ଅନ୍ଧାର ଫଟାଇ କିରଣକୁ ବୁଣି
ସକାଳ ସୂରୁଜ ହସେ,
ପାଖୁଡ଼ାକୁ ଖୋଲି ସୁମନ ସୁନ୍ଦରୀ
ମହ ମହ ହୋଇ ବାସେ ।
ଅନ୍ନଦାତା ଭାଇ ହଳବଳ ଧରି
ଲାଗିଯାଏ ତା’ର କାମେ
କି ଖରା ବରଷା ଦିବା ଓ ନିଶିରେ
ବୁଝି ଦେଶର ଧରମେ ।
ଝରୁଥାଏ ଝର ବହୁଥାଏ ନଦୀ
ସଦା କଳ କଳ ନାଦେ,
ଜଳ ମଧ୍ୟେ ମୀନ ପ୍ରାନ୍ତରେ ଅଣ୍ଡଜ
କ୍ରିଡ଼ନ୍ତି ବିଭିନ୍ନ ଶବ୍ଦେ ।
ବନେ ଉପବନେ ଛାୟା ଦେଇ ତରୁ
କ୍ଳାନ୍ତି କରିଥାଏ ଦୂର ,
ପାହାଡ଼ ଉହାଡ଼େ ଅସ୍ତ ହୋଇ ରବି
ଭରିଥାନ୍ତି ଅନ୍ଧକାର ।
ଶର୍ବରୀ ମଧ୍ୟରେ ଅଗଣିତ ତାରା
ଜଳିଥାନ୍ତି ହୋଇ ଦୀପ,
ରାତିସାରା ଜଳି ନିଷ୍ପ୍ରଭ ହୁଅନ୍ତି
ଡାକିଲେ ଶାରୀ ମଧୁପ ।
ଆହା କି ସୁନ୍ଦର ଏ ମୋର ପୃଥିବୀ
ମାଟି ଯାହାର ଚନ୍ଦନ,
ସରସୀ ତଟିନୀ ପୂଣ୍ୟତୋୟା ଗଙ୍ଗା
ବନ ନନ୍ଦନ କାନନ ।