କବିତା

ବାଲ୍ମୀକି

Madhabananda Panda's Odia Poem for Children BALMIKI

ଘଞ୍ଚ ଅରଣ୍ୟାନୀ ପୁଷ୍ପେ ବିମଣ୍ଡିତ
ହୋଇ ହରୁଥିଲେ ଚିତ୍ତା
ଶୋଭା ସନ୍ଦର୍ଶନେ କାହାର ହୃଦୟ
ନ ହୋଇବ ପ୍ରଫୁଲ୍ଲିତ ?

ବାଲ୍ମୀକି

ବାଲମିକ ମୁନି ଶିଷ୍ୟ ସଙ୍ଗେ ଘେନି
ଏକଦା ଆଶ୍ରମ ପାଶୋ
ବୁଲୁଥିଲେ ବନେ ଉଲ୍ଲସିତ ମନେ
ସମିଧ ସଂଗ୍ରହ ଆଶୋ ।

ଘଞ୍ଚ ଅରଣ୍ୟାନୀ ପୁଷ୍ପେ ବିମଣ୍ଡିତ
ହୋଇ ହରୁଥିଲେ ଚିତ୍ତା
ଶୋଭା ସନ୍ଦର୍ଶନେ କାହାର ହୃଦୟ
ନ ହୋଇବ ପ୍ରଫୁଲ୍ଲିତ ?

ଏକ ତରୁଡ଼ାଳେ କ୍ରୌଞ୍ଚ ଜାୟା ପତି
ରଚୁଥିଲେ ଅଭିସାର ।
ପରସ୍ପର ସ୍ନେହ ଆଦାନ ପ୍ରଦାନେ
ହୃଦେ ଆନନ୍ଦ ଅପାର ।।

ଏମନ୍ତ ସମୟେ ଧନୁଶର ହସ୍ତେ
ବ୍ୟାଧ ବୁଲୁଥିଲା ବନେ ।
ସହସା ଏ ଦୁଇ ବିହଙ୍ଗେ ନିରେଖି
ଖୁସି ହୋଇଗଲା ମନେ ।।

ବିନ୍ଧି ଦେଲା ତୀର ସ୍ତିରୀ ପକ୍ଷୀଟିର
ବକ୍ଷ ସ୍ଥଳେ ଗଲା ଗଳି ।
ହୃଦ ବିଦାରକ କରୁଣ ଚିତ୍କାର
କରି ପଡ଼ିଲା ସେ ଟଳି ।।

ସାଥୀଟି ତାହାର କରଇ ରୋଦନ
ନୟନୁ ଲୋତକ ଢ୍ନଳି ।
ଏ କରୁଣ ଦୃଶ୍ୟ ମୁନି ହୃଦେ ଦେଲା
ଦୁଃଖ ଅନଳ ଜାଳି ।।

କି କଲୁ କି କଲୁରେ ନିଷାଦ ତୁହି
କି କଲୁ କି କଲୁ ଆହା ।
କି ଦୋ କଲା ସେ ନିରୀହ ବିହଙ୍ଗ
ମାରି ଦେଲୁ ତାକୁ ଯାହା ।।

ଶତ ସମ୍ୱତ୍ସରେ ନ ପାଇବୁ ଶାନ୍ତି
ସତ୍ୟ ସତ୍ୟ ମୋ ବଚନ ।
ଅତି ସୁକୋମଳ ମୁନିଙ୍କର ହୃଦ
ବିଷାଦେ ହେଲା ମଗନ ।।

କରୁଣ ବିଳାପ ହେତୁ ମୁନି ହୃଦୁ
କବିତା ହୋଇଲା ଜାତ ।
ଶୋକରୁ ସମ୍ଭୁତ ହୋଇବାରୁ ଶ୍ଳୋକ
ଜଗତେ ହୋଇଲା ଖ୍ୟାତ ।।

ଏ ଶ୍ଳୋକ ଛଳରେ ମୁନି ବାଲମୀକ
ବ୍ରହ୍ମାଙ୍କ ଆଦେଶ ପାଇ ।
କରିଲେ ରଚନା ଗ୍ରନ୍ଥ ରାମାୟଣ
ରାମଙ୍କ ଚରିତ ଗାଇ ।।

ଦସ୍ୟୁ ରତ୍ନାକର ଥିଲେ ବାଲମିକ
ମାତ୍ର କି ବିଚିତ୍ର କଥା ।
ଆଦି କବି ରୂପେ ହୋଇଲେ ପ୍ରଖ୍ୟାତ
ସରବେ ନୁଆଁନ୍ତି ମଥା ।।

କେତେ ସମ୍ୱତ୍ସର ହୋଇଲାଣି ଗତ
ମାତ୍ର ଜନ ମାନସରେ ।
ରାମାୟଣ ଗାଥା ଏବେବି ଜୀବିତ
ରହିବ ଭବିଷ୍ୟତରେ ।।

ଆହେ ବାଲମିକ ହେ ଯୋଗ ଜନମା
ଭାରତର ଗଉରବ ।
ଯାବତ ଚନ୍ଦ୍ରାର୍କେ ରହିଥିବ ସଦା
ତୁମ ଯଶ ସଉରଭ ।।

ଲୋକପ୍ରିୟ ଲେଖା

To Top