କବିତା

ଯବନିକା

Ramakanta Mishra's odia poem Jabanika

ଚାଲ ଚାଲିଯିବା ଅତି ପିଲା ଦିନକୁ
ଯେବେଠାରୁ ହେତୁ ଅଛି
ଆମେ କ’ଣ ଭାବୁଥିଲୁ
ଆମେ କ’ଣ ଜାଣୁଥିଲୁ
କ’ଣ କରୁଛୁ ବୋଲି ?

ଯବନିକା

ବିତି ଯାଇଥିବା ଦିନ ଗୁଡିକ
ଭଲ ଥିଲା କି ଖରାପ ଥିଲା
ସେ କଥା ଆଜି ଭାବିବାର
କୌଣସି ଆବଶ୍ୟକତା ନାହିଁ
ଭାବିଲେ ସେଥିରୁ କ’ଣ ମିଳିବ ?

ଜୀବନ ବଡ଼ ବିସ୍ତୀର୍ଣ୍ଣ
ଅତୀତକୁ ଭୋଗୀ ସାରିଛୁ
ବର୍ତ୍ତମାନକୁ ଭୋଗୁଛୁ
ଏହାରି ମଧ୍ୟରେ ଭବିଷ୍ୟତର
ଇଙ୍ଗିତ ମଧ୍ୟ ଅନ୍ତର୍ନିହିତ ।

ଚାଲ ଚାଲିଯିବା ଅତି ପିଲା ଦିନକୁ
ଯେବେଠାରୁ ହେତୁ ଅଛି
ଆମେ କ’ଣ ଭାବୁଥିଲୁ
ଆମେ କ’ଣ ଜାଣୁଥିଲୁ
କ’ଣ କରୁଛୁ ବୋଲି ?

ପିଲାରୁ ନେଇ ଆଜି ପର୍ଯ୍ୟନ୍ତ
ଆମେ ନିଜେ କ’ଣ କରିଛୁ ବୋଲି
ମୋର କିଛି ମନେ ନାହିଁ
ଏବେ ଭାବିଲେ ମନେ ହୁଏ
ଆମେ ଏକ ଏକ କଣ୍ଢେଇ
ମୁଣ୍ଡ ଉପରେ ଅଦୃଶ୍ୟ ସୁତା ଟିଏ ଝୁଲୁଛି
ଆଉ ଗୋଟେ କେହି ଅଦେଖା ହାତ
ଆମକୁ ନଚାଉଛି ତା ଇଚ୍ଛା ମତେ
ଆମେ ସବୁ କ୍ରୀଡା ପୁତ୍ତଳିକା ।

ସତେତ !
ଏବେ ଭାବିଲେ ଲାଗେ ଆଶ୍ଚର୍ଯ୍ୟ
ଜୀବନରେ ଆମେ ଧରିଥିବା ବାଟ
ଜୀବନରେ ଆମେ ପଢିଥିବା ପାଠ
ଜୀବନରେ ଅର୍ଜି ଥିବା ଧନ
ଜୀବନରେ କରିଥିବା ପାପ ପୁଣ୍ୟ
ସବୁ ଯେମିତି କେଉଁ ଅଦୃଶ୍ୟ ହାତର
ଇଶାରାରେ ନାଚି ନାଚି ହୋଇଗଲା
ଆମେ ଖାଲି ରଙ୍ଗ ମାଖି ମୁହଁରେ
ଠିଆ ହେଲୁ ମଞ୍ଚ ଉପରେ
ସଂଳାପ ସବୁ ନିଜେ ନିଜେ ଚାଲିଲା
କେତେବେଳେ ସରିଗଲା ନାଟକ
ଏବେ ଭାବିଲେ ଆଶ୍ଚଯ୍ୟ ଲାଗୁଛି
ଏମିତିରେ ଦିନେ ଭବିଷ୍ୟତର
ଯବନିକା ମଧ୍ୟ ଟଣା ହୋଇଯିବ !

ଲୋକପ୍ରିୟ ଲେଖା

To Top