କବିତା

ନିଜ ପାଇଁ ଜୀଏଁ ଯିଏ

Basudev Mohapatra's Odia Poem for Children NIJA PAIN JIEN JIE

ଧନ, ମାନ, ଯଶ,
ଅଧିକାରମାନ
ସବୁକିଛି ପାଶେ ଥାଏ,
ନଥିବା ପ୍ରକାରେ
ପୋଛିନିଏ କାଳ
ନିଜ ପାଇଁ ଜୀଏଁ ଯିଏ ।

ନିଜ ପାଇଁ ଜୀଏଁ ଯିଏ

ପାଠ ପଢୁଥିବ,
ମନେ ଭାବୁଥିବ,
ହାକିମଟେ ହେବି ମୁହିଁ,
କି ବା ନେତା ହେବି,
ବେପାର କରିବି,
ସବୁ ସିନା ନିଜ ପାଇଁ ।

ଛୋଟ ଜୀବଟାଏ,
ପିମ୍ପୁଡ଼ି ଗୋଟାଏ,
ସାଇତି ରଖେ ଆହାର,
ମଣିଷ ଜନମ,
ପାଇ ତାହାଠାରୁ,
ବଡ଼ ହେଲ କି ପ୍ରକାର ?

ଟିକି ମହୁମାଛି,
ରଖେ ମହୁ ସଞ୍ଚି,
କରଇ ଆହାର ସିଏ,
ସେଥିରୁ ତ କିଛି,
ମଣିଷ ଆଣୁଛି,
ତା’ କି ପର ପାଇଁ ନୁହେଁ !

ବଇଶାଖ ଖରା,
ଶୀତ ଦେହଥରା
ବରଷା, ବତାସି ସହେ,
ଗଛ ସିଏ ଦେଇ,
ଫୁଲ, ଫୁଳ, ଛାଇ
ପର ପାଇଁ ଜୀଇଁ ରହେ ।

କୁଳୁକୁଳୁ ହୋଇ
ବହିଯାଏ ନଈ,
ସବୁରି ଜୀବନ ଯିଏ,
ପର ପାଇଁ ପରା
ପରାଣ ତା’ ସାରା
ସମରପି ଦିଏ ସିଏ ।

ଫୁଲ ରସିକିଆ
ରଙ୍ଗ ବେରଙ୍ଗିଆ
ପରଜାପତିଟି ଘୂରେ,
ପରୂ ରୂପ ତା’ର
କେତେ ମନୋହର,
ପର ପାଇଁ ରୂପ ଧରେ ।

ଜିଆ କି ବାଗରେ
ରଖେ ମାଟି ତଳେ
ଚାଷୀ ଭାଇ ପାଇଁ ସାର,
ସୁନାର ଫସଲ
ଲହରୀ ଖେଳଇ,
ନୁହେଁ କି ପରୋପକାର !

ଦିନସାରା ଖଟି
କୃଷକ ଭାଇଟି
ଶସ୍ୟ ଯାହା ଉପୁଜାଏ,
ଅଳପ ନିଜର,
ବହୁତ ପରର,
ସେ କି ନିଜ ପାଇଁ ଜୀଏଁ ?

ଧନ, ମାନ, ଯଶ,
ଅଧିକାରମାନ
ସବୁକିଛି ପାଶେ ଥାଏ,
ନଥିବା ପ୍ରକାରେ
ପୋଛିନିଏ କାଳ
ନିଜ ପାଇଁ ଜୀଏଁ ଯିଏ ।

ଲୋକପ୍ରିୟ ଲେଖା

To Top