ପ୍ରବନ୍ଧ

ଭାରତୀୟ ଦର୍ଶନ ଓ ନାଥ ତତ୍ତ୍ୱ

Shreebatsa Prasad Nath's odia prose Bhaaratiya Darshan O Naathatattwa

ସିଦ୍ଧମାନଙ୍କ ମତରେ ସଂସାରରେ ମୋକ୍ଷପ୍ରାପ୍ତି ପାଇଁ ଯୋଗ ବ୍ୟତୀତ ଅନ୍ୟ କୌଣସି ଦ୍ୱିତୀୟ ମାର୍ଗ ନାହିଁ ।

ଭାରତୀୟ ଦର୍ଶନ ଓ ନାଥ ତତ୍ତ୍ୱ

-: ପୂର୍ବରୁ :-

ମହାଯୋଗୀ ଗୋରେଖନାଥଙ୍କ ସମୟରୁ ନାଥଯୋଗ ଓ ମହର୍ଷି ପାତଞ୍ଜଳିଙ୍କ ଯୋଗ ମଧ୍ୟରେ କିଛିଟା ପାର୍ଥକ୍ୟ ପରିଲକ୍ଷିତ ହୋଇଥିଲା । ପାତଞ୍ଜଳି ତାଙ୍କ ଯୋଗ ଦର୍ଶନରେ କୁଣ୍ଡଳିନୀ ଜାଗରଣ ସମ୍ୱନ୍ଧରେ କୌଣସି ଚର୍ଚ୍ଚା କରି ନାହାନ୍ତି । ସନ୍ଥ ନାଥଯୋଗୀ କହନ୍ତି- “କେବଳ ଷଡ଼ଚକ୍ର ଭେଦ କଲେ ପରମତତ୍ତ୍ୱ ପ୍ରାପ୍ତି ସମ୍ଭବ ନୁହେଁ । ସେଥିପାଇଁ ଷଡ଼ଚକ୍ର ଭେଦନ ପରେ ଅଷ୍ଟଦଳ କମଳକୁ ଭେଦ କରିବାକୁ ପଡ଼ିବ ।” ନାଥଯୋଗୀମାନେ କୁଣ୍ଡଳିନୀ ଶକ୍ତି ଜାଗରଣ ଦିଗରେ ଅଧିକ ଗୁରୁତ୍ୱ ଦେଉଥିଲେ । ସେମାନେ ଶବ୍ଦ ବ୍ରହ୍ମବାଦ ଓ ରସ ସିଦ୍ଧିକୁ ତାଙ୍କ ଦର୍ଶନ ମଧ୍ୟରେ ପ୍ରାଧାନ୍ୟ ଦେଇଛନ୍ତି । ସେମାନେ ଯୋଗ ବଳରେ ନିରାମୟ ଦୀର୍ଘାୟୁ ଜୀବନ ସହିତ ତ୍ରିକାଳଦର୍ଶୀ ହୋଇ ଅମରତ୍ୱ (ମୋକ୍ଷପଦ) ଲାଭ କରିବାକୁ ଚାହୁଁଥିଲେ ।

ମହର୍ଷି ପାତଞ୍ଜଳିଙ୍କ ପ୍ରବର୍ତ୍ତିତ ଯୋଗାନୁଶାସନରେ ତାତ୍ତ୍ୱିକ ସମାପ୍ତି ହିଁ ନାଥଯୋଗ ସାଧନର ଆରମ୍ଭ ଅଥବା ଆଦିଭୂମି ବୋଲି ବିବେଚିତ ହୁଏ । ନାଥ ଯୋଗ ଦର୍ଶନର ଏହା ହେଉଛି ବିଶେଷତ୍ୱ ଓ ମହନୀୟତା । ମହର୍ଷି ପାତଞ୍ଜଳି ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧିକୁ ନେଇ ଅଷ୍ଟାଙ୍ଗ ଯୋଗର ପ୍ରଚାର କରିଥିଲେ । ସେ କହିଛନ୍ତି ଚିତ୍ତବୃତ୍ତି ନିରୋଧ ହେବା ପରେ ଦ୍ରଷ୍ଟାର ଆତ୍ମସ୍ୱରୂପ ପରମାତ୍ମାଙ୍କର ସ୍ଥିତି ହୋଇଯାଏ । ସମାଧି ଅବସ୍ଥା ଉଦୟ ହେଲେ ଧ୍ୟାନରେ ଧ୍ୟେୟ ଭାବର ଜ୍ଞାନ ଆସିଥାଏ । ସେତେବେଳେ ଚିତ୍ତର ନିଜସ୍ୱ ରୂପ ବିଲୀନ ହୋଇଯାଏ । ଚିଦାତ୍ମା ପୁରୁଷ ଆପଣା ସ୍ୱରୂପରେ ପ୍ରତିଷ୍ଠିତ ହୁଅନ୍ତି । ଏହାର ନାମ କୈବଲ୍ୟ । ଏହାକୁ ସମାଧି କହନ୍ତି ।

ତଦେବାର୍ଥଭାତ୍ର ନିଭସିଂ ସ୍ୱରୂପ ଶୂନ୍ୟମିବ ସମାଧିଃ । (ଯୋଗସୂତ୍ର-ପାତଞ୍ଜଳି)

ମହର୍ଷି ପାତଞ୍ଜଳି ଚିତ୍ତବୃତ୍ତି ନିରୋଧ ରୂପକ ଅନୁଶାସନ ଦ୍ୱାରା ସାଧାରଣ ଲୋକଙ୍କ ପାଇଁ ଯୋଗପଥ ସୁଗମ କରି ଦେଇଛନ୍ତି । ସମାଧି, ସାଧନ, ବିଭୂତି ଓ କୈବଲ୍ୟ- ଏହି ଚାରିଗୋଟି ପାଦରେ ଯୋଗମାର୍ଗକୁ ବିଭକ୍ତ କରିଛନ୍ତି ।

ନାଥଯୋଗର ମହାନ୍ ତତ୍ତ୍ୱ ଚିନ୍ତକ ମହାଯୋଗୀ ଗୋରେଖନାଥ କହନ୍ତି- ଏହି ସମାଧି ଅବସ୍ଥାରେ ଯୋଗୀ ଦ୍ୱାରା ଆତ୍ମାକୁ ଧ୍ୟାନରେ କୈବଲ୍ୟ ପ୍ରାପ୍ତିର ସଙ୍କେତ ମିଳେ ।

ଆତ୍ମାନଂ ସର୍ବାଗଂ ଧ୍ୟାତ୍ୱା ଯୋଗୀ ମୁକ୍ତିମବାପ୍ମ୍ରୟାତ୍ । (ଗୋରଖ ପଦ୍ଧତି)

ଅଷ୍ଟାଙ୍ଗ ଯୋଗର ପରିପୂର୍ଣ୍ଣତା ପାଇଁ ସିଦ୍ଧ ସିଦ୍ଧାନ୍ତ ପଦ୍ଧତି ଗ୍ରନ୍ଥରେ ମହାଯୋଗୀ ଗୋରେଖନାଥ ବିଶେଷ ବିବରଣୀ ପ୍ରଦାନ କରି ଯାଇଛନ୍ତି । ଉକ୍ତ ଯୋଗସାଧନ କ୍ରମରେ ଷୋଡ଼ଶାଧାର, ଚକ୍ରଭେଦନ, ପଞ୍ଚବ୍ୟୋମ, ଲକ୍ଷ୍ୟ ଆଦିର ପରିଜ୍ଞାନ, ପ୍ରଧାନ ନାଡ଼ି, ଦଶବାୟୁ, ପ୍ରାଣ ସାଧନା, ମୁଦ୍ରାବନ୍ଧ, ନାଦାନୁସନ୍ଧାନ, କୁଣ୍ଡଳିନୀ ଜାଗରଣ, ପିଣ୍ଡରୁ ଅମୃତପାନ, ନିରୁତ୍ଥାନ ଦଶାପ୍ରାପ୍ତି, ଚିତ୍ତ ବିଶ୍ରାନ୍ତି ଓ କୈବଲ୍ୟ ପଦ ପ୍ରାପ୍ତିର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ଉପଲବ୍ଧ ହୁଏ ।

ମୋଟ ଉପରେ ମହାତ୍ମା ଗୋରେଖନାଥ ଭଗବାନ ଶିବଙ୍କ ଦ୍ୱାରା ଉପବିଷ୍ଟ ହୋଇ ବିଶ୍ୱବାସୀଙ୍କୁ ସତ୍ପ୍ରେରଣା ଦେଇ ଯାଇଛନ୍ତି । ଏହା ସମ୍ପୂର୍ଣ୍ଣ ଭାବରେ ପ୍ରାଚୀନ ଶୈବ ମତବାଦ ଉପରେ ପ୍ରତିଷ୍ଠିତ । ଗୋରେଖ ଶତକରେ ବର୍ଣ୍ଣିତ ଅଛି ।

ଦ୍ୱିଜ ସେବିତ ସାଖସ୍ୟ ଶ୍ର୍ରତି କଳ୍ପତରୋଃ ଫଳମ୍
ଶମନ ଭବତାପସ୍ୟ ଯୋଗଂ ଭଜତ ସତ୍ତମାଃ ।

ଏହାର ଅର୍ଥ ଏହିକି ବେଦ କଳ୍ପତରୁ ସ୍ୱରୂପ । ଯେପରି କଳ୍ପତରୁ ଶାଖା ପକ୍ଷୀମାନଙ୍କର ଆଶ୍ରୟସ୍ଥଳ, ଠିକ୍ ସେହିପରି ଦ୍ୱିଜମାନଙ୍କ (ପଣ୍ଡିତ ଓ ବିଦ୍ୱାନ) ଦ୍ୱାରା ବେଦର ଶାଖା, ପ୍ରଶାଖା ଅନୁଶୀଳନ କରାଯାଇଅଛି । ବେଦରୂପୀ କଳ୍ପତରୁର ଫଳ ନାଥଯୋଗ । ହେ ସତ୍ପୁରୁଷ ! ଏହାକୁ ସାଧନ କର । ନାଥ ଯୋଗ ସଂସାରର ଅଧିଦୈହିକ, ଆଧିଭୌତିକ ଓ ଆଧିଦୈବିକ ତାପକୁ ନାଶ କରିଦିଏ । ଯୋଗ ଅଭ୍ୟାସ ବା ସାଧନରେ ସାଂସାରିକ ଦୁଃଖ ଅଥବା ଭବବନ୍ଧନ ସମାପ୍ତ ହୋଇଯାଏ । ସିଦ୍ଧମାନଙ୍କ ମତରେ ସଂସାରରେ ମୋକ୍ଷପ୍ରାପ୍ତି ପାଇଁ ଯୋଗ ବ୍ୟତୀତ ଅନ୍ୟ କୌଣସି ଦ୍ୱିତୀୟ ମାର୍ଗ ନାହିଁ ।

ତସ୍ମାଦ୍ ଯୋଗତ୍ପରୋତରୋ ନାସ୍ତି ମାର୍ଗସ୍ତୁ ମୋକ୍ଷଦଃ । (ଯୋଗବୀଜ)

ନାଥଯୋଗ ସାଧନ କରି ସାଧକ ଅଜର ଅମର ଶରୀର ଧାରଣ କରିବା ସଙ୍ଗେ ସଙ୍ଗେ ସିଦ୍ଧ ଦେହରେ ଚାରିଆଡ଼େ ବିଚରଣ କରେ ଓ ଜୀବନ୍ମ୍ରକ୍ତି ପାଏ ।

ଜୈନ ଓ ବୌଦ୍ଧ ଧର୍ମରେ ମଧ୍ୟ ଯୋଗକୁ ଭିନ୍ନ ରୂପରେ ପ୍ରୟୋଗ କରାଯାଇଛି । ଜୈନମାନେ ଅନେକାନ୍ତବାଦ, କଠୋର ସଂଯମ, କର୍ମକ୍ଷୟ ଓ ସମତ୍ୱଯୋଗ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସେହିପରି ବୌଦ୍ଧମାନେ ଯୋଗ ସାଧନରେ ଶୀଳ, ସମାଧି, ପ୍ରଜ୍ଞା, ମୈତ୍ର୍ୟାଦି ବ୍ରହ୍ମ ବିହାର ଏବଂ ଧ୍ୟାନ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ । ପୁନଶ୍ଚ ଶ୍ରୀମଦ୍ ଭଗବତ୍ ଗୀତାରେ କଥିତ ଅଛି ।

ସର୍ବଭୂତ ସ୍ଥମାତ୍ମାନଂ ସର୍ବଭୂତାନି ଚାତ୍ମନି ।
ଇକ୍ଷତେ ଯୋଗ ଯୁକ୍ତାତ୍ମା ସର୍ବତ୍ର ସମଦର୍ଶନଃ । । (ଗୀତା-୬/୧୯)

ଗୀତା ଧର୍ମରେ ମଧ୍ୟ ନାଥ ଯୋଗ ଦର୍ଶନର ଯୁକ୍ତି ସଙ୍ଗତ ଧାରା ସ୍ୱରୂପ ଦର୍ଶନ ଓ ତତ୍ତ୍ୱ ସାକ୍ଷାତ୍କାରର ପ୍ରଭାବ ପଡ଼ିଥିବା ଏଥିରୁ ସ୍ପଷ୍ଟ ଅନୁମିତ ହୁଏ । ଗୀତାର ଷଷ୍ଠ ଅଧ୍ୟାୟରେ ଯୋଗର ବିସ୍ତୃତ ବର୍ଣ୍ଣନା ଦିଆଯାଇଛି । ପ୍ରକୃତରେ ଦେଖିବାକୁ ଗଲେ ଗୀତାର ଦର୍ଶନ ହେଉଛି ଜ୍ଞାନ ଭିତ୍ତିକ କର୍ମଯୋଗ, ଯାହା ଭକ୍ତି ଦ୍ୱାରା ସମର୍ଥିତ ଓ ସୁରଭିତ ହୋଇଛି ।

ଶରୀରକୁ ନାନା କଷ୍ଟ ଦେଇ ଏ ପ୍ରକାର କଠୋର ସାଧନା ପଥରେ ବହୁ ସମସ୍ୟା ବିଜଡ଼ିତ ପରବର୍ତ୍ତୀ ମାନବ ସମାଜ ଅନ୍ନମୟୀ ପିଣ୍ଡ ଧାରଣ କରି ଆଉ ଅଧିକ କାଳ ଅଗ୍ରସର ହୋଇ ପାରିଲା ନାହିଁ । ତେଣୁ ଏ ଦିଗରେ ନାନା ଅସାଧୁ ଉପାୟ ଅବଲମ୍ୱନ କରି ବୌଦ୍ଧ ଯୁଗର ଅନ୍ତିମ ମୁହୂର୍ତ୍ତରେ ନକଲି ଯୋଗୀମାନେ ତାନ୍ତ୍ରିକ କାପାଳିକ ସିଦ୍ଧ ରୂପରେ ଦେଖା ଦେଇଥିଲେ । କାଳକ୍ରମେ ଅନ୍ନଗତ ପ୍ରାଣ ଦୁର୍ବଳ ଜନତା ବାହ୍ୟ ଉପାସନା, ଭଜନ, କୀର୍ତ୍ତନ, ଜଣାଣ, ଗୁଣାନ ଓ ପ୍ରେମଭକ୍ତି ବ୍ରତ ଆଚରଣ କରି ପରମାତ୍ମାଙ୍କ ସନ୍ଧାନ ନେଇଅଛି । ଏହାର ଜ୍ୱଳନ୍ତ ନିଦର୍ଶନ ବୌଦ୍ଧ ଯୁଗର ପରବର୍ତ୍ତୀ ଶୈବ ଓ ବୈଷ୍ଣବ ଧର୍ମରେ ପରିଲକ୍ଷିତ ହୋଇଥାଏ । ଏଣିକି ଭଗବତ୍ ପ୍ରାପ୍ତି ସହଜ ଲବ୍ଧ ହୋଇଗଲା ।

ନାଥ ଦର୍ଶନର ଅନ୍ୟ ଏକ ବିଭବ ହେଉଛି ଶବ୍ଦବ୍ରହ୍ମ ବା ସ୍ଫୋଟବାଦ । ଏହାକୁ ମଧ୍ୟ ଶବ୍ଦାଦ୍ୱୈତ ବାଦ କୁହାଯାଏ । ଏହି ଦର୍ଶନରେ ଅଛି- ଶବ୍ଦ ଅନାଦି ଓ ସନାତନ ଅଟେ । ଶବ୍ଦ ବିନା ଜ୍ଞାନର ପ୍ରକାଶ ହୁଏ ନାହିଁ । ଯାହା ଆମ୍ଭେମାନେ ଦେଖୁଛୁ ତାହା ଅବାସ୍ତବ । ଶବ୍ଦ ଓ ଜ୍ଞାନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଶବ୍ଦର ସ୍ମୃତି ହିଁ ଶ୍ୱାସାଦି କ୍ରିୟାକୁ ପରିପ୍ରକାଶ କରେ । ସଂସାର ଏହି ଶବ୍ଦମାନଙ୍କର ଅର୍ଥରେ ତିଆରି ହୋଇଛି । ବାଚକତାର ମୂଳମନ୍ତ୍ର ହେଉଛି ପ୍ରଣବ । ବିଶ୍ୱ ଶବ୍ଦ ବ୍ରହ୍ମର ବିବର୍ତ୍ତନ ଧାରାରେ ଭିନ୍ନ ଭିନ୍ନ ରୂପରେ ଦେଖା ଦେଇଛି । ବ୍ୟକ୍ତ ଶବ୍ଦର ବାଣୀ ମୂଳାଧାରରେ ପରା, ନାଭିରେ ପଶ୍ୟନ୍ତି, ହୃଦୟରେ ମଧ୍ୟମା ଓ କଣ୍ଠରେ ବୈଖରୀ ରୂପରେ ପ୍ରକାଶିତ ହୁଏ । ଶବ୍ଦବ୍ରହ୍ମର ଅନୁଭୂତିରେ ସାଧାରଣତଃ ପ୍ରଣବୋପାସନା, ଯୋଗ, ଶୁଦ୍ଧ ଓ ସତ୍ୟ ଭାଷଣ ସହାୟକ ହୋଇଥାଏ ।

ମହର୍ଷି ପାଣିନୀ ବ୍ୟାକରଣ ଶାସ୍ତ୍ରର ଆଦ୍ୟ ପ୍ରଣେତା ହେଲେ ସୁଦ୍ଧା ଯୋଗୀରାଜ ଭର୍ତ୍ତୃହରି ଶବ୍ଦ ବିଦ୍ୟାରେ ଜଣେ ମୋଳିକ ଆଚାର୍ଯ୍ୟ ଥିଲେ । ସେ ମହାଯୋଗୀ ଗୋରେଖନାଥଙ୍କ ପଟ୍ଟ ଶିଷ୍ୟ ଥିଲେ ବୋଲି ପୂର୍ବରୁ କୁହାଯାଇଅଛି । ତାଙ୍କ ପ୍ରଣୀତ ବ୍ୟାକରଣ ଶାସ୍ତ୍ରର ବିରାଟ ପ୍ରସିଦ୍ଧ ଗ୍ରନ୍ଥ ବାକ୍ୟପଦୀୟ ତାଙ୍କର ମହାନ୍ ପାଣ୍ଡିତ୍ୱର ପରିଚାୟକ ଅଟେ । ସେ ପ୍ରଥମେ ଏହି ଶବ୍ଦାଦୈତ୍ୟବାଦର ସୃଷ୍ଟିକର୍ତ୍ତା । କେତେକ ପଣ୍ଡିତଙ୍କ ମତରେ ଆଚାର୍ଯ୍ୟ ମଣ୍ଡନ ମିଶ୍ର ଭର୍ତ୍ତୃହରିଙ୍କ ଶବ୍ଦବ୍ରହ୍ମବାଦକୁ ପ୍ରଧାନ ଭାବେ ଅବଲମ୍ୱନ କରି ବ୍ରହ୍ମସିଦ୍ଧି ନାମକ ଗ୍ରନ୍ଥ ରଚନା କରିଥିଲେ । ଉକ୍ତଗ୍ରନ୍ଥ ଉପରେ ବାଚସ୍ପତି ମିଶ୍ରଙ୍କ ବ୍ରହ୍ମତତ୍ତ୍ୱ-ସମୀକ୍ଷା ନାମକ ଟୀକା ଥିବାର ଜଣାଯାଏ । ଉତ୍ପଳାଚାର୍ଯ୍ୟଙ୍କ ଗୁରୁ କାଶ୍ମିରୀୟ ଶିବାଦ୍ୱୈତ ମତର ପ୍ରଧାନତମ ଆଚାର୍ଯ୍ୟ ସୋମାନନ୍ଦପାଦ ନିଜର ଶିବଦୃଷ୍ଟି ନାମକ ଗ୍ରନ୍ଥରେ ଭର୍ତ୍ତୃହରିଙ୍କ ଶବ୍ଦାଦ୍ୱୈତବାଦର ବିଶେଷ ସମାଲୋଚନା କରିଛନ୍ତି । ଏହା ବ୍ୟତୀତ ଶାନ୍ତିରକ୍ଷିତ ରଚିତ ତତ୍ତ୍ୱସଂଗ୍ରହ, ଅବିମୁକ୍ତାତ୍ମ ରଚିତ ଇଷ୍ଟ ସିଦ୍ଧି ଓ ଜୟନ୍ତ ରଚିତ ନ୍ୟାୟମଞ୍ଜରୀରେ ଶବ୍ଦଦ୍ୱୈତବାଦର ଉଲ୍ଲେଖ ଦେଖାଯାଏ ।

ନାଥଧର୍ମୀମାନେ ଶବ୍ଦବ୍ରହ୍ମରେ ଆତ୍ମାର ନିବେଶ ହେବାକୁ ମୋକ୍ଷ ମାନୁଥିଲେ । କୌଣସି ଧର୍ମ ମତବାଦ ସହିତ ଉକ୍ତ ଶବ୍ଦବ୍ରହ୍ମବାଦର ଅମେଳ ଦେଖାଯାଏ ନାହିଁ । ତେଣୁ ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ରାଜା ପ୍ରଜା ସହିତ ସମସ୍ତ ଦେଶବାସୀ, ବିଦେଶାଗତ ବିଭିନ୍ନ ଜାତି, ଏପରିକି ମୁସଲମାନ ଧର୍ମାବଲମ୍ୱୀମାନେ ଶବ୍ଦବ୍ରହ୍ମ ପୂଜାକୁ ଆଦରରେ ଗ୍ରହଣ କରିଥିଲେ । ଶେଷରେ ତାହା ବେଦଧର୍ମରେ ସ୍ଥାନ ପାଇ ଏକ ସର୍ବୋଦୟ ଗଣଧର୍ମ ରୂପେ ଭାରତବର୍ଷରେ ପ୍ରତିଷ୍ଠିତ ହୋଇଅଛି । ଉପନିଷଦରେ ଅଛି ।

ଦ୍ୱେ ବ୍ରହ୍ମଣୀ ବେଦିତବ୍ୟେ ଶବ୍ଦବ୍ରହ୍ମ ପରଂଚ ଯତ୍,
ଶବ୍ଦ ବ୍ରହ୍ମଣି ନିଷ୍ଣାତଃ ପରଂବ୍ରହ୍ମାଧି ଗଚ୍ଛତି ।

ଏଠାରେ ନାଥପନ୍ଥୀମାନଙ୍କ ଦ୍ୱାରା ପ୍ରଚାରିତ ଶବ୍ଦବ୍ରହ୍ମ ଓ ବୈଷ୍ଣବମାନଙ୍କ ଦ୍ୱାରା ପ୍ରଚାରିତ ନାମବ୍ରହ୍ମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ।

ଶବ୍ଦ ଦୁଇ ପ୍ରକାର- ବର୍ଣ୍ଣାତ୍ମକ ଓ ଧ୍ୱନ୍ୟାତ୍ମକ । ଶବ୍ଦ ବ୍ରହ୍ମଶ୍ଚ ଧ୍ୱନିଶ୍ଚ ଇତି ଭାଷା ପରିଚ୍ଛେଦ ।

ନ ନାଦେନ ବିନାଜ୍ଞାନଂ ନ ନାଦେନ ବିନା ଶିବଃ,
ନନ୍ଦ ରୂପଂ ପରଂ ଜ୍ୟୋତିଃ ନାଦ ରୂପଂ ସ୍ୱୟଂ ହରିଃ ।।

ଶବ୍ଦବ୍ରହ୍ମ, ନାଦବ୍ରହ୍ମ ଓ ନାମବ୍ରହ୍ମ ଏ ସମସ୍ତ ଏକ କଥା । କେବଳ ଏଥିରେ ବର୍ଣ୍ଣଭେଦ ମାତ୍ର ପରିଲକ୍ଷିତ ହୁଏ ।

ନାଥ ଧର୍ମରେ ରସସିଦ୍ଧି ଅନ୍ୟ ଗୋଟିଏ ମାର୍ଗ । ଏହା ରସେଶ୍ୱର ଦର୍ଶନ ନାମରେ ଅଭିହିତ । ଯୋଗ ବଳରେ ଆତ୍ମା ପରମାତ୍ମାଙ୍କ ସାନ୍ନିଧ୍ୟ ଲାଭ କଲେ ଯେପରି ଜୀବନ ସାର୍ଥକ ହୋଇଯାଏ, ସେହିପରି ଯୌଗିକ ପ୍ରକ୍ରିୟାରେ ମଧ୍ୟ ଜରାବ୍ୟାଧି ମୁକ୍ତ ହୋଇ ଶରୀର ସୁସ୍ଥ ସବଳ ଓ ଦୀର୍ଘାୟୁ ହୁଏ । କିନ୍ତୁ ଯୋଗ ସାଧନ ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ ନାନା ବ୍ୟାଧି କବଳରୁ ସର୍ବାସାଧାରଣଙ୍କ ଜୀବନ ସୁରକ୍ଷା ପାଇଁ ଆୟୁର୍ବେଦ ଶାସ୍ତ୍ରର ଉଦ୍ଭବ ହୋଇଛି । ନାଥମାନେ ସାଧାରଣତଃ ଏହି ବିଦ୍ୟାର ଅଧିକାରୀ ଥିଲେ । ସେମାନେ ଜନ ସମାଜରେ ରସବୈଦ୍ୟ ନାମରେ ପରିଚିତ । କର୍ମ ଓ ପ୍ରାରବ୍ଧ ଅନୁସାରେ ରୋଗ ନିରୂପଣ କରି ତହିଁର ଚିକିତ୍ସା କରିବା ଏହି ଦର୍ଶନ ଶାସ୍ତ୍ରର ବିଷୟବସ୍ତୁ । ଏହାର ପରମ ତତ୍ତ୍ୱ ରସ ସ୍ୱରୂପ ଅଟେ । ଏହି ସ୍ଥୂଳ ଜଗତରେ ଶିବ ଓ ପାର୍ବତୀଙ୍କ ମୂଳଭାବ ପାରଦ ଓ ଅଭ୍ର ରୂପରେ ବ୍ୟକ୍ତ ହୋଇଅଛି । ପାରଦକୁ ରସ କୁହାଯାଏ । ପାରଦ ଆନନ୍ଦର ଅଭିବ୍ୟକ୍ତି ଅଟେ । ସଂସାରରୁ ପାର କରେ ବୋଲି ଏହାକୁ ପାରଦ କହନ୍ତି । ପାରଦର ସିଦ୍ଧିରେ ଶରୀର ଜରାମୃତ୍ୟୁରେ ବିଜୟ ଲାଭ କରେ । ନାଥ ବୈଦ୍ୟମାନେ ପାରଦ ଓ ଅଭ୍ରର ସମ୍ମିଶ୍ରଣରେ ବନୌଷଧି ସଂଯୋଗ କରି ବିଭିନ୍ନ ରୋଗରେ ପ୍ରୟୋଗ କରୁଥିଲେ ।

ଇଂରେଜ ଶାସନ କାଳରୁ ଆମ ଦେଶରେ କ୍ରମଶଃ ପାଶ୍ଚାତ୍ୟ ଚିକିତ୍ସା ପଦ୍ଧତିର ପ୍ରଚଳନ କରାଗଲା । ଡାକ୍ତରୀ ଶିକ୍ଷା ପ୍ରସାର ପୂର୍ବରୁ ଦେଶବାସୀ ମୁଖ୍ୟତଃ ଯୌଗୀ ବୈଦ୍ୟମାନଙ୍କ ଦ୍ୱାରା ଚିକିତ୍ସିତ ହୋଇ ଆସୁଥିଲେ । ସେତେବେଳେ ରାଜା ଜମିଦାରମାନଙ୍କ ଗୃହଚିକିତ୍ସକ ଭାବେ ନାଥପନ୍ଥୀ ଯୋଗୀମାନେ ରାଜବୈଦ୍ୟ ରୂପେ କାର୍ଯ୍ୟ କରୁଥିଲେ । ସେଥିପାଇଁ ସେମାନେ ରାଜାନୁଗ୍ରହ ରୂପକ ନିଷ୍କର ଭୂମିବୃତ୍ତି ପାଇଥିଲେ । ଆଉ ମଧ୍ୟ ଦେଶବାସୀ ସେମାନଙ୍କ ଦ୍ୱାରା ବିଶେଷ ଉପକୃତ ହେଉଥିବାରୁ ସେମାନଙ୍କୁ ରାଜା ଜମିଦାରମାନେ ଖଇରାତ୍ ନାଖରାଜ ବାହେଲ ସ୍ୱତ୍ୱ ନାମରେ ସମ୍ପତ୍ତି ଦାନ କରି ଜନବସତି ସ୍ଥାପନ କରିଥିବା ଦୁଷ୍ଟାନ୍ତ ନାଥ ବାସସ୍ଥଳୀ ପୁରାତନ ଗ୍ରାମଗୁଡ଼ିକରୁ ଏବଂ ସେମାନଙ୍କ ଜମିବାଡ଼ିର ପୁରୁଣା କାଗଜପତ୍ରରୁ ଏହା ସ୍ପଷ୍ଟ ଜଣାପଡ଼େ । ପୁନଶ୍ଚ ଏମାନଙ୍କ ଉପାସ୍ୟ ଦେବତା ଆଦିନାଥ ପରଂବ୍ରହ୍ମ ଶିବ ହୋଇଥିବାରୁ ରାଜ୍ୟ ତଥା ଦେଶର ଶୈବପୀଠମାନଙ୍କରେ ପ୍ରଥମ ପ୍ରହର ଶିବ ଯୋଗନିଦ୍ରା ଭଙ୍ଗ ପୂଜା ପାଇଁ ଯୋଗୀ ମହନ୍ତମାନେ ନିଯୋଗ ଅଛନ୍ତି । ସେଥିପାଇଁ ସେମାନେ ନିଷ୍କର ଦେବୋତ୍ତର ସମ୍ପତ୍ତି ଉପଭୋଗ କରୁଥିବା ଦେଖାଯାଏ । ସର୍ବୋପରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ନାନ ପୂର୍ଣ୍ଣିମା ପରେ ଅଣସର ଘରେ ଥାଇ ଜ୍ୱାରାକ୍ରାନ୍ତ ହେବା ସମୟରେ ନାଥ ଯୋଗୀ ବୈଦ୍ୟ (ପୁରୀର ସତ୍ୟନାଥ ମଠାଧିଶ) ଠାକୁରଙ୍କର ପାଚନ ଚିକିତ୍ସା କରିଥାନ୍ତି । ଏହିବିଧି ଅତି ପ୍ରାଚୀନ କାଳରୁ ସମ୍ଭବତଃ ରଥଯାତ୍ରା ଆମ୍ଭ ସମୟରୁ ପ୍ରଚଳିତ ହୋଇ ଆସୁଥିଲା । ସତ୍ୟନାଥ ମଠ ଧ୍ୱଂସପ୍ରାପ୍ତ ହେବାରୁ ବର୍ତ୍ତମାନ ଏ ବ୍ୟବସ୍ଥା ବ୍ରାହ୍ମଣମାନଙ୍କ ଦ୍ୱାରା ସମ୍ପାଦିତ ହେଉଛି ।

ପ୍ରାଚୀନ ଭାରତର ଇତିହାସ ଅନୁଧ୍ୟାନ କଲେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଜଣାପଡ଼େ । ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀ ଠାରୁ ଖ୍ରୀଷ୍ଟାବ୍ଦ ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ ଭାରତୀୟ ଦର୍ଶନ ଜଗତରେ ନାନା ବୈଚିତ୍ର୍ୟ ପୂର୍ଣ୍ଣ ତଥ୍ୟ ଉପଲବ୍ଧ ହୁଏ । ଉକ୍ତ କାଳକୁ ବିଭିନ୍ନ ଭାରତୀୟ ଦର୍ଶନର ସୁବର୍ଣ୍ଣ ଯୁଗ କହିଲେ ଅତୁ୍ୟକ୍ତି ହେବନାହିଁ । ଏହି ଦୀର୍ଘ କାଳ ମଧ୍ୟରେ ଦେବାଙ୍ଗ, ଜୈନ, ବୌଦ୍ଧ, ଶୈବ, ଶାକ୍ତ, ବୈଷ୍ଣବ, ପୁରାଣ (ରାମାୟଣ ଓ ମହାଭାରତ) ଦର୍ଶନ, ନୀତିଶାସ୍ତ୍ର, ବେଦ ବିରୋଧୀ ଚାର୍ବାକ୍ (ଚାରୁବାକ୍ୟ) ଦର୍ଶନ, ସାଂଖ୍ୟ, ଯୋଗ, ନ୍ୟାୟ, ବୈଶେଷିକ, ପୂର୍ବମୀମାଂସା ଓ ଉତ୍ତର ମୀମାଂସା ବା ବେଦାନ୍ତ ଆଦି ବହୁ ଦର୍ଶନ ଶାସ୍ତ୍ର ଏବଂ ଆଉ କେତେକ ଚିକିତ୍ସା, ଜ୍ୟୋତିଷ ଶାସ୍ତ୍ର ଭଳି ଉପଦର୍ଶନ ଗ୍ରନ୍ଥ ଦାର୍ଶନିକ ପଣ୍ଡିତମାନଙ୍କ ଦ୍ୱାରା ସଂସ୍କୃତ ଭାଷାରେ ଲିଖିତ ହୋଇଥିଲା । ଏହା ବ୍ୟତୀତ ନାନା ଦେବଦେବୀଙ୍କ ସ୍ତବ, ସ୍ତୋତ୍ର ଓ ପୂଜା ପଦ୍ଧତି ପ୍ରଭୃତି ସଂସ୍କୃତ ଓ ପ୍ରାକୃତ ଭାଷାରେ ମଧ୍ୟ ରଚନା କରାଯାଇଥିଲା । ଫଳତଃ ସମଗ୍ର ଭାରତବର୍ଷର ଦାର୍ଶନିକ କ୍ଷେତ୍ରରେ ବିରାଟ ବିପ୍ଳବ ଦେଖା ଦେଇଥିଲା । ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟ ଜନ ସାଧାରଣରେ ଅଧିକ ଲୋକପ୍ରିୟତା ଅର୍ଜନ କରି ସାମାଜିକ ସ୍ଥିତି ବଜାଏ ରଖିବାକୁ ଚାହୁଁଥିଲେ । ବାସ୍ତବତଃ ପରବର୍ତ୍ତୀ କାଳରେ ବିଭିନ୍ନ ଧର୍ମୀୟ ପନ୍ଥାରେ ଅବକ୍ଷୟ ଦେଖା ଦେଇଥିଲା ।

ପ୍ରାୟତଃ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ତାନ୍ତ୍ରିକ ବୌଦ୍ଧ ସିଦ୍ଧମାନେ ଶୈବପନ୍ଥୀ ନାଥ ସିଦ୍ଧମାନଙ୍କ ସହାୟତାରେ ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ର ପ୍ରୟୋଗ କରି ନାନା ଅଲୌକିକ କାର୍ଯ୍ୟ ଦର୍ଶାଇ ଲୋକମାନଙ୍କୁ ସେମାନଙ୍କ ଆଡ଼କୁ ଆକୃଷ୍ଟ କରିବା ପାଇଁ ଶେଷ ଚେଷ୍ଟା ଚଳାଇଥିଲେ । ତାହା ଅନେକ ଗବେଷକ ଅନୁଭବ କରିଛନ୍ତି । ପୂର୍ବରୁ ଏ ସମ୍ପର୍କରେ ଆଲୋଚନା କରାଯାଇଛି । ଉକ୍ତ ତଥ୍ୟ ଗୁଡ଼ିକର ଅନୁସରଣରେ ବ୍ରିଗ୍ସ, ଟେମ୍ପଲ, ଭାବେ ପ୍ରଭୃତି ପାଶ୍ଚାତ୍ୟ ବିଦ୍ୱାନମାନେ ଅଷ୍ଟମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ ଭିତରେ ନାଥଧର୍ମର ଉତ୍ପତ୍ତି, ବିକାଶ ଓ ପ୍ରସିଦ୍ଧି ହୋଇଥିଲା ବୋଲି ମତବ୍ୟକ୍ତ କରିଛନ୍ତି । ଆଉ ମଧ୍ୟ ଏହି କାଳରେ ସିଦ୍ଧ ସାଧକ ଗୋରେଖ ନାଥ ଜୀବିତ ଥିବା କଥା ଏମାନେ କହିଛନ୍ତି । ସେମାନଙ୍କ କଥାରେ ଭାସିଯାଇ ପରବର୍ତ୍ତୀ ସମୟରେ କେତେକ ଭାରତୀୟ ଗବେଷକ ଓ ପଣ୍ଡିତମାନେ ତାଙ୍କରି କଥାକୁ ମାନି ନେଇଛନ୍ତି । କେତେକ ଐତିହାସିକ କହନ୍ତି- ଜୈନ ଧର୍ମରେ ୨୪ ତୀର୍ଥଙ୍କରଙ୍କ ନାମରେ ନାଥ ସାଂଜ୍ଞା ଥିବାରୁ ନାଥମାନେ ଜୈନ ଧର୍ମାବଲମ୍ୱୀ । ଆଉ କେତେକ କହନ୍ତି ନାଥ ଧର୍ମ ସହଜିୟା ବୌଦ୍ଧ ଧର୍ମର ରୂପାନ୍ତର ମାତ୍ର ।

ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଇଂରେଜ ରାଜତ୍ୱ କାଳରେ କାହାରି ଧର୍ମ ଉପରେ ସରକାର ହସ୍ତକ୍ଷେପ କରୁନଥିଲେ । ପ୍ରତ୍ୟେକ ଧର୍ମତତ୍ତ୍ୱ ଅତି ଗୋପନୀୟ ଥିଲା ଏବଂ ବିଭିନ୍ନ ଧର୍ମାବଲମ୍ୱୀମାନେ ସେମାନଙ୍କ ଧର୍ମଶାସ୍ତ୍ରଗୁଡ଼ିକକୁ ନିଜ ପାଖରେ ଲୁଚାଇ ରଖୁଥିଲେ । ତେଣୁ ବିଦେଶୀ ପଣ୍ଡିତମାନେ ବିଚାର ଆଲୋଚନା କଲାବେଳେ ସେମାନଙ୍କୁ ଯଥେଷ୍ଟ ତଥ୍ୟ ପାଇବା ପାଇଁ ଉପଯୁକ୍ତ ନିଦର୍ଶନ ମିଳିନାହିଁ । ଯେତିକି ମିଳିଛି ତାହାରି ଉପରେ ସେମାନେ ଗବେଷଣା ଆରମ୍ଭ କରିଛନ୍ତି । ତେଣୁ ଆମେ ଘରେ ବସି କେତୋଟି ପୁସ୍ତକ ଅଧ୍ୟୟନ କରି ଆମର ଅଭିମତ ଦୃଢ଼କଣ୍ଠରେ ଘୋଷଣା କରିଦେଲେ ଯେ ସେତିକିରେ ପ୍ରକୃତ ଭାରତ ଇତିହାସ ଲେଖି ହୋଇଗଲା, ତାହା ଭାବିବା ଠିକ୍ ହେବ ନାହିଁ । ସେଦିନର ସତ୍ୟ ଆଜି ଆମ୍ଭମାନଙ୍କଠାରୁ ଦୂରରୁ ବହୁ ଦୂରକୁ ଚାଲିଯାଇ ଘନ ଅନ୍ଧକାରମୟ କାଳ ଗହ୍ୱର ମଧ୍ୟରେ ଆତ୍ମଗୋପନ କରିଛି । ସେହି ସତ୍ୟ ପ୍ରାପ୍ତି ପାଇଁ ଚିରନ୍ତର ପ୍ରଗାଢ଼ ଉଦ୍ୟମ ହେବା ନିତାନ୍ତ ବାଞ୍ଚନୀୟ ।

ଲୋକପ୍ରିୟ ଲେଖା

To Top