କବିତା

ମଙ୍ଗଳା ଓଷା

Madhabananda Panda's odia poem for children Mangalaa Oshaa

ଅରୁଆ ଚାଉଳ, ନୀଳ ନାରିକେଳ,
ଦୂବ, ବରକୋଳି ପତର ଆଦି ।
କେତେ ଯତନରେ ରତନ ପରା,
ମାଆ ସବୁ ରଖିଥାନ୍ତି ସମ୍ପାଦି ।।

ମଙ୍ଗଳା ଓଷା

ମଙ୍ଗଳବାରରେ ମଙ୍ଗଳ ମନାସି
ମା’ କରୁଛନ୍ତି ମଙ୍ଗଳା ଓଷା ।
ଦିଅନ୍ତି ନୈବିଦ୍ୟ, ଧୂପ, ଦୀପ, ପଣା
ଘୁଞ୍ଚିବ ସବୁରି ଦୁଃଖ, ଦୁର୍ଦ୍ଦଶା ।।

ଅରୁଆ ଚାଉଳ, ନୀଳ ନାରିକେଳ,
ଦୂବ, ବରକୋଳି ପତର ଆଦି ।
କେତେ ଯତନରେ ରତନ ପରା,
ମାଆ ସବୁ ରଖିଥାନ୍ତି ସମ୍ପାଦି ।।

ପବିତ୍ର ପଥକୁ ଲିପି ଗୋବରରେ
ପଞ୍ଚ ମୁରୁଜରେ ପକାଇ ଚିତା ।
ନାନା କୁସୁମରେ ଦିଅନ୍ତି ସଜାଇ
ଦିଶଇ ସତେ ବା ଗଜ ମୁକୁତା ।।

ହୁଳହୁଳି ଶଙ୍ଖ ନିନାଦ ମଧ୍ୟରେ
ଲାଗି ହୁଏ ଭୋଗ କଳସ ପାଖେ ।
ଝିଅ, ବୋହୂମାନେ ଜଣାନ୍ତି ପ୍ରଣତି
ମା’ ମଙ୍ଗଳାଙ୍କ ଆଶିଷ ଆଶେ ।।

ଯେତେ ରୀତି ନୀତି ଆସିଅଛି ଚଳି
ଯୁଗ ଯୁଗାନ୍ତରୁ ସମାଜେ ଆମ ।
ଆଧୁନିକତାର ଦ୍ୱାହି ଦେଇ ତାକୁ
ଦେବା ନାହିଁ ଫିଙ୍ଗି ହୋଇବ ଭ୍ରମ ।।

ପବିତ୍ର, ଭକ୍ତି, ଶୁଭଚିନ୍ତା ସାଥେ
ବିଜ୍ଞାନ ସମ୍ମତ କାରଣ ମାନ ।
ରହିଅଛି ଆମ ପର୍ବ ପର୍ବାଣୀରେ
କରିବାନି ତାରେ ଅସନମାନ ।।

ଗ୍ରୀଷ୍ମକାଳେ ପଣା କରିଲେ ସେବନ
ଶୀତଳ ହୋଇବ ଉଦର ପରା ।
ରୋଗ ବ୍ୟାଧିମାନ ହୋଇବେ ଉଭାନ
ଜୀବନ ହୋଇବ ସୌନ୍ଦର୍ଯ୍ୟ ଭରା ।।

ହୃଦୟରେ ଥିଲେ ପବିତ୍ରତା ଭକ୍ତି
ପରିବାର ଗୋଟି ହେବ ଶୋଭନ ।
ଗ୍ରାମ, ରାଜ୍ୟ, ଶେଷେ ସମଗ୍ର ସଂସାର
ହୋଇବ ଅଚିରେ ଶିରୀ ସମ୍ପୂର୍ଣ୍ଣ ।।

ଲୋକପ୍ରିୟ ଲେଖା

To Top