ଲୋକକଥା

ଦୁଇ ରାଜାପୁଅ

Mahendra Kumar Mishra's odia folk story Dui Raajaapua

କିଛିଦିନ ପରେ ସେ ବସ୍ତିର ଆଉ ଜଣେ ଧନୀ ଲୋକର ଝିଅ ସହିତ ସମ୍ୱନ୍ଧ କରି ନିଜ ପୁଅ ପାଇଁ ବୋହୂ ଆଣିବାର ଯୋଗାଡ଼ କଲା । ସୁନ୍ଦରୀ ବୋହୂଟିଏ ବାଛିଲା ବୋଲି ଲୋକେ ଖୁସି ହେଲେ ।

ଦୁଇ ରାଜାପୁଅ

ଜଣେ ରାଜା ଥିଲେ । ତାଙ୍କର ଗୋଟିଏ ରାଣୀ ଓ ଦୁଇଟି ପୁଅ । ତାଙ୍କର ଶାସନ କାଳରେ ଥରେ ମରୁଡ଼ି ପଡ଼ିଲା । ରାଜା ବର୍ଷା ହେବା ପାଇଁ କେତେ ଯାଗଯଜ୍ଞର ଆୟୋଜନ କଲେ । ଦାନ ଧର୍ମ କଲେ । ହୋମ, ଜପ ଆଦି ନାନାଦି ଧର୍ମାନୁଷ୍ଠାନ କରିବାରୁ ରାଜକୋଷ ପ୍ରାୟ ଏକପ୍ରକାର ଶେଷ ହୋଇ ଆସିଲା । ହେଲେ ରାଇଜରେ ବିନ୍ଦୁଏ ମଧ୍ୟ ଜଳ ବର୍ଷା ହେଲା ନାହିଁ । ରଜା ବଡ଼ ଚିନ୍ତିତ ହୋଇ ପଡ଼ିଲେ ।

ଇତି ମଧ୍ୟରେ ରାଜାଙ୍କର ରାଣୀ ମୃତ୍ୟୁବରଣ କଲେ । କିଛି ଦିନ ପରେ ସେ ମନ୍ତ୍ରୀଙ୍କ ସହିତ ପରାମର୍ଶ କରି ନିଷ୍ପତ୍ତି ଗ୍ରହଣ କଲେ ଯେ, ରାଜକୋଷର ପଇସା ଖର୍ଚ୍ଚ କରି ଯଜ୍ଞାନୁଷ୍ଠାନ କଲେ ତ କିଛି ଫଳ ହେଉ ନାହିଁ, ଏବେ ପ୍ରଜାମାନଙ୍କଠାରୁ, କିଛି କିଛି ଅର୍ଥ ସଂଗ୍ରହ କରି ଯଜ୍ଞାଦି ଧର୍ମୀୟ କର୍ମ ସମ୍ପାଦନ କରିବା । ତାହାପରେ ମନ୍ତ୍ରୀ ଖବର ପଠାଇ ରାଜ୍ୟର ବିଭିନ୍ନାଞ୍ଚଳରୁ ଅର୍ଥ ସଂଗ୍ରହ କରିବାକୁ ଆରମ୍ଭ କଲେ ।

ଅର୍ଥ ସଂଗୃହୀତ ହୋଇ ସାରି ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ଯଜ୍ଞର ଆୟୋଜନ କରିବାକୁ ନିର୍ଦ୍ଦେଶ କରିବାବେଳେ, ବ୍ରାହ୍ମଣମାନେ କହିଲେ, ରାଣୀ ନ ଥିଲେ ରାଜା କୌଣସି ଧର୍ମକାର୍ଯ୍ୟ କରି ପାରିବେ ନାହିଁ । ବ୍ରାହ୍ମଣମାନଙ୍କ ମତାମତ ଶୁଣି ରାଜା ଚିନ୍ତିତ ହୋଇ ପଡ଼ିଲେ । ସେ ମନ୍ତ୍ରୀଙ୍କ ସହ ପରାମର୍ଶ କରି ପୁଣି ଦ୍ୱିତୀୟବାର ବିବାହ କରିବାକୁ ରାଜି ହେଲେ । ନଚେତ୍ ଯଜ୍ଞ କାର୍ଯ୍ୟ ହୋଇ ନ ପାରିଲେ ବର୍ଷାର ଅଭାବରେ ପ୍ରଜାକୁଳ ହନ୍ତସନ୍ତ ହୋଇଯିବେ ।

ରାଜାଙ୍କଠାରୁ ଆଦେଶ ପାଇ ମନ୍ତ୍ରୀ ଆଉ ଏକ ରାଜ୍ୟକୁ ଯାଇ, ସେହି ରାଜାଙ୍କୁ କନ୍ୟାଟିଏ ମାଗିଲେ । ରାଜା କହିଲେ “ଏ ସମ୍ୱନ୍ଧରେ ମୁଁ କିଛି କହିପାରିବି ନାହିଁ । ତୁମେ ମୋ ଝିଅକୁ ପଚାର । ସେ ଯାହା କହିବ, ସେ ଅନୁସାରେ କାମ ହେବ ।” ତା’ପରେ ମନ୍ତ୍ରୀ ସେ ଦେଶର ଜେମା’ଙ୍କୁ ଡକାଇ ସବୁକଥା କହିଲେ ଓ ତାଙ୍କର ବିବାହ ସମ୍ମତି ଜାଣିବାକୁ ଚାହିଁଲେ । ମନ୍ତ୍ରୀ ସବୁ କଥା ଗୋଟି ଗୋଟି କରି ରାଜଜେମା’ଙ୍କୁ କହିଲେ ସତ, ମାତ୍ର, ରାଜାଙ୍କର ଦୁଇଟି ପୁଅ ଥିବା କଥା ପ୍ରକାଶ ନ କରି ଗୋପନ ରଖିଲେ । ରାଜାଙ୍କର ଏହା ହିଁ ପ୍ରଥମଥର ପାଇଁ ବିବାହ କାର୍ଯ୍ୟ ହେବ ବୋଲି ସେ ଦେଶର ଜେମା’ଙ୍କୁ ମିଛରେ ଭୁଲାଇଲେ । ନିରୀହା ରାଜଜେମା’ କିଛି ରହସ୍ୟ ଜାଣି ନ ପାରି ବିବାହ ପାଇଁ ପୂର୍ଣ୍ଣ ସମ୍ମତି ଦେଲେ ।

ରାଜା ତା’ପରେ ବିବାହର ଆୟୋଜନ କରି ହାତୀଘୋଡ଼ା ଓ ଲୋକବାକ ସେନାଧରି ବିବାହ ପାଇଁ ଯାତ୍ରୀ କରିବା ବନ୍ଦୋବସ୍ତ କଲେ । ସେ ନିଜ ପୁଅମାନଙ୍କୁ ବାପାଙ୍କ ବିବାହ ଦେଖିବା ଦୋଷାବହ ବୋଲି କହି, ଉଆସର କିଛି ଦୂରରେ ଆଉ ଏକ ଘରେ ସାତଦିନ ପାଇଁ ରଖାଇଲେ । ଏକ ସପ୍ତାହ ପାଇଁ ଦୁଇ ରାଜକୁମାରଙ୍କର ସୁରକ୍ଷାର ସମସ୍ତ ସୁବିଧା କରି କେତେକ ଦାସଦାସୀ ମଧ୍ୟ ନିଯୁକ୍ତ କଲେ ।

ତା’ପରେ ରାଜା ବରଯାତ୍ରୀ ସହିତ କନ୍ୟା ରାଜ୍ୟକୁ ଯାତ୍ରାକରି ବିବାହ କଲେ ଓ ନୂତନ ରାଣୀଙ୍କୁ ଧରି ନିଜ ଉଆସକୁ ଫେରିଲେ । ମଧୁଶଯ୍ୟା ପରଦିନ ରାଣୀ ସକାଳୁ ଉଠି ପୋଇଲୀ, ପରିବାରୀ, ସଖୀ, ସହଚରୀମାନଙ୍କ ମେଳରେ ରାଜଉଦ୍ୟାନର ପୋଖରୀରେ ସ୍ନାନ କରିବା ପାଇଁ ଗଲେ ।

ଏତିକି ବେଳକୁ ଉଆସର ଅନତି ଦୂରରେ ସ୍ୱତନ୍ତ୍ର ଘରେ ରହୁଥିବା ଦୁଇ ରାଜପୁତ୍ର ବିଚାର କଲେ, “ଆମେ ତ ଏଠାରେ ରହିବାର ଏକ ସପ୍ତାହ ପୂରଣ ହେଇଗଲାଣି, ଏଥର ଆମେ ନିଜ ଉଆସକୁ ଚାଲିଯିବା ।” ଏପରି ଭାବି ଦୁଇ ଭାଇ ଉଆସକୁ ଗଲେ । ରାଜା ସେମାନଙ୍କୁ ଅଲଗା ଘରେ ରଖାଇ ସପ୍ତାହଟାଯାକ ଗୁରୁଙ୍କ ଦ୍ୱାରା ଧନୁର୍ବିଦ୍ୟା ଶିକ୍ଷାଦାନର ଆୟୋଜନ କରାଇଥିଲେ । ତେଣୁ ଉଆସକୁ ଫେରିବା ପରେ କୁମାରଦ୍ୱୟ ରାଜଉଦ୍ୟାନକୁ ସାଙ୍ଗେ ସଙ୍ଗେ ପ୍ରବେଶ କରି ଧନୁଚାଳନା ଆରମ୍ଭ କରିଦେଲେ ।

ଠିକ୍ ସେତିକିବେଳେ ବଗିଚାର ପୋଖରୀ ହୁଡ଼ାରେ ଥିବା ଗୋଟିଏ ଗଛରେ କାଉଟିଏ ବସିଥିବାର ଦେଖାଗଲା । ସାନପୁଅ ଦେଖି ଦେଉ ଦେଉ ତା’ ଉପରକୁ ତୀର ମାରିବା ପାଇଁ ବଡ଼ଭାଇକୁ କହିଲା । ତା’ପରେ ସେମାନେ କାଉକୁ ଶର ମାରିଲେ । ଶର କାଉ ଦେହରେ ବାଜିବାରୁ କାଉଟି ତଳେ ପଡ଼ିଗଲା । ମାତ୍ର, ଶର ଗଛର ଆରପାରିରେ ଥିବା ନୂଆ ରାଣୀଙ୍କର ଗୋଡ଼ ନିକଟରେ ଯାଇ ଭୂମିରେ ଲାଖି ରହିଲା ।

ରାଣୀ ଚମକି ପଡ଼ିଲେ । ବିବାହର ଗୋଟିଏ ମାତ୍ର ରାତ୍ରି ଯାଇଛି । ତାଙ୍କର ଶତ୍ରୁଅଛି, ଯିଏକି, ଏଭଳି ଶର ମାରିପାରେ ? ସହଚରୀମାନଙ୍କୁ ଏ ଶର କାହାର ବୋଲି ପଚାରିଲେ । ସଖୀମାନେ ଚତୁର୍ଦ୍ଦିଗ ଚାହିଁ ଦେଖିଲେ ଯେ, ଉଦ୍ୟାନର ଗୋଟିଏ ସ୍ଥାନରେ ଦୁଇ ରାଜକୁମାର ଧନୁ ଧରି ଶର ଚାଳନା କରୁଛନ୍ତି । ନୂଆରାଣୀଙ୍କୁ “ନିଜର ଦୁଇ ପୁତ୍ର ଅଛନ୍ତି” ଏକଥା ରାଜା ଗୋପନ ରଖିଛନ୍ତି ବୋଲି ସଖୀ ସହଚରୀମାନେ ଜାଣିନଥିଲେ । ତେଣୁ ସେମାନେ ରାଣୀଙ୍କ ଆଗରେ ସବୁ ସତକଥା କହିଦେଲେ ଯେ, “ଏହି ଦୁଇଜଣ କିଶୋର ବାଳକ ଶର ଚାଳନା କରିଛନ୍ତି ଏବଂ ସେମାନେ ହେଉଛନ୍ତି ଆମ ରାଜାଙ୍କର ଆଗ ରାଣୀଙ୍କର ପୁଅ ।” ନୂଆରାଣୀ ଏମାନଙ୍କର ଏଭଳି କଥା ଶୁଣି ଏକ୍‌ଦମ୍ ଅବାକ୍ ହୋଇଗଲେ । ସତରେ ଆଗରୁ ରଜା ବିବାହ କରିଥିଲେ ଓ ତାଙ୍କର ଏପରି ଦୁଇପୁଅ ଅଛନ୍ତି, ହଠାତ୍ ନୂଆରାଣୀ ଏହା ବିଶ୍ୱାସ କରିପାରିଲେ ନାହିଁ । ସେ ଭାଙ୍ଗି ପଡ଼ିଲେ ।

ଯାହାହେଉ, ବିବାହର ସବୁ ସୁଖ, ଆନନ୍ଦକୁ ଭୁଲି ମୁହଁ ଶୁଖେଇ ଦେଇ ରାଣୀ ପୋଖରୀରୁ ସ୍ନାନ ସାରି ନଅରକୁ ଆସି ଅନ୍ତଃପୁରକୁ ଗଲେ । ସେ ମନେ ମନେ ଚିନ୍ତା କଲେ, ଆଗରୁ ଯଦି ରାଜାଙ୍କର ଏପରି ଦୁଇପୁଅ ଅଛନ୍ତି, ତେବେ ମୋର ପୁଅକୁ ଏଇ ରାଜ୍ୟର ରାଜା ହେବାର ସୁଯୋଗ ମିଳିବ ନାହିଁ । ତେଣୁ ସେମାନଙ୍କୁ ଯେକୌଣସି ଉପାୟରେ ମଧ୍ୟ ମାରିଦେବାକୁ ହେବ । ଏୟା ଭାବି ସେ ମୂଷାମାଟି ପଣପଣ ବିଲେଇ ଗୁହ ଷଣଷଣ, ଏପରି ଏକ ପରିତ୍ୟକ୍ତ କୋଠରୀରେ ଯାଇ ଗୋଟିଏ ଛିଣ୍ଡା ଖଟରେ ମୁହଁମାଡ଼ି ଶୋଇଲେ ।

ଦିନ ଦୁଇ ପ୍ରହର ପ୍ରାୟ ହେଲାଣି । ଖିଆ ନାଇଁ କି ପିଆ ନାଇଁ । ରୋଷେଇଆମାନେ ଯାଇ ରାଜାଙ୍କ ନିକଟରେ ଖବର ଦେଲେ । “ମଣିମା ! ନୂଆରାଣୀଙ୍କର କି ଅସୁବିଧା ହେଲା କେଜାଣି ? ସେ ଆଜି ସକାଳୁ ମୁହଁମାଡ଼ି ଶୋଇଛନ୍ତି ।” ରାଜା ଏକଥା ଶୁଣି ପ୍ରଥମେ ଅବାକ୍ ହେଇଗଲେ । ତତ୍‌କ୍ଷଣାତ୍ ରାଜକର୍ମ ପରିତ୍ୟାଗ କରି ଅନ୍ତଃପୁରକୁ ଆସି ଦେଖିଲେ ଯେ, ରୋଷେଇଆମାନଙ୍କ କଥା ପୁରାପୁରି ସତ । ସେ ଅନେକ ଡକାହକା କରିବା ପରେ ରାଣୀ ମୁହଁ ଟେକିଲେ । ରାଜା କେତେ ରାଣ ନିୟମ କରି ରାଣୀଙ୍କ ସବୁ ମନୋରଥ ସିଦ୍ଧ କରିବା ପାଇଁ ସତ୍ୟ କରିବାରୁ ସେ କହିଲେ, “ମୋତେ ଆଗରୁ ମିଛ କଥା କହି ଆପଣ ବିବାହ କରିଛନ୍ତି । ଆପଣଙ୍କ ଦୁଇ ପୁଅ ଅଛନ୍ତି । ସେମାନେ ଥାଉ ଥାଉ ତ ରାଜ୍ୟବାସୀ ମୋ ପୁଅକୁ ରାଜା କରାଇ ଦେବେ ନାହିଁ । ତେଣୁ ଯଦି କୌଣସି ଉପାୟରେ କୁମାର ଦୁହିଁଙ୍କୁ ମାରିଦିଆଯିବ, ତେବେ ମୁଁ ଉଠି ଭୋଜନକୁ ଯିବି । ନଚେତ୍ ନୁହେଁ ।” କ’ଣ କରିବେ ? ସତେ ଯେପରି ରାଜାଙ୍କ ମୁଣ୍ଡ ଉପରେ ବଜ୍ରପାତ ହେଲା । ଉପାୟ ନାହିଁ । ଅଗତ୍ୟା ରାଣୀଙ୍କୁ ହଁ କରି ଉଠାଇ ତାଙ୍କ ଶୁଆଇଲେ ।

ଏବେ ତ ଯଜ୍ଞାନୁଷ୍ଠାନ ହୋଇପାରୁନାହିଁ, ପୁଣି ଯଦି ଅନାହାରରେ ରାଣୀଙ୍କ ପ୍ରାଣଯିବ ତା’ହେଲେ ଦେଶରେ ପାପର ମାତ୍ରା ବହୁତ ବଢ଼ିଯିବ । ଏହା ବିଚାର କରି ରାଜା ଏକାନ୍ତରେ ମନ୍ତ୍ରୀଙ୍କୁ ଡକାଇ ସବୁକଥା କହିଲେ ଓ ରାଣୀଙ୍କ ଉପସ୍ଥିତିରେ ମନ୍ତ୍ରୀଙ୍କୁ ଦୁଇ ରାଜପୁତ୍ରଙ୍କୁ ହତ୍ୟା କରିବାକୁ ଆଦେଶ କଲେ । ମନ୍ତ୍ରୀ ତା’ପରେ ରାଜକୁମାରମାନଙ୍କୁ ସାଙ୍ଗରେ ଧରି ହତ୍ୟା କରିବାକୁ ବାହାରିଲେ ।

କେତେଜଣ ସୈନିକଙ୍କ ଗହଣରେ ଦୁଇରାଜପୁତ୍ରଙ୍କୁ ମନ୍ତ୍ରୀ ଅପରାଧୀମାନଙ୍କ ଭଳି ଘେନି ଗଲାବେଳେ ବାଟରେ ଜଣେ ଧର୍ମପ୍ରାଣ ବ୍ୟକ୍ତି ଦେଖାଗଲେ । ସେ ମନ୍ତ୍ରୀଙ୍କୁ ଅଟକାଇ ଦୁଇ ରାଜକୁମାରଙ୍କୁ କେଉଁଆଡ଼େ ନେଉଛ ବୋଲି ପଚାରିଲେ । ମନ୍ତ୍ରୀ ତୁରନ୍ତ ସେହି ବ୍ୟକ୍ତିଙ୍କୁ “ରାଜକୁମାରମାନଙ୍କୁ ହତ୍ୟା କରିବାକୁ” ନେଉଥିବାର କହି ସବୁକଥା ଜଣାଇଲେ । ଲୋକଟିର ମନରେ ଦୟା ହେଲା । ସେ ସେମାନଙ୍କୁ ହତ୍ୟା ନ କରିବାକୁ ମନ୍ତ୍ରୀଙ୍କୁ ବହୁତ ପ୍ରକାରେ ଅନୁରୋଧ କରି ନିଜେ ନେଇ ଆସିଲେ । ଲୋକଟି ହାତରେ ମନ୍ତ୍ରୀ ରାଜକୁମାରଙ୍କୁ ଦାନ କରି ନିଜେ ବଣର ଚଢ଼େଇକୁ ମାରି ପତ୍ରରେ ରକ୍ତ ଧରି ରାଣୀଙ୍କ ନିକଟକୁ ଗଲେ ଓ ରାଜପୁତ୍ରମାନଙ୍କୁ ମାରିଛନ୍ତି ବୋଲି କହିଲେ । ରାଣୀ ଖୁସି ହେଲେ ।

ଭଦ୍ରଲୋକଟି ଦୁଇଭାଇଙ୍କୁ ନେଇ ଦୁଇଟି ଘୋଡ଼ାର ବନ୍ଦୋବସ୍ତ କରି ଜଙ୍ଗଲ ଭିତରକୁ କେଉଁ ଆଡ଼େ ଚାଲିଯିବା ପାଇଁ କହିଲେ । ତାଙ୍କ ଉପଦେଶ ମାନି ଦୁଇଭାଇ ଦୁଇଟି ଘୋଡ଼ାରେ ଚଢ଼ି ଆଉ ଏକ ରାଜ୍ୟ ଅଭିମୁଖେ ବାହାରିଲେ । ଯାଉ ଯାଉ କେତେ ବାଟ ଯିବା ପରେ ଭୟଙ୍କର ଜଙ୍ଗଲ ପଡ଼ିଲା । ସମୟ ସନ୍ଧ୍ୟା ପ୍ରାୟ । ଏଣେ ପୁଣି ଦିନଯାକ ଆସି ଆସି ଶରୀର କ୍ଳାନ୍ତ ହୋଇଗଲାଣି । ଜଙ୍ଗଲ ମଝିରେ ଗୋଟିଏ ବିରାଟ ବରଗଛ ଦେଖି ସେଠାରେ ରାତ୍ରି ବିଶ୍ରାମ କଲେ ।

ଘୋଡ଼ାରୁ ଓହ୍ଲାଇ ପାଖ ଝରଣାରେ ଘୋଡ଼ାକୁ ପାଣି ମୁନ୍ଦାଏ ଲେଖାଏଁ ପିଆଇଲେ ଓ ବରଗଛ ଚେରରେ ସେମାନଙ୍କୁ ବାନ୍ଧି ଦେଲେ । ଦୁଇଭାଇ ଧନୁଶର ଧରି ଗଛମୂଳେ କଅଁଳିଆ ଡାଳ-ପତ୍ର ପକାଇ ବସି ରହିଲେ । ଅଳ୍ପ ସମୟ ପରେ ବଡ଼ଭାଇ କି ନିଦ ଲାଗିବାରୁ ସେ ଶୋଇ ପଡ଼ିଲା । ସାନଭାଇ ସେଇମିତି ବସିଚି । ଅଧରାତି ବେଳକୁ ଗଛର ଏକ ଡାଳରେ ବସିଥିବା ଶୁକପକ୍ଷୀଟିଏ ଟେଁ ଟେଁ ରଡ଼ି କଲା । ଏହା ଶୁଣି ପାଖରେ ଥିବା ଗାତ ଭିତରୁ ନାଗସାପଟିଏ ମୁଣ୍ଡ ଟେକି ଶୁକପକ୍ଷୀଟିକୁ ଖାଇଦେବାର ଧମକ ଦେଲା ।

ସାପର ଧମକ ଶୁଣି ପକ୍ଷୀ କହିଲା, “ଆରେ ଯେ ମୋତେ ମାରିକରି ଖାଇପାରିବ ସେ ଜଣେ ରାଜା ହେବ ।” ପକ୍ଷୀର କଥା ଶୁଣି ସାପ ମଧ୍ୟ ମଣିଷ ସ୍ୱରରେ କହିଲା, “ମୋତେ ମଧ୍ୟ ଯେ ମାରି ଖାଇଦେବ ତା’ର ଦାନ୍ତ ଘଷିଲାବେଳେ ସୁନାମୁଣ୍ଡା ପଡ଼ିବ ।” ସାନକୁମାର ନୀରବରେ ଏମାନଙ୍କର କଥାବାର୍ତ୍ତା ଶୁଣୁଥାଏ ।

ବେଳକାଳ ଦେଖି ଧନୁରେ ଗୁଣ ଦେଇ ସାନପୁଅ ଶୁକପକ୍ଷୀକୁ ମାରି ତଳେ ପକାଇ ଦେଲା । ପକ୍ଷୀଟି ତଳେ ପଡ଼ିଯିବାର ଦେଖି ସଙ୍ଗେ ସଙ୍ଗେ ସାପମୁଣ୍ଡ ଟେକି ଖାଇ ଦେବାକୁ ଉଦ୍ୟମ କଲାବେଳେ ସେ ସାପଟିକୁ ମଧ୍ୟ ମାରି ଦି’ଗଡ଼ କରିଦେଲା । ତା’ପରେ ସେଠାରେ ଦୁଇ ଅଲଗା ଜାଗାରେ ପକ୍ଷୀ ଓ ସାପକୁ ରନ୍ଧାରନ୍ଧି କରି ଶୁକପକ୍ଷୀର ମାଂସକୁ ଯତ୍ନରେ ଅଲଗା ଥୋଇ, ସାପର ମାଂସକୁ ନିଜେ ଖାଇଲା ।

ଅଳ୍ପ ସମୟ ଭିତରେ ସାପର ବିଷଜ୍ୱାଳାରେ ସାନ ଭାଇ ମଧ୍ୟ ସେଠାରେ ଅଚେତ୍ ହୋଇ ଶୋଇପଡ଼ିଲା । ସକାଳ ହେବାରୁ ବଡ଼ଭାଇର ନିଦ ଭାଙ୍ଗିଲା । ଉଠି ଦେଖିଲା ଯେ, ସାନଭାଇ କୋଉଠୁ କିଛି ଶିକାର କରି ରାନ୍ଧି ତା’ ପାଇଁ ଥୋଇ ଦେଇଚି । ତେଣୁ ଝରଣାରେ ଗାଧୋଇ ପାଧୋଇ ମାଂସତକ ଖାଇ ସାନଭାଇ ଉଠିବ ବୋଲି ସେଠାରେ ଜଗିଚି ।

ଦୁଇଭାଇ ଯେଉଁ ରାଜ୍ୟର ଜଙ୍ଗଲ ଭିତରେ ଅଛନ୍ତି ସେ ରାଜ୍ୟରେ ରାଜା ନାହାନ୍ତି ବୋଲି, ହାତୀ ମୁଣ୍ଡରେ ସୁନା କଳସ ଧରି ଏଣେ ତେଣେ ବୁଲାଉଥାନ୍ତି । ସେଦିନ ହାତୀ ସେଇ ବଣ ଆଡ଼େ ବାହାରିଥିଲା । ବରଗଛ ମୂଳେ ବଡ଼ଭାଇ ବସିଥିବାର ଦେଖି ହାତୀ ତା’ ମୁଣ୍ଡରେ ସୁନା କଳସ ଢାଳି ଦେଇ ଥୋର ପାହାଡ଼ରେ ପ୍ରଣାମ ଜଣାଇଲା । ହାତୀର ପଛେ ପଛେ ସେ ରାଜ୍ୟରେ ପାତ୍ର, ମନ୍ତ୍ରୀ, ସେନାପତି, ରାଜଗୁରୁ, ନାଗରିକମାନେ ବୁଲୁଥିଲେ । ସେମାନେ ମହାସମ୍ମାନର ସହିତ ବଡ଼ଭାଇକୁ ନିଜର ରାଜା ବୋଲି ଘୋଷଣା କରି ସେଇ ହାତୀ ପିଠିରେ ବସାଇ ରାଜଧାନୀକୁ ନେଇଗଲେ । ସାନଭାଇ କଥା ବୁଝିବାକୁ କାହାର ବେଳ ଅଛି ।

ଏ ଘଟଣାର ତିନିଚାରି ଦିନପରେ ସେଇ ବରଗଛ ବାଟ ଦେଇ ଜଣେ ସନ୍ନ୍ୟାସୀ ଯାଉଥିଲେ । ସେ ଦେଖିଲେ ଯେ, ଗଛମୂଳେ ଗୋଟିଏ ସୁନ୍ଦର କିଶୋର ଅଚେତ୍ ହୋଇ ଶୋଇ ପଡ଼ିଛି । ନିକଟକୁ ଯାଇ ଦେଖି ସେ ଜାଣି ପାରିଲେ ଯେ, ଏହା ହେଉଛି ଭୟଙ୍କର ସାପ ବିଷର କରାମତି । ତାଙ୍କ ମନରେ ଦୟା ହେଲା । ସେ ଝଡ଼ାଫୁଙ୍କା କରି ତା’ ବିଷ ଜ୍ୱାଳା ହରଣ କରିବାକୁ ଚେଷ୍ଟା କଲେ ଓ ସାନ ଭାଇ ଉଠିବା ପର୍ଯ୍ୟନ୍ତ ସେଇଠି ସାଧୁ ଜଣକ ଜଗି ରହିଲେ ।

ଠିକ୍ ସାତଦିନ ସାତରାତି ପାର ହେବା ପରେ ବିଷ ଉତୁରିବାରୁ ସାନଭାଇ ଉଠିଲା । ସାଧୁଜଣକ ତାକୁ ଗାଧୋଇ ପାଧୋଇ ଦେଲେ । ତାକୁ ସୁସ୍ଥ କଲେ । ସେ ଭଲ ହେଲା, ଉଠି ଦେଖିଲା ଯେ, ତା’ ନିକଟରେ ବଡ଼ଭାଇ ନାହିଁ । ସନ୍ନ୍ୟାସୀଙ୍କଠାରୁ ବିଦାୟ ନେଇ ସେଇ ବଡ଼ଭାଇର ଅନ୍ୱେଷଣରେ ବାହାରିଲା । ଗୋଟିଏ ସହରରେ ପହଞ୍ଚିଲା ସହରର ସୀମାରେ ଗୋଟିଏ ଭଙ୍ଗାଘରେ ଡାଳପତ୍ର ପକାଇ ସେ ରହିଲା । ପ୍ରତିଦିନ ସକାଳୁ ଦାନ୍ତ ଘଷିବାବେଳେ ତୁଣ୍ଡରୁ ତିନିଖଣ୍ଡ ସୁନା ପଡୁଥିବାରୁ ସେଗୁଡ଼ିକୁ ବିକ୍ରି କରି ଆପଣା ପେଟ ପୋଷିବା ପାଇଁ ସେ ଭାବିଲା ।

ସେ ପ୍ରଥମେ ଦୁଇ ତିନିଦିନର ସୁନା ଠୁଳ କରି ରାଜଧାନୀର କେତେଜଣଙ୍କ ନିକଟକୁ ବିକିବା ପାଇଁ ଗଲା । ଦୁଇ ଚାରିଜଣ ମନା କଲାପରେ ଜଣେ ମହାଜନ ବ୍ୟକ୍ତି ସୁନା କିଣିବାର ସମ୍ମତି ଦେଲା । ସାନଭାଇ ବିକ୍ରି ନ କରି ବନ୍ଧକ ଦେବା ପାଇଁ ରାଜି କରାଇ ତା’ ଠାରୁ କେତେ ଟଙ୍କା ଆଣିଲା । ଏପରି ପ୍ରତିଦିନ ସେଇ ଗୋଟିଏ ଧନୀକକୁ ସୁନା ଦେଇ ବନ୍ଧକ ହିସାବରେ ଯାହା କିଛି ଟଙ୍କା ଆଣି ଚଳିଯାଏ ।

ଗୋଟିଏ ଦିନ ମହାଜନ ବୁଢ଼ା-ବୁଢ଼ୀ ଭାବିଲେ, ଏ ପିଲାତ ଆମକୁ ସୁନା ବିକୁ ନାଇଁ, ବନ୍ଧକ ଦେଉଚି । ସେଥିପାଇଁ ତାକୁ କୌଣସି ଉପାୟରେ ହେଲେ ଜୀବନରେ ମାରିଦେବାକୁ ପଡ଼ିବ । ଏଭଳି ବିଚାର କରି, ଆରଦିନ ପିଲା ସୁନା ଆଣି କରି ଆସିଲେ ଖାଦ୍ୟରେ ବିଷ ଦେଇ ମାରିଦେବାର ପାଞ୍ଚି ପିଠାପଣା ତିଆରି କରିବାରେ ଲାଗିଲେ ।

ତହିଁଆରଦିନ ସାନଭାଇ ସୁନା ଧରି ଯିବାରୁ ଆଗଦିନମାନଙ୍କ ଅପେକ୍ଷା ଅଧିକ ଆଦର, ଗେଲ କରି ଘର ଭିତରକୁ ନେଇ ଦିବ୍ୟ ଆସନରେ ବସାଇଲେ । ପ୍ରତିଦିନ ସୁନା ଦେଉଥିବାରୁ ସେ ଏକ ପ୍ରକାର ନିଜର ବନ୍ଧୁ ହୋଇଗଲାଣି ବୋଲି କହି, ତାକୁ ନାନା ପ୍ରକାର ଦରବ ଖାଇବାକୁ ଦେଲେ । ତା’ ଭିତରେ ବିଷ ମିଶା ପିଠା ମଧ୍ୟ ଦିଆଗଲା । ସାନଭାଇ ଏମାନଙ୍କର କୂଟଚକ୍ରାନ୍ତ ଆଦୌ ଜାଣି ନ ପାରି ସେଠାରେ ସବୁତକ ପିଠା ଖାଇଦେଲା ।

ପିଠା ଖାଇସାରିବା ପରେ ତାକୁ ନିଶା ଘୋଟିଗଲା । ସେ ପ୍ରାଣ ବିକଳରେ ସେଠାରୁ ପଳେଇ ଆସି ଗୋଟିଏ ଧର୍ମଶାଳାରେ ରହିଲା । ସେଠାରେ ଧର୍ମଶାଳାର ଲୋକମାନେ ଦିନେ ଦି’ଦିନ ପର୍ଯ୍ୟନ୍ତ ତାର ସେବା ଶୁଶ୍ରୁଷା କଲାପରେ ସେ ଭଲ ହେଲା । ମାତ୍ର ବିଷ ଉପରେ ପୁଣି ବିଷ ଖାଇ ଦେଇଥିବାରୁ ଆଉ ସୁନା ପଡ଼ିଲା ନାହିଁ । ଦୁଇ ତିନିଦିନ ଦେଖିବା ପରେ ଯେତେବେଳେ ସୁନା ମୋଟେ ପଡ଼ିଲା ନାଇଁ, ସେତେବେଳେ ସେ ପୁଣି ସେଇ ମହାଜନ ନିକଟକୁ ବନ୍ଧକ ଦେଇଥିବା ସୁନା ଫେରେଇ ଆଣିବାକୁ ଗଲା ।

ମହାଜନ ସାନପୁଅଟି ସ୍ୱଦେହରେ ଆସିଥିବାର ଦେଖି ଏକାବେଳେକେ ଆଶ୍ଚର୍ଯ୍ୟ ହେଇଗଲା । ସେ ଭାବିଥିଲା ଯେ, ବିଷ ଖାଇବା ପରେ ପିଲାଟି ମରିଯିବ ଓ ସେ ଅଚିନ୍ତାରେ ସୁନାଗୁଡ଼ିକ ଭୋଗ କରିବ । କାଲି ସବୁ ଓଲଟା ହେଇଗଲା । ସେ ଚତୁର ଭାବେ ପିଲାଟିକୁ ଆଉ ଦିନେ ଆସିବାକୁ କହିଲା ।

ମହାଜନ ଏଥର ସାନଭାଇକୁ ମାରିବାକୁ ଆଉ ଏକ ଉପାୟ ପାଞ୍ଚିଲା । ସେ ଘରର ଗୋଟିଏ ପଟେ ୧୫ ହାତର କୂଅଟିଏ ଖୋଳି ତା’ ଉପରେ ପତଳା ଚାଦର ଗୋଟିଏ ଘୋଡ଼େଇ ଦେଇ ଧୀରେ କରି ଚଉକିଟିଏ ଥୋଇ ଦେଲା । ଏଥର ସାନ ପୁଅ ଆସିଲେ ତା’ ଉପରେ ବସିବାକୁ କହିବ ଓ ସେ ବସିଲେ କୂଅ ଭିତରେ ପଡ଼ିଯିବା ପରେ ତା’ ଉପରେ କଠିନ ପଟାଟିଏ ଘୋଡ଼େଇ ଦେଇ ମାରିଦେବ ।

ଦୁଇ ତିନିଦିନରେ ସାନପୁଅ ଆସିଲା । ମହାଜନ ଆଦର କରି ତାକୁ ଘରକୁ ଡାକି ନେଲା । ଆଗରୁ ପ୍ରସ୍ତୁତ କରିଥିବା ସେଇ କୂଅ ଉପର ଚଉକିରେ ବସିବାକୁ କହିଲା । ସେ ଯେମିତି ତା ଉପରେ ବସିପଡ଼ି, ସାନପୁଅଟି ହଠାତ୍ ପଡ଼ିଗଲା । ମହାଜନ ଠିକ୍ ଏଇ ସୁଯୋଗରେ ତା’ ଉପରେ ଘୋଡ଼ଣୀଟିଏ ଢାଙ୍କି ଦେଇ ନିଶ୍ଚିନ୍ତରେ ରହିଲା ।

ସାତଦିନ ପରେ, ମହାଜନ ଘୋଡ଼ଣୀ ଫିଟେଇଲା । ଦେଖିଦେଲା ଯେ, ପିଲାଟା ନ ମରି ଦମ୍‌ଖମ୍‌ ହେଇ ଚଉକି ଉପରେ ବସିଛି । ସେ ମହାଜନକୁ ଦେଖି କହିଲା, “ମହାଜନ ! ତମେ ମତେ ନିର୍ଦ୍ଦୋଷରେ ଏପରି ମାରିବାକୁ ଚାହିଁଲେ ପାରିବ ନାହିଁ । ଏଠୁ ମୋତେ ଉପରକୁ ଉଠାଅ । ତା’ପରେ ମୋର ମରଣର କଥା କହିବି ।” ଏହା ଶୁଣି ମହାଜନ ସୁନା ଲୋଭରେ ସତରେ ଏ ମରିବ ବୋଲି ତାକୁ ତଳୁ ଉପରକୁ ଉଠାଇଲା । ଏହା ଶୁଣି ମହାଜନ ସୁନା ଲୋଭରେ ସତରେ ଏ ମରିବ ବୋଲି ତାକୁ ତଳୁ ଉପରକୁ ଉଠାଇଲା । ଏହାପରେ ସାନଭାଇ କହିଲା, “ମହାଜନ ଭାଇ ! ତୁମେ ଏବେ ଗୋଟିଏ କନ୍ୟା ଠିକ୍ କର । ମୁଁ ଯାଇ ତୁମର ପୁଅ ରୂପରେ ସମସ୍ତଙ୍କ ଆଗରେ ବେଦୀରେ ବିବାହ କରିବି । ତା’ପରେ ମଧୁଶଯ୍ୟାଦିନ ମୋତେ ନେଇ କୂଅ ଭିତରେ ପକାଇ ଦେବ ଓ ତୁମର ଛୋଟାପୁଅକୁ ମଧୁଶଯ୍ୟା ଘର ଭିତରକୁ ତା’ର ସ୍ୱାମୀ ଭାବରେ ପଠାଇବ । ତାହେଲେ ଯାଇ ତୁମର ଛୋଟା ଓ କଦାକାର ପୁଅକୁ କନ୍ୟାଟି, ମିଳିପାରିବ । ମୁଁ ତୁମର ଏତିକି ଉପକାର କଲାପରେ ହିଁ ଆପେ ଆପେ ମରିବି ।”

ପିଲାର କଥାରେ ପୁରାପୁରି ବିଶ୍ୱାସ ଯାଇ ମହାଜନ ସେହି ଦିନଠାରୁ ସାନ ରଜାପୁଅକୁ ନିଜର ପୁଅ ବୋଲି ଘୋଷଣା କରି, ହାଟ ବଜାରରେ ବୁଲାଇଲା । ନିଜର ପ୍ରକୃତ ଛୋଟା ପୁଅକୁ ଘର ଭିତରେ ଲୁଚେଇ ରଖିଥାଏ । କିଛିଦିନ ପରେ ସେ ବସ୍ତିର ଆଉ ଜଣେ ଧନୀ ଲୋକର ଝିଅ ସହିତ ସମ୍ୱନ୍ଧ କରି ନିଜ ପୁଅ ପାଇଁ ବୋହୂ ଆଣିବାର ଯୋଗାଡ଼ କଲା । ସୁନ୍ଦରୀ ବୋହୂଟିଏ ବାଛିଲା ବୋଲି ଲୋକେ ଖୁସି ହେଲେ ।

ଯଥାକାଳରେ ବିବାହ ସମାପନ ହେଲା । ନାନାରକମର ଯାନି-ଯୌତୁକ ଧରି ମହାଜନ ନିଜ ଘରକୁ ବାହୁଡ଼ିଲା । ସେଦିନ ପୁଅ ବୋହୂର ମଧୁଶଯ୍ୟା ହେବ । ସାନଭାଇ ଘରେ କନ୍ୟା ପହଞ୍ଚାଇ ଦେବା ପରେ ଆଗଭଳି କୂଅ ଭିତରେ ପଶିଲା । ମହାଜନ ଆଗପରି ଢାଙ୍କୁଣୀ ଦେଇ ଦୁଆର ବନ୍ଦ କରି ତାଲା ପକେଇଲା । ମଧୁଶଯ୍ୟାର ସମସ୍ତ ଆୟୋଜନ ପରେ ମହାଜନ ନିଜର ଛୋଟାପୁଅକୁ କନ୍ୟା ନିକଟକୁ ପଠେଇଲା । ଛୋଟା କବାଟ ଫିଟେଇ ନବବଧୂ ବସିଥିବା ପଲଙ୍କ ଉପରେ ଯେମିତି ବସିବାକୁ ଚେଷ୍ଟା କରିଚି, ବଧୂଟି ଦୂର ଦୂର ମାର୍ ମାର୍ କରି ତାକୁ ସେଠାରୁ ତଡ଼ି ଦେଲା ।

ଛୋଟାପୁଅ, “ମୋତେ ମାରି ପକେଇଲା ହୋ, ମୋତେ ମାରି ପକେଇଲା ହୋ” ବୋଲି ରଡ଼ି ପାରି ଘରୁ ପଦାକୁ ଆସିଲା । ତା’ର ବିକଳ ରଡ଼ି ଶୁଣି ପାଖ ପଡ଼ୋଶୀମାନେ ରୁଣ୍ଡ ହେଇଗଲେ । ମହାଜନ କହିଲା, “ଦେଖୁଚ ତ ଭାଇମାନେ ! ମୋର କିପରି କନ୍ଦର୍ପ ପରି ସୁନ୍ଦର ପୁଅକୁ ବିବାହ କରେଇଥିଲି, ଏ ଅଲକ୍ଷଣୀ ଆସି ତାକୁ ଲାତ ଗୋଇଠା ମାରିବାରୁ ତା’ର ଗୋଡ଼ ଛୋଟା ହେଇଯାଇଚି ।” ଗାଁ ଲୋକେ ଆଉ କ’ଣ କହିବେ ? ସତକଥା ସମସ୍ତେ ଜାଣି ଜାଣି ମଧ୍ୟ ମହାଜନ ଲୋକ ବୋଲି କେହି କିଛି ସାମନାରେ ନ କହି ଫେରିଲେ ।

ତହିଁଆରଦିନ ଏ ଘଟଣା ରାଜାଙ୍କୁ ଜଣେଇବାକୁ ଇଚ୍ଛା କରି ମହାଜନ ବୁଢ଼ା ଓ ବୁଢ଼ୀ ଛୋଟା ପୁଅଟିକୁ ସାଙ୍ଗରେ ଧରି ଶଗଡ଼ଗାଡ଼ିରେ ରାଜଦରବାରକୁ ବାହାରିଲେ । ରାଜାଙ୍କୁ ସବୁ କହିବା ପରେ ରାଜା ନିଜେ ଘଟଣାର ତଦନ୍ତ କରିବାକୁ ଚାହିଁଲେ ।

ୟା’ ଭିତରେ ବୋହୂଟି ଦେଖିଲା ଯେ, ଗୋଟିଏ ଘରେ ତାଲା ପଡ଼ିଚି ଓ ସେ ଘରଟି ନ ଫିଟେଇବାକୁ ମହାଜନ ବୁଢ଼ୀ ସମସ୍ତଙ୍କୁ ତାଗିଦା କରିଛି । କୌତୂହଳୀ ହୋଇ ନବବଧୂଟି ତାଲାଟିକୁ ଖୋଲି ଦେଖିଲା ଯେ, ସେଠାରେ ଗୋଟିଏ ୧୫ ହାତର ବିରାଟ କୂଅ ଅଛି ଓ ତାରି ପ୍ରକୃତ ବିବାହିତ ସ୍ୱାମୀ ବସିଛି ।

ବୋହୂଟି ତାଙ୍କୁ ପଚାରିଲା, ଏମିତି କିପରି ହେଲା ? ସାନରଜାପୁଅ ସବୁ କଥା ଗୋଟି ଗୋଟି କରି ତା’ ଆଗରେ କହିଲା । ରାଜା ତଦନ୍ତ କରିବାକୁ ଆସିଲେ, ନିଜେ କହିଥିବା ଅତୀତ ଘଟଣା ରାଜାଙ୍କୁ କହିଦେବା ପାଇଁ ନବବଧୂକୁ ଅନୁରୋଧ କଲା । ବଧୂଟି ତା’ ସ୍ୱାମୀ ରାଜକୁମାର ପାଇଁ ଉତ୍ତମ ଖାଦ୍ୟପେୟାଦି ପରିବେଷଣ କରି ମହାଜନ ପରିବାର ଫେରିବା ପୂର୍ବରୁ ପୂର୍ବପରି କବାଟ ବନ୍ଦ କରି ନିଜ କୋଠରୀରେ ରହିଲା ।

ରାଜା ସୈନ୍ୟ ସାମନ୍ତାଦି ଧରି ମହାଜନ ଘରକୁ ପ୍ରବେଶ କଲେ । ମହାଜନ ବଧୂ ନିକଟରେ ରାଜାଙ୍କୁ ଉପସ୍ଥିତ କରାଇବାରୁ, ବଧୂ ସବୁକଥା ସତ୍ୟ ସତ୍ୟ ପ୍ରକାଶ କଲା । କୂଅ ମଧ୍ୟରେ ସାନରଜାପୁଅ କହିଥିବା ତା’ର ବଡ଼ଭାଇ ଏ ଦେଶରେ ରାଜା ହେଇଚି ବୋଲି । ତେଣୁ ବଧୂକୁ ଏପରି ସୂଚନା ଦେବାକୁ ନିର୍ଦ୍ଦେଶ କରିଥିଲା ।

ରାଜା ବଧୂଟିର ସମସ୍ତ କଥା ଶୁଣିବା ପରେ ସେ କିପରି ଏ କଥା ଜାଣିଲା ବୋଲି କୌତୂହଳୀ ହେଇ ପ୍ରଶ୍ନ କଲେ । ବଧୂ ଜଣକ କହିଲା, “ଏ ମହାଜନ ଘର ଭିତରେ କୂଅଟିଏ କରି ସୁନା ଲୋଭରେ ଜଣେ ରାଜକୁମାରକୁ ମାରିଦେବାର ଯୋଜନା କରିଛି । ସେ ହିଁ ମୋତେ ପ୍ରକୃତରେ ବିବାହ କରିଥିଲେ । ସେ ମୋର ସ୍ୱାମୀ ।” ତା’ପରେ ସ୍ଥାନଟି ରାଜାଙ୍କୁ ନେଇ ଦେଖାଇଦେବାରୁ, ରାଜା ଦେଖିଲେ ଯେ, ସେ ଆଉ କେହି ନୁହେଁ, ନିଜର ସାନଭାଇ । ସେଠାରୁ ତାଙ୍କୁ ଉଦ୍ଧାର କରି ସସମ୍ମାନ ରାଜଉଆସକୁ ନେଇ ନିଜର ମନ୍ତ୍ରୀ ପଦରେ ରଖିଲେ ଓ ଏ ଅପରାଧୀ ମହାଜନକୁ କଠୋର ଶାସ୍ତି ବିଧାନ କରି ରାଜ୍ୟାନ୍ତର କରିଦେଲେ ।

ଲୋକପ୍ରିୟ ଲେଖା

To Top