କବିତା

ଛେଳି ଜଗୁଆଳ

Madhabananda Panda's Poem for Children CHELI JAGUAALA

ମନ ହୁଏ ତା’ର ଯିବାକୁ ପଢ଼ି
ବେଗରେ ଧରି ସିଲଟ ଖଡ଼ି ।
ପାରେନା ଜାଣି
ମାଆ କିଆଁ ତାକୁ ବଣକୁ ପଠାଏ
ବହି ଖାତା କିଛି ନ ଦେଇ କିଣି !

ଛେଳି ଜଗୁଆଳ

ଗରିବ ଘରରେ ଜନମ ତା’ର,
ଦେଇ ପାରିନି ସେ ‘ଅ’ରେ ଗାର
ପାରେନି ଖେଳି ।
ସକାଳ ପହରୁ ଖାଇ ଦେଇ ଦି’ଟା
ଜଙ୍ଗଲରେ ଯାଇ ଚରାଏ ଛେଳି ।
ପେଣ୍ଟେ ମଇଳା ଜାମାରେ ତାଳି
ମା’କୁ କହିଲେ ଖାଏ ସେ ଗାଳି ।
ଜାଣେନା ସିଏ
ପର ଘରେ ମାଆ କାମ କରେ କିଆଁ
ଗରିବ ତାହାକୁ କରିଛି କିଏ ?

ମନ ହୁଏ ତା’ର ଯିବାକୁ ପଢ଼ି
ବେଗରେ ଧରି ସିଲଟ ଖଡ଼ି ।
ପାରେନା ଜାଣି
ମାଆ କିଆଁ ତାକୁ ବଣକୁ ପଠାଏ
ବହି ଖାତା କିଛି ନ ଦେଇ କିଣି !
ଛାଡ଼ି ଦେଇ ଛେଳି ଚରିବା ପାଇଁ
ଜମା କରେ ଜାଳ କାଠ ଗୋଟାଇ ।
ନଇଁଲେ ଖରା
କାଳି, ଧଳି, ପାଟ, ଚଗଲା ସଭିଙ୍କୁ
ଅଡ଼ାଇ ଘରକୁ ଫେରଇ ପରା ।

ସେମାନେ ସାଥୀ ତା’ ସୁଖ ଦୁଃଖର
ସଭିଁଙ୍କୁ ସେ କରେ ବହୁ ଆଦର ।
ଦେଲେ ସେ ଡାକ
ମେଁ ମେଁ ମେଁ ବୋବାଇ ବୋବାଇ
ଘେରିଯାନ୍ତି ତାକୁ ପଲଟା ଯାକ ।
ଖେଳଇ ସେ ଛେଳି ଛୁଆଙ୍କ ସଙ୍ଗେ
ଡିଅଁନ୍ତି ସେ ଶିଶୁ ସୁଲଭ ରଙ୍ଗେ ।
ନ ଜାଣୁ କିଏ
ଭୁଲିଯାଏ ସିଏ ଗରିବ ବୋଲିଟି
ବନିଯାଏ ଅବା ବାଦ୍‌ଶାଟିଏ ।

ବେଳେ ବେଳେ ଗଛ ଛାଇର ତଳେ
ବଜାଏ ବଇଁଶି ଝରଣା କୂଳେ ।
ଆସଇ ଝରି
ମରମ ତଳର ଗରମ ବେଦନା
ସତେବା ଝରଣା ଜଳର ପରି
ଶତ ଶତ ଶିଶୁ ଏହାରି ପରି
ଦୁଃଖ ଦାରିଦ୍ର୍ୟରେ ପଡ଼ନ୍ତି ଝରି ।
ଭାବଇ ମନେ
ଉଦେ ହେବ କିବା ଭାଗ୍ୟ ରବି ତା’ର !
ସବୁରି ଭିତରେ ନୋହିବ ଜଣେ !

ଲୋକପ୍ରିୟ ଲେଖା

To Top