ଲୋକକଥା

ବଣମଇଁଷି

Mahendra Kumar Mishra's Odia Lokakathaa BANAMAINSI

ସବୁ ମଇଁଷିଙ୍କୁ ଡାକି ପିଲାଟିକୁ ଦେଖାଇଲା । ସବୁ ମଇଁଷି ପିଲାକୁ ପଚାରିଲେ, ତୁ କାହିଁକି ଲୁଚି ଲୁଚି ଆମର କାମ କରୁଛି ।

ବଣମଇଁଷି

ଗୋଟିଏ ଗାଁରେ ମା’, ପୁଅ ଦୁଇଟି ଥିଲେ । କାମଧନ୍ଦା କରି ବହୁତ କଷ୍ଟରେ ଚଳୁଥିଲେ । “ମା’ ବିଧବାକୁ ପୁଅ ବାପଛେଉଣ୍ଡ କହିବାକୁ ଲୋକ ନାଇଁ ।” ମା’ ବୁଢ଼ୀ ଏ ଘର ସେ ଘର କାମ କରି ମୁଠାଏ ଆଣିଲେ ଯେମିତି ସେମିତି ରହୁଥିଲେ । ଦିନେ ପୁଅଟି ତା’ ମା’କୁ କହିଲା, “ମା’ ଗୋ’ ପୋଡ଼ପିଠା ଖଣ୍ଡେ ଖାଇବାକୁ ଇଚ୍ଛା ଲାଗୁଛି ।’ ସେଇଠୁ ତା’ ମା’ ମହାଜନ ଘରକୁ ଯାଇ ଖୁଦ ମୁଠାଏ ମାଗି ଆଣିଲା ଓ ପୁଅ ପାଇଁ ବଡ଼ କରି ଗୋଟିଏ ପିଠା ତିଆରି କରିଦେଲା । ପୁଅଟି କ’ଣ କଲା ନା ସେହି ପିଠାକୁ ଗଡ଼ାଇ ଦେଲା ।

ସେହି ପିଠା ଗଡ଼ି ଗଡ଼ି ଗଲା, ପୁଅଟି ମଧ୍ୟ ପିଠା ପଛେ ପଛେ ଚାଲିଲା । ପିଠା ଚାଲିଛି ତ ଚାଲିଛି, ଯାଇ ଯାଇ ଅଗନା ଅଗନି ବନସ୍ତ ଭିତରକୁ ଯାଇ ଗୋଟିଏ ଗଛ ପାଖରେ ଅଟକି ଗଲା । ସେଇଠୁ ପିଲାଟି ସେହି ପିଠାକୁ ଭାଙ୍ଗିଲା ଆଉ ଟିକିଏ ଖାଇଲା । ପିଠା ଯେଉଁ ପାଖରେ ରହିଲା, ସେଇଟା ହେଉଛି ବଣମଇଁଷିର ଘର । ବଣମଇଁଷିଗୁଡ଼ିକ ସବୁଦିନ ବୁଲି ଆସିଲା ପରେ ସେଇଠି ଶୁଅନ୍ତି । ପିଲା ଭାବିଲା, “ବଣମଇଁଷିମାନେ ତ ମୋତେ ଦେଖିଲେ ମାରି ପକେଇବେ ।” ସେଇଠୁ ସେ କ’ଣ କଲା, ସେଇ ପାଖରେ ଗୋଟିଏ ବଡ଼ ଗଛ ଥିଲା । ତା’ପରେ ଗଛକୁ କହିଲା, “ଏ ଗଛ ତୁ ଯଦି ସତରେ ଅଛୁ ତାହାହେଲେ ଦୁଇ ଫାଳ ହୋଇ ଯା’, ମୁଁ ତୋ ଭିତରେ ରହିବି ଆଉ ବଣମଇଁଷିମାନଙ୍କର ସ୍ଥାନକୁ ସଫା କରିବି ।” ସେମିତି କହିଛି କି ନାଇଁ ଗଛ ଦୁଇ ଭାଗ ହେଲା, ସେଇଠୁ ପିଲା ଗଛ ଭିତରକୁ ପଶିଲା ତା’ପରେ ଗଛ ପୂର୍ବ ପରି ଯୋଡ଼ି ହୋଇଗଲା ।

ସେହି ଦିନଠାରୁ ପିଲାଟି ସେହି ଗଛ ଭିତରେ ରହେ । ପ୍ରତ୍ୟେକ ଦିନ ରାତିରୁ ଉଠି ବଣମଇଁଷିମାନଙ୍କ ଗୋବର ସଫା କରେ । ବଣମଇଁଷିମାନେ ଦେଖିଲେ ଯେ ସବୁ ଦିନ କିଏ ଗୋଟିଏ ତାଙ୍କର ସ୍ଥାନକୁ ସଫା ସୁତୁରା କରୁଛି । ଏଥର ଜଗିବା । ସେଇଠୁ ସେମାନେ କଥା ହେଲେ ଏବଂ ଜଗିଲେ । ତହୁଁ ବି ପିଲାକୁ ମୋଟେ ଧରି ପାରିଲେ ନାହିଁ । ତା’ପରେ ସବା ଶେଷରେ ଦିନେ କାଣୀ ମଇଁଷିର ପାଳି ଥାଏ ।

କାଣୀ ମଇଁଷି ତ ଚେତି ଥାଏ, ଯେମିତି ପିଲା ବାହାରିଲା କାଣୀ ମଇଁଷି ତାକୁ ଖପ୍‌କିନା ଧରିଲା । ସବୁ ମଇଁଷିଙ୍କୁ ଡାକି ପିଲାଟିକୁ ଦେଖାଇଲା । ସବୁ ମଇଁଷି ପିଲାକୁ ପଚାରିଲେ, ତୁ କାହିଁକି ଲୁଚି ଲୁଚି ଆମର କାମ କରୁଛି । ସେଇଠୁ ପିଲା କହିଲା, ତୁମେ ତ ମଣିଷମାନଙ୍କୁ ଦେଖିଲେ ମାରି ଗୋଡ଼ାଅ, ସେଇଥି ପାଇଁ ମୁଁ ଡରରେ ଲୁଚି ଲୁଚି ତୁମମାନଙ୍କର ସ୍ଥାନକୁ ସଫା ସୁତୁରା କରେ । ସେଇଠୁ ବଣମଇଁଷି କହିଲା, “ନାଇଁ ତୁ ଆମର ବହୁତ ସେବା କରିଛୁ ତୋତେ ମାରିବୁ ନାହିଁ ।’ “ତୁ ଆମର ପୁଅ ହୋଇ ରହିବୁ ।” ଏତିକି କହି ସେ ପିଲାକୁ ଗୋଟିଏ ସୁନାର ଓ ରୂପାର ବଂଶୀ ଦେଲା ଆଉ କହିଲା, “ସୁନାର ବଂଶୀ ଫୁଙ୍କିଲେ ତୁ ଭଲରେ ଅଛୁ ବୋଲି ଜାଣିବୁ ଆଉ ରୂପାର ବଂଶୀ ବଜାଇଲେ ତୋତେ ବିପଦ ପଡ଼ିଛି ବୋଲି ଆମେ ଧାଇଁ ଆସିବୁ ।”

ସେଇଠୁ ପିଲା ରାତିରେ ଗଛ ଖୋଲରେ ରହେ ଆଉ ସକାଳ ହେଲେ ବଣମଇଁଷିମାନଙ୍କ ଗୋବର ସଫା ସୁତରା କରେ ଏବଂ ଗଛ ଉପରେ ବସିଥାଏ । ଦିନେ କ’ଣ ହେଲା ପିଲା ନଦୀକୁ ଗାଧୋଇ ଯିବା ପାଇଁ ଇଚ୍ଛା କଲା ଓ ବଣମଇଁଷିକୁ କହିଲା, “ମା’ ମୁଁ ଆଜି ନଦୀକୁ ଟିକିଏ ଗାଧୋଇ ଯିବି ।” ବଣମଇଁଷି ହଁ କରିବାକୁ ପିଲା ନଦୀକୁ ଗାଧୋଇ ଗଲା । ବାର, ପନ୍ଦର ବର୍ଷ ହେଲା, ବାଳ କଟା ନାଇଁ କି ମୁଣ୍ଡ ସଫା ନାଇଁ ପିଲାର ବାଳଗୁଡ଼ିକ ବହୁତ ଲମ୍ୱା ଲମ୍ୱା ହୋଇଥାଏ ଆଉ ମୁଣ୍ଡ ମଧ୍ୟ ମଇଳା ହୋଇଥାଏ ।

ପିଲାଟି ମୁଣ୍ଡ ସଫା କରିବା ପାଇଁ ମାଟି ଟିକିଏ ନେଇକି ଗଲା । ପାଣିରେ ଗାଧୋଇ ମୁଣ୍ଡ ସଫା କଲା ବେଳକୁ ପିଲାର ମୁଣ୍ଡର ବାଳ କେତୋଟି ଛିଣ୍ଡିଗଲା । ସେଇଠୁ ପିଲା ସେହି ବାଳକୁ କ’ଣ କଲା ଗୋଟିଏ ବେଲ ଭିତରେ ପୂରାଇ ପାଣିରେ ଭସାଇ ଦେଲା ଆଉ ଚାଲି ଆସିଲା । ବେଲ ଭାସି ଭାସି ତଳକୁ ଗଲା ।

ସେଇଠୁ କ’ଣ ହୋଇଛି, ମଣିପୁରର ରାଜାର ଝିଅ ତା’ର ସଖୀମାନଙ୍କୁ ସଙ୍ଗରେ ଧରି ପାଣି ଖେଳୁଥାଏ । ବେଲ ଯାଇ ଯାଇ ତା’ ପାଖକୁ ଗଲା, ସେଇଠୁ ସେ ବେଲକୁ ଧରି ଘରକୁ ଆଣିଲା । ଘରକୁ ନେଇ ବେଲକୁ ଯେମିତି ଭାଙ୍ଗିଲା, ତା’ ଭିତରେ ବହୁତ ଲମ୍ୱା ଲମ୍ୱା ବାଳ ତିନି ଚାରିଟା ଥିଲା । ସେଇଠୁ ସେ ବାଳକୁ ନିଜର ବାଳ ସହିତ ମିଶାଇଲା ଯେ ତା’ର ବାଳଠାରୁ ଆଉ ଏକ ହାତ ଲମ୍ୱ ଓ କଳା ମଚ ମଚ ସେହି ବାଳ । ସେଇଠୁ ସେ ତା’ର ମା’ ଓ ବାପାକୁ କହିଲା ଯେ “ମୋତେ ଏହି ଲୋକକୁ ଯେମିତି ପ୍ରକାରେ ମଧ୍ୟ ଖୋଜିଆଣି ଦିଅ । ସେଇଠୁ ରାଜା ତା’ର ସୈନମାନଙ୍କୁ ଚାରିଦିଗକୁ ପଠାଇଲେ, ଆଉ କହିଲେ ଯେଉଁଠି ଥିଲେ ମଧ୍ୟ ଧରି ଆଣିବ ।”

ତା’ପରେ ତା’ ଲୋକମାନେ ଖୋଜିବା ପାଇଁ ଗଲେ । ଖୋଜି ଖୋଜି ପିଲାକୁ ପାଇଲେ, ହେଲେ କିପରି ଆଣିବେ । ସେଇଠୁ ସେମାନେ ପିଲାକୁ ଆଣିବା ପାଇଁ ଯେମିତି ଗଲେ ପିଲା ରୂପାର ବଂଶୀକୁ ବଜାଇ ଦେଲା, “ବଂଶୀ ବାଜିଲା”- “ଧାଇଁ ଆସ ବଣମଇଁଷି, ତୁମର ପିଲାକୁ ବାଘ ନେଉଛି, ତୁମର ପିଲାକୁ ଚୋର ନେଉଛି ।”

ଯେମିତି ବଂଶୀର ଶବ୍ଦ ବଣମଇଁଷିର କାନରେ ପଡ଼ିଲା ସବୁ ବଣମଇଁଷି ଭେଁ ଭାଁ କରି ଧାଇଁ ଆସିଲେ ଓ ସୈନ୍ୟମାନଙ୍କୁ ମାରିପକାଇଲେ । ସେଇଠୁ ସୈନ୍ୟମାନେ ପଳାଇଲେ ଆଉ ରାଜାଙ୍କୁ କହିଲେ । ତା’ପରେ ରାଜା ପଚାରିଲେ, ବଣମଇଁଷିମାନେ କେମିତି ଜାଣିଲେ । ସେଇଠୁ ସୈନ୍ୟମାନେ କହିଲେ, “ପିଲା ଯେମିତି ବଂଶୀ ବଜାଇଦେଲା ସେମାନେ ଧାଇଁ ଆସିଲେ ।’ “ପ୍ରଭୁ, ସେ ଦୁଇଟି ବଂଶୀ ରଖିଛି, ଗୋଟିଏ ସୁନାର ଓ ଗୋଟିଏ ରୂପାର ।” ରୂପାର ବଂଶୀ ବଜାଇଲେ ବଣମଇଁଷିମାନେ ଧାଇଁ ଆସନ୍ତି, ସୁନାର ବଂଶୀ ବଜାଇଲେ ଆସନ୍ତି ନାହିଁ । “ଯେମିତି ପ୍ରକାରେ ମଧ୍ୟ ରୂପାର ବଂଶୀ ଆଣି ପାରିଲେ ହିଁ ପିଲାକୁ ଆଣି ହେବ ।”

ସେଇଠୁ ରାଜା ତାଙ୍କ ଶୁଆକୁ ପଠାଇଲେ । ଶୁଆ ଯାଇ ଗଛରେ ବସିଥିଲା ଓ ଦେଖୁଥିଲା, ଯେମିତି ପିଲା ବଂଶୀ ରଖି ଟିକିଏ ଦୂର ଘୁଞ୍ଚିଲା ସେମିତି ଶୁଆ ବଂଶୀକୁ ଧରି ଚାଲି ଆସିଲା । ପିଲା ଟିକିଏ ଗଲାପରେ ଦେଖିଲା ଯେ ତା’ର ବଂଶୀ ନାହିଁ । ସେଇଠୁ ସେ ସୁନାର ବଂଶୀକୁ ଫୁଙ୍କିଲା ସୁନା ବଂଶୀର ଶବ୍ଦ ଶୁଣି ବଣମଇଁଷିମାନେ ଆରାମରେ ଚରୁଥାନ୍ତି ।

ଏହି ସମୟରେ ରାଜାର ସିପାହୀମାନେ ଆସି ପିଲାକୁ ଚୋରାଇ ନେଲେ । ପିଲାକୁ ନେଇ ରାଜା ପାଖରେ ଯେମିତି ଦେଲେ ରାଜା ତାଙ୍କୁ ଆସନ ଦେଇ ଦାସଦାସୀ ସବୁ ଲଗାଇ ଦେଲେ । ତା’ପରେ କିଛିଦିନ ଗଲାପରେ ତାଙ୍କ ଝିଅ ସହିତ ବାହା କରାଇ ଦେଲେ । ପିଲା ତ ଆରାମରେ ରାଜା ଘରେ ରହିଲା ତା’ର ଆଉ ବଣମଇଁଷିମାନଙ୍କୁ ମନେ ନାଇଁ । ଏପଟେ ବଣମଇଁଷିମାନେ ଆସି ଦେଖିଲେ ଯେ ପିଲା ନାହିଁ ।

ସେଇଠୁ ସେମାନେ ବହୁତ ଏପଟ ସେପଟ ଖୋଜିଲେ ଓ ନ ପାଇବାରୁ ମନ ଦୁଃଖରେ ତୁନି ହୋଇ ରହିଲେ । ଯେମିତି ଚାରି ଛ’ମାସ ଗଲା, ପିଲା ଦିନେ ବଣମଇଁଷିଙ୍କୁ ମନେ ପକାଇଲା ଆଉ ରାଣୀ ଝିଅକୁ ପଚାରିଲା । “ତୁମେ ରୂପାର ବଂଶୀ ରଖିଛ କି ?” ସେଇଠୁ ରାଣୀ ଝିଅ ଯାଇ ପିଲାର ରୂପାର ବଂଶୀ ଆଣି ଦେଲା । ପିଲା ଯେମିତି ରୂପା ବଂଶୀ ବଜାଇ ଦେଲା, ବଂଶୀର ଶବ୍ଦ ଯାଇ ବଣମଇଁଷିମାନଙ୍କର କାନରେ ପଡ଼ିଲା । ସେଇଠୁ ବଣମଇଁଷିମାନେ ଯେଉଁ ଦିଗରେ ବଂଶୀ ଶବ୍ଦ ଆସୁଥିଲା, ସେ ଦିଗରେ ସୁଁ ସୁଁ ବୁଁ ବୁଁ କରି ଧାଇଁ ଆସିଲେ । ତା’ପରେ ପିଲା ବାହାରି ବଣମଇଁଷିମାନଙ୍କୁ ସବୁ ଘଟଣା ବୁଝାଇ ଦେଲା । ବଣମଇଁଷି ପିଲା ଓ ଝିଅକୁ ଆଶୀର୍ବାଦ ଦେଲା ଏବଂ ରାଜା ଘରେ ସମସ୍ତେ ଗୋଟିଏ ରାତି ରହିଲେ । ସେଇଠୁ ସମସ୍ତେ ଭଲରେ ରହିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top