୟ ଭାବ ପ୍ରାପ୍ତି । ସେଥିପାଇଁ ସଦ୍‌ଗୁରୁଙ୍କ କୃପାରୁ ଚିତ୍ତବିଶ୍ରାନ୍ତି ଭାବ ଲାଭ କରିବା ଏକାନ୍ତ ପ୍ରୟୋଜନ । ସଂସାରୀମାନଙ୍କ ଚିତ୍ତ ଚଞ୍ଚଳ ରହେ, କିନ୍ତୁ ଚିତ୍ତକୁ ନିଶ୍ଚଳ କଲେ ସାଧନ ପଥ ଉଦୟ ହୁଏ । ତେଣୁ ଚିତ୍ତକୁ ସ୍ଥିର ରଖିବା ଉଚିତ୍ । ତା’ ନ ହେଲେ ଯୋଗ ସାଧନରେ ସମର୍ଥ ହୋଇପାରିବ ନାହିଁ । ଯେ ପର୍ଯ୍ୟନ୍ତ ଚିତ୍ତ ଦେହାନ୍ତବୋଧମୂଳକ କ୍ଷୋଭରୁ ମୁକ୍ତ ନହୋଇଛି, ସେ ପର୍ଯ୍ୟନ୍ତ ଯଥାର୍ଥ ସାଧନା ସମ୍ଭବପର ନୁହେଁ । ଚିତ୍ତବିଶ୍ରାନ୍ତିରେ ସ୍ୱାଭାବତଃ ଭଗବଦାନନ୍ଦ ଓ ଅନନ୍ତ ଜ୍ୟୋତିଃର ଆବିର୍ଭାବ ହୋଇଥାଏ । ଏହି ଏକାଗ୍ରତା ଭାବ ପ୍ରକାଶରେ ଭିନ୍ନାଭିନ୍ନ ଭାବ ନିବୃତ୍ତ ହୋଇଯଆଏ । ଏହାପରେ ଚିତ୍‌ଶକ୍ତିର ପ୍ରକାଶ ହୁଏ ଓ ଯୋଗୀ ନିଜ ଦେହରେ ପୂର୍ଣ୍ଣଜ୍ଞାନ ପ୍ରାପ୍ତ ହୋଇଥାଏ । ଏହା ଫଳରେ ଦେଇ ସିଦ୍ଧି ଅଥବା ପିଣ୍ଡ ସିଦ୍ଧି ହୁଏ । ଏହାକୁ ଅମରତ୍ୱ କୁହାଯାଏ ଏବଂ ଏହି ସମୟରେ ଦେହ ଉପରେ କାଳର କୌଣସି ପ୍ରଭାବ ପଡ଼େ ନାହିଁ । ପିଣ୍ଡିସିଦ୍ଧି ଅଥବା ଜୀବନ୍ମୁକ୍ତି ପରେ ଓଁକାର ସାଧନା ଦ୍ୱାରା ପରାମୁକ୍ତିର ପରିପ୍ରକାଶ ଘଟେ । ନାଥ ସମ୍ପ୍ରଦାୟର ଯୋଗରେ ପଞ୍ଚମହାଭୂତ ତତ୍ତ୍ୱ, ପଚିଶ ପ୍ରକୃତି, ନବଚକ୍ର, ଷୋଡ଼ଶାଧାର, ତିନିଲକ୍ଷ୍ୟ, ପାଞ୍ଚ ଆକାଶ ଏହି ସବୁ ବିବରଣ ରହିଛି । ଏସବୁ ନ ଜାଣିଲେ ଯୋଗମାର୍ଗରେ ସିଦ୍ଧିଲାଭ ହୁଏ ନାହିଁ । ଉକ୍ତମତ ଆଗମ (ତନ୍ତ୍ର) ସମ୍ମତ ହୋଇଥିବାରୁ ବୋଧହୁଏ ମତ୍ସ୍ୟେନ୍ଦ୍ରାନାଥ ଓ ଗୋରେଖନାଥଙ୍କ ବହୁବର୍ଷ ପରେ ତାଙ୍କର ଶିଷ୍ୟ ପରମ୍ପରା କ୍ରମେ ତନ୍ତ୍ରବାଦୀ ନାଥ ସିଦ୍ଧ କାହ୍ନୁପା, ହାଡ଼ିପା, ବିରୂପା. ତନ୍ତୀପା, ଚୌରଙ୍ଗୀ, ଲୁଇ ପ୍ରଭୃତି ତାନ୍ତ୍ରିକ ନାଥଯୋଗୀମାନେ ସେମାନଙ୍କର ମତବାଦ ନାଥ ଯୋଗରେ ସଂଯୋଗ କରିଛନ୍ତି । ୭ମ-୮ମ ଶତାବ୍ଦୀରେ ବୌଦ୍ଧଧର୍ମର ୮୪ ସିଦ୍ଧଙ୍କ ନାମ ତାଲିକାରେ ଏହା ନିଦର୍ଶନ ମିଳିଥାଏ । ପୁନଶ୍ଚ ହଠ୍‌ପ୍ରଦୀପିକା ଗ୍ରନ୍ଥରେ ଉଲ୍ଲେଖ ଥିବା ଆଦି ନାଥ, ମତ୍ସ୍ୟେନ୍ଦ୍ର, ଗୋରେଖ, ଶାବକାନନ୍ଦ, ଭୈରବା, ଚୌରଙ୍ଗୀ, ମୀନ, ବିରୂପାକ୍ଷ, ବିଳେଶୟ, ସନ୍ଥକ, ଭୈରବ, ସିଦ୍ଧବୁଦ୍ଧ, କନ୍ଥଡ଼, କୋରଣ୍ଡକ, ସୁରାନନ୍ଦ, ସିଦ୍ଧପାଦ, ଚର୍ପଟୀ, କଣେରୁ, ଗୁହ୍ୟପାଦ, ନିତ୍ୟନାଥ, ନିରଞ୍ଜନ, କପାଳି, ବିନ୍ଦୁନାଥ, କାକଚଣ୍ଜ, ରୋମୟ, ଆମଠ, ପ୍ରଭୁଦେବ, ଘୋଡ଼ାଚୁଳି, ଟିଟିଣୀ, ଭାଲୁକୀ, ନାଗବୋଧ ଖଣ୍ଡକାପାଳି ଆଦି ହଠଯୋଗ ସିଦ୍ଧ ମହାତ୍ମାମାନଙ୍କ ମଧ୍ୟରୁ ଅଧିକାଂଶ ନାମ ୮୪ ସିଦ୍ଧଙ୍କ ନାମ ତାଲିକାରେ ଦେଖିବାକୁ ମିଳେ । ଏଥିରୁ ମନେହୁଏ ସତେ ଯେପରି ନାଥଧର୍ମର ଯୋଗସିଦ୍ଧ ମହାପୁରୁଷମାନେ ଜୈନ ଓ ବୌଦ୍ଧଧର୍ମର ଜଣେ ଜଣେ ସିଦ୍ଧ ପୁରୁଷ ଥିଲେ । ନାଥ, ଜୈନ ଓ ବୌଦ୍ଧ ଧର୍ମ ଏପରି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହୋଇଅଛି ଯେ ଗୋଟିକରୁ ଅନ୍ୟଟିକୁ ସମ୍ପୂର୍ଣ୍ଣ ରୂପେ ଅଲଗା କରାଯାଇ ପାରିବ ନାହିଁ । ଏଣୁ ଏ ସମ୍ପର୍କରେ ଗବେଷକମାନଙ୍କ ମଧ୍ୟରେ ନାନା ମତ ପାର୍ଥକ୍ୟ ରହିବା ସ୍ୱାଭାବିକ । ଜୈନଧର୍ମର ୨୪ ତୀର୍ଥଙ୍କରଙ୍କ ନାମରେ ନାଥ ଶବ୍ଦର ବ୍ୟବହାର ଓ ବୌଦ୍ଧଧର୍ମର ୮୪ ସିଦ୍ଧଙ୍କ ମଧ୍ୟରେ ଅଧିକାଂଶ ନାଥପନ୍ଥୀ ଆଚାର୍ଯ୍ୟଙ୍କ ନାମୋଲ୍ଲେଖ ଅଦ୍ୟାବଧି ପ୍ରକୃତ ସତ୍ୟ ଉଦ୍ଘାଟନ ଦିଗରେ ଏକ ବିରାଟ ସନ୍ଦେହାତ୍ମକ ଅବସ୍ଥା ସୃଷ୍ଟି କରିବାରେ ସହାୟକ ହୋଇ ଆସିଅଛି ।

ତା’ପରେ

ଲୋକପ୍ରିୟ ଲେଖା

To Top