ଗଳ୍ପ

ସାଲୁବାଲୁ

Kanishtha Kishore Sahu's odia story for children Saalubaalu

ମାଆଙ୍କ ରାଗ ଦେଖି ଟିକିନା କିଛି ନ କହି ଯିବାକୁ ପ୍ରସ୍ତୁତ ହେଲା ।

ସାଲୁବାଲୁ

ସୋମବାର । ସକାଳ ନଅଟା ଯେମିତି ହେଲା ଦ୍ୱିତୀୟ ଶ୍ରେଣୀର ଟିକିନାକୁ ତା’ ମାଆ ସ୍କୁଲ୍ ଯିବାକୁ କହିଲେ । ଟିକିନା ପାଖ ନଳକୂଅରୁ ଗାଧେଇ ଆସିଲା । ସ୍କୁଲ୍ ୟୁନିଫର୍ମ ପିନ୍ଧିଲା । ଭାତ, ଡାଲି ଖାଇଲା । ତା’ ମାଆ ତା’ ଚୁଟିକୁ କୁଣ୍ଡାଇ ଦେଇ ଘରକାମରେ ବ୍ୟସ୍ତ ରହିଲେ । ସେ ଯୋତା ପିନ୍ଧି ବାହାରିଲା ।

ଟିକିନା ସବୁଦିନ ପରି ବାଟ ଘରେ ଥିବା ବହିବ୍ୟାଗ୍‌କୁ କାନ୍ଧରେ ଝୁଲାଇ ପଢ଼ିଯିବାକୁ ବାହାରିଲା । ତାକୁ ବ୍ୟାଗ୍ ମଧ୍ୟରେ କିଛି ଗୋଟାଏ ସାଲୁବାଲୁ ଲାଗିଲା । ଭୟରେ ବ୍ୟାଗ୍‌ଟାକୁ ପୁଣି ସେଠାରେ ଥୋଇ ତା’ ମାଆ ନିକଟକୁ ଫେରିଗଲା ।

ତା’ଫେରି ଆସିବା ଦେଖି ତା’ ମାଆ ଖୁବ୍ ଜୋର୍‌ରେ ପାଟି କଲେ । ଗାଳି ଦେଲେ । ପାଠକୁ ଭୟ କରି ଫେରିଆସିଲୁ । ଯିବୁ ନା ଦେଖିବୁ କହିଲେ । ଟିକିନା ଡରି ଡରି କହିଲା, “ବ୍ୟାଗ୍ ଭିତରେ କ’ଣ ଗୋଟେ ସାଲୁବାଲୁ ଲାଗିଲା । ବାଟ ଘରେ ପକେଇ ପଳାଇ ଆସିଲି ।”

ଏ କଥା ଶୁଣି ଟିକିନାର ମାଆ ଆହୁରି ରାଗିଗଲେ । ତା’ ହାତକୁ ଝିଙ୍କି ଧରି ବାଟଘରକୁ ଆଣିଲେ । ବ୍ୟାଗ୍‌ଟାକୁ ତା’ କାନ୍ଧରେ ଅଜାଡ଼ି ଦେଇ କହିଲେ, “ଫେରି ଆସୁଛୁ ଚୋରଣୀ । ଯିବୁ ନା ନାହିଁ ?” ମାଆଙ୍କ ରାଗ ଦେଖି ଟିକିନା କିଛି ନ କହି ଯିବାକୁ ପ୍ରସ୍ତୁତ ହେଲା ।

ଟିକିନା ବ୍ୟାଗ୍‌ଟା ଧରିବା ପୂର୍ବରୁ ତା’ ମାଆ ତା’ କାନ୍ଧରେ ବ୍ୟାଗ୍‌ଟିକୁ ଝୁଲାଇ ଦେଲେ । ଟିକିନା ବ୍ୟାଗ୍‌ଟା ଧରି ଦି’ପାଦ ପକାଇବା କ୍ଷଣି ପୁଣି ସାଲୁବାଲୁ ଲାଗିଲା । ଭୟରେ ବ୍ୟାଗ୍‌ଟାକୁ ତଳେ କଚାଡ଼ି ଦେଲା । ବ୍ୟାଗ୍ ତଳେ ପଡ଼ିବା କ୍ଷଣି ତା’ ଭିତରୁ ଗୋଖର ନାଗଟିଏ ବାହାରି ବାଡ଼ିପଟକୁ ଚାଲିଗଲା ।

ଟିକିନାର ମାଆ ବ୍ୟାଗ୍ ଫୋପାଡ଼ିବା ଦେଖି ବିରକ୍ତ ନ ହୋଇ ଅବାକ୍ ହୋଇଗଲେ । ଭଗବାନଙ୍କ ପ୍ରତି ତାଙ୍କ ହାତଟା ଆପେ ଆପେ ଯୋଡ଼ି ହୋଇଗଲା ।

ଲୋକପ୍ରିୟ ଲେଖା

To Top