କବିତା

ପ୍ରହେଳିକା

Dr Mousumi Parida's Odia poem Prahelikaa

ଛଳନାର ଅଳନ୍ଧୁ ଭିତରେ
ଅପହୃତ ସତର କାନଭାସ୍
ଯେଉଁଥିରେ ରଙ୍ଗ ଭରେ
ସେ ନିଷ୍କପଟ ସରଳ ମଣିଷଟା!

ପ୍ରହେଳିକା

କୋଉଠୁ ଖୋଜିବି ସତଟିଏ !
ଯେବେ ଚାରିଆଡେ ମିଛର ସବୁଜ ଚାଦର,
ଅବିଶ୍ୱାସର କଳା ଆତଙ୍କ ।

ଛଳନାର ଅଳନ୍ଧୁ ଭିତରେ
ଅପହୃତ ସତର କାନଭାସ୍
ଯେଉଁଥିରେ ରଙ୍ଗ ଭରେ
ସେ ନିଷ୍କପଟ ସରଳ ମଣିଷଟା!

ତାର ଚିତ୍ର ସରିବା କ୍ଷଣି ବର୍ଷା ଆରମ୍ଭ ହୁଏ
ଋଙ୍ଗସବୁ ଉତୁରିଯାଏ ଓଦାଲୁଗା ଚିପୁଡିଲା ପରି !

କାନଭାସ୍‌ରେ ବିଧବା ନାରୀଟେ
ଛିଡାହୋଇଥାଏ ତା ଲଜ୍ଜାକୁ ଆବୋରି !
ଚାରିପଟୁ ଲୋଲୁପଦୃଷ୍ଟିର ଆକ୍ରମଣ!

ସେ ସୌନ୍ଦର୍ଯ୍ୟପିପାସୀମାନେ
ନିଜକୁ ଈଶ୍ୱର ବୋଲାନ୍ତି ।

ତାଙ୍କ ଭିତରେ ବସାବାନ୍ଧିଥିବା
ଯାବତୀୟ ଆସୁରିକ ପ୍ରବୃତିର
କୁଢକୁଢ ଆବର୍ଜନାରେ ମନ୍ଦିର ତୋଳନ୍ତି ।

ଜହ୍ନତାରାଙ୍କୁ ଅଗଣାରେ ଖେଳାଇ
ଈଶ୍ୱରଙ୍କ ଭାଗ୍ୟ ବି ନିଜହାତରେ ଲେଖନ୍ତି!

ନିରୀହତା ଯେଉଁଠି କ୍ରୁରତାରେ ଭିଜେ,
ବେଦମନ୍ତ୍ର, ମେଲୋଡି ହୋଇ
ପ୍ରକୃତିକୁ ତରଳ ଉତେଜନାରେ ବାନ୍ଧିଦିଏ!

ସେଠି ଗୁଡେମିଛ ସହ ଭାବ ବସାଇଥିବା ଲୋକେ
କହନ୍ତି- ହେତ୍..ସତ ଫତ ସବୁ ଫାଲ୍‌ତୁ,
ଯେ ଜିତିଲା ସେହିଁ ସମ୍ରାଟ୍ ।

ତାଙ୍କ ମଥାରେ ମୁକୁଟ ପିନ୍ଧାଅ ,ଅସ୍ତ୍ରରେ ସଜାଅ ତାଙ୍କୁ
ଆମକୁ ଛାଡି ଅନ୍ୟର ମୁଣ୍ଡ କାଟିବାକୁ!

ସେତେବେଳେ ପରାଜିତ ସୈନିକ ପରି
ଉଦାସ ଦିଶେ ସତ୍ୟ, ଖସିପଡେ ଗାଣ୍ଡିବ
ମ୍ୟୁଜିୟମ୍‌ର ପୁରୁଣା ଜିନିଷ ହୋଇ
ପଡିରହେ ନ୍ୟାୟର ସେ ଅମୋଘ ଅସ୍ତ୍ର !

ଲୋକପ୍ରିୟ ଲେଖା

To Top