ଗଳ୍ପ

ସେଦିନ ବୁଧବାର ଥିଲା

Matrudatta Mohanty's odia story Sedina Budhabaara Thila

ମୁଁ ତୁମ ପରି ଅସାଧାରଣ ସୁନ୍ଦରୀର ପ୍ରେମିକ ବୋଲି ମନେ ମନେ ଗର୍ବ ଅନୁଭବ କରେ ।

ସେଦିନ ବୁଧବାର ଥିଲା

ମୁଁ ମୋ ବାଇକ୍‌ର ବ୍ରେକ୍ ଯେତେ ମାରେ ପଛେ ମୋ ଦେହରେ ତୁମ ଦେହ ବାଜିବା ନବାଜିବା ତୁମ ହାତରେ ଥାଏ । ସହରର ଖାଲଖମାରେ ମୋ ଗାଡି କେତେ ପଡିଛି, ପୁଣି ଉଠିଛି । ଅନେକ ଥର ମୁଁ ବ୍ରେକ୍ ମାରିଛି ପୁଣି ବ୍ରେକ୍ ଉପରୁ ପାଦ ଢ଼ିଲା କରିଛି । କିନ୍ତୁ ସବୁଥର ତୁମେ ବଡ ବିଚିତ୍ର ଢଙ୍ଗରେ ନିଜକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛ । ଯେତେବେଳେ କି ମୁଁ ମୋ ନିଜ ଉପରୁ ନିୟନ୍ତ୍ରଣ ହରାଇଛି ପ୍ରତିଥର, ତୁମେ ମୋ ବାଇକ୍ ରେ ବସିବା ପରେ । ତୁମର ଡାହାଣ ହାତ ତୁମ ଓ ମୋ ମଝିରେ ସିଟ୍ ଉପରେ ଖୁଣ୍ଟ ପରି ଥାଏ । ବାମ ହାତରେ ତୁମେ ସମ୍ଭାଳି ଥାଅ ତୁମ ଓଢଣୀ । ମୋତେ ଲାଗେ ପୁରୁଷବନ୍ଧୁଙ୍କ ବାଇକ୍ ପଛରେ ବସିବା ଗୋଟେ କଳା । ଆଉ ସେ କଳାକୁ ନାରୀଟିଏ ବଡ ଚମତ୍କାର ଭାବେ ଆୟତ କରିଥାଏ ଆପଣା ଛାଏଁ । କଣ ଭୁଲ କହିଲି ? ହଁ ତମେ ବେଳେ ବେଳେ ମୋ ଡାହାଣ କାନ୍ଧ ଉପରେ ତୁମ ଓଠ ଥୋଇ ମୋତେ ଉଲ୍ଲସିତ କର । କିନ୍ତୁ ତାହା କ୍ଷଣକ ପାଇଁ । କେଉଁ ପରିଚିତ ଲୋକକୁ ଦେଖି ମୁହଁ ଲୁଚାଇଲା ବେଳେ ଅଥବା ମୋ କାନରେ କିଛି କହିବାର ଥିଲେ । ସହରର ନଦୀବନ୍ଧ, ଲିଟ୍ରେଚର୍ ପାର୍କ ରୋଡ୍, ଛତ୍ରବଜାର, କଲେଜ୍ ପଛ ପାଖ ରାସ୍ତା, ଷ୍ଟେସନ୍ ବଜାର, କ୍ୟାଣ୍ଟନମେଣ୍ଟରୋଡ, ସତୀଚଉରା, ନରାଜ ଏମିତି କେତେ ଜାଗା ମୁଁ ତୁମକୁ ବୁଲେଇଛି । କାହିଁକି ଜାଣ, ସମୟର ଏହି ଦୀର୍ଘତା ଭିତରେ କାଳେ ତୁମେ ମୋ ଦେହରେ ତୁମ ଦେହ ବଜେଇ ଦେବ । ଆଉ ମୋ ଆଶା ପୂରଣ ହୋଇଯିବ । କିନ୍ତୁ ତୁମେ ସେ ମଧୁର ଭୁଲ୍ କେବେ କରନା । ମୁଁ ବାଇକ୍ ସିଟ୍‌ର ଟିକେ ପଛକୁ ଘୁଞ୍ଚିଯାଏ ଜାଣିଶୁଣି । ତୁମକୁ ଚିଡେଇବା ଲାଗି । ତୁମେ ହାଲକ୍ ଚାପୁଡା ମାରି ମୋ ପିଠିରେ କୁହ ବହୁତ ଦୁଷ୍ଟ ହେଇ ଯାଉଛ । ଚୁପ୍ ଚାପ୍ ବସ । ତମ ହାତ ମୋ ଦେହରେ ବାଜିଲେ ମୋ ଦେହ ସିତେଇ ଉଠେ । ମୋ ଓଠ ଫାଙ୍କରେ ଚେନାଏ ହସ, ମୋ ମୁଁହରେ ବୋଝ ବୋଝ ଖୁସି ବୋହି ପଡନ୍ତି ତମ ସହରର ଆବଡା ଖାବଡା ରାସ୍ତା ଉପରକୁ । ମୋ ମନ ବୁଝିଯାଏ । ମୋ ପେଟ ପୂରିଯାଏ । ମୁଁ ତୁମ ପରି ଅସାଧାରଣ ସୁନ୍ଦରୀର ପ୍ରେମିକ ବୋଲି ମନେ ମନେ ଗର୍ବ ଅନୁଭବ କରେ । ତମର ମନେ ଥିବ । ମୁଁ ତୁମକୁ ଯେତେବେଳେ ସୁନ୍ଦରୀ କହେ ତୁମ ସୌନ୍ଦର୍ଯ୍ୟକୁ ନେଇ ପ୍ରସଂଶା କରେ ତୁମେ ଲାଜେଇ ଯାଅ । ଆଉ କୁହ, ‘କାହିଁ ବାଜେ କଥା କହୁଛ, ମୁଁ ତ କାଳି ଝିଅଟା । ସହରରେ ଲକ୍ଷ ଲକ୍ଷ ଗୋରୀ ସୁନ୍ଦରୀ ଅଛନ୍ତି’ । ମୁଁ କହେ ‘ତୁମେ ମୋ ପାଇଁ ସ୍ୱର୍ଗର ପରି । ମୋ ପାଇଁ ସଜ ଗୋଲାପ ଫୁଲ । ତୁମେ ମୋ ସାରା ବିଶ୍ୱ । ତୁମ ପାଇଁ ମୋର ଅସ୍ତିତ୍ୱ । ମୋ ସ୍ଥିତି । ତୁମେ ମୋ ପାଇଁ ସାକ୍ଷାତ ଦେବୀ’ । ତୁମେ ମୋ ଦେହକୁ ଚିମୁଟି ଦେଇ କୁହ ‘ଯଦି ଦେବୀ ତେବେ ମୋତେ ଦେବୀଗଡାରେ ବିସର୍ଜନ କରିଦିଅ’ । ତମ କଥା ଶୁଣି ମୋ ଦେହରେ ଛୁରି ଚାଲିଯାଏ । ମୁଁ କହେ ‘ହଁ ବିସର୍ଜନ କରି ଦିଅନ୍ତି । ତମକୁ ବି ନିଜକୁ ବି । କିନ୍ତୁ ପରମ୍ପରା ଅନୁଯାୟୀ ବିସର୍ଜନ ପୂର୍ବରୁ ତୁମ ଦେହରୁ ମୋତେ ସବୁ ଗହଣା ତକ ଖୋଲିବାକୁ ହେବ । ତୁମ ମୁହଁରୁ ପୋଛି ଦେବାକୁ ହେବ ହଳଦୀ, ସିନ୍ଦୁର, ଟିପି ଟିପି ଚନ୍ଦନ । ତମ ଗଭାରୁ ଖସେଇ ଆଣିବାକୁ ହେବ ତୁମେ ଖୋସିଥିବା ଫୁଲ ତକ । ତୁମ ଓଠରୁ ଛଡେଇ ଆଣିବାକୁ ହେବ ଓଠ ଭର୍ତ୍ତି ହସ । ଶେଷରେ ତୁମକୁ ବିବସ୍ତ୍ର କରିବାକୁ ହେବ । ତୁମ ଉଲଗ୍ନ ଦେହକୁ ବିସର୍ଜନ କରିବାକୁ ହେବ ମୋତେ । ଏ ପରମ୍ପରାକୁ ମୁଁ ବିଶ୍ୱାସ କରେନା । ସହି ପାରେନା । ମନେ ମନେ ବିରୋଧ କରେ । ଅନ୍ୟମାନଙ୍କ ଦେବୀ ବିସର୍ଜନ ବେଳେ ମୋ ଠାରେ ଯଦି ଏତେ ପ୍ରତିକ୍ରିୟା, କ୍ରୋଧ ତେବେ ମୋ ଆପଣାର ଦେବୀକୁ କେମିତି ମୁଁ ବିସର୍ଜନ କରିଦେବି ତୁମ କଥାରେ । ନା ପାରିବିନି’ । ମୋ କଥା ଶୁଣି ତୁମେ ମୋ ପାଖରୁ ଉଠିଯାଅ ଟିକେ ଦୂରକୁ । ତୁମ ଓଠରେ ମୁଁ ଦେଖେ ଆନନ୍ଦର ସମାରୋହ । କଣ ଭୁଲ କହିଲି?

ତମର ମନେ ଥିବ ସେଦିନ ସଂଧ୍ୟା କଥା । ଆମେ ଏକାଠି ହୋଇଥିଲେ ଡ୍ୟାଫୋଡିଲ୍ ରେଷ୍ଟୁରାଣ୍ଟରେ । କଫି ପିଇବା ପାଇଁ । କଫି । ହଁ ହଟ୍ କଫି । ତମର ପସନ୍ଦ । ମୋର ବି । ସେଦିନ ବୋଧହୁଏ ବୁଧବାର ଥିଲା । ତମ ସହରକୁ ନୂଆ ନୂଆ ଶୀତ ଆସୁଥାଏ । ରିଂ ବନ୍ଧରେ ବିଭିନ୍ନ ଫୁଲର ମିଠା ମିଠା ବାସ୍ନା । ସଦ୍ୟ ସରିଥାଏ ବାଲିଯାତ୍ରା । ଶୀତକୁ ଦେଖି ତମ ସହରଟା ଭାରି ଫୁଲେଇ ହେଉଥାଏ । ତମ ପରି । ମୋ ଆଖ ପାଖରେ ଶୀତର କୋଳାହଳ । ତମ ଓଠରେ ଶୀତ । ତମ ଭ୍ୟାନିଟିରେ ବି । ତମ ଚପଲ୍ ଉପରେ ପାଦ ରଖି ତମ ପାଦରେ ପାଦ ମିଳାଉଥାଏ ଶୀତ । ତମ କର୍ଲି ହେୟାର୍, ତମ କପାଳରେ ଚିକ୍ ଚିକ୍ କରୁଥିବା ଶୋରିଷ ପରି କଳା ବିନ୍ଦି, ତମ ପାପୁଲିର ମେହେନ୍ଦୀରେ ଶୀତର ଛିଟା । ମୋର ଭାରି ଇର୍ଷା ହେଉଥାଏ । ପ୍ରତି ଥର ପରି ସେଥର ବି ତମ ଅର୍ଡର୍‌ରେ ଆସିଲା ହଟ୍ କଫି । ତମେ ବି ବଡ ବିଚିତ୍ର ଝିଅ । ତମର ଅନେକ ଆଚରଣ ମୁଁ ବୁଝିପାରେନା । ଯେମିତି କଫି ପିଇବା ବେଳେ ଟେବୁଲ ତଳେ ତମ ପାଦରେ ମୋ ପାଦ ବାଜିଗଲେ ତମେ ପାଦ ଘୁଞ୍ଚେଇ ନିଅ ଆସ୍ତେ ବିଷ୍ଣୁ ବୋଲି କହି । ଗରମ କଫିରେ ଥଣ୍ଡା ପାଣି ମିଶେଇ ପିଇବା ପରି ବିଚିତ୍ର ଅଭ୍ୟାସ ବି ତମର । କଣ ଭୁଲ କହିଲି ଏବେ ଅଛି ନା ନାହିଁ ଜାଣେନା ତୁମର ସେ ଅଭ୍ୟାସ । ବିଲ୍ ପ୍ୟାଡ୍ ଭିତରେ ୱେଟର୍ ପାଇଁ ବାକି ତକ ପଇସା ଛାଡି ଆସିବା କଥାକୁ ମୁଁ ଆଦୌ ଗ୍ରହଣ କରିପାରେନା । କିନ୍ତୁ ପ୍ରତିଥର ତୁମେ ଯୁକ୍ତି କର ଯେ ସେ ଆମକୁ ସର୍ଭିସ୍ ଦେଉଛି । ମୁଁ କହେ ହଁ ସେ ତ ସେଇଥିପାଇଁ ଅଛି । ତମେ ମୋ କଥା ଶୁଣନି । ଟେବୁଲରୁ ଉଠି ଚାଲିଯାଅ । ଶେଷରେ ମୋତେ ହିଁ ବାକି ପଇସାତକ ୱେଟର ପାଇଁ ଛାଡି ଆସିବାକୁ ହୁଏ । ତମର ଏ ଛୋଟ ଛୋଟ ଜିଦି ମୋତେ ଭାରି ମିଠା ଲାଗେ । ମୋତେ ଲାଗେ ତମେ ସବୁ ବେଳେ ଏମିତି ଜିଦି କରନ୍ତି କି । ହଁ କଣ କହୁଥିଲି ତମର ମନେ ଅଛି ନା ସେଦିନ ସଂଧ୍ୟା କଥା । ସେଦିନ ବୁଧବାର ଥିଲା । ଗରମ କଫି କପ୍ କୁ ଓଠରେ ଲଗେଇଲା ବେଳେ ମୋ ଦେହ ସିତେଇ ଉଠିଲା । ସିର୍ ସିର୍ ହୋଇଗଲା ମୋ ଗୋଟାପଣ ଦେହ । ମୁଁ ଆଗ ପଛ ଚାହିଁ ତୁମ ପାପୁଲିକୁ ଛୁଇଁବା ପାଇଁ ହାତ ବଢାଇଲି । ତୁମେ ବି ସେଦିନ ମୋ ହାତକୁ ଆପେଣଇ ନେଲ ସହଜରେ । ଆମ ମୁଣ୍ଡ ଉପରେ ଝୁଲୁଥିଲା ଝାପସା ଜଳୁଥିବା ବଲ୍‌ବ । ମୋର ଭାରି ଇଚ୍ଛା ହେଉଥିଲା ଗୋଟେ ଛୋଟ ଚୁମା, ତମ କପାଳରେ ଅଥବା ଗାଲରେ ଉଁ ହୁଁ ତମ ଓଠରେ… । ତୁମର ମନେ ଥିବ ମୁଁ ମୋ ମନ କଥା ଖୋଲି କହିବାରୁ ତମେ କେମିିତି ଲାଜେଇ ଯାଇଥିଲା । ଓଃ… ମୁଁ ଆଉଥରେ ସେ ଲାଜ ଲାଜ ମୁହଁ ତମର ଦେଖି ପାରନ୍ତକିି ମରିବା ଆଗରୁ । ଲିପ୍ କ୍ରିମ୍ ବୋଳା ତମ ଚିକ୍କଣ ଓଠରେ ଲାଗିଥିବା କଫି କେଇ ବୁନ୍ଦା ତଳକୁ ଝରି ପଡୁଥିଲା । ସେ ସବୁକୁ ସାଉଁଟି ନେବାକୁ ଭାରି ଇଚ୍ଛା ହେଉଥିଲା ସତରେ । ମୁଁ କେବଳ ତମକୁ ଦେଖୁଥିଲି । ଟେବୁଲ ତଳେ ମୋ ପାଦ ଖୋଜୁଥିଲା ତମ ପାଦକୁ । ମୁଁ ଖୋଜୁଥିଲି ଟିକେ ଉଷ୍ମତା । ତମେ କଣ ଖୋଜୁଥିଲ ଜାଣେନା ।

କଫି ସରିଗଲା । ରାତି ବଢୁଥିଲା । ଶୀତୁଆ ସଂଧ୍ୟାଟା ବୟସ୍କ ହେଉଥିଲା । ତୁମ ଦେହରେ କୁନି କୁନି କବିତାର କୋଳାହଳ ଦେଖି ପାରୁଥିଲି ମୁଁ । ତଥାପି ତୁମକୁ ଛୁଇଁବାର ଷଡଯନ୍ତ୍ର ରଚୁଥିଲି ମନେ ମନେ । ତମେ ଭ୍ୟାନିଟିରୁ ଟଙ୍କା ଓ ଟିପ୍ସ ବାହାର କରି ଥୋଇ ଦେଲ ଟେବୁଲ ଉପରେ । ମୋ ହାତକୁ ବଢେଇ ଦେଲ ଗୋଟେ ନୂଆ ଲିପ୍ କ୍ରିମ୍ । ରେଷ୍ଟୁରାଣ୍ଟରୁ ବାହାରିଲା ବେଳେ କହିଲ ଏଣିକି ନିଜ ଓଠର ଯତ୍ନ ନିଜେ ନେବା ସିଖ । ମୁଁ ନିରୁତ୍ତର । ମହାନଦୀରୁ ବହିଆସୁଥିଲା ଥଣ୍ଡା ଥଣ୍ଡା ପବନ । ମୁଁ ତମକୁ ପଚାରିଲି ଆଉ କେଉଁ ଦିନ କଫି ପିଇବା ? ସବୁଥର ପରି ତମେ କହିଲ ଏଇଟା ଶେଷ କଫି ଥିଲା । ମୁଁ ଗମ୍ଭିର ହୋଇ ଆସିବା ବେଳେ ତମେ ମୋ ମୁଣ୍ଡରେ ହାତ ମାରି କହିଲ ବ୍ୟସ୍ତ ହୁଅନା ମଜା କରୁଥିଲି । ଡେଟ୍ ତମେ ଫିକ୍ସ କର । କାରଣ, ସବୁଥର କଫି ତମ ମର୍ଜିରେ ହୁଏ । ଆମର ମିଳନ ବି । ମନେ ଅଛି ତମର ସେଦିନ ବୁଧବାର ଥିଲା ।

ମୋର ଦୀର୍ଘ ସମୟର ବକର ବକର ଶୁଣି ମୋନାଲିସା ବୋର୍ ହୋଇ ଯାଇଥିବ ବୋଲି ମୁଁ ଆଶଙ୍କା କରୁଥିଲି । ସେ କିନ୍ତୁ ଚୁପଚାପ୍ ସବୁ ଶୁଣୁଥିଲା । ମୋ କଥା ମଝିରେ ପଦୁଟିଏ ବି କିଛି ନକହି ଧ୍ୟାନମଗ୍ନା ସନ୍ନ୍ୟାସୀନିଟିଏ ପରି ବସି ରହିଥିଲା ପ୍ଲାଟ୍ଫର୍ମର କଂକ୍ରିଟ୍ ବେଞ୍ଚ୍‌ ଉପରେ । ପ୍ଲାଟ୍ଫର୍ମର ବେଞ୍ଚ୍‌ ଉପରେ ଓଜାଡ଼ି ହୋଇ ପଡିଥିଲା ଡିସେମ୍ବର ମାସର ସବୁତକ ଶୀତ । ମୋନାଲିସା ନିଜ ଲଗେଜ୍ ଉପରୁ ନଜର ହଟେଇ ଆଣିଲା । ଟ୍ରେନ୍ ଆସିବାକୁ ଆହୁରି କିଛି ସମୟ ବାକିଥିଲା । ବିଭାଘର ପରେ ପ୍ରଥମ ଥର ସେ ଓଡ଼ିଶା ଆସିଥିବାରୁ ତା ଭିତରେ ଯେତିକି ଆନନ୍ଦ ଥିଲା ଆଜି ଗଲା ବେଳେ ତାଠୁ ଶହେଗୁଣ ଭରିଥିଲା ଦୁଃଖ । ତାର ବାପା ମା’ ତାକୁ ଷ୍ଟେସନ୍ ଛାଡିବା ପାଇଁ ଆସିଥିଲେ । ଟ୍ରେନ୍ ବିଳ ́ ହେବା ଜାଣି ଫେରିଗଲେ । ସଂଧ୍ୟାରେ ତାର ଯିବା ବିଷୟରେ ମୋତେ ସେ ଫୋନ୍ କଲା ବେଳେ ଭାରି ଖୁସି ଜଣା ପଡୁଥିଲା । ଏବେ କିନ୍ତୁ ସେ ବସନ୍ତ ଋତୁରେ ମହାନଦୀ ପାଣି ପରି ଗମ୍ଭୀର ଓ ସ୍ଥିର । ମୁଁ ତା ମୁଁହକୁ ଚାହିଁଲି । କଣ କିଛି କହୁନ ଯେ । ମୋର ପଦିଏ କଥାରେ ଛଳ ଛଳ ହୋଇ ପଡିଲା ତା ଆଖି । କୋହ ସବୁ ଓଠରେ ନିରବରେ ବିକ୍ଷିପ୍ତ ଭାବେ ପଡି ରହଥିଲେ । କିଛି କହିବ କହିବ ହୋଇ ରହିଗଲା । ପୁଣି କହିଲା । “ମୋ ଆଖିରେ ଆଉ ଲୁହ ବାକି ନାହିଁ ମାଧବ । କିନ୍ତୁ ତଥାପି ତୁମେ କନ୍ଦେଇ ଦେଲ । ତୁମକୁ ହରେଇବାରେ ମୋର କଣ ଯେ ଭୁମିକା ଅଛି ଆଜି ଯାଏ ଜାଣି ପାରିଲିନି । ବିବାହ ପୂର୍ବରୁ ଶେଷଥର ତମକୁ ପଚାରିଥିଲି । କିଛି କହିଲନି । ମୁଁ ଗୋଟେ ନାରୀ । ମୋର ବି ସ୍ୱାଭିମାନ ଅଛି । ଅଛି ଅହଂକାର । କଣ ତମ ପଛରେ ଗୋଡେଇ ଗୋଡେଇ ଅଳି କରିଥାନ୍ତି ମୋତେ ବିବାହ କର ବୋଲି । କଣ ଭୁଲ କହିଲି ? ସବୁ ପଛକଥାଗୁଡ଼ିକୁ ସମାଧି ଦେବା ପ୍ରକ୍ରିୟା ମୋ ଭିତରେ ଆରମ୍ଭ ହୋଇସାରିଛି । ଯଦିଓ ତାହା ଅସମ୍ପୂର୍ଣ୍ଣ । ତଥାପି ମୋ ଫେରିବା ବେଳେ ଏ ଯାତନା ଦେଲ ଯେ ?” ମୋନାଲିସାର କୌଣସି ପ୍ରଶ୍ନର ଉତ୍ତର ମୋ ପାଖରେ ସତରେ ନଥିଲା । “ମୋତେ କ୍ଷମା କରିଦେବ ମୋନା । ତମକୁ ହରେଇବାର ସବୁ ଦୋଷ ମୁଁ ମୁଣ୍ଡକୁ ନେଉଛି । ଆଜି ସୁନାର ପାହାଡ ଆଗରେ ବସିଛି ଜଣେ ସର୍ବହରା । ଜଣେ ଅପରାଧି । ତମେ ସେଦିନ କହିଥିଲ ଆଜି ଶେଷ କଫି । ତାହା ମଜା ନଥିଲା । ଥିଲା ବିଲକୁଲ ସତ । ତୁମର ମନେ ଅଛି ନା ସେଦିନ ବୁଧବାର ଥିଲା ।” ମୋନାଲିସା ଉଠି ଛିଡା ହେଲା । ଦୂରରୁ ଝାପସା କୁହୁଡି କାଟି ମାଡି ଆସୁଥିଲା ହାଇଦ୍ରାବାଦ୍ ଯିବାକୁ ଥିବା ଟ୍ରେନ୍ । ପ୍ଲାଟଫର୍ମ ଘଣ୍ଟାରେ ବାରଟା ବାଜି ସାରିଥିଲା । କ୍ୟାଲଣ୍ଡର୍ ରେ ବଦଳି ଯାଇଥିଲା ଦିନ ବାର ତାରିଖ । କ୍ୟାଲେଣ୍ଡର ପୃଷ୍ଠାରେ ହୋଇ ସାରିଥିଲା ଆଉ ଏକ ବୁଧବାର । ମୋ ପାଇଁ ଥିଲା ପୁନଶ୍ଚ ହରେଇବାର ଅନ୍ୟ ଏକ ଦିନ ।

ଲୋକପ୍ରିୟ ଲେଖା

To Top