ଦଶ ବରଷର ନୀଳ ମାଧବ । ପଞ୍ଚମ ଶ୍ରେଣୀରେ ପଢ଼େ । ସେଦିନ ସେ ସ୍କୁଲ୍ରୁ ଫେରିଲା ପରେ ତା’ ଶୁଖିଲା ମୁହଁ ଦେଖି ମା’ ଚମକି ପଡ଼ିଲେ । ପଚାରିଲେ, “ନିଲୁ ! ତୋର କଣ ହେଲା ପୁଅ ? କିଏ ଗାଳି କଲେ କି ? କିଏ କଣ କହିଲା କି ? ଶିକ୍ଷକ କି ସାଙ୍ଗସାଥୀ କିଏ କିଛି କହିଲେ କି ? ରାସ୍ତାରେ କିଛି ଅସୁବିଧା ହୋଇନି ତ !”
ଏମିତି ମାଆଙ୍କର ପ୍ରଶ୍ନ ଉପରେ ପ୍ରଶ୍ନ ଶୁଣି ନୀଳ ମାଧବ ଘାବରେଇ ଗଲା । ସେ ସେଭଳି ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବାକୁ ପ୍ରସ୍ତୁତ ନ ଥିଲା । ବହିପତ୍ର ପଢ଼ା ଘରେ ରଖି ବାହାରକୁ ବାହାରି ଆସିଲା । ମାଆ ତା’ ପଛରେ ଆସି ପଢ଼ାଘର ଆଗରେ ଛିଡ଼ା ହୋଇଥିଲେ । ନୀଳମାଧବ କହିଲା , “ମୋର କିଛି ହୋଇନି ମା’ ! ତୁମେ ଅଯଥାରେ ଚିନ୍ତା କରୁଛ !”
ମାଆ ଛାଡ଼ିବାର ନ ଥିଲେ । ସେ ସନ୍ଦେହ ନଜରରେ ତାକୁ ଦେଖିବାର ଦେଖି ନୀଳ ମାଧବ ପୁଣି ଆରମ୍ଭ କଲା , “ଆଜି ମୁଁ ସ୍କୁଲ୍କୁ ଗଲାବେଳେ ରାସ୍ତା କଡ଼ରେ ଭିକାରୀଟିଏ ଦେଖିଲି । ସେ କିଛିଦିନ ହେଲାଣି କିଛି ଖାଇନି କହି କାନ୍ଦି ପକାଉଥାଏ । ତା’ ଅବସ୍ଥା ଦେଖି ମୋତେ ଦୁଃଖ ଲାଗିଲା । ତା’ ପ୍ରତି ଦୟାଭାବ ଆସିଲା । ମୁଁ ତାକୁ ତୁମେ ଜଳଖିଆ ପାଇଁ ଦେଇଥିବା ଦଶ ଟଙ୍କା ଦେଇ ଭୋକରେ ରହିଲି । ସେଥିପାଇଁ ବୋଧେ ମୋ ମୁହଁ ଟିକେ ଶୁଖି ଯାଇଥିବ ।”
ମାଆ ନୀଲୁ ଠାରୁ ସେଭଳି କଥା ଶୁଣି କାନକୁ ବିଶ୍ୱାସ କରି ପାରିଲେ ନାହିଁ । ସେଭଳି ଛୋଟ ମୁହଁରୁ ବଡ଼ କଥାଟିଏ ଶୁଣି ମାଆ ତାକୁ କୁଣ୍ଢାଇ ଧରିଲେ । ତାଙ୍କ ଆଖିରୁ ଆନନ୍ଦାଶ୍ରୁ ବହିଗଲା । କହିଲେ, “ପୁଅ ! ଏଭଳି ଦୁଃଖୀ ଜଣଙ୍କ ସେବା କରିବା ମଣିଷର ପରମ କର୍ତ୍ତବ୍ୟ ଅଟେ । ଏଭଳି କଲେ ଜୀବନରେ ଶାନ୍ତି ଅବଶ୍ୟ ମିଳେ । ତୋ ଏ କାମ ପାଇଁ ମୁଁ ସତରେ ତୋ ମାଆ ଭାବରେ ଗର୍ବ କରୁଛି ।”
ନୀଲୁ ତା’ ମାଆ ର କଥା ଧ୍ୟାନ ଦେଇ ଶୁଣୁଥିଲା । ପୁରା ଚୁପ୍ଚାପ୍ । ବୋଧ ହୁଏ ନୀଲୁ ଭାବୁଥିଲା ସେ ଭଳି କିଛି ମହତ କାମ କରିବାକୁ, ଯେଉଁଠି ଜୀବନରେ ଶାନ୍ତି ମିଳିବ ।