ଗଳ୍ପ

ସାହାଯ୍ୟ

Kanishtha Kishore Sahu's odia story for children Saahaajya

ସେ ଅନ୍ଧ ଲୋକଟିକୁ ସାହାଯ୍ୟ କରିବାକୁ ଯାଇ ଏତେ କଷ୍ଟ ପାଇଲୁ । ସେ କିଛି ହୋଇନି । ଯାଆ । ଦେଖିବୁ ସେ କେତେ ଆରାମରେ ବାରଣ୍ଡାରେ ଭଜନ କରୁଛି ।

ସାହାଯ୍ୟ

ସମୟ ପୂର୍ବାହ୍ନ ସାଢ଼େ ନଅଟା । ସପ୍ତମ ଶ୍ରେଣୀର ରମେଶ ନିକଟରେ ଥିବା କନ୍‌ଭେଣ୍ଟ ସ୍କୁଲ୍‌କୁ ପାଠ ପଢ଼ିବାକୁ ଯିବାବେଳେ ଜଣେ ଅନ୍ଧ ଲୋକକୁ ଆଗେ ଆଗେ ଯାଉଥିବା ଦେଖିଲା । ହଠାତ୍ ଅନ୍ଧ ଲୋକଟି ରାସ୍ତା କଡ଼ରୁ ମଝିକୁ ଚାଲିଗଲା । ବିପରୀତ ଦିଗରୁ କ୍ଷୀପ୍ର ଗତିରେ କାର୍‌ଟିଏ ଆସୁଥିବାର ଦେଖି ରମେଶ ଭାବିଲା ଲୋକଟିକୁ ଆଡ଼େଇ ନ ଆଣିଲେ ହୁଏତ କାର୍‌ଟି ତା’ ଉପରେ ମାଡ଼ିଯିବ ।

ରମେଶ ଝପଟି ଯାଇ ତାକୁ ଆଣିଲା ବେଳକୁ କାର୍‌ଟି ଜୋର୍‌ରେ ଧକ୍କା ଦେଇ ତା’ ବାଟରେ ଚାଲିଗଲା । କାର୍ ଧକ୍କାରେ ଅନ୍ଧ ଲୋକଟିର କିଛି ହେଲାନି ଅଥଚ ରମେଶ ଗୁରୁତର ଭାବରେ ଆହତ ହେଲା । ତା’ ମୁଣ୍ଡ ଫାଟିଗଲା । ହାତ ଗୋଡ଼ ଭାଙ୍ଗିଗଲା । ଘଟଣା ସ୍ଥଳରେ ସେ ଚେତା ଶୂନ୍ୟ ହୋଇ ପଡ଼ି ରହିଲା ।

ଚେତା ଫେରିବା ବେଳକୁ ରମେଶ ବଡ଼ ଡାକ୍ତରଖାନାରେ ନିଜକୁ ଆବିଷ୍କାର କଲା । ତା’ ହାତ ଗୋଡ଼ ଓ ମୁଣ୍ଡରେ ପଟି ବନ୍ଧା ହୋଇଥିଲା । ସାଲାଇନ୍ ଲାଗିଥିଲା । ବାପା ଓ ମା’ ତା’ କଡ଼ରେ ବସିଥିଲେ । ଅନ୍ୟ ସାଙ୍ଗସାଥି ମଧ୍ୟ ଥିଲେ ।

ରମେଶର ଚେତା ଫେରିବା ଦେଖି ମାଆ ଅନ୍ୟ କିଛି ନ ପଚାରି କହିଲେ, “ପୁଅ ! ସେ ଅନ୍ଧ ଲୋକଟିକୁ ସାହାଯ୍ୟ କରିବାକୁ ଯାଇ ଏତେ କଷ୍ଟ ପାଇଲୁ । ସେ କିଛି ହୋଇନି । ଯାଆ । ଦେଖିବୁ ସେ କେତେ ଆରାମରେ ବାରଣ୍ଡାରେ ଭଜନ କରୁଛି ।”

ମାଆଙ୍କଠାରୁ ଏତେ କଥା ଶୁଣି ସାରିଲା ପରେ ରମେଶ କହିଲା, “”ମାଆ ! ସେ ଅନ୍ଧ ଲୋକଟା ନିରାଶ୍ରୟ । ତା’ର ଦୁନିଆଁରେ କେହି ନାହାନ୍ତି । ତାକୁ ଯଦି ମୁଁ ସେଦିନ ବଞ୍ଚାଇ ନ ଥା’ନ୍ତି ତା’ର ମୃତ୍ୟୁ ହୋଇଥାନ୍ତା । ବିଚରାର ଆଗପଛରେ କେହି ନାହାନ୍ତି । ତା’ର କ’ଣ ହୋଇ ନଥାନ୍ତା ମୋର ତ ସମସ୍ତେ ଅଛନ୍ତି । ବାପା ଅଛନ୍ତି । ତୁମେ ଅଛ । ଭଉଣୀ ଅଛି । ସାଙ୍ଗ ସାଥୀ ଅଛନ୍ତି । ଏବେ କୁହ, ମୁଁ ତାକୁ ବଞ୍ଚାଇ କ’ଣ ଠିକ୍ କରିନି । ଦୁଃଖୀଜନଙ୍କୁ ସାହାଯ୍ୟ କରିବା କ’ଣ ଠିକ୍ ନୁହେଁ ?”

ରମେଶର ସେଭଳି କଥା ଶୁଣିଲା ପରେ ମାଆଙ୍କର ଆଉ କୌଣସି ଉତ୍ତର ନଥିଲା । କେବଳ ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ଆଖିରୁ ଦି’ଟୋପା ଲୁହ ଗଡ଼ାଇଲେ । ଏତେ ବେଳକୁ ସେ ଅନ୍ଧ ଲୋକ ରମେଶର କଡ଼ରେ ହାତଯୋଡ଼ି ଉପରକୁ ଲକ୍ଷ୍ୟ କରୁଥିବା ଦେଖାଗଲା । ବାପା, ଭଉଣୀ ଓ ସାଙ୍ଗସାଥିଙ୍କ ମୁହଁରେ କୌଣସି ଭାଷା ନଥିଲା । ଥିଲା କେବଳ ନିରବତା । ତା ଭିତରେ ଥିଲା ଭଗବାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାସୁମନ ।

ଲୋକପ୍ରିୟ ଲେଖା

To Top