ଗଳ୍ପ

ସଚ୍ଚୋଟପଣିଆ

Kanishtha Kishore Sahu's odia story for children Sachhotapaniaa

ସାର୍ ! ଆମେ ଗରିବ ହୋଇପାରୁ, କିନ୍ତୁ ଲୋଭୀ ନୋହୁଁ ।

ସଚ୍ଚୋଟପଣିଆ

ଏକ ଅଜଣା ନମ୍ୱରରୁ ଫୋନ୍ ଆସିବା ଦେଖି ପିଣ୍ଟୁବାବୁ ଫୋନ୍ ଉଠାଇବେ କି ନା ଦ୍ୱିଧାରେ ପଡ଼ିଗଲେ । ତାଙ୍କ ମନ ଠିକ୍ ନଥିଲା । ସକାଳୁ ସକାଳୁ ଚାଳିଶ ହଜାର ଟଙ୍କା ଯାଇଛି । ଏଣେ ଅଜଣା କଲ୍ । କାଳେ କିଛି ହୋଇପାରେ । ଏପରି ନାନା ଶଙ୍କା ମଧ୍ୟରେ ଫୋନ୍‌ଟା ରିସିଭ୍ କଲେ ।

ସେପଟୁ ଏକ କୋମଳ କଣ୍ଠସ୍ୱର, ଜଣେ ବାର/ତେର ବର୍ଷର ବାଳକର କଣ୍ଠରେ ଶୁଭିଲା, “ସାର୍, ନମସ୍କାର ! ଆପଣ ପିଣ୍ଟୁ ବାବୁ କି ?”

ପିଣ୍ଟୁବାବୁ ଦୁଃଖ ମିଶା ସ୍ୱରରେ କହିଲେ, “ହଁ ! ମୁଁ ପିଣ୍ଟୁବାବୁ କହୁଛି । ତୁମେ କିଏ ? କି କାମ ଥିଲା ?”

ପିଲାଟି ଆରମ୍ଭ କଲା, “ସାର୍ ! ଆଜି ସକାଳେ ମୁଁ ଟିଉସନ୍ ଗଲାବେଳକୁ ରାସ୍ତା କଡ଼ରେ ପର୍ସଟିଏ ପାଇଲି । ପର୍ସଟି ଉଠେଇ ଦେଖିଲି ତା’ ମଧ୍ୟରେ ଦୁଇ ହଜାର ଟଙ୍କିଆ ନୋଟ୍ ଗୁଡ଼ା ପୁରା କୋଡ଼ିଏଟି ଥିଲା । ସଦ୍ୟ ଏଟିଏମ୍‌ରୁ କଢ଼ା ହୋଇଥିଲା ପରି ଜଣା ପଡୁଥିଲା । ପର୍ସ ଅଣ୍ଡାଳିବାରୁ ତା’ ଭିତରୁ ଫୋନ୍ ନମ୍ୱରଟିଏ ପାଇଲି । ଭାବିଲି ଫୋନ୍ କରେ, କାଳେ ଟଙ୍କା ହଜାଇଥିବା ବ୍ୟକ୍ତି ହୋଇପାରନ୍ତି ।”

ଟଙ୍କା କଥା ଶୁଣିବା ପରେ ପିଣ୍ଟୁବାବୁଙ୍କ ମନରୁ ଦୁଃଖ ଅପସରି ଗଲା । ଭାବିଲେ ପିଲାଟା ନିଶ୍ଚିତ ରୂପେ ସଚ୍ଚୋଟ ନ ହେଲେ ସେ କାହିଁକି ପାଇଛି ବୋଲି ଜଣାଇଥାନ୍ତା । ମିଳିଯିବା ଆଶାରେ ମନେ ମନେ ଖୁସି ହେଲେ । ପିଣ୍ଟୁବାବୁ କହିଲେ, “ହଁ, ପୁଅ ! ସେ ଟଙ୍କା ଗୁଡ଼ିକ ମୋର । ମୋ ଭାଇର ହାର୍ଟ ଅପରେସନ୍ ପାଇଁ ତାକୁ କାଢ଼ି କଳିଙ୍ଗ ହସ୍ପିଟାଲ୍‌କୁ ଗଲାବେଳେ କେତେବେଳେ ପଡ଼ିଗଲା ଜାଣି ପାରିଲି ନାହିଁ ।”

ଏକଥା ଶୁଣବା ପରେ ପିଲାଟି କହିଲା, “ସାର୍ ! ମୋ ନାମ ରାଜେଶ ପାତ୍ର । ମୁଁ ସୁବାସ୍ ନଗର ବସ୍ତିରେ ରହେ । ଆପଣ ସୁବାସ ନଗରକୁ ଆସି ମୋ ମାଆଙ୍କୁ, ଶୋଭାଗିନୀ ପାତ୍ର ନାମରେ ପଚାରିବେ । ମୋ ବାପା ବର୍ଷେ ତଳେ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ । ମୋ ମାଆ ମଜୁରୀ କରି ମୋତେ ପାଠ ପଢ଼ାନ୍ତି ।”

ସଙ୍ଗେ ସଙ୍ଗେ ପିଣ୍ଟୁବାବୁ ନିଜ ବାଇକ୍ ଧରି ସୁବାସ ନଗରରେ ପହଞ୍ଚିଲେ । ବହୁ କଷ୍ଟରେ ଶୋଭାଗିନୀ ପାତ୍ରଙ୍କ ଘର ପାଇଲେ । ରାଜେଶ ତାଙ୍କୁ ଦେଖିବା ମାତ୍ରକେ ହସି ହସି ପର୍ସଟା ଧରାଇ ଦେଲା । ମା’ ମଧ୍ୟ ତା’ ସାଥିରେ ଥିଲେ ।

ଏତେ ସହଜରେ ହଜିଥିବା ଟଙ୍କା ଗୁଡ଼ିକ ପାଇଯିବେ ବୋଲି ପିଣ୍ଟୁବାବୁ ଭାବି ନ ଥିଲେ । ପ୍ରତିବଦଳରେ ସେ ଦୁଇ ହଜାର ଟଙ୍କିଆଟିଏ ରାଜେଶ ହାତରେ ଗୁଞ୍ଜି ଦେଲେ । ରାଜେଶ ବିନମ୍ରତାର ସହ ହାତଯୋଡ଼ି କହିଲା, “ସାର୍ ! ଆମେ ଗରିବ ହୋଇପାରୁ, କିନ୍ତୁ ଲୋଭୀ ନୋହୁଁ ।” ରାଜେଶ ଏତକ କହି ଟଙ୍କାକୁ ବଢ଼ାଇ ଦେଲା ।

ଏତେ ଛୋଟ ପିଲାଟିର ସଚ୍ଚୋଟପଣିଆ ଦେଖି ପିଣ୍ଟୁବାବୁଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ତାଙ୍କ ପାଟିରୁ ଆପେ ଆପେ ବାହାରି ଆସିଲା, “ଶତ ଶତ ଧନ୍ୟବାଦ୍, ପୁଅ !”

ଲୋକପ୍ରିୟ ଲେଖା

To Top