କବିତା

ଶୁକ୍ରୁ ଜାନି

Madhabananda Panda's Odia Poem SHUKRUJAANI

ଅଦ୍ୟାପି କହନ୍ତି ଲୋକେ
ଦେଖିଛନ୍ତି ବୋଲି ଥୋକେ
ଶୁକ୍ରୁ ଜାନି ମୁଣ୍ଡେ ଭିଡ଼ି ଠେକା ।
ଧାରୁଆ ଟାଙ୍ଗିଆ ହାତେ
ବୁଲୁଥାଏ ପରବତେ
ବାଘ ଭୟ ଦେଇ ନାହିଁ ଦେଖା ।।

ଶୁକ୍ରୁ ଜାନି

ସେଇ ସେ ପାହାଡ଼ ପାରେ
ଦୂର ଦିଗ୍‌ବଳୟ ଧାରେ
ଛୋଟ ସେଇ ଆଦିବାସୀ ଗାଁ ।
ସେଇଠି ଜନମି ଥିଲା
ଗୋଟିଏ ସାହସୀ ପିଲା
ଶୁକ୍ରୁ ଜାନି ବୋଲି ତା’ର ନାଁ ! !

ଡଉଲ ଡାଉଲ ଦେହ
ସୁନ୍ଦର ସୁଗୋଲ ମୁହଁ
ମାତ୍ର ତା’ର ଚଉଦ ବରଷ ।
ବଣ ମୁଲକେ ତା’ ଖେଳ
ଛାତିରେ ହାତୀର ବଳ
ପିଲା ସିନା ଧନ୍ୟ ତା’ ସାହସ ! !

ପାରିଲାନି ପଢ଼ି ପାଠ
ବାପା ସାଣେ ହାଣେ କାଠ
ପରିବାର ପୋଷିଥାନ୍ତା କିଏ ?
ଏକଦା ବାପାର ସାଥେ
ଧାରୁଆ ଟାଙ୍ଗିଆ ହାତେ
ଯାଇଥିଲା ଜଙ୍ଗଲକୁ ସିଏ ।।

ମାତି ଥିଲା ମହାବଳ
ସତେ ଅବା ମହାକାଳ
ଶୁଭେ ତା’ର ବିକଟ କୁହାଟ ।
ସଞ୍ଜ ଆସିଲେ ମାଡ଼ି
ଅନ୍ଧାରର ଜାଲ କାଢ଼ି
ପଡ଼ିଯାଏ ତାଟି ଓ କବାଟ ।।

କାହା ନାତି, କାହା ଝିଅ
କାହା ବାପ, କାହା ପୁଅ
ହୋଇଗଲେ ବାଘର ଆହାର ।
କେତେ ଚତୁର ଶିକାରୀ
ନ ପାରିଲେ ତାକୁ ମାରି
ସବୁଆଡେ଼ ହେଲା ହାହାକାର ।।

ସାହସା ଥରିଲା ବନ
ବିକଟ ଭୀମ ଗର୍ଜନ
ବାପାକୁ ତା’ ନିଅନ୍ତେ ଘୋଷାଡ଼ି ।
ଚଉଦ ବରଷ ଛୁଆ
ଧରି ଧାରୁଆ ଟାଙ୍ଗିଆ
ଧାଇଁଲା ସେ କରି ଘୋର ରଡ଼ି ।।

ଦିଅନ୍ତେ ବାଘକୁ ଚୋଟେ
ଭୟ ନ କରି ସେ ମୋଟେ
ତତ୍‌କ୍ଷଣାତ ସେ ନର ଖାଦକ ।
ବିକଟ ଗର୍ଜନ କରି
ପଛକୁ ଲେଉଟି ପଡ଼ି
ଧରି ନେଲା ଶୁକୁରର ବେକ ।।

ଶୁକ୍ରୁର ଟାଙ୍ଗିଆ ଧାର
ବିଦାରିଲା ମୁଣ୍ଡ ତା’ର
ବହିଗଲା ରକତର ନଈ ।
ମୃତ୍ୟୁର ଶୀତଳ କୋଳେ
ଆଲିଙ୍ଗନ କରି ଭୋଳେ
ଦୁଇ ବୀର ପଡ଼ିଥିଲେ ଶୋଇ ।।

ଗଡ଼ିବାରୁ ବହୁ ବେଳ
ଗ୍ରାମବାସୀ ହୋଇ ମେଳ
ପହଞ୍ଚିଲେ ବରଗଛ ମୂଳେ ।
କରି ଭାର ବାଉଁଶର
ଆଣିଲେ ଗ୍ରାମ ଭିତର
କାନ୍ଦୁଥିଲେ ସରବେ ବିକଳେ ।।

ସେଇ ବରଗଛ ମୂଳେ
ପଥର ବେଦୀ ଉପରେ
ଥାପିଲେ ସେ ପଥର ମୂରତି ।
ଜାନି ପେନୁ ଦେଲେ ନାଆଁ
ବିପଦେ ହୋଇବେ ସାହା
ଜଣାନ୍ତି ସେ ଅନ୍ତର ଭକତି ।।

ସେହିଦିନୁ ଗ୍ରାମେ ଗ୍ରାମେ
ଶୁକୁରୁ ପାହାଡ଼ ନାମେ
ପରବତ ହେଲା ପରିଚିତ ।
ସେଇ ବରଗଛ ତଳେ
ମାଦଲର ତାଳେ ତାଳେ
ନୃତ୍ୟ ଗୀତ ହୁଏ ଆୟୋଜିତ ।।

ଅଦ୍ୟାପି କହନ୍ତି ଲୋକେ
ଦେଖିଛନ୍ତି ବୋଲି ଥୋକେ
ଶୁକ୍ରୁ ଜାନି ମୁଣ୍ଡେ ଭିଡ଼ି ଠେକା ।
ଧାରୁଆ ଟାଙ୍ଗିଆ ହାତେ
ବୁଲୁଥାଏ ପରବତେ
ବାଘ ଭୟ ଦେଇ ନାହିଁ ଦେଖା ।।

ବିତିଲାଣି କେତେ କାଳ
ପାରିନାହିଁ ମହାକାଳ
ଅଦ୍ୟାବଧି ରହିଛି ଏକଥା ।
ଲୋକେ ଗଲାବେଳେ ବଣେ
ଅଟକି ଯାଆନ୍ତି କ୍ଷଣେ
ଭକ୍ତି ଭରେ ନୋଇଁଥାନ୍ତି ମଥା ।।

ଲୋକପ୍ରିୟ ଲେଖା

To Top