କବିତା

ଅଦ୍ୟାପି ରହିଛି ମନେ

Madhabananda Panda's Odia Poem for Children ADYAPI RAHICHI MANE

ପାହି ଆସୁଥିଲା, ଅନ୍ଧାର ରଜନୀ
ବହୁ ଥିଲା ଥଣ୍ଡା ବାଆ ।
ଏହି ସମୟରେ, ଶୁଭିଲା ସ୍ୱରଟେ
ପଇସାଟେ ଦିଅ ମାଆ ।।

ଅଦ୍ୟାପି ରହିଛି ମନେ

ବହୁଦିନ ତଳେ, ମଧ୍ୟ ପ୍ରଦେଶରୁ
ଫେରୁଥିଲେ ଓଡ଼ିଶାରେ ।
ହାବଡ଼ାମେଲ୍‌ଟି ପ୍ରଚଣ୍ଡବେଗରେ
ଧାଉଁଥିଲା ଧାରଣାରେ ।।

ପାହି ଆସୁଥିଲା, ଅନ୍ଧାର ରଜନୀ
ବହୁ ଥିଲା ଥଣ୍ଡା ବାଆ ।
ଏହି ସମୟରେ, ଶୁଭିଲା ସ୍ୱରଟେ
ପଇସାଟେ ଦିଅ ମାଆ ।।

ଭାଙ୍ଗିଗଲା ନିଦ, ଚାହିଁ ଦେଖିଲି ମୁଁ
କଅଁଳ କିଶୋରଟିଏ ।
ପେଣ୍ଟ ଚିରା ତା’, ମଳି ଜାମାଟିରେ
ସାତ ତାଳି ପଡ଼ିଥାଏ ।।

ଗାଇଲା ଭଜନ, ଜଗନ୍ନାଥଙ୍କର
ଗଳା ତା’ କେତେ ମଧୁର !
ମନେ ହେଲା ମୋର, ଜୀବନରେ କେବେ
ଶୁଣିନି ଏପରି ସୁର ।।

ଅନ୍ତରର ଦୁଃଖ, ସତେ ଅବା ତା’ର
କଣ୍ଠୁ ପଡୁଥିଲା ଝରି ।
ଅନ୍ତରରୁ ମୋର, ଉଠୁଥିଲା କୋହ
ସାଗର ତରଙ୍ଗ ପରି ।।

ପଚାରିଲି ତାକୁ, “ବାବୁରେ କିଆଁ ତୁ
ବୁଲି ମାଗୁଅଛୁ ଭିକ ?
ବାପା, ମାଆ ତୋର ଏଡ଼ିକି ନିଷ୍ଠୁର
ଜୀବନ ତାଙ୍କର ଧିକ !!”

କହିଲା “ବାବୁ ହେ, ବାପା, ମାଆ, ଭାଇ
ନାହାନ୍ତି ମୋହର କେହି ।
ଘର ଅଟେ ମୋର, ଷ୍ଟେସନ୍ ବାରଣ୍ଡା
ସେଇଠାରେ ପଡ଼େ ଶୋଇ ।।

ପାଖ ହୋଟଲେରେ, ଖାଇ ଦିଏ ମୁହିଁ
ଅଳପ ପଇସା ଦେଇ ।
ହୋଟେଲ୍ ମାଲିକ, ଭାରି ଭଲ ଲୋକ
ଅଭାବ ଦିଏ ଚଳେଇ ।।”

କହିଲି ତାକୁ ମୁଁ, “ଯିବୁ ମୋ ସାଥିରେ
ଅନାଥାଶ୍ରମରେ ନେଇ ।
ଛାଡ଼ି ଦେବି ତୋତେ, ଖାଇବା ପିନ୍ଧିବା
ଅସୁବିଧା ହେବ ନାହିଁ ।।”

କହିଲା “ବାବୁ ହେ, ଦୁଇ ବୁଢ଼ା, ବୁଢ଼ୀ
ରହୁଛନ୍ତି ଏହି ଠାରେ ।
ନାହାଁନ୍ତି ତାଙ୍କର, କେହି ହେଲେ ସାହା
ଏତେ ବଡ଼ ଦୁନିଆଁରେ ।।

ତାଙ୍କ ଦେଖା ଶୁଣା, କରୁଛି ପରା ମୁଁ
ଚାଲିଯିବି କେଉଁ ପରି ?
ବୁଢ଼ାବୁଢ଼ୀ ଦିହେଁ, ଖୋଜିବେ ଅନେକ
ଅଯତନେ ଯିବେ ମରି ।।”

ମାନବିକତାର, ମଧୁର ସଲିଳ
ହୃଦୟରେ ବିଦ୍ୟମାନ ।
ସେଥିପାଇଁ କିବା, ମଧୁ କଣ୍ଠ ତା’ରେ
ଦେଇଛନ୍ତି ଭଗବାନ ।।

ଛାଡ଼ି ଦେଲା ଗାଡ଼ି, କଳା ଧୂଆଁ ଛାଡ଼ି
ଓହ୍ଲାଇ ଗଲା ସେ କ୍ଷଣେ ।
ରଖି ଦେଇଗଲା, ହୃଦେ ଯେଉଁ ଛାପ
ଅଦ୍ୟାପି ରହିଛି ମନେ ।।

ଲୋକପ୍ରିୟ ଲେଖା

To Top