ଡାହାଣୀବୁଢ଼ୀ

Kalindicharana Panigrahi's odia Story Daahaanibudhi

ବୁଢ଼ୀ ଯେବେ ଦେଖେ, ଚାରିଆଡ଼ ନିରବ, ଥରେ ବାହାରକୁ ଆସି ଆଖି ପକାଇ ଯାଏ, କେହି ଅଛି କି ନାହିଁ ।

ଡାହାଣୀବୁଢ଼ୀ

ଗାଁ ଭିତରେ ବୁଢ଼ୀର ଇତିହାସ ଏକ ରହସ୍ୟ । କେତେ ଯୁଆନ୍ ଲୋକ ଅଧା ବୟସରେ ପହଞ୍ଚିଲେଣି, କହନ୍ତି ସେମାନେ ପିଲାଦିନୁ ବୁଢ଼ୀକୁ ଏମିତି ଦେଖି ଆସୁଛନ୍ତି । କେହି କେହି ବୁଢ଼ାଙ୍କ ମୁହଁରୁ ଶୁଣାଯାଏ, ବହୁତ ବର୍ଷକ ତଳେ ବୁଢ଼ୀ ଆଉ କେଉଁ ଗାଁରୁ ଆସି ସେଠାରେ ରହିଛି । ଗାଁ ଲୋକଙ୍କର ଧାରଣା ବୁଢ଼ୀ ଚିରକାଳ ସେମିତି ବୁଢ଼ୀ । ସେ ଯେ କେବେ ପିଲା ଥିଲା କି ଯୁବତୀ ଥିଲା, ତାହା ଲୋକଙ୍କୁ ଅସମ୍ଭବ ବୋଧହୁଏ ।

ସ୍ୱାମୀ ପୁଅ ଘେନି ସେ ଯେ ଦିନେ ଘର କରିଥାଇପାରେ, ସ୍ନେହ ମମତା ସଂସାରର ସୁଖ ଦୁଃଖରେ ଦିନେ ଯେ ତା’ର ଭାଗ ଥାଇପାରେ, କାହାରିଠାରୁ ଏମିତି କଥା ଶୁଣିଲେ ତାକୁ ପାଗଳ କହି ଲୋକେ ହସରେ ଉଡ଼େଇ ଦିଅନ୍ତି । ବୁଢ଼ୀର ରୀତିଗତିରୁ ମଧ୍ୟ ଜଣାପଡ଼େ, ସୃଷ୍ଟି ଭିତରେ ସେ ଯେମିତି ଗୋଟାଏ ଅଲଗା ପ୍ରାଣୀ । ଜୀବଜଗତରେ ତାହାର କେହି ସମ୍ପର୍କୀୟ ଥିଲା ପରି ମନେ ହୁଏନାହିଁ । କୁଡ଼ିଆଖଣ୍ଡି ତା’ର ଗାଁର ଗୋଟିଏ ସୀମାରେ । ବଖୁରିଏ ତିନି ଚାରିହାତ ଲମ୍ୱା ଓ ଚଉଡ଼ା ଛୋଟ କୁଡ଼ିଆଟା । ଫଟା କବାଟ ଖଣ୍ଡି ହାତ ଦୁଇ ଲମ୍ୱ । କୁଡ଼ିଆ ଭିତରକୁ ସେତିକି ମାତ୍ର ଆଲୋକ ପ୍ରବେଶର ଦ୍ୱାର । ସେହି ବାଟେ ବୁଢ଼ୀ ନଇଁ ନଇଁ ଯା’ ଆସ କରେ । ମେଲା ଅଗଣାଟିରେ ଲଙ୍କାମରିଚ ଓ ଗେଣ୍ଡୁ ଗଛ ଗୋଟିଏ ଦି’ଓଟି, କୁଡ଼ିଆ ପଛରେ ଲମ୍ୱା ନାଗଫେଣି ଓ କିଆ ବଣ ।

ଘରକରଣା ଜିନିଷ ବୋଲି ମାଠିଆଟିଏ, ଛିଣ୍ଡାଲୁଗା ଖଣ୍ଡେ କି ଦି’ଖଣ୍ଡ, କତରା ଖଣ୍ଡେ ଓ ଖାଇବାର କଂସାଟି । ବୁଢ଼ୀର ବେଉସା ହେଲା ଚେରମୂଳି । ଅନେକ ବଡ଼ ଗୁଣିଆ ତାକୁ ମାନିବାର ଶୁଣାଅଛି । ଆଉ କିଏ କହନ୍ତି, ସେ କୁଆଡ଼େ କିମିଆବଳରେ ମଣିଷକୁ ଛେଳି ମେଣ୍ଢା କରି ଦେଇପାରେ । ଗାଁ ଲୋକ ସେଥିପାଇଁ ତାକୁ ଡରନ୍ତି । ଦୂର ଗାଁରୁ ମଧ୍ୟ ତାହା ସୁଖ୍ୟାତି ଶୁଣି ଲୋକେ ତା’ଠାରୁ କିମିଆ ନେବାକୁ ଆସିଥାନ୍ତି । ସେଥିରେ ବୁଢ଼ୀର ଯାହା ପଇସେ ଦି’ପଇସା ଆୟ ହୁଏ ।

ଖୁବ୍ କମ୍ ସମୟ ସେ ଦାଣ୍ଡକୁ ବାହାରେ । ମାସ ଭିତରେ ଥରେ ଦି’ଥର ହେଲେ ଯଥେଷ୍ଟ, କିନ୍ତୁ ସେଇ ସମୟରେ ଗାଁର ଦୁଷ୍ଟ ପିଲାଗୁଡ଼ାକ ଧୂଳି ଟେକା ପକାଇ ତାକୁ ଅଥୟ କରି ଦିଅନ୍ତି । ପୁରୁଖା ଲୋକେ ଏହାକୁ ଗୋଟିଏ ସାଧାରଣ କଥା ଭାବି ପିଲାମାନଙ୍କୁ ମନା କରନ୍ତି ନାହିଁ । ବୁଢ଼ୀ ତାହାର ବାକି ଥିବା ଯୋଡ଼ିକ ଛାମୁଦାନ୍ତ ତାଳ ଓଠ ଉପରେ ଚାପି ଦେଇ ଏବଂ ଆଖି ଯୋଡ଼ିକୁ କୋରଡ଼ ଭିତରୁ କାଢ଼ି ଏମିତି ବିକୃତ ଭଙ୍ଗୀରେ ଚାହେଁ ଯେ, ଖୁବ୍ ସାହସୀ ପୁରୁଷ ମଧ୍ୟ ତାହା ଦେଖି ଡରିଯିବ । ଗାଁ ଲୋକେ ଭାବନ୍ତି, ବୁଢ଼ୀଟା ଡାଆଣୀ । କେହି କେହି କହନ୍ତି, ସେ ଅଧରାତିରେ ଗୋଡ଼ ଉପରକୁ ଓ ମୁଣ୍ଡ ତଳକୁ କରି ଚରା କରିବାକୁ ଯାଏ ।

ବୁଢ଼ୀ ଆସୁଥିବାର ଦେଖିଲେ ମା’ମାନେ ସାନ ପିଲାଙ୍କୁ ଲୁଚାନ୍ତି । ଦୃଷ୍ଟି ପଡ଼ିଯିବା ଭୟରେ ତାଙ୍କ ବେକରେ ଔଷଧ ବାନ୍ଧି ଦିଅନ୍ତି । ସ୍ୱପ୍ନରେ ଆସି ମଧ୍ୟ ବୁଢ଼ୀ ପିଲାଙ୍କୁ ଡରାଏ ବୋଲି ମାଆମାନଙ୍କର ଧାରଣା । କାରଣ ପିଲାଗୁଡ଼ାକ ଶୋଇଥିବାବେଳେ ଚମକନ୍ତି, ବିଳି ବିଳାନ୍ତି, ଡାଆଣୀବୁଢ଼ୀ ଆସୁଥିବା କଥା ଶୁଣିଲେ ଡରି ଥରି ଭାତ ଖାଇ ଦିଅନ୍ତି । ଏ ବୁଢ଼ୀଟା ଭିତରେ କ’ଣ କେବେ ହେଲେ ଟିକିଏ ଭଲଗୁଣ ଥାଇପାରେ । ତେବେ ସେ ମଝିରେ ମଝିରେ ଟିକିଏ ଗାଁ ଲୋକଙ୍କ ଦରକାରରେ ଆସେ ।

ପୋଖତୀ ମାଇପଙ୍କର ଗର୍ଭକଷ୍ଟ ହେଲେ ଜଡ଼ି ବୁଟି ଦରକାର ହୁଏ । ସେଥିପାଇଁ ସେ ଗାଁ ମୁଣ୍ଡରେ ଟିକିଏ ଆଶ୍ରା ପାଇଛି । ତା’ କଥା ଶୁଣିଲେ ଲୋକେ ଡରନ୍ତି- ସେ ମଧ୍ୟ କହେ ଅତି କମ୍ । ଦିନଯାକୁ ସେ ଭାତ ରାନ୍ଧେ, ଲଙ୍କାମରିଚ ଗଛରେ ପାଣି ଦିଏ । ରାତି ତମାମ୍ କୁଡ଼ିଆ ଭିତରେ ଥାଏ । ସେତେବେଳେ କୁଡ଼ିଆ ଭିତରୁ ଗୋଟିଏ ସରୁ ଆଲୁଅ ଜୁକୁଜୁକୁ ହୋଇ ଦିଶେ । ପଦାକୁ ବାହାରିଲେ ସେହି ଜଳାରେ ଖଣ୍ଡେ ଲୁହା କିଳିଣୀ ସାହାଯ୍ୟରେ ଭିତରୁ ସେ କବାଟ ପକାଇ ଦେଇଯାଏ । ରାତିରେ ସେ କାହିଁ ଯିବାକୁ ମଙ୍ଗେ ନାହିଁ ।

ଅଧରାତି ଯାକେ କବାଟ ଜଳାରୁ ସେହି ସରୁ ଆଲୁଅଟି ଦିଶେ । ରାତି ଘଡ଼ିକରୁ ଛୋଟ ଗାଁଟି ନିସ୍ତବ୍ଦ ହୋଇଯାଏ । ସବୁ ଘରୁ ଆଲୁଅ ନିଭେ । ଆକାଶରେ ଅସଂଖ୍ୟ ଦିପାବଳୀ ତଳେ ଘରଗୁଡ଼ାକ ଶାନ୍ତିରେ ଶୋଇ ପଡ଼ନ୍ତି, କିନ୍ତୁ ବୁଢ଼ୀଘରୁ ସେ ଆଲୁଅଟି ନିଭେ ନାହିଁ । ସମସ୍ତ ଗ୍ରାମ ଯେତେବେଳେ ଗଭୀର ନିଦ୍ରାମଗ୍ନ ବିଶ୍ୱପ୍ରକୃତି ନିସ୍ପନ୍ଦ, ପତିହୀନା, ସନ୍ତାନଶୂନ୍ୟା, ବନ୍ଧ ଜନହୀନା ଏହି ବୁଢ଼ୀଟି ଚାହିଁ ରହେ କାହିଁକି ?

ବୁଢ଼ୀ ଯେବେ ଦେଖେ, ଚାରିଆଡ଼ ନିରବ, ଥରେ ବାହାରକୁ ଆସି ଆଖି ପକାଇ ଯାଏ, କେହି ଅଛି କି ନାହିଁ । ତାହାପରେ ଭଲ କରି କବାଟ କିଳି ହେଁସ ଖଣ୍ଡି ତଳେ ପାରିଦିଏ । ତା’ ଉପରେ ଧୋବ କନାଟିଏ ବିଛାଇ ଦେଇ ସିଧା ଯାଏ ଚୂଲୀ ମୁଣ୍ଡକୁ । ଚାଳରୁ ଖଣ୍ଡେ ମୁନିଆ ବତା କାଢ଼ି ଆସ୍ତେ ଆସ୍ତେ ଚୁଲୀ ମୁଣ୍ଡକୁ ଖୋଳେ । ସେଠାରୁ ତିନି ଚାରିପ୍ରସ୍ତ କନାଗୁଡ଼ା ହୋଇଥିବା ଗୋଟିଏ ଘଡ଼ି କାଢ଼େ । ଅତି ଯତ୍ନରେ କନାଖଣ୍ଡ ଫିଟାଇ ବିଛଣା ଉପରେ ଘଡ଼ିଟିର ଉପକରଣ ସବୁ କୁଢ଼ାଇ ଦିଏ ।

ଅତି ପୁରୁଣା ମସିହା ଦି’ପଟ ସୁନାଖଡୁ ଓ ଗୋଟିଏ ସୁନାମୁଦି ହେଲା ଏହି ଉପକରଣ । ସେଗୁଡ଼ିକୁ ନିଜ ଆଙ୍ଗୁଠିରେ ଥରକୁ ଥର ସେ ଏପାଖ ସେପାଖ କରେ । କେତେବେଳେ ନିଜର ଶୁଖିଲା ଓଠରେ ଚୁମ୍ୱନ କରେ, କୋଟରଗତ ଚକ୍ଷୁରେ ସ୍ପର୍ଶକରେ ବକ୍ଷରେ ଚାପି ଧରେ । ଅସ୍ତି ଚର୍ମର ହାତ ଦୁଇଟିରେ ଖଡୁ ଦି’ପଟି ପିନ୍ଧେ, ମୁଦିଟିକୁ ଆଙ୍ଗୁଠିରେ ପୁରାଏ, ଥରେ ଏପାଖ, ଥରେ ସେପାଖ କରି ଚାହେଁ । ପୁଣି ଶୁଖିଲା ଓଠରେ ଚୁମ୍ୱନ କରେ, କୋଟରଗତ ଚକ୍ଷୁରେ ସ୍ପର୍ଶ କରେ, ବକ୍ଷରେ ଚାପି ଧରେ ।

ଜୀବନରେ କେଉଁ ସୁଦୂର ଇତିହାସର ଏହି ସ୍ମୃତିଟିକ ସେ ଧରି ରଖିଛି । ସୁପ୍ତ ଦୁନିଆଁରେ ଜାଗ୍ରତ ରହି ନିରବ ନିଶାରେ ବୃଦ୍ଧାର କି ପ୍ରେମାଭିନୟ ଚାଲିଛି । ସମୟର ଶତ ଦୁର୍ବିପାକ, ଦୁର୍ଯୋଗ, ଅସଂଖ୍ୟ ସୁଖଦୁଃଖ ଅଙ୍ଗେ ଲିଭାଇ ସେ କେଉଁ ଅନ୍ତରତମ ସାଥିର ଏହି ସ୍ମରଣ ଚିହ୍ନଟିକ ଜୀବନର ସମ୍ୱଳ କରି ନେଇଛି, କେହି ସେ ଖବର ରଖେ ନାହିଁ, ଜାଣିବାକୁ ଚାହେଁ ନାହିଁ । ଊର୍ଦ୍ଧ୍ଵରେ ଅନନ୍ତ ଆକାଶ ତାହାର ଲକ୍ଷ ଲକ୍ଷ ଜ୍ୟୋତିପୁଞ୍ଜ ନେଇ କୁଡ଼ିଆଟିର ଛାତ ଉଢ଼ାଳରେ ରହିଯାଏ । ନିବିଡ଼ ଅନ୍ଧକାରକୁ ବିଚ୍ଛିନ୍ନ କରି ସେହି କ୍ଷୀଣ ଦୀପାଲୋକଟି ମାତ୍ର ତାହା ଦେଖେ ।

ବୁଢ଼ୀ ପୂର୍ବପରି ଘଡ଼ିଟିକୁ ମାଟିତଳେ ପୋତି ରଖେ । ଦୀପାଲୋକଟି ଆତ୍ମଗୋପନ କରେ । ନିବିଡ଼ ଅନ୍ଧକାର କୁଟୀର ମଧ୍ୟରେ ପ୍ରବେଶ କରି ଏ ଜଗତର ଏକଚ୍ଛତ୍ର ଶାସନ ବିସ୍ତାର କରେ । ବୃଦ୍ଧାସ୍ୱୀୟ ଜୀବନର ସମସ୍ତ ରହସ୍ୟ ହୃଦୟ ମଧ୍ୟରେ ଧରି ନିଦ୍ରାଯାଏ ।

ନିଶୀଥରେ ଏହି ଅଭିନୟ ବୃଦ୍ଧାର ଦୈନନ୍ଦିନ କର୍ମ ମଧ୍ୟରେ ଅନ୍ୟତମ । ସେହି ଗ୍ରାମର ଚୌକିଦାର ଭାନୁ ମଳିକ ବଡ଼ ସାହସୀ ବୋଲି ପରିଚିତ । ଅଧରାତିରେ ଝଡ଼ ତୋଫାନରେ ମଧ୍ୟ ହାୟ ହାୟ କରି ସେ ବଣ ବୁଦାରୁ ଚୋର ଘଉଡ଼ାଏ । ବହୁକାଳ ହେଲା ଅଧରାତିରେ ସେ ବୁଢ଼ୀର କୁଡ଼ିଆ ଭିତରେ ଆଲୁଅ ଜଳୁଥିବା ଦେଖିଛି । କବାଟ ନିକଟକୁ ଯାଇ ଜଳାବାଟେ ଭିତରକୁ ଭରସି ଚାହିଁବାକୁ ତାହାର ସାହସ ପାଏ ନାହିଁ । ଡାଆଣୀବୁଢ଼ୀ ହାଡ଼ ମୁଣ୍ଡ ନେଇ କୌତୁକ କରୁଥିବ ବୋଲି ତା’ର ବିଶ୍ୱାସ । ଦିନେ ତାହାର ଭାରି ଆଗ୍ରହ ହେଲା, ଜଳା ଭିତରେ ଦେଖିବ ବ୍ୟାପାରଟା କ’ଣ ?

ସେ ତ କେତେ କ’ଣ ମଶାଣି ବୁଲିଛି, ହାଡ଼ କଙ୍କାଳ କ’ଣ ତାକୁ ଗୋଡ଼ାଇ ଖାଇ ଯାଉଛି କି ! ମନ୍ତ୍ର ପ୍ରଭାବରେ ବୁଢ଼ୀ ଯଦି ହାଡ଼ଗୁଡ଼ାକୁ ଜୀବନଦାନ କରି ତାହାରି ଆଡ଼କୁ ପେଷେ, ତାହା ଦେହରେ ତ ଢେର ଜୋର୍ ଅଛି, ସେ ପଳାଇ ଆସିପାରିବ । ଏମିତି କେତେ କଥା ଭାବି ସେ ଅସଲ କଥା ଆବିଷ୍କାର କରିବାକୁ ବାହାରିଲା ।

ଦିନେ ରାତିରେ ବୁଢ଼ୀ ଯେତେବେଳେ ବାହାର ଆଡ଼କୁ ଚାହିଁ ଘର ଭିତରକୁ ଗଲା, ଭାନୁ ମଳିକ ଛପି ଛପି ତା’ ଦୁଆର ପାଖରେ ପହଞ୍ଚିଲା । କବାଟଜଳା ଭିତରେ ଚାହିଁ ସେ ଅବାକ୍ ହେଲା । ଚୁଲୀ ମୁଣ୍ଡରେ ବୁଢ଼ୀ ଘଡ଼ି ଖୋଳି ସେଇ ସୁନା ଖଡୁ ବାହାର କଲା । ତାକୁ ଚାହିଁ ଭାନୁ ମଳିକର ଆଖି ଝଲସି ଗଲା । ସବୁ ଅଭିନୟ ସାରି ବୁଢ଼ୀ ଘଡ଼ିଟିକୁ ନେଇ ଚୁଲୀ ମୁଣ୍ଡରେ ପୋତିଲା । ଭାନୁ ଧୀରେ ଧୀରେ ସେଠାରୁ ଫେରିଆସିଲା ।

ଦିନେ ରାତିରେ ଗାଁ ସାଆନ୍ତଙ୍କ ବୋହୂର ପ୍ରସବ ବେଦନା ହେଲା । ସେ ଆସି ବୁଢ଼ୀକୁ ଡାକି ଘେନିଗଲେ । ପ୍ରସବରେ ବିଳମ୍ୱ ହେବାରୁ ସେମାନେ ଜୋର କରି ବୁଢ଼ୀକୁ ସେ ରାତିରେ ଛାଡ଼ିଲେ ନାହିଁ । ଭାନୁ ମଳିକ ଏହିପରି ସୁଯୋଗ ଖୋଜୁଥିଲା । ଆଗରୁ ଗୋଟିଏ ଲୁହାକିଳା ସେ ଯୋଗାଡ଼ କରିଥିଲା ।

ଧୀରେ ଧୀରେ ସେ ବୁଢ଼ୀର ଘର ଆଡ଼କୁ ଚାଲିଲା, ଆସ୍ତେ କିଳିଣିଟି ଫିଟାଇ ଦେଲା । ଦେହ ତା’ର ଥରୁଥାଏ । ବୁଢ଼ୀ ଯଦି ପହଞ୍ଚିଯାଏ କିମ୍ୱା ଆଉ କେହି ଜାଣି ପକାନ୍ତି । କିନ୍ତୁ ବୁଢ଼ୀର ମନ୍ତ୍ର ବଳରେ ଯଦି ସେ ଛେଳି କିମ୍ୱା ମେଣ୍ଢା ହୋଇପଡ଼େ, ତାହାହେଲେ ତ ଦୁର୍ଦ୍ଦଶା ତା’ର କହିଲେ ସରିବ ନାହିଁ । ମଧୁ ବେହେରା ତାହାର ପ୍ରତିବାଦୀ, ତାହାରି ଗାଈଗୋଠରେ ସେ ଚରିବ, ପାହାର ଖାଇବ, ଇତ୍ୟାଦି ଇତ୍ୟାଦି. . . ।

ଖୁବ୍ ସାହସ ବାନ୍ଧି ସେ ଘର ଭିତରେ ଆଲୁଅ ଜାଳିଲା । ତୁନି ତୁନି ଚୁଲୀମୁଣ୍ଡକୁ ଗଲା । ଘଡ଼ିଟିକୁ କାଢ଼ି ଚୂଲୀମୁଣ୍ଡଟା ମାଟିରେ ପୂର୍ବପରି ସମାନ କରିଦେଲା । ଭଲ ରୂପେ କବାଟ ବନ୍ଦ କରିଦେଇ ଚାଲିଲା ସେ ଆପଣା ଘର ଆଡ଼କୁ । ଘଡ଼ିଟିକୁ ଧରି ଚାଲିଥାଏ ଦାଣ୍ଡ ମଝିରେ ଭାନୁ ମଳିକ । ହାତ ତା’ର ଶୀତେଇ ଉଠୁଥାଏ । ସତେ ଅବା ସେ ଘଡ଼ି ଭିତରୁ ତା’ ଦେହକୁ କିଏ ଖୁଞ୍ଚା ମାରି ମାରି ଦେଉଛି ।

ଘରେ ତାହାର ଉପାର୍ଜିତ ଧନ କଥା କାହାରିକୁ ସେ କହିଲା ନାହିଁ । ଘଡ଼ିଟାକୁ ଥରେ ଫିଟାଇ ଦେଖିଲା ନାହିଁ ମଧ୍ୟ । ନିଜ ଘରେ ତାକୁ ଲୁଚାଇ ପୋତି ରଖିଦେଲା । ଭୋର୍‌ରୁ ବୁଢ଼ୀ ତା’ କୁଡ଼ିଆକୁ ଫେରିଲା, ନିଜ କାମରେ ମନ ଦେଲା । ବେଳ ଗଡ଼ି ଆସିଲା, ସଞ୍ଜ ହେଲା, ଗୋରୁ ଗାଈ ଘରକୁ ଫେରିଲେ । ପ୍ରତି ଘରୁ ଦୀପ ନିଭିଲା । ଗାଁଟି ଉପରେ ପୁଣି ରାଜତ୍ୱ କଲା ବିରାଟ ନିସ୍ତବ୍ଦତା ।

– ତା’ପରେ –

ଲୋକପ୍ରିୟ ଲେଖା

To Top