କବିତା

ଖରାଦିନରେ ବର୍ଷା

Prakash Sahoo's odia poem for children Kharaadinare Barshaa

ଘାସ ଫୁଲଟି ହସିଲା ଯହିଁ
ହସ ତାର କିରିକରି
ଚହଟି ଗଲା ଘାସ ଫୁଲଟି
ବାଆ ଦୋଳିରେ ଝୁଲି

ଖରାଦିନରେ ବର୍ଷା

ଭିଷଣ ଖରା ଅସହ୍ୟ ତାତି
ପାଣିର ହେଲା ନାଶ
ଧରଣୀ ଆଜି ଡାକୁଛି ବସି
ମେଘ ନାନୀ ତୁମେ ଆସ
ଡାକ ଶୁଣିକି ଆସିଲା ନାନୀ
ଥଣ୍ଡା ପବନ ସାଥେ
ଅନେକ ଦିନ କରି ଅପେକ୍ଷା
ମୟୁର ଅପା ନାଚେ
ଆକାଶ କୋଳୁ ବର୍ଷାର ବୁନ୍ଦା
ପଡିଲା ଧୀରେ ଖସି
ଘାସ ଫୁଲରେ ଥିରିକିନା
ଖୁସିରେ ଗଲା ବସି

ଥଣ୍ଡା ପବନ ଯାନରେ ବସି
ବହିଲା ଶିରିଶିରି
ଘାସ ଫୁଲଟି ହସିଲା ଯହିଁ
ହସ ତାର କିରିକରି
ଚହଟି ଗଲା ଘାସ ଫୁଲଟି
ବାଆ ଦୋଳିରେ ଝୁଲି
ବର୍ଷାର ବୁନ୍ଦା ଥରି ଉଠିଲା
ତହିଁରେ ଢଳି ଢଳି
ଖଣ୍ଡେ ଦୂରରୁ ଝିଙ୍କାରୀ ଟିଏ
ଦେଖିଲା ବୁନ୍ଦା ଲୁଚି
ଭାବିଲା ମୁଇଁ ଏଇଲେ ଯାଇ
ପିଇବି ତାକୁ ସଂଚି

ତେଣେ ଧୁଳିଆ ଜନ୍ଦା ବିଚରା
ଦେଖି ଭାବିଲା ତାକୁ
ଏଇନେ ଯାଇ ତିଣ୍ଟିବ ବୋଲି
ଦେଖାଇ ତାର ବୁକୁ
ସାଙ୍ଗ ହୋଇକି ନାଚିଲେ ଦୁହେଁ
ମେଘ ନାନୀର ସାଥେ
ତାଙ୍କ ଖୁସିକୁ ଦେଖି ଧରଣୀ
ମେଘ ନାନୀକୁ କୁହେ
ଦେଖ ନାନୀ ଖରା ଦିନରେ ବର୍ଷା
ସଭିଙ୍କ ମନେ ଖୁସି ବହେ

ଲୋକପ୍ରିୟ ଲେଖା

To Top