କବିତା

ଚୁଟିଆ ମୂଷାର ପୁନେଇଁ ଖିଆ

Odia Writer Shreebatsa Prasad Nath

ବରଷକେ ଥରେ ଆସିଛି ରଜ
ଚୂଟିଆ ମୂଷାର ଭାରି ମଉଜ ।

ଚୁଟିଆ ମୂଷାର ପୁନେଇଁ ଖିଆ

ଶୁଣିବ ପିଲା;
ଭଲ କଥାଟିଏ ମନେ ପଡ଼ିଲା ।

ରଜ ସଙ୍କରାନ୍ତି ଜ୍ୟେଷ୍ଠ ପୁନେଇଁ
ଦିନକ ଭିତରେ ପଡ଼ିଛି ଦୁଇ ।

ବରଷକେ ଥରେ ଆସିଛି ରଜ
ଚୂଟିଆ ମୂଷାର ଭାରି ମଉଜ ।

ପୁନେଇଁ ଖାଇବ ଶଶୁର ଘରେ
ଦିନ କଟାଇବ ହସ ଖୁସିରେ ।

ଶଳା, ଶାଳୀ ଆଉ ଶଳା ଭାଉଜ
ଟାପରା ଖେଳିବେ ହେବ ମଉଜ ।

ଆସିଛନ୍ତି କାଲି ଶଶୁର ନିଜେ
ଘର ତାଙ୍କ କୋଶେ ଦୂର ସହଜେ ।

ଚୁଟିଆ ମୂଷାଟି ଭାରି ରସିକ
ସକାଳୁ ହେଲା ସେ ବେଶ ପୋଷାକ ।

ଇସ୍ତ୍ରୀ ଦିଆ ପ୍ୟାଣ୍ଟ ଆଣିଲା କାଢ଼ି
ଯତନେ ପିନ୍ଧିଲା ଜାମା ସଜାଡ଼ି ।

ମୋଜା ସହିତରେ ଚଢ଼ଉ ଜୋତା
ସଙ୍ଗରେ ନେଲା ତା ଲୁହାର ଛତା ।

ଚଷମା ଚଢ଼ାଇ ଦେଲା ଆଖିରେ
ରୁମାଲ ଧରିଲା ଡାହାଣ କରେ ।

ରାଲେ ସାଇକେଲ କଲା ବାହାର
ପଛରେ ବସାଇ ନେଲା ଶଶୁର ।

ନୂଆ ହୋଇ ମୂଷା ଚଢେ଼ ସାଇକେଲ
ଆଗରେ ଦିଶିଲା ଗୋଟିଏ ପୋଲ ।

ଭାବିଲା ମନରେ ପୋଲରେ ଯାଇଁ
ଗାଡ଼ି ହୋଇଯିବ ପରା ବାଡେ଼ଇ ।

ଶଶୁରକୁ ଡାକି କଲା ସତର୍କ
ଗୋଡ଼ ଦି’ଟା ଟେକି ବସ ସଳଖ ।

ଶଶୁର ବୁଢ଼ା ତ ଦିନେ ସାଇକେଲେ
ବସି ନଥିଲା ତା ଦିହକ କାଳେ ।

“ଚକାସନ ପାରି ଭଲେ ବସିବି”
ଡେଇଁ ପଡ଼ିଲା ସେ କିଛି ନ ଭାବି ।

ଦୋହଲି ଗଲା ସେ ଗାଡ଼ିଟା ସାରା
କିଆମୂଳେ ପଡ଼ିଗଲା ବିଚରା ।

ଅଳପ ଦୂରରେ ଚୁଟିଆ ମୂଷା
ରାସ୍ତାରୁ ପଡ଼ିଲା ସାଇକେଲ ମିଶା ।

ବିପଦ ଉପରେ ପଡେ଼ ଚଡ଼କ
କାହୁଁ ଆସିଗଲା ଢମଣା ଏକ ।

ଶଶୁର ଜ୍ୱାଇଁଙ୍କୁ ଖାଇବ ବୋଲି
ଦଉଡ଼ିଲା ଶୀଘ୍ର ପାଟିଟା ମେଲି ।

ଶଶୁର କହିଲା ଜ୍ୱାଇଁ ହେ, ରଖ
ହେଲି ଆଜି ମୁହିଁ ଅତି ନିରେଖ ।

ଜ୍ୱାଇଁ ଚଢ଼ିଗଲା ଗଛ ଉପରେ
ଶଶୁର ଯାଇଁ ତା ପଛକୁ ଧରେ ।

ଧରା ଧରି ହୋଇ ଗଡ଼ିଲେ ତଳେ ;
ନେଉଳ ଭାଇଟି ଏତିକି ବେଳେ –

ବଣବାଟ ହୋଇ କାହୁଁ ଆସିଲା
ବାଟରେ ଢମଣାଟାକୁ ଦେଖିଲା ।

ଗୋଡ଼ାଇଲା ତାକୁ ମାରିବା ପାଇଁ
ଗାତ ଭିତରେ ସେ ଲୁଚିଲା ଯାଇଁ ।

ଥରୁଥିଲେ ଦୁହେଁ ପ୍ରାଣ ବିକଳେ
ରକ୍ଷା ପାଇଗଲେ ଦଇବ ବଳେ ।

ଚୁଟିଆ ମୂଷା ତା ଶଶୁର ସଙ୍ଗେ
ଚଢ଼ିଲା ଗାଡ଼ିରେ ମନ ବିରାଗେ ।

କେଡେ଼ ସଉକରେ ପୋଷାକ ସାଜି
ପିନ୍ଧିଥିଲା ସବୁ ସାରିଲା ପାଜି ।

କାଦୁଅ ପାଣିରେ ହେଲା ଅସନା
ଯେ ଦେଖିବ ଖାଲି ହସିବ ସିନା ।

ବେଳ ରତରତ ଡାହାଣୀ ଖରା
ଗଛପତ୍ର ପଡ଼ି ଦିଶଇ ତୋରା ।

ଏତିକି ବେଳରେ ଗଲେ ପହଞ୍ଚି
ଜୀବନ ରହିଲା ମନରେ ପାଞ୍ଚି ।

ଘରେ ଯେତେ ଥିଲେ ସମସ୍ତେ ମିଳି
ଜ୍ୱାଇଁ ଘେନିଗଲେ ବାଟୁଁ ସଙ୍ଖୋଳି ।

ଦେଖି ଜ୍ୱାଇଁଙ୍କର ଏଭଳି ବେଶ
ଗାଁ ଟୋକାକରେ ଉଠିଲା ହସ ।

ପିଲାମାନେ ହସି ମାରିଲେ ତାଳି ।
“ଜ୍ୱାଇଁପୁଅ ଘରେ ନିଅ ଓଗାଳି ।

ହୋଇଛନ୍ତି ସେତ କାଦୁଅ ବେଶ
ସହଜେ ଏହାତ ଗ୍ରୀଷମ ମାସ ।

ଶଶୁର ବୁଢ଼ାର ଦେଖ ସଉକ
ଜ୍ୱାଇଁଟି ଆମର ଭାରି ରସିକ ।”

ଲୋକପ୍ରିୟ ଲେଖା

To Top