କବିତା

ପ୍ରଶାନ୍ତ ଦେଖିଲା ସପନ ଏକ

Sesha Bhusan Acharya

ତା ସାଙ୍ଗେ କେଶବ, ମିତା ଓ ଟୁକୁ
ଯୁବତୀ ଯୁବକ ସେତେ ବେଳକୁ
ସମସ୍ତେ ପିନ୍ଧନ୍ତି ମୋଟା ଚଷମା
ନ ହେଲେ ଦେଖା ନ ଯାଉଛି ଜମା ।।୨।।

ପ୍ରଶାନ୍ତ ଦେଖିଲା ସପନ ଏକ

ପ୍ରଶାନ୍ତ ଦେଖିଲା ସପନ ଏକ
ବେଳ ଗଡ଼ି ଗଡ଼ି ବାକିଆ ଯାକ
୨୦୨୦ ରେ ଲାଗିଲା ଯାଇ
ମକଚିକି ଆଖି ସିଏ ଦେଖଇ ।।୧।।

ତା ସାଙ୍ଗେ କେଶବ, ମିତା ଓ ଟୁକୁ
ଯୁବତୀ ଯୁବକ ସେତେ ବେଳକୁ
ସମସ୍ତେ ପିନ୍ଧନ୍ତି ମୋଟା ଚଷମା
ନ ହେଲେ ଦେଖା ନ ଯାଉଛି ଜମା ।।୨।।

ମୋଟା କାଚେ ଦିଶେ ଆଖିଟି ଛୋଟ
ଅଣ୍ଡାଳି ଅଣ୍ଡାଳି ଚାଲନ୍ତି ବାଟ
“ରୁହ ରୁହ ଟିକେ” ପ୍ରଶାନ୍ତ କହି
ପଚାରେ “ତୁମର ଏ ଦଶା କାହିଁ” ।।୩।।

ମିଟି ମିଟି କରି ଆଖିକୁ ସବୁ
କୁହନ୍ତି ସେ କଥା ନ କୁହ ବାବୁ
ପିଲାବେଳେ ଘରେ ଲାଗିଲା “ଟିଭି’
ବସିତ ପଡ଼ିଲୁ କିଛି ନ ଭାବି ।।୪।।

ଗୀତ, ସଙ୍ଗୀତ ବା ନାଟକହେଉ
“ଟିଭି” ବିନା ଆମେ ଭାତ ନ ଖାଉ
କଥା କା ନ ମାନି ତରାଟି ଆଖି
ଜିଦି କରି ଥାଉ “ଟିଭି” ରେ ଲାଖି ।।୫।।

କହୁ କହୁ ଜଣେ ପଡ଼ିଲା ଝୁଣ୍ଟି
ପ୍ରଶାନ୍ତ ଉପରେ ଗଲା ସେ ଲୋଟି
ଚମକି କି ଯେବେ ନିଦ ଭାଙ୍ଗିଲା
ମନେ ମନେ ଏକ ଶପଥ ନେଲା ।।୬।।

ଆଜିଠୁ ଅଳପ ଦେଖିବି “ଟିଭି”
ପଢ଼ା ଖେଳ ବେଳେ ଟିଭିରେ ଚାବି
ଯାହା କିଛି ଭଲ ପିଲାଙ୍କ ପାଇଁ
ବାପାଙ୍କଠୁ ବୁଝି ଦେଖିବି ଯାଇ ।।୭।।

ଆଖିକୁ ରଖିବି ମୋର ଶକତ
ସପନ ମୋହର ନ ହେଉ ସତ ।।୮।।

ଲୋକପ୍ରିୟ ଲେଖା

To Top