ଗଳ୍ପ

ସେଇ ଝିଅଟି

ତାଙ୍କ ବ୍ୟାଗ୍‌ଟା ଛିଟିକି ହୋଇ ସାଇଡ୍‌ରେ ପଡ଼ିଥାଏ । ଜଣେ ପାଣି ପିଆଇବାର ବାହାନାରେ ପାଣି ପିଆଇଲା । ବ୍ୟାଗ୍‌ରୁ ପଇସା ପତ୍ର, ପିଲାଙ୍କ ପୋଷାକ, ବିସ୍କୁଟ୍ ଆଦି ଧରି ପଳାଇଲା

ସେଇ ଝିଅଟି

ସମୟ ଅପରାହ୍ନ ପାଞ୍ଚଟା । ରାଜେନ୍ଦ୍ର ବାବୁ ତରତରରେ ରେଲ୍ୱେ ଷ୍ଟେସନ୍‌କୁ ଯାଉଥାନ୍ତି । ହଠାତ୍ ଟ୍ୟାକ୍ସିଟାଏ ପଛପଟୁ ଧକ୍କା ଦେଇ ଚାଲିଗଲା । ରାଜେନ୍ଦ୍ରବାବୁ କିଛି ଦୂରକୁ ଛିଟିକି ପଡ଼ିଲେ । ମୁଣ୍ଡ, ପିଠି, କହୁଣି ଓ ଅଣ୍ଟାରେ ଆଘାତ ଲାଗିଥାଏ । ମୁଣ୍ଡରୁ ଅଳ୍ପ କିଛି ରକ୍ତ ବାହାରୁଥାଏ । ସାର୍ଟ ଚିରି ଯାଇଥାଏ । ପ୍ୟାଣ୍ଟ୍‌ରେ କାଦୁଅ ଲାଗିଥାଏ । ସେ ଉଠିବାକୁ ଚେଷ୍ଟା କଲେ । ଉଠିପାରିଲେ ନାହିଁ । ଅଣ୍ଟାରେ ବହୁତ କଷ୍ଟ ହେଉଥାଏ । ଭଲ ରୂପେ କଥା କହି ପାରୁନଥାନ୍ତି ।

ତାଙ୍କ ବ୍ୟାଗ୍‌ଟା ଛିଟିକି ହୋଇ ସାଇଡ୍‌ରେ ପଡ଼ିଥାଏ । ଜଣେ ପାଣି ପିଆଇବାର ବାହାନାରେ ପାଣି ପିଆଇଲା । ବ୍ୟାଗ୍‌ରୁ ପଇସା ପତ୍ର, ପିଲାଙ୍କ ପୋଷାକ, ବିସ୍କୁଟ୍ ଆଦି ଧରି ପଳାଇଲା । ଆଉ ଜଣେ ପୋଛା ପୋଛି କରିବାର ବାହାନାରେ ତାଙ୍କ ପ୍ୟାଣ୍ଟ୍ ପକେଟ୍‌ରୁ ମୋବାଇଲ୍ ଓ ପର୍ସ ଧରି ଚାଲିଗଲା । ଯନ୍ତ୍ରଣା ଯୋଗୁଁ ସେ ଭଲରେ କଥା କହିପାରୁ ନ ଥାନ୍ତି । ବିରୋଧ କରି ପାରିଲେ ନାହିଁ । ଡାକିବାରୁ କେହି ଶୁଣିଲେ ନାହିଁ । ତାଙ୍କୁ କଷ୍ଟ ବହୁତ ହେଉଥାଏ । ଧୀରେ ଧୀରେ ତାଙ୍କ ଚେତା ବୁଡ଼ି ଯାଉଥାଏ । ସନ୍ଧ୍ୟା ମାଡ଼ି ଆସିଲା ।

ପରଦିନ ସକାଳେ ରାଜେନ୍ଦ୍ର ବାବୁ ନିଜକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବିଷ୍କାର କଲେ । ଚେତା ଫେରିଥିବାରୁ ଖୁସି ହେଲେ । ବିସ୍ମିତ ହେଲେ ମଧ୍ୟ । ସେ କିପରି ପହଞ୍ଚିଲେ ? କିଏ ଏଠାକୁ ଆଣିଲେ ? ଏ କଥା ଭାବି ବସିଲା ବେଳେ ପାଖରେ ଛିଡ଼ା ହୋଇଥିବା ନର୍ସଜଣକ ମନ କଥା ଜାଣିପାରି କହିଲେ, “ଆପଣ ଚେତାଶୂନ୍ୟ ହୋଇ ରାସ୍ତାରେ ପଡ଼ିଥିଲେ ସେଇ (ପାଖ ବେଞ୍ଚରେ ବସିଥିବା) ଝିଅଟି ଟିଉସନ୍ ଗଲାବେଳେ ଆପଣଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ଆଣି ଏଠାରେ ପହଞ୍ଚାଇଲେ । ପହଞ୍ଚାଇଲା ପରେ ଆମେ ଯିବାକୁ କହିବାରୁ ମନା କଲା । ରାତିସାରା ଏଠି ଆପଣଙ୍କ ପାଖରେ ଜଗି ବସି ଥିଲେ । ରାତିରେ ତାଙ୍କ ବାପା ମା’ ତାଙ୍କୁ ଖୋଜି ଖୋଜି ଏଠି ପହଞ୍ଚିଲେ । ସେମାନେ ମଧ୍ୟ ଏଠି ରାତିରେ ରହିଗଲେ । ସେମାନେ ମଧ୍ୟ ବସିଛନ୍ତି ସେଇଠି ।”

ରାଜେନ୍ଦ୍ର ବାବୁଙ୍କ ଚେତା ଫେରି ଆସିବା ଓ ନର୍ସ ଜଣଙ୍କ ସହ କଥାବାର୍ତ୍ତା ହେବା ଦେଖି ସେ ଓ ତାଙ୍କ ମା’ ବାପା ପାଖକୁ ଧାଇଁ ଆସିଲେ । ତାଙ୍କୁ ଦେଖି ରାଜେନ୍ଦ୍ର ବାବୁଙ୍କୁ ଆଖିରୁ ଲୁହ ଗଡ଼ିଗଲା । ଉଠି ବସିଲେ । ହାତ ଯୋଡ଼ିଲେ । କହିଲେ “ଆପଣମାନେ ଯେଉଁ ଝିଅଟିକୁ ପାଇଛନ୍ତି ସିଏ ପ୍ରକୃତରେ ସାଧାରଣ ଝିଅଟିଏ ନୁହନ୍ତି । ତାଙ୍କ ଯୋଗୁଁ ମୋ ପ୍ରାଣ ବଞ୍ଚିଗଲା । ତାଙ୍କ ଭଳି ଝିଅଟିଏ ପାଇଥିବାରୁ ଆପଣମାନେ ଭାଗ୍ୟବାନ୍ ଅଟନ୍ତି ।” ଲୋକଟା ବଞ୍ଚି ଯାଇଥିବାରୁ ଝିଅଟି ଓ ତାଙ୍କ ମା’ ବାପା ବହୁତ ଖୁସି ହୋଇ ଘରକୁ ଫେରିଲେ ।

ଏବେ ମଧ୍ୟ ରାଜେନ୍ଦ୍ର ବାବୁ ସେଇ ଝିଅଟିକୁ ଯେତେବେଳେ ମଧ୍ୟ ମନେ ପକାନ୍ତି, ତାଙ୍କ ମଣିଷ ପଣିଆ ପ୍ରତି ରାଜେନ୍ଦ୍ରବାବୁଙ୍କ କୃତଜ୍ଞତା ଓ ଆଶୀର୍ବାଦ ଝରିପଡ଼େ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top