କବିତା

ଜହ୍ନମାମୁଁ

Madhabananda Panda's odia poem for children Jahnamaamu

ଦୁଃଖ ଥିଲା ମନେ ଏ ଜଗତ ଜନ
ତୁମ୍ଭ ପାଶେ ଯିବା ପାଇଁ ।
କେଉଁକାଳୁ ପରା କରୁଥିଲେ ଚେଷ୍ଟା
ହେଉଥିଲେ ହାଇଁ ପାଇଁ ।।

ଜହ୍ନମାମୁଁ

ଆମ ପୁରାଣରେ ହୋଇଛି ବର୍ଣ୍ଣିତ
ସାଗର ମନ୍ଥନ କାଳେ ।
ଜନ୍ମିଥିଲ ତୁମେ ଅତଳ ଗରଭୁ
ସେହି କଥା ମନେ ଭାଳେ ।।
ଲକ୍ଷ୍ମୀ ଜଗନ୍ନାତା ତୁମ୍ଭେ ତାଙ୍କ ଭ୍ରାତା
ଏଣୁ ମାମୁଁ ଜଗତର ।
ରଜତ କିରଣ କରି ବିତରଣ
ଲଭିଛ ମାନ, ଆଦର ।।
ଦୁଃଖ ଥିଲା ମନେ ଏ ଜଗତ ଜନ
ତୁମ୍ଭ ପାଶେ ଯିବା ପାଇଁ ।
କେଉଁକାଳୁ ପରା କରୁଥିଲେ ଚେଷ୍ଟା
ହେଉଥିଲେ ହାଇଁ ପାଇଁ ।।

ଆପୋଲୋ’ ଏଗାର ଯାନରେ ଆରୋହି
ଆମେରିକା ବୈଜ୍ଞାନିକ ।
ଅବତରି ତୁମ ଭୂମିପରେ ଦିନେ
କହିଲେ ଏହା ସଠିକ-
ତୁମେ ତ ନୀରସ ନାହିଁ ଜଳ ରସ
ମଣିଷ ହେଲା ବିକଳ ।
ଭାରତର ଯାନ କରିଅଛି ଠାବ
ତୁମ୍ଭ ହୃଦ ଦେଶେ ଜଳ ।।
ଲଙ୍କାର ରାବଣ କରିଥିଲା ପଣ
ସ୍ୱର୍ଗକୁ ବାନ୍ଧିବ ସିଡ଼ି ।
ନୋହିଛି ସମ୍ଭବ, ରକେଟ୍‌ରେ ଯିବୁ
ତୁମ ରାଇଜକୁ ଉଡ଼ି ।।

ଗ୍ରହଗ୍ରହାନ୍ତରେ ଦିନେ ନା ଦିନେ ତ
ମଣିଷ କରିବ ବାସ ।
ନୂତନ ସନ୍ଧାନୀ ମଣିଷ ବିଜ୍ଞାନୀ
ରଚିବ ସେ ଇତିହାସ ।।
ନୋହିବକି ଖୁସି ଭଣଜାମାନଙ୍କୁ
ନିଜର ପାଖରେ ପାଇ ।
ସେହି ସୁଦିନକୁ କରିଛୁ ଅପେକ୍ଷା
ଏହି ଧରଣୀରେ ଥାଇ ।।
ସେ ଯାବତ ଶଶି ତୁମେ ହସି ହସି
ଆକାଶକୁ ଚାହିଁଥାଅ ।
ଏ ଧରାରେ ଢାଳି ଶୀତଳ ସୌନ୍ଦର୍ଯ୍ୟ
ହରଷ ପରଷି ଯାଅ ।।

ଲୋକପ୍ରିୟ ଲେଖା

To Top