କି ସୁନ୍ଦର ଛବି ଆଙ୍କିଛି କିଏ ସେ
କ୍ଷଣ ହରିନିଏ ମନ ।
ଶାଗୁଆ କ୍ଷେତରେ ଚରୁଛନ୍ତି କେତେ
ଗାଈ, ଛେଳି, ମେଣ୍ଢାମାନ ।।
ଦୂରରୁ ଦିଶୁଚି ରଙ୍ଗ ବେରଙ୍ଗର
କେତେ କୋଠା, ଚାଳଘର ।
ଅଙ୍କାବଙ୍କା ରାସ୍ତା ଉପରେ ଚାଲନ୍ତି
କେତେ ଯେ ଗାଡ଼ି ମଟର ।।
ପଡ଼ିଆ ଭିତରେ ଏଠି ସେଠି ହୋଇ
ଝଙ୍କା ଝଙ୍କା ଗଛ କେତେ ।
କେଉଁଠି ଫୁଟିଛି ପେନ୍ଥା ପେନ୍ଥା ଫୁଲ
ନାଲି, ହଳଦିଆ ଯେତେ ।।
କେଉଁଠି ଗାଉଚି ହଳଦୀ ବସନ୍ତ
ଭଦଭଦଳିଆ କାହିଁ ।
ମଇଁଷି ପିଠିରେ କଜଳପାତିଟେ
କନକନ ଦିଏ ଚାହିଁ ।।
ଧଳା ଧଳା ବଗ ହେଇ ଡଗ ଡଗ
ଖୋଜୁଛନ୍ତି ପୋକ ଜୋକ ।
ବିଲମାଳେ ନାନା କାମରେ ସେଇଠି
ଲାଗିଛନ୍ତି କେତେ ଲୋକ ।।
କଅଁଳା ବାଛୁରୀ ମାଆର ଚିରରୁ
ଚୋଷି ପିଉଅଛି କ୍ଷୀର ।
ମାଆଟି ଆଦରେ ଦେଉଅଛି ଚାଟି
ନ ହୋଇ ତିଳେ ଅଧିର ।।
ବିଜୁଳି ତାରରେ ଧାଡ଼ି ହୋଇ
ବସିଛନ୍ତି କେତେ ବିହଙ୍ଗମ ।
ବିଦ୍ୟୁତ ଆଘାତ ଜାଣିଥିଲେ କିବା
ହୁଅନ୍ତା ଏପରି ଭ୍ରମ ! ! !
ଦିଗ୍ବଳୟ ଧାରେ ନଭ ନଇଁ ଆସି
ଚୁମ୍ୱଇ ପୃଥିବୀ ମୁଖ ।
ବର୍ଣ୍ଣକେ ପାରିବ ଲଭୁଥିବେ କେହ୍ନେ
ଅନିର୍ବଚନୀୟ ସୁଖ ।।
ମାନବର କଳା କୃତି ଅବିଚଳ
ରହିଥାଏ ଏକା ପରି ।
ଏ ଚିତ୍ରକରର ସଦା ନବ ନବ
ଦୃଶ୍ୟ ନିଏ ମନ ହରି ।।
ମନୋରମ ଚିତ୍ର ସନ୍ଦର୍ଶନେ ହୃଦ
ହେଉଅଛି ଆନ୍ଦୋଳିତ ।
ସେହି ଦିବ୍ୟ କଳାକାର ଚରଣରେ
ମଥା ହୁଏ ଅବନତ ।।