ଲୋକକଥା

ଚାରିଯୁଗ

Mahendra Kumar Mishra's Odia folk story Chaari Juga

କଳି କହିଲା, “ଦେଖିଲ ! ମୋ ଯୁଗରେ କେମିତି ଚାଲିଛି ?”

ଚାରିଯୁଗ

ଦିନେ ଚାରି ଯୁଗଯାକ ଏକାଠି ହେଲେ । ତ୍ରେତୟା ସତ୍ୟର ହାତଧରି କହିଲା- “ଭାଇ, ତୁମ କାଳରେ କେମିତି ବିଚାର ଚାଲିଥିଲା ?” ସତ୍ୟ କହିଲା, “ମୋ କାଳରେ ପ୍ରଜାଏ ଦୋଷ କଲେ ରାଜାଦଣ୍ଡ ପାଉଥିଲେ ।” ତ୍ରେତୟା କହିଲା- “ଏ କିପରି କଥା ?” ସତ୍ୟ କହିଲା, “ମୋ ଯୁଗରେ ରାଜା ପ୍ରଜାଙ୍କ ପ୍ରାଣଥିଲା । ରାଜାଙ୍କ ଗୁଣ ବା ଦୋଷରୁ ପ୍ରଜାଙ୍କ ମଙ୍ଗଳ ବା ଅମଙ୍ଗଳ ହେଉଥିଲା ।”

ତହୁଁ ଦ୍ୱାପର ଯୁଗ ବାହାରିପଡ଼ି କହିଲା- “ତ୍ରେତୟା, ତୁମ କାଳରେ କେମିତି ବିଚାର ହେଉଥିଲା ?” ତ୍ରେତା କହିଲା, “ମୋ ସମୟରେ ଗାଁ ବାଲା ପାପ କଲେ ଗାଆଁରେ ମୁଖିଆ ବ୍ୟକ୍ତି ଦଣ୍ଡ ପାଉଥିଲା ।” ଦ୍ୱାପର ପଚାରିଲା, “ଏ ବିଚାର କ’ଣ ଠିକ୍ ହେଲା ?” ତ୍ରେତା କହିଲା, “ବୁଝିପାରୁନ ? ଗାଆଁର ମୁଖିଆ କାହିଁକି ଭଲ ଭାବରେ ଗାଁ ଶାସନ ନ କଲା ।”

“ସେ କ’ଣ ଜାଣିଥିଲା, କିଏ କେତେବେଳେ କି ପାପ କରିବ ବୋଲି ।” ଦ୍ୱାପର ମନକୁ କଥାଟା ପାଇଲା ନାହିଁ । ତା’ପରେ କଳି ପଚାରିଲା, “ଆଚ୍ଛା ଦ୍ୱାପର, ତୁମ ଯୁଗରେ କେମିତି ବିଚାର ଚାଲିଥିଲା ?”

ଦ୍ୱାପର କହିଲା, “ମୋ ଯଗୁରେ ପରିବାରରେ କେହି କୌଣସି ଦୋଷ କଲେ ମୁରବି ଦଣ୍ଡ ପାଉଥିଲା ।” କଳି ଏ ବିଚାର ଶୁଣି ହସିଲା ।

ତା’ପରେ ଦ୍ୱାପର କହିଲା- “ଆଚ୍ଛା କଳି, ତୁମେ ତ ହସି ପକେଇଲ, କହିଲ ଭଲା, ତମ ଯୁଗରେ ଯେ ଦୋଷ କରିବ ସେ ଦଣ୍ଡ ପାଇବ । ଏ କେମିତି କଥା ?” ତିନି ଯୁଗ ପଚାରିଲେ ।

କଳି କହିଲା, “ଆସ ମୋ ସଙ୍ଗରେ, ଦେଖାଇ ଦେବି ।” କଳି ସମସ୍ତଙ୍କୁ ସଙ୍ଗରେ ଘେନି ଜଙ୍ଗଲକୁ ଗଲା । ରାସ୍ତା କଡ଼ରେ ଦି’ମୁଣ୍ଡା ସୁନା ଥୋଇ ଦେଲା । ଦି’ଜଣ ବାଟୋଇ ଯାଉଥିଲେ । ସୁନା ଦେଖି ଧଡ଼ପଡ଼ କରି ବୁଜୁଳିରେ ବାନ୍ଧିଲେ । ବଡ଼ ବନ୍ଧୁ କହିଲା- “ଭାଇ, ତୁ ସବୁ ସୁନା ଗଣ୍ଠିଲିରେ ରଖିଥା’, ଘରେ ପହଞ୍ଚିଲେ ଭାଗ ବାଣ୍ଟିବା ।” ସାନ ବନ୍ଧୁ ସେଇଆ କଲା ।

ବାର ରାଜ୍ୟର ବାର କଥା ପକାଇ ବଡ଼ ବନ୍ଧୁ ଚାଲିଥାଏ । ହେଲେ, ସାନ ବନ୍ଧୁ ମନରେ ସେ ସବୁ ପଶୁ ନଥାଏ । ସେ ଭାବୁଥାଏ- ବଡ଼ବନ୍ଧୁଙ୍କୁ ମାରି କେମିତି ସବୁ ସୁନା ନେଇଯିବ । ସେ ସେକଥା ଗୁପ୍ତରେ ସ୍ତ୍ରୀକୁ କହିଲା । ଭାତରେ ବିଷ ମିଶାଇ ଦେବାକୁ ଉପଦେଶ ଦେଲା । ସ୍ତ୍ରୀ ସାନବନ୍ଧୁର ପ୍ରସ୍ତାବରେ ରାଜି ହୋଇ ପ୍ରସ୍ତୁତ ଥାଏ । ଏଣେ ବଡ଼ବନ୍ଧୁ ମନରେ ବି ସେଇ ଚିନ୍ତା । କେମିତି ଏ କଣ୍ଟା ଦୂର କଲେ ଏକା ଏକା ସବୁ ସୁନାତକ ମାରି ନେଇଯିବ ।

ଦୁହେଁ ତେଲ ଲଗେଇ ଗୋଟିଏ ଦୂର ପୋଖରୀ କି ଗାଧୋଇ ଗଲେ । ବଡ଼ବନ୍ଧୁ ସାନ ବନ୍ଧୁଙ୍କୁ କହିଲା- “ହେଇ ଦେଖିଲଣି, କେଡ଼େ ସୁନ୍ଦର ପଦ୍ମ ଫୁଲଟିଏ ଲହଡ଼ିରେ ଦୋଳି ଖେଳୁଛି ।” ସାନବନ୍ଧୁ ଚାହୁଁ ଚାହୁଁ ବଡ଼ବନ୍ଧୁ ତାକୁ ପୋଖରୀ ମଝିକି ପେଲି ଦେଲା । ସାନ ପଦ୍ମବଣରେ ଛନ୍ଦି ହୋଇ ଆଉ ପହଁରି ପାରିଲା ନାହିଁ । ଉବେଇ ଟୁବେଇ ହୋଇ ଶେଷକୁ ପାଣି ଉପରେ ଭାସିଲା ।

ବଡ଼ବନ୍ଧୁ ତରବର ହୋଇ ଆସି ସାନବନ୍ଧୁଙ୍କ ସ୍ତ୍ରୀଙ୍କି କହିଲା, “ମୋତେ ଭାରି ଭୋକ ହେଲାଣି, ଶୀଘ୍ର ଗଣ୍ଡିଏ ଖାଇବାକୁ ଦିଅ । ବନ୍ଧୁ ଗାଧୋଇ ପଛରେ ଆସୁଛନ୍ତି ।”

ସ୍ତ୍ରୀ ତ ଆଗରୁ ତାଲିମ୍ ହୋଇଥାଏ । ଭାବିଲା, ବିଷ ଦେଇ ମାରିବା ଲାଗି ଆଗରୁ ସ୍ୱାମୀ ୟା’କୁ ପଠାଇ ଦେଇଛନ୍ତି । ସେ ଭାତରେ ବିଷ ଦେଇ କପଟ ଆଦର ସନମାନରେ ଖାଇବାକୁ ଦେଲା । ଗୁଣ୍ଡାଏ ଦୁଇଗୁଣ୍ଡା ଖାଇ ବନ୍ଧୁ ଖାଇବା ସ୍ଥାନରେ ଓଲଟି ପଡ଼ିଲା । ଆଉ ଉଠିଲା ନାହିଁ ।

କଳି କହିଲା, “ଦେଖିଲ ! ମୋ ଯୁଗରେ କେମିତି ଚାଲିଛି ?”

ଲୋକପ୍ରିୟ ଲେଖା

To Top