ଗଳ୍ପ

ପଞ୍ଚାବନ ଟଙ୍କା ପଚାଶ ପଇସା

Paramita Mishra's odia story Panchhaban Tankaa Pachaash Paisaa

ଏଡେ ଇଏ ମଣିଷ ଟେ, ଏତେ ଦୁରକୁ ଜାଉଛି ମୋ ପିଲା ରହ ମୁଁ କେବେଠୁ କେତେ ପଇସା ରଖିଛି, କହି କାନି ମଙ୍ଗର ସାତ ସିନ୍ଦୁକରୁ ପର୍ସ ଖଣ୍ଡେ ବାହାର କଲା, କହିଲା ଏ ନେ କେଜାଣି କେତେ ଅଛି ସବୁତକ ରଖ

ପଞ୍ଚାବନ ଟଙ୍କା ପଚାଶ ପଇସା

ବହୁତ ଦୌଡାଦୌଡି କଲା ପରେ ବଡ କଷ୍ଟରେ ଏଥର ମୋର ସିଲେକ୍ସନ ହୋଇଗଲା । ମୋର ସବୁ ସାଙ୍ଗସାଥି ମାନେ ଚାକିରି ବାକିରି ପାଇଗଲେଣି ଆଉ କେତେ ବାହାସାହା ହୋଇ ଘର ସଂସାର ବି କଲେଣି । ଆଉ ମୁଁ ଏବେ ଯାଏଁ ବାପା ପଇସାକୁ ହାତ ପତେଇ ବସିଥିଲି । ଖୁସିଠୁ ବେଶି ଶାନ୍ତି ଲାଗୁଥିଲା । ବାପା ନକହିଲେ ବି ବୋଧେ ମନରେ ଖୁସି ଥିବେ । ରାସ୍ତାରେ ତ କେହି ନା କେହି କଟା ଘା’ରେ ଚୁନା ମାରିଲା ପରି ତାଙ୍କୁ ପଚାରି ଦେଉଥିଲେ “କ’ଣ ମିଶ୍ର ବାବୁ ପୁଅ କୋଉଥିରେ ଲାଗିଲାଣି?” କୋଉ ବାପାକୁ ଭଲ ଲାଗିବ ଯେ ତାର ଯବାନ ପୁଅ ପଢା ସାରି ଘରେ ବସିବ । ଭଉଣି ବି ବହୁତ ଖୁସିରେ ସାହି ସାରା ଫୁଲେଇ ହୋଇ ବୁଲୁଛି । ରାକ୍ଷୀ ପୂର୍ଣମୀରେ କେବେ ଢଙ୍ଗର ଉପହାରଟିଏ ଦେଇନି । ସେ ଭାବୁଥିବ ଚାକିରିଟେ କଲେ ଭାଇ ନିଶ୍ଚୟ କିଛି ଭଲ ଉପହାର ଦେବ । ଦୁଇ ଦିନ ପରେ ଟ୍ରେନ, ଗାଁରୁ କିନ୍ତୁ ସକାଳୁ ଜିବାକୁ ହେବ । ସଂଧ୍ୟାରେ ଟ୍ରେନ ଧରିବି । ମୋ ସାଙ୍ଗରେ ଆଉ ଗୋଟେ ସାଙ୍ଗ ବି ଅଛି ।

ମୁଁ ମୋ କାମରେ ବ୍ୟସ୍ତ ହୋଇଗଲି ଯେ ମାଁ ଆଡେ ମୋର ନଜର ଜାଇ ନଥିଲା । ଘରେ ତ ସମସ୍ତେ ଏତେ ଖୁସି ଥିଲେ ହେଲେ ମାଁ ମୁହଁ ପୁରା ଶୁଖିଲା ଦେଖାଯାଉଥିଲା । ମୁଁ ପଚାରୁ ପଚାରୁ ତା ଆଖିରୁ ଦୁଇଧାର ଲୁହ ସାଙ୍ଗେସାଙ୍ଘ ଗଡିଗଲା, ଲୁହ ପୋଛି କହିଲା ନାରେ ବଢ ଖୁସି ମୁଁ । ଏ ତ ଖୁସିର ଲୁହ । ଆଉ ମୋ ପୁଅକୁ କିଏ ଟାହିଟାପରା କରିବେନି । କେହି ବେକାର ବୋଲି କହିବେନି । କାନିରେ ମୋ ମୁହଁ ପୋଛି ଗେଲ ଟିକେ କରିଦେଲା କହିଲା ଧନରେ, ହେଲେ ତୁ ଆଉ କଣ ମାଁ କୋଳକୁ ଫେରିବୁ ?

ମୁଁ ଆଉ କିଛି କହିପାରିଲିନି । କଣ୍ଠ ଓଦା ହୋଇ ଆସୁଥିଲା । କିନ୍ତୁ ମୁଁ ପୁଅ ପିଲା ନା ତେଣୁ ମାଁ ଆଗରେ କାନ୍ଦି ପାରିଲିନି ।

ଏ ଦୁଇ ଦିନ ଘରେ କାହାକୁ ନିଦ ନାହିଁ । ବାପା ଟିକେ ଶକ୍ତ ସ୍ୱଭାବର, ସହଜରେ ଭାବ ପ୍ରକାଶ କରନ୍ତିନି । କିନ୍ତୁ ରାଥିରେ ଯାଇ ତିନି ଚାରି ହଳ ଡ୍ରେସ ଆଣି ମୋ ଖଟ ଉପରେ ରଖି ଦେଇ ଯାଇଥିଲେ । ଆଉ ତା ପାଖରେ ପାଞ୍ଚ ହଜାର ଟଙ୍କା ବି ଥିଲା । ମାଁ ରାତିରେ ନଶୋଇ କେତେ କଣ ସବୁ ବନେଇ ପକେଇଲେ । କହିଲେ ଏତେ ଦୁର ଯିବୁ କୋଉଠି କଣ ଖାଇବୁ, ଏସବୁ ଲୁଚେଇକି ଆଟାଚିରେ ରଖିଦେ, ଭୋକ ଖଲେ ଖାଇବୁ । ଯିବା ଆଗ ଦିନ ରାତିରେ ସମସ୍ତେ ଶୋଇବା ପରେ ମାଁ ମୋ ପାଖକୁ ଆସିଲା । ମୁଁ ଜିନିଷ ସଜାଡୁ ଥିଲି । ମତେ ବସେଇ ଦେଇ ସବୁ ଜିନିଷ ସଜାଡି ରଖିଲା । ଆଉ ମନର ଦୁଃଖକୁ ନ ଦେଖେଇବା ଛଳରେ ଦୁନିଇ ଯାକ କଥା କହିଯାଉଥିଲା । “ତୁ ତ ଭୋକ କାଙ୍କୁଳିଆଟା ସେ ଖାଇବା ସବୁ ବାଣ୍ଟି ଦେବୁନି, ରଖିଥିବୁ, ସବୁଦିନ ଗାଧେଇବୁ, ପ୍ୟାଣ୍ଟସାର୍ଟ ଧୋଉଥିବୁ, ଦାଢି ନିଶ ସବୁ ବୁଧ ବାର ଦିନ ହିଁ କାଟୁଥିବୁ”ଏମିତି କେତେ କଣ । ମୁଁ ତାକୁ ଆଶ୍ୱାସନା ଦେଇ ହଁ କହିଲି । ଶେଷକୁ ପଚାରିଲା ଧନ ପଇସା ପତ୍ର କଣ ବାପା ଦେଲେ କି ? ମୁଁ ହଁ କହିଲି ହେଲେ ତା ମନ ମାନିଲାନି କହିଲା ମୁଁ ଜାଣିଛି ପରା “ଏଡେ ଇଏ ମଣିଷ ଟେ, ଏତେ ଦୁରକୁ ଜାଉଛି ମୋ ପିଲା ରହ ମୁଁ କେବେଠୁ କେତେ ପଇସା ରଖିଛି, କହି କାନି ମଙ୍ଗର ସାତ ସିନ୍ଦୁକରୁ ପର୍ସ ଖଣ୍ଡେ ବାହାର କଲା, କହିଲା ଏ ନେ କେଜାଣି କେତେ ଅଛି ସବୁ ତକ ରଖ” । ରାତିରେ ତାରି କୋଳରେ କେତେବେଳେ ଶୋଇଗଲି ।

ସକାଳୁ ମୁଁ ବାହାରି ଆସିଗଲି । ମାଁ ଦେଇଥିବା ପର୍ସଟିକୁ ମୁଁ ଜଲଦି ଜଲଦିରେ ହାତ ବ୍ୟାଗରେ ପକେଇ ଦେଇଥିଲି । ସଂଧ୍ୟାରେ ଟ୍ରେନ ଧରିଲି । ଟ୍ରେନରେ କିଛି କିଣିଲା ପରେ ପଇସା ଦେଲା ବେଳକୁ ମୋ ହାତ ବ୍ୟାଗରୁ ଟଙ୍କା ବାହାର କଲାବେଳେ ମୋ ହାତ ସେ ପର୍ସରେ ବାଜିଲା । ଝଣଝଣ ଶବଦ ଶୁଣି ତାକୁ ବାହାରକୁ କାଢିଲି, ପର୍ସଟିକୁ ଖୋଲି ଦେଖେତ ମୋ ଆଖିରୁ କେମିତି କେଜାଣି ଦୁଇ ଟୋପା ଲୁହ ଗଡିଆସିଲା।

ବାପା ହିସାବରେ ପୁରା ପକ୍କା, ଟଙ୍କେ ଟଙ୍କେର ହିସାବ ରଖନ୍ତି । ହେଲେ ପ୍ୟାଣ୍ଟସାର୍ଟ ଧୋଇଲା ବେଳେ କେବେ କେମିତି ଟଙ୍କା ଦୁଇ ଟଙ୍କା ରହିଯାଇଥିବ, ତାକୁ ମାଁ ଏତେ ବର୍ଷ ହେଲା ସାଇତି ଆସିଛି,ଏ ପର୍ସରେ କେତେ ଟଙ୍କା ଥିବ ଆପଣ ଅନୁମାନ କରିପାରୁଥିବେ, ସବୁ ଗେଣ୍ଡୁ ପଇସା ଆଉ କିଛି ନୋଟ ସବୁ ମିଶାଇ ପଞ୍ଚାବନ ଟଙ୍କା ପଛାଶ ପଇସା ।

ଜାଣିଛି ଏତିକି ଟଙ୍କା ମାଁ ନଦେଇଥିଲେ ବି ମୋର କିଛି ଫରକ ପଡାନଥାନ୍ତା, କିନ୍ତୁ ମୋ ପାଇଁ ଅମୁଲ୍ୟ ସଂପଦ,ତେଣୁ ମୁ ତାକୁ ଖର୍ଚ୍ଚ କରି ପାରିଲିନି । ଏବେ ବହୁତ ବର୍ଷ ହୋଇ ଗଲାଣି, ମାଁ ଆଉ ନାହିଁ, ସେ କହିଲା ପରି ମୁଁ ବି ଆଉ ତା କୋଳକୁ ଫେରି ପାରିଲିନି, କିନ୍ତୁ ଆଜିବି ସେ ପଞ୍ଚାବନ ଟଙ୍କା ପଚାଷ ପଇସା ମୋ ପାଖରେ ଅଛି ଆଉ ତାକୁ ହାତରେ ଧରିଲେ ମତେ ମାଁ ପାଖରେ ଥିଲା ପରି ଲାଗୁଛି।

ଲୋକପ୍ରିୟ ଲେଖା

To Top