ଅନୁଭୂତି

ଉଦ୍ଘାଟନ

Dr Sharat Chandra Parida

ପ୍ରାୟ ତିନିଶହ ମିଟର ଲମ୍ୱ ଓ ଦୁଇଶହ ମିଟର ଚଉଡ଼ାର ଏକ ବିରାଟ ମଣ୍ଡପ ତିଆରି ଚାଲିଥାଏ । ରଙ୍ଗ ମଞ୍ଚ ମଧ୍ୟ ଅନୁରୂପ ଭାବେ ବିଶାଳ । ଶହେରୁ ଅଧିକ ଅତିଥି ଏକାବେଳକେ ମଞ୍ଚ ଉପରେ ବସି ପାରିବେ ।

ଉଦ୍ଘାଟନ

ଇଟ୍ ଇଜ୍ ଏ ୟଙ୍ଗମ୍ୟାନ୍ସ୍ ଜୋକ୍ । ଡୋଣ୍ଟ୍ ମାଇଣ୍ଡ । ଶ୍ରୀ ବିଜୟାନନ୍ଦ ପଟ୍ଟନାୟକଙ୍କ ଠାରୁ ଏହା ଶୁଣି ସସ୍ତବ୍ଦ ହୋଇ ଯାଇଥିଲେ ଉଦ୍‌ବିଗ୍ନ ଦର୍ଶକମଣ୍ଡଳୀ । ସେଦିନର ଦୃଶ୍ୟ ଆଜି ବି ମନ ମଞ୍ଚରେ ନାଚି ଉଠେ । ଆଜକୁ ପ୍ରାୟ ତିରିଶ ବର୍ଷ ତଳର କଥା । ମୁଁ ରେଭେନ୍ସା କଲେଜର ଛାତ୍ର । ସ୍ନାତକ ଶ୍ରେଣୀରେ ପଢୁଥିଲି । ସେତେବେଳକୁ କଲେଜରେ ତିନି ବର୍ଷ ଖଣ୍ଡେ ବିତି ଗଲାଣି । ସିନିୟର୍, ଜୁନିୟର୍, ସହପାଠୀ ଅଧ୍ୟାପକ ଶତାଧିକ ହେଲେ ମଧ୍ୟ କଲେଜ ବାତାବରଣ ଭିତରେ ଏକ ଚିହ୍ନା ଚିହ୍ନା ଅତ୍ମୀୟତାଭରା ସମ୍ପର୍କ । ଭାରି ଭଲ ଲାଗୁଥାଏ । ପାଠ ପଢ଼ା ମଧ୍ୟ ରୀତି ମୁତାବକ୍ ଚାଲିଥାଏ । ମୋର ସୌଭାଗ୍ୟ ଯେ ଆମ ସମୟରେ ହିଁ କଲେଜକୁ ଶହେ ବର୍ଷ ପୁରିଥିଲା । ତାର ସ୍ମୃତି ଉଦ୍ଦେଶ୍ୟରେ ଡାକ ଟିକଟ୍ ଓ ଡାକ ଲଫାପା ଛପା ଯାଇଥିଲା । ସେ ଡାକ ଲଫାପା ଦେଖିବାକୁ ଭାରି ମନଲୋଭା ହୋଇଥିଲା । ସବୁଜ ରଙ୍ଗର ସେହି ଲଫାପାଟିକୁ ବଡ଼ ଆଦରରେ ବହୁତ କାଳ ସାଇତି ରଖିଥିଲି ।

ମୋତେ ସେହି କଲେଜ ଲାଗେ ସତେ ଯେପରି ଏକ ମହୁଫେଣା । କେଉଁ ଶତାଧିକ ବର୍ଷ ତଳର ଜ୍ଞାନ ସେଠାରେ ସଞ୍ଚିତ ହୋଇ ରହିଚି । ମାଛି ରୂପ ଧାରଣ କରି ବିଦ୍ୟାର୍ଥୀମାନେ ତାହା ସେବନ କରିବାରେ ବ୍ୟସ୍ତ । ସାରା ଦେଶରେ ରେଭେନ୍ସା କଲେଜର ଯଥେଷ୍ଟ ସୁନାମ ରହିଚି । ଯିଏ ଥରେ ଏଠାରେ ପଢ଼ିବାକୁ ସୁଯୋଗ ପାଏ ନିଜକୁ ବଡ଼ ଭାଗ୍ୟବାନ୍ ବୋଲି ମନେ କରେ । କାହିଁ ବିହାର, ଆନ୍ଧ୍ର, ପଞ୍ଜାବ, ମଧ୍ୟପ୍ରଦେଶରୁ ପିଲାମାନେ ଆସି ଏଠାରେ ପଢ଼ିବାକୁ ମନ ବଳାଇ ଥାନ୍ତି । ବାସ୍ତବରେ ଏହା ବାଣୀର ସାଧନା କ୍ଷେତ୍ର ।

କାହିଁ କେଉଁ ବ୍ରିଟିଶ୍ ଅମଳରୁ କେଉଁ ସାହେବଙ୍କ ଇଙ୍ଗିତରେ ଏହାର ଦେହରେ ଢାଉଆ ରଙ୍ଗ ଦିଆ ଯାଇଥିଲା । ସଂସାର ଭାବନା ତ୍ୟାଗ କରି ଗୈରିକ ବସ୍ତ୍ର ଧାରଣ କରି ଜ୍ଞାନ ଅନ୍ୱେଷଣ କରୁଥିବା ସନ୍ନ୍ୟାସୀଙ୍କ ପରି ଏହା କଟକ ନଗରର ହୃଦ ଦେଶରେ ଠିଆ ହୋଇଚି । ପୂର୍ବରେ ରେଳ ଷ୍ଟେସନ । ପଶ୍ଚିମରେ ତାଳଦଣ୍ଡା କେନାଲ । ଉତ୍ତରରେ ସୁବାସଙ୍କ ଘୋଡ଼ାଚଢ଼ା ମୂର୍ତ୍ତି । ଉତ୍ତର ପଶ୍ଚିମରେ ଲୋକ ପ୍ରସିଦ୍ଧ କଲେଜ ଛକ । ସମଗ୍ର ଉତ୍ତର ଅଞ୍ଚଳରେ ସୁଦୃଶ୍ୟ ସୌଖୀନ ଦ୍ରବ୍ୟର ବିପଣୀମାଳା ଦକ୍ଷିଣରେ ଓଡ଼ିଶା ପ୍ରସିଦ୍ଧ ମାଲଗୋଦାମ ସହିତ ପରିବା ବ୍ୟବସାୟିକ କେନ୍ଦ୍ର ଛତର ବଜାର । ରାତି ଦଶରୁ ସକାଳ ଚାରି ପର୍ଯ୍ୟନ୍ତ ଶାନ୍ତ ଥିଲେ ମଧ୍ୟ ଅନ୍ୟସବୁ ସମୟରେ ଏହାର ଚାରିପଟେ ଗହଳି ଚହଳି । ଶିକ୍ଷାର ଆଦାନ ପ୍ରଦାନରେ କଲେଜର ଅନ୍ତଃସ୍ଥଳ ବେଶ୍ ଚଳଚଞ୍ଚଳ । ଜ୍ଞାନମୁଖର ।

ଆମେ କଲେଜରେ ପଢ଼ିଲାବେଳେ ଅନ୍ୟ ଗୋଟିଏ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଥିଲା । ପାଞ୍ଚ ହଜାର ଦର୍ଶକ ବସିଲା ଭଳି ଏକ ପ୍ରେକ୍ଷାଳୟ କଲେଜରେ ନଥିଲା । କଲେଜ କର୍ତ୍ତୃପକ୍ଷଙ୍କ ତତ୍ପରତା ଓ ସରକାରଙ୍କ ଅନୁଦାନ ଯୋଗୁ ଏଭଳି ଏକ ପ୍ରେକ୍ଷାଳୟର ନିର୍ମାଣ ସମ୍ଭବ ହୋଇପାରିଥିଲା । କଲେଜର କନିକା ଲାଇବ୍ରେରୀର ପୂର୍ବ ପଟେ ଏକ ସ୍ଥାନ ନିରୂପିତ ହୋଇଥିଲା । ଏହି ସ୍ଥାନର ଦୁଇ ପାର୍ଶ୍ୱରେ ବିଜ୍ଞାନ ବିଭାଗର ପ୍ରାସାଦ, ପୂର୍ବପଟେ ପାଦଚଲା ରାସ୍ତା, ରାସ୍ତା ଉପରେ ଥିଲା ଛାତ । ତେଣୁ ଠିକ୍ ୟୁ ଆକାରର ହୋଇ ସ୍ଥାନଟି ନିରାପଦ ଥିଲା । ପଶ୍ଚିମ ପଟେ ଦୂରରେ ପାଠାଗାର । ନିର୍ମାଣ ଆରମ୍ଭ ବେଳୁ ଆମେ ଦେଖି ଆସୁଥାଉ । ପ୍ରାୟ ତିନିଶହ ମିଟର ଲମ୍ୱ ଓ ଦୁଇଶହ ମିଟର ଚଉଡ଼ାର ଏକ ବିରାଟ ମଣ୍ଡପ ତିଆରି ଚାଲିଥାଏ । ରଙ୍ଗ ମଞ୍ଚ ମଧ୍ୟ ଅନୁରୂପ ଭାବେ ବିଶାଳ । ଶହେରୁ ଅଧିକ ଅତିଥି ଏକାବେଳକେ ମଞ୍ଚ ଉପରେ ବସି ପାରିବେ ।

ଏହି ଓପେନ୍ ଏୟାର୍ ଅଡ଼ିଟୋରିୟମ୍‌ର ମଝିରେ ମଝିରେ ଜି.ଆଇ. ପାଇପ୍ର ଖୁଣ୍ଟି ଓ ଉପରେ ଛାତର ଛାଞ୍ଚ ତିଆରି ହୋଇଥାଏ । ନିର୍ମାଣ କାର୍ଯ୍ୟ ସରିଲା ପରେ ଉଦ୍ଘାଟନର ଶୁଭ ମହୁରତ ଆସି ପହଞ୍ଚିଲା । ଆର୍ଟସ ବ୍ଲକ୍‌ରୁ କମର୍ସ ବ୍ଲକ୍‌କୁ ଇଂରାଜୀ କ୍ଲାସ୍ କରିବାକୁ ଗଲା ଆସିଲା ବେଳେ ସଭା ପାଇଁ ଆୟୋଜନ ହେବାର ଦେଖିବାକୁ ପାଉଥାଉ । ଆଉ ବୁଝିବାକୁ ବାକି ରହିଲା ନାଇଁ ଯେ ଆଉ ଦିନ କେଇଟା ମଧ୍ୟରେ ଶହେ ବର୍ଷ ଅପେକ୍ଷା କରିବା ପରେ ଏହି କଲେଜରେ ଏକ ବିଶାଳ ସମାରୋହ ଅନୁଷ୍ଠିତ ହେବାକୁ ଯାଉଚି । ବହୁ ପ୍ରତୀକ୍ଷିତ ଅଡ଼ିଟୋରିୟମ୍‌ର ଉଦ୍ଘାଟନ ହେବ । ଏହି ବିଶାଳ ସମାବେଶକୁ କୋଉ ଯୋଗ୍ୟତମ ସନ୍ତାନ ମୁଖ୍ୟ ଅତିଥି ଆସୁଛନ୍ତି ଜାଣିବାକୁ ମନରେ ପ୍ରବଳ ଉତ୍କଣ୍ଠା ଜାତ ହେଉଥାଏ । ଆମେ ସାଧାରଣ ଛାତ୍ର ଥିବାରୁ ଠିକ୍ ଖବର ପାଇବା ବେଳକୁ ଅନେକ ଉଡ଼ା ଖବର ଏହା ମଧ୍ୟରେ ଉଡ଼ି ଯାଇଥାଏ । ଯେତେବେଳେ ଜାଣିଲୁ କେନ୍ଦ୍ର ପ୍ରସାରଣମନ୍ତ୍ରୀ ବରେଣ୍ୟ ବ୍ରିଜ୍ଲାଲ ବର୍ମାଙ୍କ ସହିତ କେନ୍ଦ୍ରର ଇସ୍ପାତ ଓ ଖଣିମନ୍ତ୍ରୀ ଓଡ଼ିଶାର ବରପୁତ୍ର ଶ୍ରୀଯୁକ୍ତ ବିଜୟାନନ୍ଦ ପଟ୍ଟନାୟକ ମୁଖ୍ୟ ଅତିଥି ହୋଇ ଆସୁଛନ୍ତି ଛାତ୍ର ଓ ଅଧ୍ୟାପକଙ୍କ ମହଲରେ ଆନନ୍ଦର ଏକ ଶିହରଣ ଖେଳି ଯାଇଥିଲା । ସେ ଥିଲେ ଓଡ଼ିଶାର ଜନପ୍ରିୟ ରାଜନେତା । ଆଧୁନିକ ଓଡ଼ିଶା ନିର୍ମାଣରେ ତାଙ୍କର ଭୂମିକା ଓ ଅବଦାନ ଅତୁଳନୀୟ । ତାଙ୍କୁ ମୁଁ ଭଲ କରି ଦେଖି ନଥିଲି । କିନ୍ତୁ ପିଲାବେଳୁ ବାପାଙ୍କ ଠାରୁ ତାଙ୍କ କଥା ବହୁତ ଶୁଣିଥିଲି । ତାଙ୍କୁ ଖୁବ୍ ପାଖରୁ ଦେଖିବାରୁ ସୁଯୋଗ ମିଳିବ ଓ ଶ୍ରୀମୁଖରୁ ଭାଷଣ ଶୁଣିବାକୁ ପାଇବୁ- ଏଇ ଖୁସିରେ କଲେଜର ବିଦ୍ୟାର୍ଥୀ ଓ ଅଧ୍ୟାପକମାନେ ଅପୂର୍ବ ହର୍ଷୋଲ୍ଲାସରେ ଫାଟି ପଡୁଥିଲେ । ଦୀର୍ଘ ପାଞ୍ଚଦିନ ଧରି ପ୍ରେକ୍ଷାଳୟ ମଞ୍ଚ ସ୍ଥଳ ଖୁବ୍ ଜାକ ଜମକରେ ସଜାସଜି ହେଉଥାଏ ଯୋଗ୍ୟ ସନ୍ତାନଙ୍କୁ ସମ୍ୱର୍ଦ୍ଧନା ଜଣାଇବା ପାଇଁ । ବହୁ ଅପେକ୍ଷିତ ସେହି ଦିନଟି ଆସିଲା । ସେଦିନ ଗୋଟିଏ ଓଳି ପାଠପଢ଼ା ବନ୍ଦ ହୋଇ ଓପର ଓଳା ଫଙ୍କସନ୍ ପାଇଁ ଶ୍ରେଣୀ ସବୁକୁ ବାତିଲ କରି ଦିଆଯାଇଥିଲା । ଆମେ ସବୁ ମଞ୍ଚ ପାଖାପାଖି ବସିବୁ ବୋଲି ସାଙ୍ଗସାଥୀ ହୋଇ ବେଳସୁଁ ସଭାସ୍ଥଳରେ ହାଜର ହୋଇଗଲୁ । ଆମ ଭଳି ଅନ୍ୟମାନେ ମଧ୍ୟ ନିଜ ନିଜର ନିତ୍ୟକର୍ମ ସାରି କିଏ ମୁଲତବି ରଖି ନଈବଢ଼ିର ସୁଅପରି ମାଡ଼ି ଚାଲିଲେ ଅଡ଼ିଟୋରିୟମ୍‌କୁ । ଖାଲି ଅଧ୍ୟାପକ ଛାତ୍ର ନୁହେଁ କର୍ମଚାରୀମାନେ ମଧ୍ୟ ଅଳ୍ପ କେଇଟା ମୁହୂର୍ତ୍ତ ମଧ୍ୟରେ ଚୁଣ୍ଟି ହୋଇଗଲେ । ସୁରକ୍ଷାବଳ ମାଳମାଳ ଚାରିଆଡ଼େ ଛାଉଁଣି ହୋଇ ରହିଥାନ୍ତି । ତଳେ ଅରୁଣିମା ରଙ୍ଗର କାର୍ପେଟ୍ । ତା’ ଉପରେ ଚେୟାର । ମାଛି ପଡ଼ିଲେ ନବଖଣ୍ଡ । ଆଖି ଖାଲି ଦେଖୁଥାଏ ମୁଣ୍ଡମାଳ । ଥାଳି ମାରିଦେଲେ ଥାଳି ଚାଲିଯିବ । ଉତ୍ସବ ମୁଖର ପରିବେଶ ପୁରାପୁରି ଶାନ୍ତି । ସମସ୍ତେ ଅପେକ୍ଷା କରିଥାନ୍ତି ସେହି ଶୁଭ ମହୁରତକୁ । କେତେବେଳେ ମାନ୍ୟବର ଶ୍ରୀଯୁକ୍ତ ବ୍ରିଜ୍ଲାଲ ବର୍ମା ଓ ମାନ୍ୟବର ଶ୍ରୀଯୁକ୍ତ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକ ବରେଣ୍ୟ କେନ୍ଦ୍ରମନ୍ତ୍ରୀ ଦୁହେଁ ମଞ୍ଚ ଉପରକୁ ଆଗମନ କରିବେ । ସୂର୍ଯ୍ୟଙ୍କ ତାପରୁ ଭସା ବାଦଲ ମୁଣ୍ଡକୁ ଛାଇ ଦେଲା ପରି ସମସ୍ତ ଉତ୍କଣ୍ଠାର ଉଷ୍ଣତାକୁ ଦୂରେଇ ଦେଇ ରାଜକୀୟ ଥାଟରେ ଆସିଲେ ମନ୍ତ୍ରୀଦ୍ୱୟ । ଆନନ୍ଦର ଆଭାରେ ଦୀପ୍ତ ମୁଖମଣ୍ଡଳ । ଆଜାନୁଲମ୍ୱିତ ବାହୁ । ପହୁଣ୍ଡ ଲମ୍ୱ ଲମ୍ୱ । ଧଳା ପଞ୍ଜାବୀ ଓ ଧୋତିରେ ସେମାନେ ଅଧିକ ଉଜ୍ଜ୍ୱଳ ଦେଖା ଯାଉଥାନ୍ତି । ଆସନ ଗ୍ରହଣ କଲେ । ମଙ୍ଗଳ ଧ୍ୱନି ଓ ଦର୍ଶକଙ୍କ କରତାଳିରେ କମ୍ପି ଉଠୁଥାଏ ବାୟୁମଣ୍ଡଳ । ଶୋଭନୀୟ ପୁଷ୍ପ ଗୁଚ୍ଛରେ ଅଭିନନ୍ଦନ ଜଣାଇଲେ ସୁଦୃଶ୍ୟା ଛାତ୍ରୀମାନେ । ଆରମ୍ଭ ହେଲା ଆଦ୍ୟପର୍ବ, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ।

ସମ୍ମାନିତ ଅତିଥି ଓଗେରେ କହି ସାରିଲା ପରେ ମୁଖ୍ୟ ଅତିଥିଙ୍କୁ ଆମନ୍ତ୍ରଣ କରାଗଲା । ନବ ନିର୍ମିତ ସଭା ମଞ୍ଚର ଧାର ପ୍ରାୟ ଚାରି ଫୁଟ ଉଚ୍ଚ ହେବ । ଧାରରୁ ଏକ ଫୁଟ ଦୂରରେ ପୋଡ଼ିୟମ୍ ସୁସଜ୍ଜିତ ହୋଇ ଥୁଆ ହୋଇଥାଏ । ସମସ୍ତ ବକ୍ତା ସେଠାକୁ ଆସି ଭାଷଣ ଦେଉଥାନ୍ତି । ସବୁଠାରୁ ବେଶି ଅପେକ୍ଷିତ ଥିଲା ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକଙ୍କ ଭାଷଣ । ସେ ଯେତେବେଳେ ପୋଡ଼ିୟମ୍ ଉପରେ ଭରା ଦେଇ ଦର୍ଶକମାନଙ୍କୁ ସମ୍ୱୋଧନ କରନ୍ତି ଏକ ମସ୍ତବଡ଼ ଦୁର୍ଘଟଣା ଘଟିଲା । ସତେ କି ମେଦିନୀ ଫାଟିଯିବ । ପବନର ପ୍ରବାହ ବନ୍ଦ ହୋଇଯିବ । ଆକାଶଟା ଦର୍ଶକମାନଙ୍କ ଉପରେ ଭୁଷୁଡ଼ି ପଡ଼ିବ । ନିଜ ଆଖିକୁ କେହି ବିଶ୍ୱାସ କରି ପାରୁ ନଥାନ୍ତି । ପ୍ରେକ୍ଷାଳୟରେ ଠୁଳ ହୋଇଥିବା ଶୋତୃ ମଣ୍ଡଳୀ, ସୁରକ୍ଷାବଳ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଥାଏ ଶ୍ରୀ ପଟ୍ଟନାୟକଙ୍କ ଉପରେ । ସେ ତ ସହଜେ ଡେଙ୍ଗା ଲୋକ, ରଙ୍ଗମଞ୍ଚ ଧାରରେ ଛିଡ଼ା ହୋଇଥିବା ବେଳେ ନିମ୍ନରେ ବସିଥିବା ଲୋକମାନଙ୍କୁ ଅଧିକ ସ୍ପଷ୍ଟ ଉଜ୍ଜ୍ୱଳ ଦେଖା ଯାଉଥାନ୍ତି । ସଜା ହୋଇଥିବା ଆଲୋକମାଳାରେ ତାଙ୍କ ଶୁଭ୍ରତା ବହୁଗୁଣିତ ହୋଇଯାଇଥାଏ ।

– ତା’ପରେ –

To Top