ଗଳ୍ପ

ଅପୂର୍ବ ପାନୀୟ

Madhabananda Panda's Odia Children Story APURBA PAANIYA

ତୋ ବାପାଙ୍କୁ କହିବାକୁ ପଡ଼ିବ, ତୁ ଏସବୁ ଖରାପ ଅଭ୍ୟାସ କଲୁଣି । ଭବିଷ୍ୟତରେ ଚାରିପାଞ୍ଜିରୁ ଯିବୁରେ ପୁଅ । ବଣ୍ଟି ସେଇଠୁ ଖତେଇ ହୋଇ କହିଲା- ଚାରିପାଞ୍ଜିରୁ କି ପାଞ୍ଚପାଞ୍ଜିରୁ ଯିବାର ନାହିଁ ।

ଅପୂର୍ବ ପାନୀୟ

ସନ୍ଧ୍ୟାବେଳକୁ ବଣ୍ଟିର ସାଙ୍ଗମାନେ ଯଥା ବିପିନ୍, ରଘୁ, ହୃଷିକେଶ ଆସି ପହଞ୍ଚିଲେ । ବଣ୍ଟି ଭାରି ଖୁସି ଜଣା ପଡୁଥାଏ । ସେମାନେ ତା’ର କାରଣ ଜାଣିବାକୁ ଚାହିଁବାରୁ ବଣ୍ଟି ଆଖିମିଟିକା ମାରି କହିଲା “ତୁମେମାନେ କ୍ରିକେଟ୍ ଖେଳ ସାରି ଯିବା ପରେ ମୁଁ ଗୋଟେ ଅପୂର୍ବ ପାନୀୟ ପିଇ ଦେଇଚି ତ । ସେଇଥି ପାଇଁ ମନଟା ଖୁସି ହୋଇଯାଇଛି । ଯେ ଠିକ୍ କହିଦେଇ ପାରିବ ମୁଁ ତାକୁ ମିଠା ଖାଇବାକୁ ଦେବି ।” ସେଇଠୁ ବିପିନ୍ କହିଲା “ଓଃ ଏଇ କଥା । ଖରା ଦିନଟା ତ । ତୁ ଲିମ୍‌କା ପିଇଚୁ ।”

ନା
ଗୋଲ୍ଡସ୍ପଟ୍ ।
ନା
ସେଭେନ୍ ଅପ୍ କି ମିରିଣ୍ଡା ।
ନା
ତା’ହେଲେ କୋକାକୋଲା ।
ନା

ଏସବୁର ଫୁଡ୍ ଭ୍ୟାଲୁ ବା ଖାଦ୍ୟମୂଲ୍ୟ କେତେ ? ତା’ଛଡ଼ା ଏଥିରେ କୀଟନାଶକ ମିଶିଚି ବୋଲି ଗବେଷଣାରୁ ଜଣାପଡ଼ିଚି । ଏଥି ପାଇଁ ପରା କେତେ ହଇଚଇ ହୋଇଥିଲା, ଏଇ କେତେଦିନ ତଳେ । ଭାରତର ପାର୍ଲାମେଣ୍ଟ ଗୋଟେ ବିଶେଷଜ୍ଞ କମିଟି ନିଯୁକ୍ତ କରିଥିଲେ । ମୁଁ ଏସବୁ ପିଏନି ।

ସେଇଠୁ ରଘୁ କହିଲା, ତା’ହେଲେ ତୁ ଅମୁଲ୍ ମିଲ୍କ ପିଇଚୁ ।
ନା
ତା’ହେଲେ ଓମ୍ଫେଡ୍ ଘୋଳଦହି କି ମିଠାଦହି ।
ନା
ବସାଦହି
ନା

ଅବଶ୍ୟ ଏସବୁର ଖାଦ୍ୟମୂଲ୍ୟ ଅଛି ମାତ୍ର ମୁଁ ଆଜି ପିଇନି । ସେଠୁ ହୃଷି କହିଲା, ତା’ହେଲେ ଫଳରସ ପିଇଥିବୁ । ବଣ୍ଟି ମୁଣ୍ଡ ହଲାଇଲା ।

ସେଇଠୁ ବିପିନ୍ ଚୁପ୍ ଚୁପ୍ କହିଲା- “ଆରେ ହେ ତୁ ତା’ହେଲେ ଭାଙ୍ଗ କି ତାଡ଼ି ପିଉଚୁ କିବେ ? ତୋ ବାପାଙ୍କୁ କହିବାକୁ ପଡ଼ିବ, ତୁ ଏସବୁ ଖରାପ ଅଭ୍ୟାସ କଲୁଣି । ଭବିଷ୍ୟତରେ ଚାରିପାଞ୍ଜିରୁ ଯିବୁରେ ପୁଅ ।” ବଣ୍ଟି ସେଇଠୁ ଖତେଇ ହୋଇ କହିଲା- “ଚାରିପାଞ୍ଜିରୁ କି ପାଞ୍ଚପାଞ୍ଜିରୁ ଯିବାର ନାହିଁ ।” ହଠାତ୍ ନିଦରୁ ଉଠି ବିଳିବିଳେଇଲା ପରି ବିପିନ୍ କହିଲା “ତା’ହେଲେ ତୁ ଲସି ପିଇଥିବୁ । ଏବେ ତ ସର୍ବତ୍, ଲସିର ଦୋକାନ ସବୁ ଆଡ଼େ ।” ବଣ୍ଟି ମନା କଲା । ସେଇଠୁ ରଘୁ କହିଲା, “ତା’ହେଲେ ତୁ ବିଅର୍ କି ମଦ ପିଇଚୁ । ଆରେ ତୁ ଏତେ ତଳକୁ ଖସି ଗଲୁଣି ।” ବଣ୍ଟି ଭାରି ବିରକ୍ତ ହୋଇ କହିଲା- “କି କଥା କହୁଛୁ ତୁ ? ମଦ କି ବିଅର୍ ପିଇବା ପାଇଁ ମୁଁ ପଇସା ଆଣିବି କେଉଁଠୁ ? ବୋଉ ତ ପାଞ୍ଚଟା ଟଙ୍କା ପକେଟ୍ ମନି ଦେବାକୁ କୁନ୍ଥୁ କୁନ୍ଥୁ । ଏଥିରେ କୁଆଡ଼େ ମୁଁ ମଦ ପିଇବି । ଆରେ ଚାଖିବା ତ ଦୂରର କଥା । ମୁଁ ସେସବୁ ବି ଦେଖିନି ।” ସେଇଠୁ ହୃଷି କହିଲା- “ଆରେ ଆମେ ଏତେ ବାଟ ଗଲେଣି । ଏ ପଇଡ଼ ପିଇଥିବ ମ ।” ବଣ୍ଟି ମନା କଲା । “ପଇଡ଼ ପାଣି ଦେହ ପାଇଁ ହିତକର । ମାତ୍ର ଆଜି ମୁଁ ପିଇନି ।” ବିପିନ୍ ବିରକ୍ତ ହୋଇ କହିଲା- “ଆଉ କି ଅପୂର୍ବ ପାନୀୟ ଟେ ତ ପିଇଚୁ ତା’ହେଲେ ? ସୁଦୁ ବାହାପିଆଟେ ।” ବଣ୍ଟି କହିଲା- “ଆରେ ସତରେ ମ । ଅପୂର୍ବ ପାନୀୟ ! ଓଃ କି ଟେଷ୍ଟ୍ । ଅନ୍ତର ଶାନ୍ତି ହୋଇଗଲା ।”

ବଣ୍ଟିର କଥା ଶୁଣି ସମସ୍ତେ ହତଭମ୍ୱ ହୋଇଗଲେ । କାହା ମୁଣ୍ଡକୁ ଆଉ କିଛି ପଶିଲା ନାହିଁ । କି ପାନୀୟ ଆଉ ସେ ପିଇଛି । ରଘୁ କହିଲା ତା’ ବାପା ତ ଦିଲ୍ଲୀ ଯାଇଥିଲେ । ହୁଏତ ସେଠୁ କିଛି ଆଣିଥାଇ ପାରନ୍ତି । ଦିଲ୍ଲୀରେ ହୁଏତ ନୂଆ ନୂଆ ଜିନିଷ ମିଳୁଥିବ । ତା’ଛଡ଼ା ଏବେ ତ ଜଗତୀକରଣର ଯୁଗ । ଅନ୍ୟ ଦେଶରୁ କିଛି ନୂତନ ବସ୍ତୁ ଆସିଥିବା ଅସମ୍ଭବ ନୁହେଁ । ବଣ୍ଟି ତାକୁ ବି ମନା କଲା । କହିଲା- ବାପା ଦିଲ୍ଲୀରୁ ମୋ ପାଇଁ ଗୋଟେ ଶାଲ ଆଣିଥିଲେ । ସେଇଠୁ ସମସ୍ତେ କହିଲେ- ହଉ ବାପା ଆମେ କହି ପାରିବୁ ନାହିଁ । ତୁ ଏବେ କହ. . .

ସେଇଠୁ ବଣ୍ଟି କହିଲା- ତା’ହେଲେ ତୁମେ ସମସ୍ତେ ମତେ ଗୋଟେ ଗୋଟେ ମିଠା ଦେବ ବୋଲି ରାଜି ହେଲେ ମୁଁ କହିବି, ନ ହେଲେ ଏଇଟା ଏମିତି ସିକ୍ରେଟ୍ ହେଇଥାଉ । ସମସ୍ତେ ହଁ ଭରିଲେ ।

ତା’ପରେ ସେ କହିଲା-
ଆମେ ସମସ୍ତେ କ୍ରିକେଟ୍ ଖେଳୁଥିଲେ ।
ହଁ
ସମସ୍ତେ ଭାରି କ୍ଳାନ୍ତ ହୋଇ ପଡ଼ିଥିଲେ ।
ହଁ
ସମସ୍ତଙ୍କୁ ଭାରି ଶୋଷ ହେଉଥିଲା ।
ହଁ

ଆମ ଘରକୁ ଆସି ସମସ୍ତେ ଥଣ୍ଡା ପାଣି ପିଇଥିଲେ । ସମସ୍ତେ ମୁଣ୍ଡରେ ହାତ ଦେଇ କହିଲେ ଆରେ ତୁ ପାଣି ପିଇଚୁ, ଅଥଚ ଗୋଟେ ଅପୂର୍ବ ପାନୀୟ କହି ଆମକୁ ବୋକା ବନେଇ ସାରିଲୁଣି ।

ବଣ୍ଟି କହିଲା ତୁମେ ପ୍ରଥମରୁ ପାଣିରୁ ଆରମ୍ଭ କଲନି । ତୁମେ ଯାହା ସବୁ କହିଲ ସବୁଥିରେ ପାଣି ଥାଏ ନା ନାହିଁ । ତା’ଛଡ଼ା ପାଣି ହେଉଛି ଭଗବାନଙ୍କର ବା ପ୍ରକୃତିର ସୃଷ୍ଟି । ଶୋଷ ବେଳେ ପାଣି ପିଇଲେ ଯେତେ ଶାନ୍ତି ଲାଗେ ଆଉ କେଉଁଥିରେ ଲାଗେ କି ?

ସମସ୍ତେ ସମ ସ୍ୱରରେ କହିଲେ, ନା ।

ତେଣୁ ମୁଁ ପାଣିକୁ ଅପୂର୍ବ ପାନୀୟ କହି କ’ଣ ଭୁଲ୍ କଲି । ପାନୀୟ ମାନେ ତ ଯାହା ପିଇବା ଯୋଗ୍ୟ । ପାଣି ଠାରୁ ଆଉ ଅଧିକ ପିଇବା ଯୋଗ୍ୟ ବସ୍ତୁ ଆଉ କ’ଣ ଅଛି । ସେଦିନ ସାର୍ ପରା କ୍ଲାସ୍‌ରେ କହୁଥିଲେ – ଭବିଷ୍ୟତରେ ଯଦି ଯୁଦ୍ଧ ହୁଏ ତେବେ ପାଣି ପାଇଁ ହେବ । କେବଳ ଶୁଦ୍ଧ ପିଇବା ପାଣି ଅଭାବରୁ ପୃଥିବୀର କେତେ କେତେ ଲୋକ ବିଭିନ୍ନ ରୋଗରେ ମୃତୁ୍ୟବରଣ କରୁଛନ୍ତି । ଅନ୍ୟସବୁ ପାନୀୟରେ କିଛି କିଛି ଦୋଷ ଥାଇପାରେ । ମାତ୍ର ପାଣିର ।

ସମସ୍ତେ କହିଲେ- ହଉ ବାବା ଚାଲ୍ । ଆମେ ଜାଣିପାରୁଛୁ ତୋର ଆମଠାରୁ ମିଠା ଝଡ଼ାଇବାର ଏଥିଲା ଗୋଟେ ଚାଲ୍ । ଚାଲ୍ ଗଙ୍ଗୁଆ ନନା ମିଠା ଦୋକାନରୁ ଯିବା ।

ସେଇଠୁ ବଣ୍ଟି କହିଲା- ଆରେ. . . ମୁଁ ମଜା କରିବା ପାଇଁ ଏମିତି କହିଥିଲି ନା । ଚାଲ ସମସ୍ତେ ଗୋଟେ ଗୋଟେ ମିଠା କିଣି ଖାଇବା । କାରଣ କଥାରେ ପରା ଅଛି- ମଧୁରେଣ ସମାପୟେତ୍ ।

ଲୋକପ୍ରିୟ ଲେଖା

To Top