ଗଳ୍ପ

ସିଂହ-ସଂଳାପ

Manoj Das's odia story Singha Sanlaapa

ବନ୍ଧୁ ! ତୁମେ ଯେପରି ସିଂହକୁ ସଂଳାପରେ ବ୍ୟାପୃତ ରଖି ଆମ ପ୍ରାଣ ରକ୍ଷା କଲ, ଆମେ ସେମିତି ତାକୁ ବଧ କରି ତମ ପ୍ରାଣ ରକ୍ଷା କଲୁ ।

ସିଂହ-ସଂଳାପ

କ’ଣ ହେଲା ? – ତ୍ରିଚକ୍ଷୁ ନାମକ ଋଷିଙ୍କ ଆଶ୍ରମରୁ ନିଷ୍କ୍ରାନ୍ତ ହେବାର ଅବ୍ୟବହିତ ପରେ ହଠାତ୍ ଅବୋଲକରା ଅଟକିଯିବାର ଦେଖି ସାଆନ୍ତେ ପ୍ରଶ୍ନ କଲେ ।

ଗୁରୁ ସାଆନ୍ତେ । ମୋର କାହିଁକି ଆଗକୁ ଯିବାକୁ ମୋଟେ ମନ ହେଉ ନାହିଁ । ଅବୋଲକରା ଅଳ୍ପ ନଇଁ ପଡ଼ି ଡାହାଣ ହାତଦ୍ୱାରା ଡାହାଣ ଆଣ୍ଠୁକୁ ଏମିତି ଆଉଁସିଲା, ସତେ ଅବା ମନର ନିବାସ ସେହି ଆଣ୍ଠୁ ।

କାଳକ୍ଷେପ ନ କରି ତୋ କୌତୂହଳ ବ୍ୟକ୍ତ କର ବାବା । ସାଆନ୍ତେ ଖଣ୍ଡିଏ ଚିକ୍କଣ ଶିଳା ଉପରେ ବସିପଡ଼ିଲେ ।

ଆଜ୍ଞା । ଆଶ୍ରମରେ ଖଣ୍ଡିଏ ସିଂହଛାଲ ଥୁଆ ହୋଇଥିଲା । ମୁଁ ତାକୁ ଟାଣି ପକାଇବା ମାତ୍ରେ ତ୍ରିଚକ୍ଷୁ ଝପଟି ଆସି ମୋତେ ନମ୍ରଭାବରେ ସେଥିରୁ ନିବୃତ୍ତ କରି ଛାଲଟିକୁ ପ୍ରାୟ ମୁଣ୍ଡରେ ଛୁଆଇଁ ଯଥାସ୍ଥାନରେ ରଖିଦେଲେ । ସିଂହଛାଲ ଉପରେ ମୁନି-ଋଷିମାନେ ବସନ୍ତି- ତାକୁ ପୁଣି ଋଷି ଜଣେ ମୁଣ୍ଡରେ ବସାଇବାର ରହସ୍ୟ କ’ଣ ?

ପଞ୍ଚତନ୍ତ୍ରର କାହାଣୀ ସବୁ ତୋତେ ଜଣାଅଛିଟି- ତିନି ଯୁବକ ଗୋଟିଏ ସିଂହର ଦେହାବଶେଷରେ ଜୀବନ ଦେବା କଥା ।

ଗୁରୁ ସାଆନ୍ତେ । ଆପଣଙ୍କଠୁଁ କ’ଣ ସେସବୁ କାହାଣୀ ଆଦାୟ କରିବାରେ ମୁଁ ତ୍ରୁଟି କରିଛି ? ତଥାପି ମୋ ସ୍ମୃତିଶକ୍ତି କଥା ତ ଜାଣନ୍ତି. . . !

ଘଟଣାଟିର ଯେତିକି ଅଂଶ ବ୍ୟବହାର କରି ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ କାହାଣୀ ଗଠନ କରାଯାଇପାରିବ, ପଣ୍ଡିତ ବିଷ୍ଣୁଶର୍ମା ସେତିକିର ସଦ୍‌ବ୍ୟବହାର କରିଛନ୍ତି । ଯେତିକି ସେ କହିନାହାନ୍ତି, ସିଂହଛାଲ ଜନିତ ତୋର କୌତୂହଳ ନିବାରଣ ପାଇଁ ମୋତେ ସେତିକି ତ କହିବାକୁ ହେବ, ସଙ୍ଗେ ସଙ୍ଗେ ମୂଳ କାହାଣୀ ତଥା ତା’ର ଅକୁହା ଅଂଶସବୁ ଉପରେ ବି ଆଲୋକପାତ କରିବାକୁ ପଡ଼ିବ ।

ଅବୋଲକରାର ମୁହଁ ଉଜ୍ଜ୍ୱଳ ଦିଶିଲା । ସେ ଆରାମ କରି ବସିଲା ।

ସାଆନ୍ତେ ଗପିଲେ-

କେତେ ପୁରୁଷ ତଳର କଥା । ଆଜି ଯେଉଁ ଆଶ୍ରମର ପରିଚାଳକ ମହାତ୍ମା ତ୍ରିଚକ୍ଷୁ, ସେତେବେଳେ ତାର ସଦ୍ୟ ପ୍ରତିଷ୍ଠା ହୋଇଥାଏ । ପ୍ରତିଷ୍ଠାତା ଋଷି ତ୍ରିଦେବ ଥିଲେ ଜଣେ ସୁଦକ୍ଷ ଆଚାର୍ଯ୍ୟ । ତାଙ୍କ ଗୁରୁକୁଳରେ କେତେଜଣ ସମ୍ଭ୍ରାନ୍ତ ବଂଶର ତରୁଣମାନଙ୍କ ସହ ଅଧ୍ୟୟନ କରୁଥିଲେ ଏ ରାଜ୍ୟର ତିନି ରାଜପୁତ୍ର । ସେମାନଙ୍କ ଭିତରୁ ଜଣେ ହେଲେ ପାଟରାଣୀଙ୍କ ପୁଅ- ଭାବି ଯୁବରାଜ ତଥା ଭାବି ରାଜା, ଅନ୍ୟ ଦୁଇଜଣ ତାଙ୍କ ବିମାତା-ପୁତ୍ର ।

ଇତିହାସରେ ଅସାଧାରଣ, ସାଧାରଣ ଓ ମନ୍ଦ- ତିନିପ୍ରକାର ରାଜପୁତ୍ରଙ୍କ ନଜିର ଅଛି । ଅସାଧାରଣମାନେ ଦୁର୍ଲଭ । ଏ ତିନି ରାଜପୁତ୍ର ଥିଲେ ସାଧାରଣ । ଗୁରୁ ଯେତିକି ଧର୍ମ, ରାଜନୀତି, ଅର୍ଥନୀତି, ସାହିତ୍ୟ ଓ ଇତିହାସ ଶକ୍ଷା ଦେଉଥାନ୍ତି, ସେସବୁ ସେମାନେ କର୍ତ୍ତବ୍ୟନିଷ୍ଠ ଭାବରେ ଶିଖଉଥାନ୍ତି ବା ଶିଖିବାର ପ୍ରୟାସ କରୁଥାନ୍ତି, କିନ୍ତୁ ଆଶ୍ରମର ଗୋଟିଏ ନିର୍ଦ୍ଦିଷ୍ଟ କୋଠରୀରେ ସାଇତା ଥିବା ବିଶେଷ ଧରଣର କେତେକ ପୋଥି ପଢ଼ିପକାଇବା ପାଇଁ ସେମାନଙ୍କର ପ୍ରବଳ ଆଗ୍ରହ ଥାଏ । ସେସବୁ ପୋଥି ତନ୍ତ୍ର ତଥା ତନ୍ତ୍ର-ସମ୍ଭୁତ ନାନା ହବୁବିଦ୍ୟା- ସମ୍ୱନ୍ଧିତ । ହବୁବିଦ୍ୟା ପ୍ରତି ହିଁ ରାଜପୁତ୍ରମାନଙ୍କର ଆକର୍ଷଣ ଥାଏ ସର୍ବାଧିକ । ଋଷି ସମାଧିସ୍ଥ ରହୁଥିବାବେଳେ ବା ମଧ୍ୟେ ମଧ୍ୟେ ସ୍ଥାନାନ୍ତର ଗଲେ ତାଙ୍କ ଅଜ୍ଞାତସାରରେ ତିନିହେଁ କିଛି କିଛି ହବୁବିଦ୍ୟା ଆୟତ୍ତ କରିନେଉଥାନ୍ତି ।

ଦିନେ ଦୁଇଜଣ ପଥିକ ରାଜଧାନୀରୁ ଅରଣ୍ୟ ପଥରେ ଦେଶାନ୍ତର ଯିବା ବାଟରେ ଆଶ୍ରମରେ ନିଶି ଯାପନ କଲେ । ସେମାନଙ୍କଠୁ ରାଜପୁତ୍ରମାନେ ଶୁଣିଲେ କି ରାଜା ଅସୁସ୍ଥ । ସେତେବେଳକୁ ରାଜପୁତ୍ରମାନଙ୍କ ଶିକ୍ଷାଲାଭ ସରିଆସିଲାଣି । ସେମାନେ ଉତ୍କଣ୍ଠାବଶତଃ ରାଜଧାନୀକୁ ଚାଲିଯିବାକୁ ଇଚ୍ଛା ପ୍ରକାଶ କଲେ । ଗୁରୁ କହିଲେ, ରାଜା ତମମାନଙ୍କୁ ଦେଖିବାକୁ ମନକଲେ ଅବଶ୍ୟ ଦୂତ ପଠାଇବେ । ସେ ଯଦି ଦୈବାତ୍ ଗୁରୁତର ଅସୁସ୍ଥ ହେବେ, ତେବେ ଅବଶ୍ୟ ମହାମନ୍ତ୍ରୀ ବାର୍ତ୍ତା ଦେବେ, ତେଣୁ ଥୟ ଧର ।

କିନ୍ତୁ ରାଜପୁତ୍ରମାନଙ୍କଦ୍ୱାରା ଆଉ ଯାହା ହେଉ ନ ହେଉ, ଥୟ ଧାରଣଟି ଜମାରୁ ହେଉନଥିଲା । ଗୁରୁଙ୍କ ପରାମର୍ଶ ଶୁଣିବାମାତ୍ରେ ସେମାନଙ୍କ ଆଖିରୁ ଖସିଆସିଥିବା ଥୋପା ଥୋପା ଅଶ୍ରୁ ସେମାନଙ୍କର ଅତ୍ୟନ୍ତ ଗୋଲଗାଲ ଚିବୁକ ଉପରେ ମାତ୍ରାଧିକ କରୁଣ ଦେଖାଗଲା ଏବଂ ତାହା ଦେଖି ଗୁରୁ ଅଗତ୍ୟା କରିଲେ, ଆଚ୍ଛା, ଯିବ ଯଦି ଯାଅ । କିନ୍ତୁ ତମ ସାଙ୍ଗରେ କାହାକୁ ଦେବି, ତାହାହିଁ ଚିନ୍ତାର ବିଷୟ ।

ବିଦ୍ୟାର୍ଥୀମାନଙ୍କ ଭିତରେ ଥିଲେ ଧୀମାନ୍ । ସେ ଥିଲେ ଋଷିଙ୍କ ଅନ୍ତରଙ୍ଗ ଶିଷ୍ୟ । ସେ ଯୋଗ ଶିକ୍ଷା କରୁଥିଲେ ଏବଂ ତାହା ଏଡ଼େ ନିଷ୍ଠାପର ଭାବରେ କରୁଥିଲେ ଯେ, ତ୍ରିଦେବ ଥରେ ଥରେ ତାଙ୍କ ଅନ୍ତେ ସେହି ତରୁଣଙ୍କୁ ଗୁରୁକୁଳର ପରିଚାଳକ ଭାବେ ଅଧିଷ୍ଠିତ କରିବାକୁ ଭାବୁଥାନ୍ତି । ସଙ୍ଗେ ସଙ୍ଗେ ମନସ୍ତତ୍ତ୍ୱବିଦ୍ ଋଷି ଏହା ବି ବୁଝୁଥିଲେ ଯେ, ଧୀମାନ୍‌ଙ୍କ ଭିତରେ କିଛି ସାମାଜିକ ଉଚ୍ଚାକାଙ୍କ୍ଷା ରହିଛି । ଭଲ ଉପାର୍ଜନ କରିବେ, ନିଜେ ସୁଖରେ ରହି ଜନସାଧାରଣଙ୍କର ମଙ୍ଗଳ କରିବେ- ଏଭଳି କଳ୍ପନାର ତାଡ଼ନାରୁ ସେ ମୁକ୍ତ ନଥିଲେ । ବାସ୍ତବିକ, ତାଙ୍କ ଭିତରେ ଆଧ୍ୟାତ୍ମିକ ଜ୍ଞାନବିକାଶର ସମ୍ଭାବନା ଯେତିକି ଥିଲା, ସାଂସାରିକ ବୁଦ୍ଧି ପ୍ରଖରତା ବି ସେତିକି ଥିଲା ।

ଆଚ୍ଛା, ଧୀମାନ୍ ତୁମ ସହ ଗଲେ ଠିକ୍ ହେବ । – ଗୁରୁ ତ୍ରିଦେବ ଭାବି ଯୁବରାଜଙ୍କୁ ପ୍ରଶ୍ନ କଲେ ।

ଭାବି ଯୁବରାଜ ଉତ୍‌ଫୁଲ୍ଲ ହୋଇ କହିଲେ, ତାହାଠୁଁ ଅଧିକ ଅନୁକୂଳ ବ୍ୟବସ୍ଥା ଆଉ କ’ଣ ହୋଇପାରେ, ଗୁରୁଦେବ ?

ଧୀମାନ୍‌ଙ୍କୁ ସଭିଏଁ ଶ୍ରଦ୍ଧା କରୁଥିଲେ । ରାଜପୁତ୍ରମାନେ ବିଦ୍ୟାବୁଦ୍ଧିରେ ନିହାତି ସାଧାରଣ ହେଲେ ବି ଉଚ୍ଚତର ବିଦ୍ୟାବୁଦ୍ଧିର ମର୍ଯ୍ୟାଦା ବୁଝୁଥିଲେ ।

ବେଶ୍, ମୁଁ ଧୀମାନ୍‌କୁ କହି ଦେଖୁଛି । ସେ ଯଦି ତୁମ ସହ ଯିବାକୁ ତଥା ରାଜଧାନୀରେ ରହିବାକୁ ରାଜିହେବ, ତେବେ ତୁମେ ତାକୁ ତୁମର ପରାମର୍ଶଦାତା ନିଯୁକ୍ତ କରିପାର । ଭବିଷ୍ୟତ୍ରେ, ତମେ ସିଂହାସନ ଆରୋହଣ କଲେ, ତାକୁ ମହାମନ୍ତ୍ରୀ ପଦ ଦେଇପାର । ଧୀମାନ୍‌କୁ ତମେମାନେ ତମମାନଙ୍କ ପ୍ରତି ମୋର ଶୁଭେଚ୍ଛାର ପ୍ରତୀକରୂପେ ଦେଖିବ ।

ଗୁରୁଦେବ ! ଆପଣଙ୍କ ପରାମର୍ଶ ଶିରୋଧାର୍ଯ୍ୟ । – ଭାବି ଯୁବରାଜ ତଥା ଅନ୍ୟ ଦୁଇ ରାଜପୁତ୍ର ସୋତ୍ସାହ କହିଲେ ।

ଧୀମାନ୍ ଗୁରୁଙ୍କ ପ୍ରସ୍ତାବରେ ପ୍ରଥମେ ଚମକିପଡ଼ିଲେ । ମୃଦୁ ପ୍ରତିବାଦ କରି ସେ କହିଲେ, “ମୁଁ କ’ଣ ଏଠାରେ ରହି ଆପଣଙ୍କ ସେବା କରିବା ପାଇଁ ଯୋଗ୍ୟ ନୁହେଁ ?”

ବତ୍ସ ! ତୁ ସେ ପାଇଁ ସୁଯୋଗ୍ୟ । ସଙ୍ଗେ ସଙ୍ଗେ ଉତ୍ତମ ମାର୍ଗରେ ନିଜର ସାଂସାରିକ ଶ୍ରୀବୃଦ୍ଧି ନିମନ୍ତେ ମଧ୍ୟ ତୁ ବହୁତ ଯୋଗ୍ୟ । ଦୁଇ ଯୋଗ୍ୟତା ଭିତରୁ କେଉଁ ଗୋଟିଏ ତୋର ଶ୍ରେୟ ହେବ, ତାହା ଭବିଷ୍ୟତ୍ ନିର୍ଣ୍ଣୟ କରିବ- ଅଦୂର ଭବିଷ୍ୟତ୍ ନା ସୁଦୂର ଭବିଷ୍ୟତ୍, ତାହା ଜାଣେନା । ତୁ ଯାଆ । ପରିସ୍ଥିତି ବିଷମ ହେଲେ ଯେକୌଣସି ମୁହୂର୍ତ୍ତରେ ଖସିଆସିବୁ, ସେତକ ଶକ୍ତି ତ ତୋର ଅଛି ।

ଧୀମାନ୍ ରାଜି ହେଲେ । ପରଦିନ ପ୍ରତ୍ୟୁଷରେ ସେ ତିନି ରାଜପୁତ୍ରଙ୍କ ସହ ବହିର୍ଗତ ହେଲେ । ପଥ ଦୀର୍ଘ । ମଧ୍ୟାହ୍ନ ବେଳକୁ ସଭିଏଁ ଗୋଟିଏ ଝରଣା କଡ଼ରେ ବିଶ୍ରାମ କରିବା ସଙ୍ଗେ ସଙ୍ଗେ ଆଶ୍ରମରୁ ନେଇଥିବା ଖାଦ୍ୟର ସଦୁପଯୋଗ କଲେ । ପରେ ପରେ ଝରଣାକୁ ପାଣି ପିଇବାକୁ ଯାଇ କନିଷ୍ଠ ରାଜପୁତ୍ର ଅଦୂରରେ କିଛି ଅସ୍ଥି କଙ୍କାଳ ପଡ଼ିଥିବା ଦେଖି ହାତତାଳି ଦେଇ କହିଲେ, “ଦେଖ ଦେଖ, ମୁଁ ଏପରି ମନ୍ତ୍ର ପଢ଼ିବି ଯେ, ଏସବୁ ବିକ୍ଷିପ୍ତ ଅସ୍ଥି ଏକତ୍ର ହୋଇ ପରିପୂର୍ଣ୍ଣ କଙ୍କାଳ ବନିଯିବ ।”

“ଆଉ ମୁଁ । ଏମିତି ମନ୍ତ୍ର ପଢ଼ିଦେବି ଯେ, ସେ କଙ୍କାଳ ଉପରେ ରକ୍ତମାଂସର କଳେବର କଅଁଳି ଉଠିବ ।” – କହିଲେ ମଧ୍ୟମ ରାଜପୁତ୍ର ।

“ହାଃ ହାଃ, ଆଉ ମୋତେ ଜଣା ସେ ଦେହରେ ଜୀବନ୍ୟାସ ଦେବାର ସୂତ୍ର !” – କହିଲେ ଭାବି ଯୁବରାଜ ।

ସାବଧାନ ! – ପାଟିକଲେ ଧୀମାନ୍ । କିନ୍ତୁ ତାଙ୍କୁ ଯଥେଷ୍ଟ ସବଳ କଣ୍ଠରେ ପାଟି କରି ଆସୁନଥିଲା । ତା’ ଛଡ଼ା ରାଜପୁତ୍ରମାନେ ନିଜ କୃତିତ୍ୱ ଉପଭୋଗ କରିବା ଆଶାରେ ମସ୍‌ଗୁଲ୍ ଥିଲେ ।

ଚାହୁଁ ଚାହୁଁ ଅସ୍ଥିତକ ଯୋଡ଼ି ହୋଇ ପୂର୍ଣ୍ଣାଙ୍ଗ କଙ୍କାଳ ହୋଇଗଲା । ପରମୁହୂର୍ତ୍ତରେ ତହିଁ ଉପରେ ଫୁଟିଉଠିଲା କଳେବର- ଗୋଟିଏ ବିରାଟ ସିଂହର ।

“ଭାଇ ! ତମେ ସିଂହ ଚଢ଼ି ରାଜଧାନୀରେ ପ୍ରବେଶ କରିବ । ଆମେ ଦୁଇକଡ଼ରେ ସିଂହ ଉପରେ ହାତ ଥୋଇ ଚାଲିବୁ । ଲୋକେ ଦେଖି ଯେମିତି ଚକିତ ହେବେ, ସେମିତି ମୁଗ୍ଧ ହେବେ ।” – କହିଲେ କନିଷ୍ଠ ରାଜପୁତ୍ର ।

ଯୁବରାଜ ! ଖବରଦାର୍ ! ତମ ମନ୍ତ୍ର ତମେ ପ୍ରୟୋଗ କରିବାରୁ କ୍ଷାନ୍ତ ହୁଅ । ଧୀମାନ୍ ଏହା କହିବାବେଳକୁ ଯୁବରାଜଙ୍କ କଣ୍ଠରୁ ତୃତୀୟ ମନ୍ତ୍ର ନିର୍ଗତ ହୋଇସାରିଲାଣି ।

ଧୀମାନ୍ ତତ୍‌କ୍ଷଣାତ୍ ଗୋଟିଏ ଗଛରେ ଚଢ଼ିଗଲେ । ଭୀଷଣ ଗର୍ଜନ ଛାଡ଼ି, ଦେହ ଝାଡ଼ିଝୁଡ଼ି, ସିଂହ ଉଠି ଠିଆ ହେଲା ଓ ବେଶ୍ ଅଭିଜାତ ଢଙ୍ଗରେ ଲାଞ୍ଜ ଆନ୍ଦୋଳନ କରି ଇତସ୍ତତଃ ଦୃଷ୍ଟିପାତ କଲା ।

ସେତେବେଳକୁ, ମୁହୂର୍ତ୍ତକ ପୂର୍ବରୁ ସେ ଆହ୍ଲାଦିତ ରାଜଯୁବାଗଣ ପରସ୍ପରକୁ ଜାବୁଡ଼ି ଧରି ଗୋଟାପଣ ଥରୁଥାନ୍ତି । ସିଂହ ସେମାନଙ୍କ ଆଡ଼କୁ ଦୁଇ ପାହୁଣ୍ଡ ଅଗ୍ରସର ହେବାବେଳକୁ ସେମାନେ ଆର୍ତ୍ତନାଦର ଭୂମିକା ମାତ୍ର ଦେଇପାରିେଲ । ପରେ ପରେ ସମବେତ ଭାବରେ ସେମାନଙ୍କ ପାଟି ଜାବ ପଡ଼ିଗଲା ।

ସିଂହ ଲମ୍ଫ ଦେବାକୁ ଉଦ୍ୟତ ହେଲା ।

ଥୟ ଧର, ସିଂହ । ଉଦାତ୍ତ କଣ୍ଠରେ ବୃକ୍ଷ ଉପରୁ କହିଲେ ଧୀମାନ୍ । ପଶୁପକ୍ଷୀଙ୍କୁ ନିଜ ଭାଷାର୍ଥ ବୁଝାଇଦେବାର ଏବଂ ପଶୁପକ୍ଷୀଙ୍କ ବକ୍ତବ୍ୟ ବୁଝିବାର ମହତ୍ ଶକ୍ତି ସେ ଆୟତ୍ତ କରିଥିଲେ ।

ସିଂହ ରହିଗଲା ଓ ଧୀମାନ୍‌ଙ୍କୁ ଠାବ କରି ତାଙ୍କ ଉପରେ ନିଜର ବିସ୍ମିତ ଦୃଷ୍ଟି ନିବଦ୍ଧ କଲା ।

ଧୀମାନ୍ କହିଲେ, “ସିଂହବର ! ଯେଉଁ ତିନି ଯୁବକ ତୁମକୁ ଜୀବନ ଦେଲେ, ତୁମେ ସେହିମାନଙ୍କୁ ଭକ୍ଷଣ କରିବା କେତେଦୂର ଯୁକ୍ତିଯୁକ୍ତ କାର୍ଯ୍ୟ ।”

ସିଂହ ଧୀମାନ୍‌ଙ୍କ ଆଡ଼େ ବଲବଲ ଅନାଇଁ ସତେ ଅବା ଅବସ୍ଥା ଆକଳନ କରିବାର ପ୍ରୟାସ କଲା ଓ ତା’ପରେ କହିଲା, “ମହାଶୟ ! ସେମାନେ ମୋତେ ଜୀବନ ଦେବା କଥା ମୁଁ ବା କାହୁଁ ଜାଣନ୍ତି । ସେ ଯାହା ହେଉ, ମୋତେ ଜୀବନ ଦେବା ସଙ୍ଗେ ସଙ୍ଗେ ସେମାନେ ମୋ କ୍ଷୁଧାକୁ ମଧ୍ୟ ଜୀବନ ଦେଲେ- ହୁଏତ ଏକ ଶତାବ୍ଦୀର କ୍ଷୁଧା । ସେ ଯନ୍ତ୍ରଣା ତୁମେ ଅନ୍ଦାଜ କରିପାରିବ ନାହିଁ । ପରେ ଅବଶ୍ୟ ସ୍ୱାଭାବିକ ରୀତିରେ ପଶୁ ଶିକାର କରି ପ୍ରାଣ ଧାରଣ କରିବି- କିନ୍ତୁ ଏହି ମୁହୂର୍ତ୍ତରେ ସେଭଳି ବଳ ନାହିଁ । ଆଉ ବଳ ପାଇବା ପାଇଁ ଏମାନଙ୍କ ଛଡ଼ା ଖାଦ୍ୟର ବିକଳ୍ପ ନାହିଁ ।

ବିକଳ୍ପ ଅଛି, ପଶୁରାଜ । ସେ ବିକଳ୍ପ ମୁଁ । ଅବତରଣ କରୁଛି । ମୁହୂର୍ତ୍ତେ ଧୈର୍ଯ୍ୟ ଧର । – ଧୀମାନ୍ ଗୋଟାଏ ଧାପ ତଳ ଶାଖାକୁ ଅବତରଣ କରୁ କରୁ କହିଲେ ।

ସିଂହର ନୟନଯୁଗଳରେ ବିମର୍ଷ ଭାବ ଫୁଟିଉଠିଲା । ସେ ପ୍ରଶ୍ନ କଲା, “ମହାଶୟ ! ଜୀବନର ଆଭିମୁଖ୍ୟ କ’ଣ ?”

“ଜୀବନର ଆଭିମୁଖ୍ୟ ଅନ୍ଧକାର ଭିତରୁ ଆଲୋକ ଅଭିମୁଖରେ, ଅଜ୍ଞାନ ଭିତରୁ ଜ୍ଞାନଲାଭ ଦିଗରେ ଗତି- ଅର୍ଥାତ୍ ପ୍ରଗତି !” – କହିଲେ ଧୀମାନ୍ ।

“ବେଶ୍, ମୋ ପ୍ରାଣଦାତାଙ୍କ ସମ୍ପର୍କରେ ମୁଁ ଅଜ୍ଞାନ ଥିଲି- ଆପଣ ମୋତେ ସେ ଜ୍ଞାନ ଦେଲେ । ଅନ୍ୟ କଥାରେ, ଆପଣ ମୋ ଜୀବନର ଆଭିମୁଖ୍ୟର ଅନ୍ୟତମ ଦିଗ୍‌ଦ୍ରଷ୍ଟା । ଯଦି ଆପଣଙ୍କୁ ହିଁ ଭକ୍ଷଣ କରି ଜୀବନଧାରଣ କରିବାକୁ ହେବ, ତେବେ ଜୀବନଧାରଣ କରିବାର ଯଥାର୍ଥ୍ୟ କେଉଁଠି ?” – ସିଂହ ପ୍ରଶ୍ନ କଲା ।

ଶୁଣ ସିଂହ ! ମୁଁ ଯେମିତି ସେ ତିନି ଯୁବକଙ୍କ ନିରାପତ୍ତା ପାଇଁ ଦାୟୀ, ତୁମକୁ ତୁମ ସ୍ୱନିର୍ବାଚିତ ଆହାରରୁ ବଞ୍ଚିତ କରୁଥିବା ଯୋଗୁଁ ବିକଳ୍ପ ଆହାର ଯୋଗାଇଦେବା ପାଇଁ ମଧ୍ୟ ମୁଁ ବାଧ୍ୟ । ଅତଏବ ଆଉ ଦ୍ୱିଧା ବା ସଙ୍କୋଚ ନ କରି ମୋ ଦ୍ୱାରା ତୁମର ଭୟଙ୍କର କ୍ଷୁଧା ଆଂଶିକ ପ୍ରଶମିତ କର ।

ଧୀମାନ୍‌ଙ୍କ ପ୍ରସ୍ତାବରେ ସିଂହ ପ୍ରାୟ ବିଦ୍ରୋହୀ ହୋଇଉଠିଲା । ଦୁହିଁଙ୍କ ଭିତରେ ଆହୁରି କିଛି ସମୟ ଧରି ତର୍କବିତର୍କ ଚାଲିଲା । ଅବଶେଷରେ ସିଂହ କହିଲା, ମହାତ୍ମା ! ଗୋଟିଏ ଜୀବନକାଳ ଭିତରେ ମୋ ଚେତନାର ଯେତିକି ପ୍ରଗତି ହୋଇପାରିଥାନ୍ତା, ଆଜି କେଇ ମୁହୂର୍ତ୍ତ ଭିତରେ ଆପଣଙ୍କ ସତ୍ସଙ୍ଗବଳରେ ତହିଁରୁ ଅଧିକ ହୋଇପାରିଛି । କ୍ଷୁଧା ମୋତେ ଆଉ ବେଶି ସମୟ ବଞ୍ଚିବାକୁ ଦେବନାହିଁ । ମୁଁ ପ୍ରାଣତ୍ୟାଗ କରୁଛି । କିନ୍ତୁ ଆପଣ ମୋର ଗୁରୁ । ଆପଣଙ୍କ ସକାଶେ କିଞ୍ଚିତ୍ ଭେଟିର ବ୍ୟବସ୍ଥା କରିନଗଲେ ତୃପ୍ତିରେ ମରିପାରିବିନାହିଁ । ଆପଣଙ୍କୁ ଅନୁରୋଧ, ଆପଣ ମୋ ଛାଲଟିକୁ ଆସନରୂପେ ବ୍ୟବହାର କରିବେ ।

ଇତିମଧ୍ୟରେ, ସିଂହ ଓ ଧୀମାନ୍‌ଙ୍କ ଭିତରେ ଦାର୍ଶନିକ ଆଲୋଚନା ଅବସରରେ, ତିନି ରାଜପୁତ୍ର ଦୌଡ଼ିଯାଇ ଦୁଇଜଣ ବନବାସୀ ତୀରନ୍ଦାଜଙ୍କୁ ଡାକି ଆଣିଥିଲେ । ସିଂହ ଧୀମାନ୍‌ଙ୍କ ଉଦ୍ଦେଶ୍ୟରେ ତା’ର ନିବେଦନ ସମାପ୍ତ କରି ଅବସନ୍ନ ଭାବରେ ଟଳିପଡ଼ିବା ମୁହୂର୍ତ୍ତରେ ଦୁଇଟି ଭୀଷଣ ତୀର ଆସି ତା’ କଳେବର ଭେଦକଲା । ତୀରଭେଦ ପୂର୍ବରୁ ସେ ପ୍ରାଣତ୍ୟାଗ କରିଥିଲା, ନା ତା’ ପ୍ରାଣତ୍ୟାଗଧାରାକୁ ତୀର ଦୁଇଟି ତ୍ୱରାନ୍ୱିତ କଲେ, ସେ କଥା କହିବା ସମ୍ଭବ ନୁହେଁ ।

ରାଜପୁତ୍ରମାନେ ଆନନ୍ଦରେ ନାଚି ନାଚି ଧୀମାନ୍‌ଙ୍କ ପାଖକୁ ଆସିଲେ । ଭାବି ଯୁବରାଜ ଉତ୍‌ଫୁଲ୍ଲ କଣ୍ଠରେ କହିଲେ, “ବନ୍ଧୁ ! ତୁମେ ଯେପରି ସିଂହକୁ ସଂଳାପରେ ବ୍ୟାପୃତ ରଖି ଆମ ପ୍ରାଣ ରକ୍ଷା କଲ, ଆମେ ସେମିତି ତାକୁ ବଧ କରି ତମ ପ୍ରାଣ ରକ୍ଷା କଲୁ ।”

ଚମତ୍କାର ! ତୁମ ଓ ମୋ ଭିତରେ ବର୍ତ୍ତମାନ କେହି କାହାରି ପ୍ରତି ଋଣୀ ନୋହୁଁ । ତୁମେ ଏ ଦୁଇଜଣ ବନବାସୀଙ୍କୁ ଦେହରକ୍ଷୀ ନିଯୁକ୍ତ କରି ତୁମ ବାଟରେ ଯାଅ- ମୁଁ ମୋ ବାଟରେ ଯାଏ ।

“ତୁମ ବାଟ ବୋଇଲେ ?” – ବିସ୍ମିତ ରାଜପୁତ୍ରମାନେ ପ୍ରଶ୍ନ କଲେ ।

ଆଶ୍ରମର ବାଟ ।

ଭାବି ରାଜପୁତ୍ର ତାଙ୍କୁ ଯେତେ ମନ୍ତ୍ରୀପଦର ଲୋଭ ଦେଖାଇଲେ, ସେ ଆଉ ଶୁଣିଲେ ନାହିଁ । ରାଜପୁତ୍ରମାନଙ୍କୁ ବିଦାୟ ଦେଇ, ସ୍ଥାନୀୟ ବନବାସୀଙ୍କ ସାହାଯ୍ୟରେ ସିଂହର ଛାଲଟିକୁ ବାହାର କରି ନେଇ ଆଶ୍ରମକୁ ଲେଉଟି ଗୁରୁ ତ୍ରିଦେବଙ୍କ ଆଗରେ ସବୁ ବର୍ଣ୍ଣନା କଲେ ଓ କହିଲେ, “ଗୁରୁଦେବ ! ସିଂହର ପ୍ରଶ୍ନରେ ହିଁ ଜୀବନର ଆଭିମୁଖ୍ୟ ସମ୍ପର୍କରେ ମୁଁ ହଠାତ୍ ଚେତି ଉଠିଲି । ସିଂହଟି ମୋ ଗୁରୁସ୍ଥାନୀୟ ନ ହେଲେ ବି ଗୁରୁଭାଇ ସ୍ଥାନୀୟ । ତା’ ଛାଲ ଉପରେ ମୁଁ ବସିବି କିପରି ? ଆପଣ ଏହାକୁ ଆସନରୂପେ ଗ୍ରହଣ କରନ୍ତୁ ।”

ତାହା ହିଁ ହେଲା । ଗୁରୁ ତ୍ରିଦେବଙ୍କ ଅନ୍ତେ ଧୀମାନ୍ ହେଲେ ଗୁରୁକୁଳର ଅଧ୍ୟକ୍ଷ । ଗୁରୁଙ୍କ ବ୍ୟବହୃତ ସିଂହଚର୍ମାସନଟିକୁ ସେ ଏକ ପୂଜ୍ୟବସ୍ତୁର ମର୍ଯ୍ୟାଦା ଦେଇ ସାଇତି ରଖିଲେ । କେତେ ଶହ ବର୍ଷ ବିତିଗଲାଣି । ଆଶ୍ରମର ବର୍ତ୍ତମାନ ଉତ୍ତରାଧିକାରୀ ମଧ୍ୟ ତାକୁ ସେମିତି ମର୍ଯ୍ୟାଦା ଦିଅନ୍ତି ।

ଅବୋଲକରା ସିଂହଛାଲ ଉଦ୍ଦେଶ୍ୟରେ ପ୍ରଣାମ କରି କହିଲା, “ଆପଣ କାହାରି ଘରେ କୌଣସି ଜିନିଷପତ୍ର ଟଣାଟଣି ନକରିବାକୁ ମୋତେ କେତେଥର କହିଛନ୍ତି । କିନ୍ତୁ ଦେଖନ୍ତୁ ଗୁରୁ, ମୋ ଚଗଲାମି ବି ଥରେ ଥରେ ଆପଣଙ୍କ ଆଶୀର୍ବାଦରୁ ମୋର ଶିକ୍ଷାରେ ପରିଣତ ହୁଏ ।”

ସେ ଏଥର ସାଆନ୍ତଙ୍କୁ ପ୍ରଣାମ କଲା ।

ଲୋକପ୍ରିୟ ଲେଖା

To Top