ଗଳ୍ପ

ପୁବୁଲିର ଆତ୍ମକଥା

ଭାଲୁଟି ତା ପାଖକୁ ଗଲା । ସନେଇ ସେତେବେଳକୁ ପୁରା ଡରିଯାଇଥାଏ । ଭାଲୁ ତାର ଏପଟ ସେପଟ ଶୁଙ୍ଘିଲା ଓ ତା ଦେହରେ ଘଷିହେଲା ।

ପୁବୁଲିର ଆତ୍ମକଥା

ଏକଦା ଗାଁ ରୁ ଦୁଇ କିଲୋମିଟର ଦୂରରେ ଏକ ଜଙ୍ଗଲ ଥିଲା । ଜଙ୍ଗଲ କଡ଼େ କଡ଼େ ଏକ ସରୁ ନଈ କଳ କଳ ନାଦରେ ବହି ଯାଉଥିଲା । ନଈର ପାଣି କାଚକେନ୍ଦୁ ପରି ସ୍ୱଚ୍ଛ ଥିଲା । ବିଭିନ୍ନ ଜାତିର ମାଛ ସେଇ ନଈରେ ବାସ କରୁଥିଲେ । ଗାଁ ର ଲୋକମାନେ ନଈ କୂଳରେ ଚାଷ ବାସ କରୁଥିଲେ । ଜଙ୍ଗଲରେ ଥିବା ବିଭିନ୍ନ ଜନ୍ତୁ ନଈପାଣିକୁ ପିଇ ଜୀବନ ଧାରଣ କରୁଥିଲେ । ଗାଁ ର ଲୋକମାନେ ଜଙ୍ଗଲରୁ କାଠ କାଟି ତାଙ୍କର ଦୈନନ୍ଦିନ ଜୀବନ ଅତିବାହିତ କରୁଥିଲେ । ଗାଁ ର ଜଙ୍ଗଲରେ ଏକ ଠାକୁରାଣୀ ଥା’ନ୍ତି । ତାକୁ ଜଙ୍ଗଲି ମା’ ବୋଲି ସମସ୍ତେ ପୂଜା କରନ୍ତି । ସେଠାକାର ପଶୁ ପକ୍ଷୀ ଗୁଡ଼ିକ କେବେ କାହାର କ୍ଷତି କରିଥିବା କେହି ଜାଣି ନାହାନ୍ତି । ମଣିଷଙ୍କ ସଙ୍ଗେ ତାଙ୍କର ଅନ୍ତରଙ୍ଗ ଭାବ ।

ଗାଁ ରେ ଥିବା ସନେଇ ଦିନକର ବିଲରୁ ଫେରି ଏକ ଗଛ ତଳେ ଥକ୍କା ମେଣ୍ଟାଉ ଥାଏ । ଜଙ୍ଗଲରୁ ବାହାରି ଏକ ଭାଲୁ ପାଣି ପିଇବା ପାଇଁ ନଈକୁ ଆସିଥାଏ । ସେ ପାଣି ପିଉଛି ହଠାତ୍ ତାର ଗୋଡ଼ ଖସି ଗଲା । ସେ ନଈରେ ପଶି ଯାଇଛି ଯେତେ ଚେଷ୍ଟା କରୁଛି ଉପରକୁ ଉଠିବା ପାଇଁ ଆଉ ଉଠିପାରୁନାହିଁ । ସନେଇର ଆଖି ତା’ ଉପରେ ପଡ଼ିଲା ଭାଲୁଟି ନଈର ସୁଅରେ ଭାସିଚାଲିଥାଏ । ସନେଇ ଦୌଡ଼ିଯାଇ ତା’ ହାତରେ ଥିବା ଠେଙ୍ଗାଟିକୁ ଭାଲୁଆଡ଼କୁ ବଢ଼ାଇ ଦେଲା । ଭାଲୁ ଠେଙ୍ଗାଟିକୁ ଯେମିତି ଧରିଛି ସନେଇ ଠେଙ୍ଗାସହ ଭାଲୁକୁ ଟାଣି ଆଣିଲା । ଭାଲୁ ଉପରକୁ ଉଠିସାରି ଝାଡ଼ି ଝୁଡ଼ି ହେଲା ଆଉ ଜଙ୍ଗଲକୁ ଫେରିଜିବା ପରିବର୍ତ୍ତେ ସନେଇ ପଛେ ପଛେ ଚାଲିଲା ।

ଭାଲୁ କବଳରୁ ନିଜକୁ ବଞ୍ଚାଇବା ପାଇଁ ସନେଇଁ ଦୌଡ଼ିଲା । ଦୌଡ଼ୁ ଦୌଡ଼ୁ ଏକ ଖମାରେ ସେ ପଡ଼ିଗଲା । ଭାଲୁଟି ତା ପାଖକୁ ଗଲା । ସନେଇ ସେତେବେଳକୁ ପୁରା ଡରିଯାଇଥାଏ । ଭାଲୁ ତାର ଏପଟ ସେପଟ ଶୁଙ୍ଘିଲା ଓ ତା ଦେହରେ ଘଷିହେଲା । ଅଥଚ ତାହାର କୌଣସି କ୍ଷତି କଲା ନାହିଁ । ସନେଇ ନିର୍ଭୟରେ ଭାଲୁକୁ ମଧ୍ୟ ଆଉଁସିଲା । ଭାଲୁଟି ସତେ ଜେମିତି ଚାହୁଁଥାଏ ସେ ସନେଇପାଖରେ ରହିବ । ସନେଇ ତାର ଯତ୍ନନେବ । ସେଇଆ ହେଲା । ସନେଇ ତାକୁ ଘରକୁ ନେଇ ଆସିଲା ।

ସନେଇର ଥାଏ ଛୋଟ ଝିଅଟି । ତା’ର ନାଁ ପୁବୁଲି । ବୟସ ତାକୁ ୧୦ ସ୍କୁଲ୍ କହିଲେ ଗାଁ ର ଚାଟଶାଳୀକୁ ହିଁ ବୁଝେ । ସେଇଠି ସେ ଅ, ଆ, ଠୁଁ ମିଶାଣ ଫେଡାଣ ଶିଖିଛି । ସକାଳେ ଚାଟଶାଳୀକୁ ଯାଏ ସେଠୁ ଆସି ଭାଲୁ ସାଙ୍ଗରେ ଦିନ ତମାମ ଖେଳେ । ଦିନେ ପୁବୁଲି ତା’ର ବାପାକୁ କହିଲା “ମୋର ତ ନାଁ ଅଛି, ଭାଲୁର ଗୋଟିଏ ନାଁ ଦେବା । ମୁଁ ତାକୁ ସେଇ ନାଁ ରେ ଡାକିବି । ସେ ମୋର ସାଙ୍ଗ ।” ତା ବାପା କହିଲା “ମୁଁ ତାକୁ ଗୋବରୀ ନଈ କୂଳରୁ ଆଣିଥିଲି । ତା’ର ନାଁ ଗୋବରୀ ।” ସେହି ଦିନଠୁଁ ପୁବୁଲି ଭାଲୁକୁ ଗୋବରୀ ବୋଲି ଡାକେ ।

ଗୋବରୀ ସହିତ ତାର ଅନ୍ତରଙ୍ଗ ସାଙ୍ଗ । ଗୋବରୀକୁ ଘୋଡ଼ାକରି ସେ ତା ପିଠିରେ ବସେ । ବହୁତ ଖୁସିରେ ଖେଳେ ଗୋବରୀ ତା ସାଙ୍ଗରେ ଖାଏ, ତା ସାଥିରେ ସୁଏ, ବେଳେବେଳେ ତାସାଥିରେ ଚାଟଶାଳୀ ମଧ୍ୟ ବୁଲି ଯାଏ ।

ଦିନକର ଜଙ୍ଗଲ ବିଭାଗର ଲୋକ ଖବର ପାଇଲେ ସନେଇ ଦାସ ଏକ ଭାଲୁକୁ ନେଇ ଘରେ ପୋଷିଛି । ଭାଲୁକୁ ଘରେ ରଖିବାର ଅପରାଧରେ ସନେଇକୁ ଜେଲ୍ ପଠାଇଲେ । ଗୋବରୀକୁ ଯନ୍ତାରେ ପୁରେଇ ନନ୍ଦନକାନନରେ ରଖିଲେ । ପୁବୁଲିର ମା’ ଅନେକ ଦିନରୁ ମରିଯାଇଥାଏ । ତାର ସଂସାର କହିଲେ ତା ବାପା, ଗୋବରୀ ଓ ସେ ନିଜେ । ଏବେ ବାପା ଜେଲ୍‌ରେ, ଗୋବରୀ ନନ୍ଦନକାନନ ଯନ୍ତାରେ ଆଉ ପୁବୁଲି ଏକୁଟିଆ । ଏବେ ସେ ଅନାଥ, କେହି ଖାଇବାକୁ ଦେଲେ ନାହିଁ ।

ପୁବୁଲି ଗାଁ ଛାଡ଼ି ସହର ଆସିଲା । ଜଣକ ଘରେ ରହିଲା । କାମ ଦାମ କରେ । ଛୋଟ ପିଲାଟା, ତାକୁଦେଖି ତା ମାଲିକର ଦୟା ହେଲା । ତା’ ପାଖରୁ ସବୁକଥା ଶୁଣି ତା ବାପାକୁ ଜେଲ୍‌ରୁ ମୁକୁଳାଇଲା । ତା ବାପା ଓ ସେ ନନ୍ଦନକାନନକୁ ଯାଇ ଗୋବରୀକୁ ଦେଖିଲେ । ଗୋବରୀ ତାଙ୍କୁ ଦେଖି ଆଖିରୁ ଲୁହ ଝରାଇଲା । ହେଲେ ଆଉ ସେଠାରୁ ସେ ମୁକୁଳିପାରିଲା ନାହିଁ । ଖାଲିହାତରେ ପୁବୁଲି ଓ ତା’ର ବାପା ଗାଁକୁ ଫେରିଲେ । ସେତେବେଳକୁ ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡ଼ି ଯାଉଥିଲେ ନଇଁ ଆସୁଥିଲା ସନ୍ଧ୍ୟା ।

ଲୋକପ୍ରିୟ ଲେଖା

To Top