ଲୋକକଥା

ହାମ୍-ରାୟ-ଘୋଡ଼ା

Mahendra Kumar Mishra's Odia Lokakathaa HAM-RAY-GHODA

ଏ କ’ଣ ସାଧାରଣ ଘୋଡ଼ାଙ୍କ ପରି ବୋତି, କୋଳଥ, କୁଳୁଚି, ଘାସ ଖାଇବ । ଏ ଖାଇବ ଅଟା, ଘିଅ, ଦୁଧ, ନବାତ, ପନିପରିବା ।

ହାମ୍-ରାୟ-ଘୋଡ଼ା

ଗରିବ ବ୍ରାହ୍ମଣ ଜଣେ ଥାଏ ଯେ ତା’ର ତିନି ଓଳିରେ ଓଳିଏ ଚୂଲି ଜଳେ ନାହିଁ । ବ୍ରାହ୍ମଣୀ ଦିନେ କହିଲା- “ମୁଁ ଆଉ କେତେଦିନ ଅଲଗା ତୋରାଣି ତେଣ୍ଡିବି । ଦିହରେ ତ ସୁନାର କି ରୂପାର ଖଣ୍ଡିଏ ହେଲେ ଅଳଙ୍କାର ନାହିଁ । ଘରେ ବସିଲେ କ’ଣ ହବ ? ତୁମେ ଯାଅ, କିଛି ଉପାୟ କରି ଆଣି ।”

ବ୍ରାହ୍ମଣ କହିଲା- “ଆଲୋ, ମୁଁ ତ ମୂର୍ଖ । କୋଉ ଗୁଣକୁ ରଜା ମୋତେ ଟଙ୍କା ସୁନା ଦେବେ । ହଉ, ତୁ ଯଦି କହୁଚୁ, ଦେଖେ ।”

ବ୍ରାହ୍ମଣ ରାଜାଙ୍କ ଛାମୁରେ ପହଞ୍ଚିଲା । ରାଜା ସେତେବେଳକୁ ଘୋଡ଼ାଶାଳରେ ଧଳା, କଳା, କଶରା, ଛଇଲା ଘୋଡ଼ା ଗୋଟି ଗୋଟି କରି ଦେଖୁଛନ୍ତି । ପକ୍ଷୀରାଜକୁ ଘାସ ଦଉଛନ୍ତି, ତଟୁ ଘୋଡ଼ାର ପିଠି ଆଉଁସୁଛନ୍ତି । ରଥ ଭିଡୁଥିବା ଘୋଡ଼ା, ଯୁଦ୍ଧଘୋଡ଼ା ଗୋଟିଏ ଗୋଟିଏ ତନଖି ଦେଖୁଛନ୍ତି । ଏତିକିବେଳେ ବ୍ରାହ୍ମଣ ପହଞ୍ଚି ଯାଇ କହିଲା- “ଏ ପୂର୍ବ ଜନ୍ମରେ ମଣିଷ ଥିଲା, ପଣ୍ଡିତ ଥିଲା । ଭାଗ୍ୟ ଦୋଷରୁ ଘୋଡ଼ା ହୋଇ ଜନ୍ମ ହେଲା । ଏ ଗୀତ ଗୋବିନ୍ଦ ଶିଖିପାରିବ ।”

ରାଜା ପଚାରିଲେ- “କ’ଣ କହିଲ ପଣ୍ଡିତେ, ଘୋଡ଼ାଟା ଗୀତଗୋବିନ୍ଦ ବୋଲିବ ?”

ବ୍ରାହ୍ମଣ କହିଲା- “ଚାରି ମାସରେ ଏ ଘୋଡ଼ାକୁ ଚାରି ଅଧ୍ୟାୟ ଗୀତଗୋବିନ୍ଦ ଶିଖାଇ ଦେବି । ଏ କ’ଣ ସାଧାରଣ ଘୋଡ଼ାଙ୍କ ପରି ବୋତି, କୋଳଥ, କୁଳୁଚି, ଘାସ ଖାଇବ । ଏ ଖାଇବ ଅଟା, ଘିଅ, ଦୁଧ, ନବାତ, ପନିପରିବା ।”

ରାଜା ଭାବିଲେ ଚାରିଆଡୁ ବନ୍ଧୁରାଜାମାନଙ୍କୁ ଡକାଇବେ, ସମସ୍ତଙ୍କ ସାମ୍ନାରେ ଘୋଡ଼ା ଗୀତଗୋବିନ୍ଦ ଗାଇବ । କି ମଜା !

ରାଜା ସଇସ ହାତରେ ପଣ୍ଡିତଙ୍କ ପାଖକୁ କଇଁଫୁଲ ପରି ସଫା ଘୋଡ଼ାଟିକୁ ପଠାଇଦେଲେ । ଗାଡ଼ି ଗାଡ଼ି ହୋଇ ଅଟା, ଘିଅ ବୁହା ହେଲା । ପଣ୍ଡିତ ପଣ୍ଡିତିଆଣୀ ଖାଇ ପିଇ ଏଉଡ଼ି ମାଇଲେ ।

ଘୋଡ଼ା ଭାଗରେ ସେସବୁ କିଛି ପଡ଼ିଲା ନାହିଁ । ତା’ ଲାଗି ଖଞ୍ଜା ହେଲା ଦୁଇ ପଇସାର ଘାସ ମାତ୍ର । ରାଜାଘରେ କେତେ ଖିଆପିଆ, କେତେ ମୋଡ଼ାଘଷା, କେତେ ହେପାଜତ । ଯାହା ଦିହରୁ ମାଛି ଖସି ପଡୁଥିଲା, ସେ ଘୋଡ଼ାଟି ଏବେ ଖାଇବା ବିନା ଶୁଖିଶାଖି କଙ୍କାଳ ହୋଇଗଲା । ପଶୁ ଜନ୍ତୁ, କ’ଣ ପାଟି ଫିଟୁଚି ? ନଇଲେ ସେ ତ ପାଟି କରି ଦୁଃଖ ଗୁହାରି ଜଣାଇ ଦେଇଥାନ୍ତା । ଏବେ ବୋବେଇବାକୁ ବି ତା’ ଦିହରେ ବଳ ରହିଲାନାହିଁ ।

ଦିନ କେତୁଟାରେ ଘୋଡ଼ାର ଏ ରୂପ ଦେଖି ସ୍ତ୍ରୀର ହାଲୁକ ଶୁଖିଲା । କଥାଟା ଯଦି ରଜାଙ୍କ କାନକୁ ଯିବ, ଆଉ ତିନିପୁରରେ ବାସ ମିଳିବ ।

ବ୍ରାହ୍ମଣ ଯାଇ ମଝିରେ ମଝିରେ ରଜାଙ୍କୁ ଜଣାଉଥାଏ- ଗୋଟାଏ ଅଧ୍ୟା ମୁଖସ୍ଥ ହେଇଗଲାଣି ଛାମୁ । ତେବେ ଉଚ୍ଚାରଣଟା ଭଲ ହେଉନାହିଁ । ଠିକ୍ ଚାରିମାସ ପୁରିଲେ ମୁଁ ଘୋଡ଼ାକୁ ଆଣି ଛାମୁରେ ଗୀତଗୋବିନ୍ଦ ବୋଲାଇବି ।

ସ୍ତ୍ରୀ ମନରେ ଘୋର ଆତଙ୍କ । ଦିନେ କହିଲା- “ହଇଏ, ଏ କ’ଣ କରୁଚ ?”

ବ୍ରାହ୍ମଣ କହିଲା- “କ’ଣ ଆଉ କରୁଚି ? ଗୀତଗୋବିନ୍ଦ ଶିଖାଉଚି ପରା ।”

ଚାରିମାସ ଭିତରେ ମୁଁ ଯଦି ମରେ, ରାଜା ମୋର କ’ଣ କରିପାରିବେ ? ରାଜା ଯଦି ନିଜେ ମରନ୍ତି, ମତେ ଦଣ୍ଡ ଦେବ କିଏ ? ଆଉ ଘୋଡ଼ା ଯଦି ମରେ, ମତେ କହିବାକୁ ସୁବିଧା ମିଳିଯିବ- ଅଃ, କେଡ଼େ କଷ୍ଟରେ ଦୁଇ ଅଧ୍ୟାୟ ଗୀତଗୋବିନ୍ଦ ଶିଖାଇଥିଲି । ସବୁ ଅକାରଣ ହୋଇଗଲା । ଗୀତଗୋବିନ୍ଦ ଶୁଣିଲା ପରେ ରାଜା ମୋତେ ନିଶ୍ଚେ ଲକ୍ଷେ ଟଙ୍କା ପୁରସ୍କାର ଦେଇଥାନ୍ତେ । ମୋ ଭାଗ୍ୟ ତ ଖରାପ । ଟଙ୍କା ମିଳିବ କାହୁଁ । ସେପରି ଲକ୍ଷଣବନ୍ତ ଘୋଡ଼ା ବି କାହୁଁ ମିଳିବ, ଯେ ମଣିଷଙ୍କ ପରି କଥା କହିବ, ଗୀତ, ଶ୍ଳୋକ ବୋଲିପାରିବ । ଭାଗ୍ୟକୁ ଗୋଟିଏ କେମିତି ମିଳିଥିଲା, ସେ ମରିଗଲା ।

ମୋ କଥାଟି ସରିଲା ।

ଲୋକପ୍ରିୟ ଲେଖା

To Top