ଲୋକକଥା

ଅବୁଝାମଣା ରାଜାକୁ ପାଳବିଣ୍ଡା ମନ୍ତ୍ରୀ

Mahendra Kumar Mishra's Odia Lokakathaa ABUJHAMANA RAAJAKU PAALABINDAA MANTRI

ତା’ ଭିତରେ ଆଉ ଗୋଟିଏ ମରମ ଅଛି, ସେ କଥାଟି ଆମ ଗୁରୁଙ୍କ ଛଡ଼ା ଆଉ କାହାରିକୁ ମାଲୁମ ନାହିଁ । ସେ କଥାଟି ଏଇଆ-

ଅବୁଝାମଣା ରାଜାକୁ ପାଳବିଣ୍ଡା ମନ୍ତ୍ରୀ

ଏକ ରାଇଜ ଯେ ସେଥିରେ ଏକ ଅବୁଝାମଣା ରାଜା, ତାଙ୍କର ଏକ ପାଳବିଣ୍ଡା ମନ୍ତ୍ରୀ ଥାଆନ୍ତି । ସେ ରାଜାଙ୍କର ଏକ ପଣ୍ଡିତ ଥାଆନ୍ତି ଯେ, ତାଙ୍କୁ ସି ଅକ୍ଷର ବରୁଣେଇ ପର୍ବତ । ଦିନେ ରାଜା ପଣ୍ଡିତଙ୍କୁ ପଚାରିଲେ “ହଇହେ ପଣ୍ଡିତେ । ମଣିଷ ଜୀଇଁ ଥାଉ ଥାଉ ଭଲା ମୁକ୍ତ ହବ କିମିତି ?” ପଣ୍ଡିତେ ସେଇଥିରୁ ରାଜାଙ୍କୁ ଅସଲ ଜୀବନ୍ମୁକ୍ତି ମନ୍ତ୍ରଟି ଦେବେ ବୋଲି କହିଲାରୁ, ନାହାକ ଅଇଲା । ପାଞ୍ଜି ଦେଖି ଭଲ ଦିନଟିଏ ଧରାହେଲା । ରାଜାଘର କଥା ତ, ରାଜା ମନ୍ତ୍ର ଘିନିବେ ବୋଲି ରାଇଜଯାକ ହୁରି ପଡ଼ିଗଲା । ପଣ୍ଡିତେ ରାଜାଙ୍କ କାନରେ ଜୀବନ୍ମୁକ୍ତ ମନ୍ତ୍ରଟି ତୁନି କରି ଦେଲେ- “ଗୋପାଳ ଚୂଡ଼ାମଣି ।” ରାଜା ସେଇଥିରୁ ପଚାରିଲେ, ୟା’ର ଭଲା ଅର୍ଥ କ’ଣ ?

ପଣ୍ଡିତ କହିଲା, “ଗୋପାଳ ଯେ ଗଉଡ଼ଙ୍କ ଘର ବସାଦହି, ଚୁଡ଼ା ତ, ସରୁ ଚୁଡ଼ା ଆଉ ମଣି ଯେ ଦକ୍ଷିଣି ଗୁଡ଼ । ଦିଶୁ ସରୁ ଚୁଡ଼ା, ଦିଶୁ ବସାଦହି, ଦିଶୁ ଦକ୍ଷିଣି ଗୁଡ଼ ।” ଏ ତିନୋଟି କଥା ହେଲେ ଜୀବନ୍ମୁକ୍ତି, ଏକଥାଟା ଏକା ଛାମୁ ଭାରି ଗୁପତ ରଖିବ, କଥାଟା ପ୍ରଘଟ କରିବ ନାହିଁଟି ।

ରାଜା ସେଇ ମନ୍ତ୍ରଟି ନିତି ମନେ ମନେ ଘୋଷି ହେଉଥାନ୍ତି । ଇମିତି ଦିନ କେତେ ଗଲାରୁ ଏକ ଦେଶରୁ ଆଉ ଜଣେ ପଣ୍ଡିତ ଆସି ପହଞ୍ଚିଲେ । ସେ ଅବୁଝାମଣା ରାଇଜରେ ତାଙ୍କ ସାଙ୍ଗରେ ଥାଏ କଏ ଅବୋଲକରା ଭଣ୍ଡାରି, ସେ ଦିହେଁ ଆସି ନଅର ପାଖରେ ବସା କଲେ । ଦିନେ, ଦି’ଦିନ, ତିନି ଦିନ ଗଲା, ଅନୁସରଣ କରି କରି ଆଉ ରାଜାଙ୍କ ଭେଟ ପାଉ ନ ଥାନ୍ତି । ପାଖରେ ଏକ ମୁଦି ଦୋକାନ ଥାଏ ଯେ, ସେ ମୁଦି ପାଖରୁ ଉଠାଣ ଆଣି ଖାଉଥାନ୍ତି । ତିନି ଦିନ ଗଲାରୁ ରାଜାଙ୍କ ଛାମୁରୁ ଏ ପଣ୍ଡିତଙ୍କୁ ଡକରା ଆଇଲା । ଏ ପଣ୍ଡିତେ ଗଲେ ସଭାକୁ । ରାଜା ଏ ନୂଆ ପଣ୍ଡିତଙ୍କୁ ପଚାରିଲେ, “ଆଚ୍ଛା କହିଲ ଭଲା, ଲୋକେ ଜୀବନ୍ମୁକ୍ତି କେମିତି ହୁଅନ୍ତି ?” ପଣ୍ଡିତେ କହିଲେ, “ସେ ତ ଭାରି ଗହନ କଥା, ଛାମୁଙ୍କୁ ଏ କଥା ଦଣ୍ଡକେ ସମଝେଇବି କିମିତି ?” ସଭାପଣ୍ଡିତେ ରାଜାଙ୍କୁ ସମଝେଇ ଦେଲେ, ଏ ପଣ୍ଡିତଙ୍କୁ ସେ ମନ୍ତ୍ରଟି ଜଣା ନାହିଁ ।

ରାଜା ସେଇଥିରୁ ନୂଆ ପଣ୍ଡିତଙ୍କୁ ପଚାରିଲେ, “ଆଚ୍ଛା ତୁମ୍ଭେ କହିଲ ଭଲା, ଗୋପାଳ ଚୂଡ଼ାମଣିର ଅର୍ଥ କ’ଣ ?” ପଣ୍ଡିତ ଗୋଟିଏ ଶ୍ଳୋକ ବୋଲି ବସିଲେ । ପଣ୍ଡିତେ ଶ୍ଳୋକ ବୋଲିବାରୁ ରାଜା, ମନ୍ତ୍ରୀ ସଭାପଣ୍ଡିତେ ସମସ୍ତେ ଏ ପଣ୍ଡିତକୁ ଟାହୁଲିରେ ଉଡ଼େଇ ଦେଲେ । ପଣ୍ଡିତ ବିଚରା ଆସି ତଳକୁ ମୁହଁ ପୋତି ବସିଲେ । ରାଜା ତ ଯାହା ବୁଝିଛନ୍ତି ସେଇୟା, ପଣ୍ଡିତଙ୍କୁ କଡ଼ାଏ କାଣିକଉଡ଼ି ସୁଦ୍ଧା ବିଦାକି ଦେଲେ ନାହିଁ, ପଣ୍ଡିତ ବିଚରା ମୁହଁ ଶୁଖେଇ ବସାକୁ ଲେଉଟିଲା ବେଳକୁ ଅବୋଲକରା ଭଣ୍ଡାରି ପଣ୍ଡିତଙ୍କ ବାଟକୁ ଚାହିଁ ବସିଛି । ପଣ୍ଡିତ ରାଜାଙ୍କ ସଭାର ଏ ସବୁ ହାଲ ହଇକତ ସେ ଭଣ୍ଡାରିକି କହିଲେ ।

ଭଣ୍ଡାରି କହିଲା, “ଏଇ କଥା ତ ସାଆନ୍ତେ !” ହଉ, ଏଠେଇ ଆଉ ଦିନେ ଖଣ୍ଡେ ରହ, ମୁଁ ତା’ ସୂତର ଲଗାଏଁ । ଏଣେ ମୁଦିର କାଳି କଉଡ଼ିତକ କୁଆଡୁ ଶୁଝିବେ । ପଣ୍ଡିତେ ଏହି ଭାବନାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତାଙ୍କୁ ତିନିପୁର ଅନ୍ଧାର ଦିଶୁଥାଏ । ଭଣ୍ଡାରି କହିଲା, “ତୁମେ କିଆଁ ଏତେ ଭାଳେଣି କରୁଛ । ମୁଁ ଯାଉଛି ମୁଦି ଦୋକାନରୁ ସଉଦା ଆଣେ ।”

ମୁଦି ଦୋକାନରେ ଯାଇ ପହଞ୍ଚି କହିଲା, “ମହାରାଜ ! ରାଜାଙ୍କଠଉଁ ସାଆନ୍ତେ ଆମର ବିଦାକି ପାଇ ନାହାନ୍ତି, କାଲି ବିଦାବିଦି ହେଲେ ତୋ କାଳି କଉଡ଼ିତକ ରୋକ୍ ଠୋକ୍ ଛିଣ୍ଡେଇ ଦେବେ । ଦେ ସଉଦା ।” ମୁଦି ସଉଦା ଦେଲାରୁ ସଉଦାପତ୍ର ଆଣି ବସାରେ ପହେଞ୍ଚଇ ଦେଲା । ଚୁଲି ଚଉକା କରିଦେଲା । କହିଲା, “ସାଆନ୍ତେ ! ତୁମେ ରନ୍ଧାବଢ଼ା କରୁଥାଅ, ମୁଁ ଯାଉଛି ଘେରାଏ ବୁଲି ଆସେ ।” ୟା’ କହି ଗଲା । ଉଣ୍ଡି ଉଣ୍ଡି ଯାଇ ପଣ୍ଡିତଙ୍କ ବାଡ଼ିଆଡ଼େ ପହଞ୍ଚିଲା । ରାଜାଙ୍କ ପଣ୍ଡିତେ ଆଜି ତ ପ୍ରେମରେ ବୁଡ଼ି ଯାଇଛନ୍ତି, ନୂଆ ପଣ୍ଡିତ ଆଜି ରାଜାଙ୍କ ସଭାରୁ ପରାଭବ ପାଇଛି । ତାଙ୍କ ଗୋଡ଼ ଆଉ ତଳେ ଲାଗିବାକୁ ନାହିଁ ।

ଭଣ୍ଡାରିଟୋକା ଯାଇ ବାଡ଼ିଦୁଆରେ ଗାଲି ପଡ଼ି ବସିଥାଏ । ପଣ୍ଡିତ ପଣ୍ଡିତିଆଣୀଙ୍କର କଥାବାର୍ତ୍ତା ଲାଗିଲା । ପଣ୍ଡିତେ କହିଲେ, “ରାଜା ତ ମୋ ମନ୍ତ୍ରରେ ଭଳି ଯାଇଛନ୍ତି । ଏ, ଆଉ ଯେ ଯାହା କହିଲେ କି ସେ ଭୁଲିବା ଜନ୍ତୁ । ମୁଁ ଯାହା ରାଜାଙ୍କୁ କାନରେ ପଢ଼େଇଛି, ସେ ତ ସେଇଆ ଧରିଛନ୍ତି । କୋଉଁ ଦେଶରୁ ପଣ୍ଡିତଟା ଆସିଥିଲା ଯେ, ମୋ ଦାନାରେ ଧୂଳି ପକେଇବ ବୋଲି । ସେ ପରା ଆଜି ମୁହଁ କେଶରା କରି ହଟି କରି ପଳେଇଲା ।”

ପଣ୍ଡିତିଆଣୀ ପଚାରିଲେ, “ତୁମେ ଇମିତି କ’ଣ ରାଜାଙ୍କୁ ମନ୍ତ୍ର ଦେଇଛ କି ?” ପଣ୍ଡିତେ କହିଲେ, “ତୁମେ ମାଇପି ଲୋକ, ସେଥିରୁ କ’ଣ ପାଇବ ?” ପଣ୍ଡିତିଆଣୀ ଏକା ଜିଗର କଲେ । ପଣ୍ଡିତେ କହିଲେ, “ରାଜା ମତେ ଦିନେ ପଚାରିଲେ ମଣିଷ ଜୀବନ୍ମୁକ୍ତ କିମିତି ?” ମୁଁ ତ ସିଦ୍ଧିରସ୍ତୁକୁ ସାତପତା ଚିତା କାଟିଛି । ମୁଁ ରାଜାଙ୍କ କାନରେ ମନ୍ତ୍ର ଦେଲି ଗୋପାଳ ଚୂଡ଼ାମଣି, ରାଜା ମତେ ଅର୍ଥ ପଚାରିଲାରୁ ମୁଁ କହିଲି ବସାଦହି, ସରୁଚୁଡ଼ା, ଦକ୍ଷିଣି ଗୁଡ଼, ରାଜାଙ୍କ ମନ ତ ସେହି ମନ୍ତ୍ରରେ ମରିଯାଇଛି । ଆଜି ନୂଆ ପଣ୍ଡିତ ଆସି କେତେ ଶାସ୍ତ୍ରରୁ କେତେ ଶ୍ଳୋକ ବୋଇଲା । ରାଜାଙ୍କ ମନ କି ସେଥିରେ ମାନେ । ପଣ୍ଡିତ ବିଚରା ବିଦାକି ନ ପାଇ ମୁହଁ ଶୁଖେଇ କରି ଯାଇଛି ।

ଭଣ୍ଡାରି ଟୋକା ତ ସବୁ କାନ ଡେରି ଶୁଣୁଥାଏ । ପଣ୍ଡିତଙ୍କ ଝିଅ ନାଆଁ ଗେହ୍ଲେଇ ବୋଲି ମଧ୍ୟ ଶୁଣିଲା । ହେଣ୍ଡି ମାରି ଆସି ବସାରେ ପହଞ୍ଚିଲା ବେଳକୁ ପଣ୍ଡିତେ ରନ୍ଧାବଢ଼ା କରି ଚାହିଁ ବସିଛନ୍ତି । ପଣ୍ଡିତେ କହିଲେ, “ଆରେ ମୋ ମୁଣ୍ଡରେ ତ ଆଜି ଆକାଶ ଛିଡ଼ି ପଡୁଛି । ତୋର ଆନନ୍ଦରେ ଗୋଡ଼ ତଳେ ଲାଗିବାକୁ ନାହିଁ । ମୋର ଆଜି ମାନ ଗଲା, ମହତ ଗଲା, ତୁ ପ୍ରେମରେ ଗଡୁଚୁ ।”

ଭଣ୍ଡାରି କହିଲା, “ସାଆନ୍ତ ! ତୁମେ କାଲି ସକାଳୁ ରାଜାଙ୍କ ଛାମୁକୁ ଯାଅ, ରାଜା ପଚାରିବେ, କିହୋ ତୁମେତ କାଲି ଆମ ପଣ୍ଡିତଙ୍କୁ ବିଦ୍ୟାରେ ଜିଣିପାରିଲ ନାହିଁ, ଆଜି ପୁଣି କିଆଁ ମୁହଁ ଦେଖାଇବାକୁ ଅଇଲ ।” ତୁମେ କହିବ, “ମଣିମା ! ମୋ ପୁତୁରା ଯାଇଥିଲା କାଶୀକି ପାଠ ପଢ଼ିବାକୁ ଯେ, ସେ ସେଠେଇଁ ପାଠଶାଠ ସାରି ଘରକୁ ଫେରିଲା ବେଳକୁ ଶୁଣିଲା ଯେ, ମୁଁ ଛାମୁଙ୍କ ପାଖକୁ ଆସିଛି । ସେ ଏକଦମ୍ ଏଠେଇଁ ଆସି ପହଞ୍ଚିଲା ବେଳକୁ ମୁଁ କାଲି ଫେରିଯାଉଛି, ବାଟରେ ସେ ଦେଖା ହେଲା, ସେ କହୁଛି ମୁଁ ରାଜାଙ୍କ ଛାମୁଙ୍କ ଆଗରେ ତା’ ପାଠଶାଠ ପରଖ ହୁଅନ୍ତା । ରାଜା ଆଜ୍ଞା କଲେ, ମୁଁ ସଭାକୁ ଯାଇ ତାଙ୍କ କଥାର ଜବାବ୍ ଦେବି ।”

ପଣ୍ଡିତେ ସକାଳୁ ଉଠି ଚିତା ପଇତା ହେଇ ରାଜାଙ୍କ ଛାମୁକୁ ଯାଇ ସେଇପରି କହିଲେ । ରାଜା କହିଲେ ହଉ ତେବେ । ପଣ୍ଡିତ ବସାକୁ ଯାଇ ଭଣ୍ଡାରିକି କହିଲେ । ଭଣ୍ଡାରି ମାଳି ଛିଣ୍ଡେଇ ପକେଇଲା, ମଖମଳିଆ ଖିଅରଟାଏ ହେଲା, ପଇତା ସାଂଘାଟିଏ ଆଣି ଗଣ୍ଠି ପକେଇ ତାକୁ ମାଜିମୁଜି ତମ୍ୱା ତା’ର ଭଳିଆ କଲା । ଗାଧୋଇ ପାଧୋଇ ଚିତା ପଇତା ହେଲା ଯାଇ ରାଜାଙ୍କ ସଭାରେ ପହଞ୍ଚିଲା, ରାଜା ତ ଚାତକ ଭଳି ଚାହିଁ କରି ବସିଛନ୍ତି ।

ସଭାରେ ଗୋଡ଼ ଦେଲାକ୍ଷଣି ରାଜା ପଚାରିଲେ, “ଜୀବନ୍ମୁକ୍ତ ହୁଅନ୍ତି କମିତି ? ଭଣ୍ଡାରି ପଣ୍ଡିତ କହିଲା, “ମଣିମା, ଏହି କଥାଟା ଶିଖିବା ପାଇଁ ମୁଁ ପାଞ୍ଚ ବରଷ କାଳ ନଦିଆ ନବଦ୍ୱୀପରେ ପଢ଼ିଲି, ସେଠେଇଁ ଏଥିର କିଛି ଭେଦ ନ ମିଳିବାରୁ ସେଠଉଁ କାଶୀ ଗଲି, କାଶୀରେ ସାତ ବରଷ ପାଠ ପଢ଼ିଲାରୁ ଏକ ଗୁରୁ ମିଳିଲେ ଯେ, ସେ ମତେ ଏ ମନ୍ତ୍ରଟି ଦେଇଛନ୍ତି । ଏ ମନ୍ତ୍ର ତ ପ୍ରଘଟ ହେବା ମନ୍ତ୍ର ନୁହେଁ, ଛାମୁଙ୍କୁ ଏକଥା ମୁଁ ନିରୋଳାରେ ହେଲେ କହିଦେବି ସିନା ।” ୟା’ କହିଲାରୁ ଆଉ ପଣ୍ଡିତେ ଦିହେଁଯାକ ସଭାରୁ ଉଠିଗଲେ । ଭଣ୍ଡାରି ସେଇଥିରୁ ରାଜାଙ୍କ କାନରେ କହିଲେ, “ଗୋପାଳ ଚୂଡ଼ାମଣି ଗୋପାଳ ଯେ ବସାଦହି, ଚୁଡ଼ା ଯେ ସରୁଚୁଡ଼ା, ମଣି ଯେ ଦକ୍ଷିଣି ଗୁଡ଼ ।” ଏ କଥା ତ ଭଲା କେତେ ଲୋକ ଜାଣନ୍ତି । ତା’ ଭିତରେ ଆଉ ଗୋଟିଏ ମରମ ଅଛି, ସେ କଥାଟି ଆମ ଗୁରୁଙ୍କ ଛଡ଼ା ଆଉ କାହାରିକୁ ମାଲୁମ ନାହିଁ । ସେ କଥାଟି ଏଇଆ- “ବସାଦହିରୁ ମହଣେ, ସରୁ ଚୁଡ଼ାରୁ ଭରଣେ, ଦକ୍ଷିଣି ଗୁଡ଼ରୁ ଛେଲାଏ । ଏତକ ବ୍ରାହ୍ମଣକୁ ଦାନ କଲେ ଯାଇ ଜୀବନ୍ମୁକ୍ତ ହେବ ।”

ରାଜା ବିଚାରିଲେ କଥାଟା ଏକା ସତ । ଆମ ସଭାପଣ୍ଡିତକୁ ଜଣାଥିଲା ଯେତିକି, ସେତିକି କଥା କହିଲେ, ଅସଲ କଥାଟି ତ ତାଙ୍କୁ ଜଣା ନ ଥିଲା । ରାଜା ସେଇଥିରୁ ସଭାକୁ ଅଇଲେ । ସଭାପଣ୍ଡିତଙ୍କର ଆଉ ଏ ନୂଆ ପଣ୍ଡିତଙ୍କର ପାଠ ପରଖ ଲାଗିଲା । ରାଜାଙ୍କ ପାଟ ବଗିଚାରେ କାକୁଡ଼ି ଫଳିଥାଏ । ରାଜାଙ୍କ ପୁରୁଣା ପଣ୍ଡିତେ ସେ କାକୁଡ଼ିକି ଦେଖି ଶ୍ଳୋକ ପଢ଼ିଲେ- “କାକୁଡ୍ୟାଂ ଫଲ୍ୟାଂ” । ଏ ଭଣ୍ଡାରି ତୁନି ହୋଇ ବସିଥିଲା, ଉଠି ସଭାପଣ୍ଡିତଙ୍କ ଗାଲରେ ଠୋ’କିନି ଏକ ବ୍ରହ୍ମ ଜାବୁଡ଼ା କଷି ଦେଲା । କହିଲା, କେମିତି “କାକୁଡ୍ୟାଂ ଫଲ୍ୟାଂ” । “ମଞ୍ଜ୍ୟାଂ ପୋତଥାଂ”, “ଗେଲ୍ୟାଂ ବାପ୍ୟାଂ”, “ପାଣ୍ୟାଂ ଢାଲ୍ୟାଂ”, “ରଞ୍ଜ୍ୟା ପୋଆଂ”, ତେବେ ଯାଇ ସିନା କାକୁଡ୍ୟାଂ ଫଲ୍ୟାଂ” । ତୁଛା ତୁଛା “କାକୁଡ୍ୟାଂ ଫଲ୍ୟାଂ” ।

ଏ ବିଦ୍ୟାକୁ ଦେଖି ଶୁଣି ସମସ୍ତେ ତୁନି । ସଭାପଣ୍ଡିତ ବିଚରା ଗାଲକୁ ଆଉଁସୁଚି । ଏଣେ ଏକା ଚାପୁଡ଼ାକେ ତା’ ଆଖିରୁ ଜୁଳୁଜୁଳିଆ ପୋକ ବାହାରି ଯାଉଛନ୍ତି । ରାଜାଙ୍କର ତ ଆଣ୍ଠୁ ଆଡୁଆ ବୁଝାମଣା, ତହିଁକି ପୁଣି ମିଳିଛନ୍ତି ପାଳବିଣ୍ଡା ମନ୍ତ୍ରୀ । ସମସ୍ତେ ଠିକଣା କଲେ, ଏ ନୂଆ ପଣ୍ଡିତ ସଭାରେ ଜିତିଲେ, ପୁରୁଣା ପଣ୍ଡିତର ହାରପଟ ହେଲା ।

ରାଜା ସେହିଥିରୁ ଭାରି ଖୁସିଟାଏ ହେଲେ । ଏ ନୂଆ ପଣ୍ଡିତଙ୍କୁ ଗନ୍ତାଘରୁ କୁଣ୍ଡଳ, ସୁନାଖଡୁ, ପାଟଯୋଡ଼, ଗୁଡ଼ ଛେଲାଏ, ସରୁ ଚୁଡ଼ା ଭରଣେ, ବସାଦହି ମହଣେ ହୁକୁମ କଲେ । ବାଟ ଖରଚ ବିଦାକି କରି ଟଙ୍କା ପଣେ ଦେଲେ । ଏ ଭଣ୍ଡାରି ଟୋକା ଆସିଲାବେଳକୁ ରାଜାଙ୍କୁ ନିରୋଳାକୁ ଡାକି ନେଲା, ତୁନି କରି କହିଲା, “ମଣିମା ! ମୋ ଗୁରୁ ଯାହା କହିଥିଲେ, ଏକା ସେହି କଥା ଆଜି ଛାମୁଙ୍କ ସଭାରେ ଫଳରେ ବୁଝିଲି । ମଣିମାଙ୍କ ଭଳିଆ ମୁଣ୍ଡ ବୋଲି ସିନା ଏଡ଼େ ଯୋଗ୍ୟ ପଣ୍ଡିତକୁ ଆଣି ସଭାରେ ପୋଷିଛନ୍ତି, ସେ ସିନା ମୋ ପାଖରେ ପାଠଶାଠ ପରଖରେ ହାରିଗଲେ, ସେ ଆଉ କେଉଁଠେଇଁ ହାରିବା ଜନ୍ତୁ ନୁହନ୍ତି । ମଣିମା ତ ମତେ ସବୁ ପୂର୍ଣ୍ଣ କରିଦେଲେ, ଆଉ ଗୋଟିଏ ମାଗୁଣି ଅଛି । ମୋ ଗୁରୁ କହିଥେଲି, ଯେଉଁ ପଣ୍ଡିତେ ଜୀବନ୍ମୁକ୍ତି ମନ୍ତ୍ରଟିକି ଜାଣିଥିବେ, ତୁ ଜାଣିବୁ ଯେ, ଏ ସଂସାର ଭିତରେ ସେହି ଏକା ବଡ଼ ପଣ୍ଡିତ । ତାଙ୍କ ନିଶରୁ ବାଳଦିଓଟି ଓପାଡ଼ି ଯେବେ ତୁ କାନିରେ ବାନ୍ଧି ରଖିବୁ ସେ ନିଶକୁ ଆଉ ଦୋସଡ଼ାରେ ମାଳି କରି ପିନ୍ଧିଲେ, ଯେଡ଼େ ଇଚ୍ଛା ସେଡ଼େ ସଭାକୁ ଗଲେ ତୁ କୋଉଠେଇଁ ଆଉ ହାରିବୁ ନାହିଁ । ମଣିମାଙ୍କ ଆଜ୍ଞା ହେଲେ ମୁଁ ଦିଓଟି ନିଶ ପଣ୍ଡିତଙ୍କଠଉଁ ଓପାଡ଼ି ନିଅନ୍ତି । ରାଜା ତ ୟା’ ଉପରେ ଭାରି ପ୍ରସନ୍ନ ହୋଇଥାନ୍ତି । କହିଲେ ହଉ ନିଅ ।”

ଏଣେ କ’ଣ ହୋଇଛି ନା, ସଭା ପଣ୍ଡିତେ ଏକ ବ୍ରହ୍ମ ଜାବଡ଼ା କେ ଅକଲ୍‌ଗୁଡୁମ୍‌ ହେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଭଣ୍ଡାରି ରାଜାଙ୍କଠଉଁ ହୁକୁମ ପାଇ ଯିମିତି ଅଇଲା, ସିମିତି ପଣ୍ଡିତଙ୍କ ମୁଛରୁ ଯୋଡ଼ାଏ ନିଶ ଓପାଡ଼ି ନେଲା । ପଣ୍ଡିତେ ତ ମାଆଲୋ ବୋପାଲୋ ହଉଛନ୍ତି, ନିଶଯୋଡ଼ିକ ଓପାଡ଼ି ନେଇ ଏକା ତା’ନେକେ ଆସି ବସାରେ ହାଜର । ମୁଦିକି ଚୁଡ଼ା, ଗୁଡ଼, ଦହିତକ ବିକି ଦେଇ, କାଳି ସଉଦା ପଇସାତକ ବୁଝାସମୁଜା କରି ଶୁଝି ଦେଇ, ସାଆନ୍ତଙ୍କୁ କହିଲା, “ସାଆନ୍ତେ ! ଆଉ ବସିଛ କ’ଣ ? ଏ ଅବୁଝାମଣା ରାଇଜରେ ଆଉ ପାଣି ଛୁଇଁବା ନାହିଁ, ଏ ଟଙ୍କା ଟୋକରତକ ଘିନି ଚାଲ, ଉଠ । ଏଠଉଁ ପଳେଇଲେ ମଣିଷ ତ୍ରାହିଗତ ପାଇବ”, ୟା’ କହି ସାଆନ୍ତ ଭଣ୍ଡାରି ଦିହେଁଯାକ ସେ ରାଇଜରୁ ଛୁ’ ବତେଇଲେ ।

ଏଣେ କ’ଣ ହେଲା ନା, ଏ ଭଣ୍ଡାରି ପଣ୍ଡିତ ଯୋଡ଼ିକଯାକ ନିଶ କାନିରେ ବାନ୍ଧି ଅଇଲା ବାହାରି, ରାଜା ବିଚାରିଲେ ଆମ ପଣ୍ଡିତଙ୍କ ନିଶରେ ଏତେ କରାମତି ଅଛି, ଆମେ ଯୋଡ଼ିଏ ନିଶ ଓପାଡ଼ି ରଖିବା । ମନ୍ତ୍ରୀ କହିଲେ ରାଜା ତ ନେଲେ, ମୁଁ ଯୋଡ଼ିଏ ନିଏଁ, ସାଧବ, କଟୁଆଳ ସମସ୍ତେ ସଭାପଣ୍ଡିତଙ୍କଠଉଁ ଯୋଡ଼ିଏ ଯୋଡ଼ିଏ ନିଶ ଓପାଡ଼ି ନେଲାବେଳକୁ ମେଣ୍ଢା ଧୋଉଁ ଧୋଉଁ ନିର୍ବାଳ । ଇମିତି ନଉ ନଉ ପଣ୍ଡିତେ ଛୋବ ଗଲେଣି । ପଣ୍ଡିତଙ୍କ ଗାଲପାଟି ଦେଖିଲାବେଳକୁ ଚିତଉ ପିଠାଭଳି ଫୁଲିଗଲା । ସକାଳୁ ଉଠିଲା ବେଳକୁ ପଣ୍ଡିତେ ଜୀବନ ବିକଳରେ ରାଇଜ ଛାଡ଼ି ଚଲ୍ ।

ଲୋକପ୍ରିୟ ଲେଖା

To Top