କବିତା

କେ ଶୋଭଇ କେଉଁପରି

Madhabananda Panda's Odia Poem for Children KE SHOBHAIN KEUNPARI

ରଜନୀ ସୁନ୍ଦର
ହୋଇଲେ ଉଦୟ
ଅମ୍ୱରେ ପୂର୍ଣ୍ଣମୀ ଜହ୍ନ ।
ଅନ୍ଧକାର ରାତ୍ରେ
ଖଦ୍ୟୋତ ରୋଷଣୀ
ହରିନିଏ ଜନମନ ।।

କେ ଶୋଭଇ କେଉଁପରି

ପୂର୍ବ ଦିଗ୍‌ବଳୟ
ଶୋଭଇ ପ୍ରଭାତେ
ଉଦୟ ହୋଇଲେ ରବି ।
ହୁଅଇ ଅନ୍ତର
ଘନ ଅନ୍ଧକାର
ଆହା କି ସୁନ୍ଦର ଛବି ।।

ରଜନୀ ସୁନ୍ଦର
ହୋଇଲେ ଉଦୟ
ଅମ୍ୱରେ ପୂର୍ଣ୍ଣମୀ ଜହ୍ନ ।
ଅନ୍ଧକାର ରାତ୍ରେ
ଖଦ୍ୟୋତ ରୋଷଣୀ
ହରିନିଏ ଜନମନ ।।

ନାରୀର କପାଳେ
ଶୋଭଇ ସିନ୍ଦୂର
କରେ ଶୋହେ ଶଙ୍ଖା ନାଲି ।
ମୃଦୁ ହାସ ସାଥେ
ମଧୁର ବଚନ
ମନ୍ଦ ମନୋହର ଚାଲି ।।

ବ୍ରାହ୍ମଣ କପୋଳେ
ଚନ୍ଦନର ଚିତା
ମୁଖେ ବେଦ ଉଚ୍ଚାରଣ ।
ପୋଥି ବିଦ୍ୟା ଜ୍ଞାନ
ନୁହଁଇ ଶୋଭନ
ହେଲେ ମନ୍ଦ ଆଚରଣ ।।

ବିଦ୍ୟାର୍ଥୀ ହସ୍ତରେ
ଶୋଭଇ ପୁସ୍ତକ
ଲିଖନ ଯନ୍ତ୍ର ଆବର ।
ନ ଶୋଭଇ କିନ୍ତୁ
ନ ହୁଅଇ ଯଦି
ବ୍ୟବହାର ମହତ୍ତର ।।

ଶୋଭଇ କାନନେ
ତୁଙ୍ଗ ତରୁଶ୍ରେଣୀ
କୁଳୁକୁଳୁ ନିର୍ଝରିଣୀ ।
କରୁଥିଲେ ବାସ
ଶାର୍ଦ୍ଦୁଳ, ଭଲ୍ଲୁକ
ହସ୍ତୀ, ହରିଣ, ହରିଣୀ ।।

ଧରଣୀ ବଧୂଟି
ପିନ୍ଧଇ ଗ୍ରୀଷମେ
କୃଷ୍ଣଚୂଡ଼ା ବନାରସୀ ।
ତୃଷ୍ଣା ନିବାରନ୍ତି
ବେଲ, ତରଭୁଜ
ଦହି ସରବତ ଲସି ।।

ବର୍ଷାକାଳ ଶୋହେ
ଝରୁଥିଲେ ନଭୁ
ଘନ ଘନ ବାରିଧାରା ।
ଶୋଭନ ଦିଶଇ
ଶ୍ୟାମ ଶସ୍ୟ କ୍ଷେତ୍ର
ସୁଶ୍ୟାମଳ ଚାରୁ ଧରା ।।

ଶୋଭଇ ଶରତେ
ସୁନୀଳ ଅମ୍ୱର
ପୂଜା, ପାରବଣ, ନାଟ ।
ଶୀତ ରାଣୀ
ଶୋହେ କରି ପରିଧାନ
ସୋରିଷ ଫୁଲିଆ ପାଟ ।।

ବସନ୍ତ ଶୋଭଇ
ପଳାଶ ଶିମିଳି
ରକ୍ତ ପୁଷ୍ପେ ଗଭା ସାଜି ।
ମରୁଭୂମି ମଧ୍ୟେ
ଶୋହେ ମରୁଦ୍ୟାନ
ଉଦ୍ୟାନେ କୁସୁମ ରାଜି ।।

ଶିଶୁ ମୁଖେ ଶୋହେ
ମନ ମୁଗ୍‌ଧକାରୀ
ସରଳ ନିଷ୍ପାପ ହସ ।
ମାନବ ଶୋଭଇ
ହୃଦୟ ପୂର୍ଣ୍ଣଯା’ର
ମାନବିକତାର ରସ ।।

ଲୋକପ୍ରିୟ ଲେଖା

To Top