ଲୋକକଥା

କୋପେ ବର କି ତପେ ବର

Mahendra Kumar Mishra's Odia Lokakathaa KOPE BARA KI TAPE BARA

ମୁଁ ଦାଣ୍ଡକୁ ବାହାରିଲେ ଗର୍ଭିଣୀ ଗାଈ ବାଟ ଛାଡ଼ି ଦେଉଥିଲା, ଆଜି ମୋ ବାର ବରଷ ତପସ୍ୟା ଶୁଖୁଆ ପୋଡ଼ାରେ ଶେଷ । ମୁଁ ଆଜି ଛାର ବ୍ରାହ୍ମଣଟୋକାକୁ ତ ପାରିଲି ନାହିଁ, ଏଣିକି ଆଉ କ’ଣ ମହତ ସାରିବାକୁ ରଜା ହେବି ?

କୋପେ ବର କି ତପେ ବର

ଏକ ଗାଁରେ ଏକ ମହାଦେବ ଥାଆନ୍ତି । ସେ ଗାଁରେ ଗୋଟିଏ ବ୍ରାହ୍ମଣ ଆଉ ଗୋଟିଏ କେଉଟ ଥିଲେ । ସେ ଦିହେଁଯାକ ଆଣ୍ଠୁକୁଡ଼ା, ଆସି ବୁଢ଼ା ହେଲେ, ଗଛରେ ଫଳ ଫଳିଲା ନାହିଁ । ଦିହେଁ ଯାକ ମହାଦେବଙ୍କ ପାଖରେ ଅନୁସରଣ କରିଥାନ୍ତି, ଦିନାକେତେ ଅଧ୍ୟା ପଡ଼ିଲେ, ତାଙ୍କୁ ଆଉ କିଛି ଆଜ୍ଞା ହେଉ ନ ଥାଏ । ବ୍ରାହ୍ମଣ ନିତି କ’ଣ କରେ ନା- ଫୁଲ, ବେଲପତ୍ରୀ, ଗଇଛି, ଉଆଚାଉଳ ମହାଦେବଙ୍କ ମୁଣ୍ଡରେ ଚଢ଼ାଏ । ନିତି ଗୋମୁଖୀରେ ଅଭିଷେକ କରେ । ମହାଦେବ ତା’ କଥା ଶୁଣୁ ନଥାନ୍ତି ।

ଦିନେ କେଉଟ ଯାଇଥିଲା ମାଛ ମାରି, ମାଛ ଟୋକେଇକି ଝାମ୍ପି ଉପରେ ମୁଣ୍ଡେଇ ଥାଏ । ମଦପିଇ ଆଖି ରଙ୍ଗ ଟହଟହ କରିଥାଏ । ଟଳମଳ ହୋଇ ଘରକୁ ଆସୁଥାଏ । ବାଟରେ ପଡ଼ିଗଲା ମହାଦେବଙ୍କ ଦେଉଳ । ଏ ତ ମଦ ଖାଇ ଚୁର । ମନେ ପଡ଼ିଗଲା ଅଧ୍ୟା ପଡ଼ିବା କଥା । ସେଇଥିରୁ ଦେଉଳ ଦୁଆରେ ଠିଆ ହେଲା । କିଳିକିଳା ପାଟି କରି ଉଠିଲା, “ମହାପ୍ରଭୁ, ଏତେ ଅନୁସରଣ କଲି ନ ଶୁଣିଲ, ହଉ ଏବେ ପଚାରୁଛି, ମତେ ପୁଅ ଦବ ନା ଏ ଟୋକେଇକ ବାଳିଆମାଛ ତୁମ ମୁଣ୍ଡରେ କୁଢ଼େଇବି ।” ୟା’ କହି ବେଢ଼ା ଭିତରକୁ ପଶିଗଲା ବେଳକୁ ମହାଦେବ ବିଚାରିଲେ, “କିରେ କଥା ତ ସଇଲା । ଏ ତ ମଦ ନିଶାରେ ଟଳମଳ ହେଉଛି, ୟାକୁ କ’ଣ ବୁଝେଇଲେ, ଏ ମାନିବ ? ଏଇ ଲାଗେ ତ ଆସି ମାଛ ଟୋକେଇକ ମୋ ମୁଣ୍ଡରେ ଭୁସ୍ କରି ଅଜାଡ଼ି ଦବ, ସବୁ ତ ମାରା କରିବ ।”

ୟା’ ବିଚାରି ଭିତରୁ ପାଟି କରି ଉଠିଲେ, “ଆରେ ଯା’ ଯା’ ତୋର ସାତ ପୁଅ ହେବେ ।”

କେଉଟ କହିଲା, “ଭଲ, କିଛି ହଉ ।” ୟା’ କହି ଘରେ ଆସି ପହଞ୍ଚିଲା । କେଉଟୁଣୀକି କହିଲା, “ଆଲୋ, ଆଉ କିଆଁ ବିମୁଖ ହେଉଛୁ । ଆମର ସାତ ପୁଅ ହେବେ ।”

ଏ ବ୍ରାହ୍ମଣ ନିତି ଯେମିତି ଆସେ, ସିମିତି ଆସି ତହିଁଆରଦିନ ଅଭିଷେକ କଲାବେଳକୁ ମହାଦେବ ସେ କପିଳାସ କନ୍ଦରରେ ଢୋଳଉଥାନ୍ତି । ପାର୍ବତୀ କହିଲେ, “ହଇହେ, ତୁମେ ଗୋଟିଏ ଅଲକ୍ଷଣାଟିଏ । ସବୁ ଅବୁଝାମଣା କଥା ତୁମରିଠେଇଁ । ଏ ବ୍ରାହ୍ମଣ ନିତି ଆସି ଏତେ ଅନୁସରଣ କରୁଛି, ତୁମେ ବସି ଢୋଳଉଛ । କାଲି କେଉଟ ଆସି ମାଛ ଟୋକେଇକ ଅଜାଡ଼ିଲା ବୋଲି ଡରିହରି ତାକୁ ସାତ ପୁଅ ଦେଲ । ଆଜିକାଲି ପରା ଯୁଗ ହେଲାଣି ଓଲଟା । ଏ ବ୍ରାହ୍ମଣ କଥା ଶୁଣିବାକୁ କିଛି ମନ ହଉ ନାହିଁ ।” ମହାଦେବ ପାର୍ବତୀଙ୍କ ଆଡ଼କୁ ତରାଟି କରି ଚାହିଁଲେ । କହିଲେ, “ଆଜିକାଲି ପରା ମାଇପିଙ୍କ କାଳ ହେଲାଣି । ମାଇପେ ଭାରି ଉଲୁକପାତ କଲେଣି । ଆଲୋ, ତୁମର ତ ଅବୁଝାମଣା କଥା । ଯାହା ରାହା ଧରିବ ସେଇଆ । ବ୍ରାହ୍ମଣକୁ ବର ଦେଲି ନାହିଁ ବୋଲି ତ ଫଁ ଫଁ ହଉଛ, ଭଲା ବୁଝନ୍ତ, କାହିଁକି ନ ଦେଲି ? ବୁଝିବ ନାହିଁ, ସମଜିବ ନାହିଁ, ଖାଲି ହାଡ଼ଚିଡ଼ା କଥାଗୁଡ଼ାକ କହୁଥିବ ।” ଏଥିକି ଏବେ କିଏ ପାରେ ? ପାର୍ବତୀ କହିଲେ, “ହଗିଲା ବେଳକୁ ଲାଜ ନାହିଁ, କହିଲା ବେଳକୁ ଲାଜ ଭଳିଆ ନ୍ୟାୟ ହେଲା । ତୁମ ଅବୁଝାମଣା ବିଚାର କଲାବେଳକୁ ହାଡ଼ ଚିଡ଼ିଲା ନାହିଁ, କଥା ପଦକେ ଋଷିଙ୍କ ବାଳ ଛିଡ଼ି ଯାଉଛି । ବ୍ରାହ୍ମଣକୁ କାହିଁକି ଏତେ ସରିକି ଡହଡହ ବାଲିରେ ସନ୍ତୁଳୁଛ କହିଲ ଭଲା ?”

ମହାଦେବ କହିଲେ, “ଆଲୋ, କେଉଟକୁ ସାତ ପୁଅ ଦେଲି ଯେ, କିଏ ମାଛ ମାରିଯିବ, କିଏ ଚୋରି କରିବ, କିଏ ବାଡ଼ି ଯୋଗିନୀରେ ଯିବ, କିଏ ଚିରା ଦରବା ପିନ୍ଧି ଭିକ ମାଗିବ । ତା’ ତପସ୍ୟାକୁ ଚାହିଁ ତ ତା’ ପୁଅ ହେବେ । ବ୍ରାହ୍ମଣ କଥା ଯେ କହୁଛ, ବ୍ରାହ୍ମଣକୁ ତ ଇମିତି ସିମିତି ପୁଅ ଦେଲେ ଚଳିବ ନାହିଁ । ବ୍ରାହ୍ମଣ ତପସ୍ୟାକୁ ଚାହିଁ ପୁଅ ହେଲେ ସିନା ତାକୁ ପୁଅଟିଏ ଦେବି । ତା’ କପାଳରେ ଯେଉଁ ପୁଅ ଲେଖା ଅଛି, ସେ ପୁଅଟି ଅଳ୍ପାୟୁଷ ହେବ । ତା’ର ଜମା ବାର ବରଷ ଆୟୁଷ । ମୁଁ ଏବେ ତାକୁ ଇମିତି ତଣ୍ଟିକଟା ପୁଅ ଦଉଛି କିମିତି ? ସେଥିପାଇଁ କି ମୁଁ ଦୋ’ ସନ୍ଧିରେ ପଡ଼ି ଦହଗଞ୍ଜ ହଉଛି । ନଇଲେ ମୁହଁରେ କହିବାକୁ କ’ଣ ମୋ ପାଟି ଛିଡ଼ି ଯାଉଥିଲା କି?”

ପାର୍ବତୀ କହିଲେ, “ଆମର କ’ଣ ଗଲା, ତାକୁ ପୁଅଟିଏ ଦିଅ, ତେଣିକି ତା’ କଥା ସେ ଜାଣେ । ଆମେ ତ ଏତେ କଥାକୁ ଲଗା ନୋହୁ । ସେଣେ ଯେ ବ୍ରାହ୍ମଣୀ ନିତି ତୁମକୁ କେତେ କାଟୁଛି ସମ୍ପୁଛି, ତୁମେ ମିଣିପେ, ମାଇପିଙ୍କ କଥା କାହୁଁ ଜାଣିବ । ତୁମେ ଆଖି ବୁଜି ବସିଥିବ, ଏଣେ ଆମେ ସବୁ କଟା ସମ୍ପା ଶୁଣୁଥିବୁ ।”

ମହାଦେବ କହିଲେ, “ହଉ ।”

ସକାଳୁ ବ୍ରାହ୍ମଣ ପାତ୍ରୀ ଘିନି ଗମ୍ଭୀରାରେ ଗୋଡ଼ ଦେଲାବେଳକୁ ତାକୁ ଶୂନ୍ୟ ଶବଦହେଲା, “ଯା’ ତୋର ବର ମିଳିଲାଣି, ତୋର ପୁଅଟିଏ ହବ । ଏକା ହେଲେ କ’ଣ ହବ, ପରମାୟୁ ବାର ବରଷ । ବାର ବରଷ ପୁରିଲା ବାସିଦିନ ତାକୁ ଆଉ କେହି ଅଟକେଇ ରଖିପାରିବେ ନାହିଁ । ଏଥରକ ତୁ ଜାଣୁ, ତୋ ପୁଅ ଜାଣେ ।”

ବ୍ରାହ୍ମଣ କହିଲା, “ସେ ତ ଭଲା ପଛକଥା, ମୁଁ ଏଡ଼େ ଅମର୍ଛୁକ ହଉଛି, ଆଗକରି ପୁଅ ମୁହଁ ଦେଖେତ ।” ଏହା କହି ବ୍ରାହ୍ମଣ ଗଲା ତା’ ଘରକୁ । ଯାଇ ଘରଣୀକି କହିଲା । ଘରଣୀ ଏବେ ପୁଅ ହବ ବୋଲି ବାର ବରଷ ହେଲା ମାଘ ମାସ ସୋମବାର, ରବିନାରାୟଣ ବ୍ରତ କରୁଥାଏ । ତା’ ବ୍ରତ ଆସି ପୂର୍ଣ୍ଣ ହେଲାରୁ ତା’ର ମାସ ଗଡ଼ିଲା । ମାସ କେତେ ଗଲାରୁ ପୋଖତୀ ହେଲା, ପୁଅଟିଏ ଜନମ କଲା ।

ବ୍ରାହ୍ମଣ ଏକୋଇଶାକୁ ମଗାଯଚା କରି ପୋଥିପୂଜାଟି କଲା । ପୁଅକୁ ହଳଦି ତେଲ ଦେଇ ଭାରି ଗେଲବସରରେ ବଢ଼େଇଲା । ପୁଅ ଅଲିଅଳ ହୋଇ ବଢ଼ିଲା । ଚାହାଳିରେ ବାପ ନେଇ ଛାଡ଼ିଲା । ଚାରି ଦିନେ ଚାରି ପାଠ ହାସଲ କଲା । ସାତ ବରଷ ପୁରିଲାରୁ ପୁଅ ବେକରେ ପଇତା ଖିଏ ପକେଇଲା । ବ୍ରାହ୍ମଣିଆ ପାଠଶାଠ, କର୍ମକର୍ମାଣି, ଜପତପ ସବୁ ଟୋକା ସାତ ମଙ୍ଗଳା ଭିତରେ ପାଣି ପରି ମାଡ଼ିଗଲା । ଯେ ଦେଖୁଥାଏ ସେ ଏ ଟୋକାର ବୁଦ୍ଧି ଦେଖି ଜିଭ କାମୁଡ଼ି ପକଉଥାଏ । ପୁଅର ମହାଦେବଙ୍କ ଠେଇଁ ଭାରି ଭକତି । ଦଶ ବରଷ ହେଲାରୁ ପୁଅକୁ ବିଭା କରେଇବ ବୋଲି ବ୍ରାହ୍ମଣ କନ୍ୟା ଖୋଜେଇଲା । କେତେ ଜାତକ ଟିପଣା ପକେଇଲା, ତା’ ଭିତରୁ ଖଣ୍ଡିଏ ଟିପଣାରେ ରାଜଯୋଟକ ପଡ଼ିଲାରୁ ସେ ପାତ୍ରୀଟି ପାଇଁ ମହାପ୍ରସାଦ ନିର୍ବନ୍ଧ ହେଲା । ଦୁଇ ସମୁଦିଯାକ ମାଳି ଟେକାଟେକି ହେଲେ ।

ସେ କନ୍ୟାଟି ବାପାମାଆଙ୍କର ଗୋଟିଏ ପିଲା । ତା’ ମା’ ନିତି ରାତି ଅନ୍ଧାରୁଆରୁ ଉଠି ବାସି ଆଡ଼ତି କରି ବସେ । ଏଣେ ଝିଅଟି କ’ଣ କରେନା ମାଟି ଗୋବରକନାରେ ତୁଳସୀ ଚଉରା ପିଣ୍ଡିଟି ତାତ୍ପର୍ଯ୍ୟ କରି ଲିପାପୋଛା କରିଦିଏ । ଚଉରା ଚାରିପାଖଯାକ ନିର୍ମଳ କରି ଛାଞ୍ଚୁଣିରେ ଓଳେଇ ଦିଏ, ଗୋବରପାଣି ମୁନ୍ଦିଏ ଛିଞ୍ଚିଦିଏ । ବୃନ୍ଦାବତୀ ରାତି ଜାଙ୍ଗୁଲୁ ଜାଙ୍ଗୁଲୁ ହେଲା ବେଳକୁ ରାଇଜ ବୁଲି ବାହାରନ୍ତି ଯେ, ୟା’ ଚଉରାଟି ଲିପାପୋଛା ହୋଇ ଭାରି ଯତନ ଦିଶୁଥାଏ । ସେଠେଇଁ ଦଣ୍ଡେ ବିଜେ ହୁଅନ୍ତି । ଗଲାବେଳକୁ ବର ଦେଇଯା’ନ୍ତି ଯେ, “ଏ ତୁଳସୀ ଚଉରା ମୂଳ ଯେ ଓଳେଇଛି ସେ ଅଇସୁଲକ୍ଷଣୀ ହୋଇଥାଉ ।” ୟା’ କହି ଉଠିଯାନ୍ତି । ଯୋଗ ତ, ସେଇ ବ୍ରାହ୍ମଣ ପୁଅଟି ଏ କନ୍ୟାଟିକୁ ବିଭା ହେଲା ।

ଚାହୁଁ ଚାହୁଁ ଆସି ବାର ବରଷ ପୁରିବାକୁ ଆଉ ପାଞ୍ଚ ସାତ ଦିନ ଅଛି, ବାପ ମା’ ମୁହଁ ଶୁଖେଇ ଦେଇ ଶକଉଥାନ୍ତି । ପୁଅ ଯେତେ ଖୋଳେଇ ପଚାରେ, ଏ କିଛି କହନ୍ତି ନାହିଁ, ବାଆଁରେଇ ଦିଅନ୍ତି । ଆଉ ଦି’ଦିନ ଅଛି, ବାପା ମା’ ଭାରି କଇଁକଇଁ ହୋଇ କାନ୍ଦିଲେ । ଏ ଟୋକା ପଛକୁ କହିଲା, “ତୁମେ କିଆଁ କାନ୍ଦୁଛ, ମରମ ମତେ କହୁ ନାହିଁ, ମୁଁ ଜୀବନ ହରେଇ ଦେବି ।” ମା’ ବାପା କହିଲେ “ଗଣ୍ଡିମୁଣ୍ଡ ଶୁଣିବୁ । କାଲି ଛାଡ଼ି ପଅରଦିନ ତ ଆମକୁ ଅଥଳ ସମୁଦ୍ରରେ ଭସେଇ ଦେଇଯିବୁ ।” ୟା କହି ବାହୁନେଇ କାନ୍ଦି କାନ୍ଦି ଲୋତରା କୋତରା ହୋଇଗଲେ । ଏ ଟୋକା କହିଲା- “ଏଇ କଥା ତ, ଯାହା ତ ହବାର ହବ, ମୁଁ ଏକ ସୂତ୍ରର ବତେଇ ଦଉଛି କର । ଦିନେ ତ ହେଲେ ମରିବି, ଜାଣିପାରିଲି, ମହାପ୍ରଭୁଙ୍କ ଚକଡ଼ାରେ ପ୍ରାଣ ଛାଡ଼ିବି । କାଲି ସକାଳୁ ଗାଧୋଇ ପାଧୋଇ ଯିବି ମହାଦେବଙ୍କ ଦେଉଳକୁ । ସେଠେଇଁ ମୋ ଆୟୁଷ ଟପି ଯିବାଯାଏ ଏକା ଧ୍ୟାନକେ ମହାଦେବଙ୍କ ଅଭିଷେକ କରୁଥିବି । ତେଣିକି ମୋ କପାଳ । ତୁମେ ଏକା ସେଠେଇଁ ନେଇ ଟୋକେଇକି ଟୋକେଇ ଫୁଲ ବେଲପତ୍ରୀ, ମାଠିଆକୁ ମାଠିଆ ପାଣି ମୋ ପାଖରେ ପହଞ୍ଚାଉଥିବ ।”

ତହିଁ ଆରଦିନ ସକାଳୁ ଉଠି ଟୋକା ସ୍ନାହାନ ପ୍ରକାର କଲା । ଆସନଟିଏ ଧରି ଲମ୍ୱେ ଲମ୍ୱେ ଦେଉଳକୁ ମୁହିଁଲା । ଯାଇ ପଶିଲା ଦିଅଁଙ୍କ ଗମ୍ଭୀରା ଭିତରେ । ବସି ଅଭିଷେକ କରୁଥାଏ । ଏଣେ ଦିନେ ଗଲା, ଦି’ଦିନ ଗଲା ଏ ଟୋକା ଆଉ ତା’ ଭିତରୁ ପଦାକୁ ବାହାରୁ ନ ଥାଏ ।

ସିଆଡେ଼ ଚିତ୍ରଗୁପ୍ତ ପାଞ୍ଜି ଫିଟେଇଲା ବେଳକୁ ବ୍ରାହ୍ମଣ ଟୋକାର ବାର ବରଷ ପୂରି ଗଲାଣି । ଯମରଜା ପଠେଇଲେ ଦୂତଙ୍କୁ-ଯାଆ ଆଣ ସେ ବ୍ରାହ୍ମଣ ପିଲାକୁ । ଯମଦୂତ ଡେଙ୍ଗା ଡେଙ୍ଗା ଅର୍ଘାତିଆଟାମାନ ପୁଞ୍ଜାଏ କି ପାଞ୍ଚଟା ଛନ୍ଦ ଦଉଡ଼ି ଘିନି ବାହାରିଲେ । ବ୍ରାହ୍ମଣ ଘରେ ଦେଖିଲା ବେଳକୁ ସେ ଟୋକାର ଅନ୍ତ ମିଳିବାକୁ ନାହିଁ । ଖୋଜୁ ଖୋଜୁ ସୁରାକରେ ବୁଝିଲେ ଯେ ଟୋକା ପଶିଛି ଦେଉଳ ଭିତରେ । କତରା ଘୋଡେ଼ଇ ହେଲେ କି ଯମ ଛାଡ଼ିବ ଭଲେ ! ଯମଦୂତଯାକ ବିଚାରିଲେ, “ଚାଲ ଦେଉଳ ଦୂଆରେ ଜଗିଥିବା, ଦେଖିବା ସେ ଟୋକା କେତେ ପେଖନା ଖେଳିବ । ଦେଉଳରୁ ବାହାରିଲା ବେଳକୁ ପଛବୁହା କରି ତାକୁ ବାନ୍ଧି ବାହାଦଣ୍ଡା ଧରି ଘୋଷାରି ନେଇଯିବା ।” ୟା’ କହି ଦେଉଳ ବାହାରେ ଜଗିଥାନ୍ତି । ମହାଦେବ ଚକଡ଼ାରେ ତ ଯମର ଅଧିକାର ନାହିଁ । ଯମଦୂତ ଭାରି ଅକଳରେ ପଡ଼ିଲେ, ଟୋକା ନିହମାଏ ପଦାକୁ ବାହାରି ପଡ଼ିଲେ ସିନା ଏ ଘଡ଼ିଘଡ଼ିଆ କରି ଓଟାରି ନିଅନ୍ତେ । ସେ ତ ପଶିଛି ଗମ୍ଭୀରା ଭିତରେ । ଯମଦୂତ ପାଇକଛା ମାରି ପଦାରେ ବୁଲିଲେ ।

ବାୟାର କି ଯାଏ,
ବାଆ କଲେ ବସା ଦୋହଲୁଥାଏ ।

ଯମଦୂତ ଯାଇ ପଛକୁ ଯମ ଆଗରେ ଗୁହାରି କଲେ, “ମଣିମା ! ଛାର ଟୋକା ବକଟେ ଆମକୁ ସାତ ତୁଠରେ ପାଣି ପେଇ ଛାଡ଼ିଲାଣି । ମଣିମା, ଇମିତି ଇମିତି ସମାଚାର ।” ଯମ ପଛକୁ ଆପେ ମଇଁଷି ପରେ ପଲାଣ ପକେଇ ଚଢ଼ି ବାହାରିଲେ । ଯାଇ ପହଞ୍ଚିଲେ ଦେଉଳ ପାଖରେ । ଟୋକା ତ ଲାଗିଛି ଧ୍ୟାନରେ । ଏ ପଦାରେ ରଡ଼ି ପକାଉଥାନ୍ତି । ସେ ଟୋକା କହେ “ରହେ ହୋ ! ମୋ ଅଭିଷେକ କ’ଣ ଅଧ୍ୟାପନ୍ତରିଆ କରି ଛାଡ଼ିଯିବି । ତୁମର ଯେବେ ଏତେ କରାମତ ଅଛି, ତେବେ ମତେ ଉଠେଇ ନଉ ନାହଁ । ମୁଁ ଜାଣୁ ଜାଣୁ ଅଧା କରିଗଲେ ମୋର ଗୋହତ୍ୟା ବ୍ରହ୍ମହତ୍ୟା ପାପରେ ଭାଗୀ ହବ କିଏ ?” ଯମ କହିଲା, “ଟୋକାଟାଏ, ଗାଲ ଚିପି ଦେଲେ ଜନମ ଦୁଧ ବାହାରି ପଡ଼ିବ, ତୋର ଫେରେ ଏଡ଼େ ଗରବ । ଆମେ ଏତେ ସକସ ଫାଟିଫୁଟି ଗଲେଣି, ତୁ ଟିକିଏ ଚଙ୍କିବାକୁ ନାହୁଁ । ତୁ ତ ଦେଉଳରେ ପଶିଛୁ, ତୋ ବଖତେଇ ବଳିଆର ଦଣ୍ଡକେ ସବୁ ରସ ନିକିଲି ଯିବ ଯେ ।” ଯମ ବହେ ରବେଇ ଖବେଇ ହୋଇ ଗଲେ ବାହାରି ।

ଏଣେ ମହାଦେବ ଯାଇଥିଲେ ବୁଲି । ସିଆଡୁ ଆସି ପହଞ୍ଚିଲା ବେଳକୁ ଲାଗିଛି ତ ନୃତ୍ୟ । ଏସବୁ କଥା ଦେଖି ମୁହଁଟା ଭୁରୁକୁଣ୍ଡା କରି ଘରକୁ ଗଲେ, ପାର୍ବତୀଙ୍କି କହିଲେ, “ମାନୁ ନ ଥିଲ ପରା ।”

ବିରି ଅଟକାଳି ଖୋଇଛି ଯେ, ରାତିରେ ହଗେଇ ନଉଚି ସେ । ଏବେ ସମ୍ଭାଳ । ହଗିଲା ବେଳ କଥା ଛେଞ୍ଚଇ ହେଲାବେଳକୁ ମନେଥାଏ କି ! ପୁଅ ଦେଲାବେଳକୁ କେତେ ନେହୁରା ହେଉଥିଲ, ଏତେବେଳକୁ ଆମର ଟଣାଓଟରା ଲାଗିଛି । ସେତେବେଳକୁ କଥା କହୁଥିଲ ଯେ ପାଟିରେ ବାଟୁଳି ବାଜୁ ନଥିଲା, ଏତେବେଳକୁ ପାଟିରେ କ’ଣ ମଣ୍ଡା ପଶିଛି କି ? ତୁମେ ତ ନାଟର ଗୋବର୍ଦ୍ଧନ ।” ପାର୍ବତୀ କହିଲେ, “ମଲା, ଇମିତି କିଆଁ ଟାଉଁ ଟାଉଁ କରି କଥାଗୁଡ଼ାକ କହୁଚ ମ ! ରାଜ୍ୟଯାକ ବାସ୍ତୁରାଙ୍କ ଭଳି ବୁଲି ବୁଲି ଆସି ପହଞ୍ଚିଲେ, କାଣୀ ବିଲେଇ କୁଜି ଅସରପା ଉପରକୁ ହେଲା ଭଳିଆ ଆଉ ତ କାହାକୁ ପାଇଲେ ନାହିଁ, ବ୍ରାହ୍ମଣ ଟୋକା ଉପରେ ତାନ ବାହାର କରୁଛନ୍ତି । ତୁମେ ଯିବ ଶୋଇବ, ତୁମର ଏତେ ଗହୀରରେ ଚାଷ କିଆଁ ।” ମହାଦେବ ତୁନି ହୋଇଗଲେ ।

ଏଣେ କ’ଣ ହୋଇଥାଏନା, ଯମ ଦେଉଳ ପାଖରୁ ଫେରିଗଲାରୁ ଯାଇ ପହଞ୍ଚିଲେ ଇନ୍ଦ୍ରଙ୍କ ପାଖରେ । ଇନ୍ଦ୍ର ଦେଖିଲାକ୍ଷଣି କହିଲେ, “କିହେ, ତୁମେ କୁଆଡେ଼ ?” ଯମଙ୍କ ସାଙ୍ଗରେ ଦୂତଯାକତ ଥାନ୍ତି, ଚିତ୍ରଗୁପ୍ତ ଥାନ୍ତି, ପଣ୍ଡା ମଇଁଷି ଥାଏ । ଯମ କହିଲେ, “ନିଅ ତୁମେ ପାଞ୍ଜିପତ୍ର ନିଅ, ମୁଁ ତ ଆଜିଯାଏ ରାଜତ୍ୱ କଲି ଯେ, ମୋ ନାଁ ଶୁଣି ପିମ୍ପୁଡ଼ିଠଉଁ ରଜା ପର୍ଯ୍ୟନ୍ତ ଡରରେ ଥରହର କମ୍ପୁଥିଲେ । ମୁଁ ଦାଣ୍ଡକୁ ବାହାରିଲେ ଗର୍ଭିଣୀ ଗାଈ ବାଟ ଛାଡ଼ି ଦେଉଥିଲା, ଆଜି ମୋ ବାର ବରଷ ତପସ୍ୟା ଶୁଖୁଆ ପୋଡ଼ାରେ ଶେଷ । ମୁଁ ଆଜି ଛାର ବ୍ରାହ୍ମଣଟୋକାକୁ ତ ପାରିଲି ନାହିଁ, ଏଣିକି ଆଉ କ’ଣ ମହତ ସାରିବାକୁ ରଜା ହେବି ?” ୟା’ କହି ପାଞ୍ଜିବିଡ଼ାକ ଇନ୍ଦ୍ରଙ୍କ ଆଡ଼କୁ ଫୋପାଡ଼ି ଦେଇ ଥକାମରା ହୋଇ ବସିଗଲେ ।

ଇନ୍ଦ୍ର ପଚାରିଲେ, “କିହୋ, କ’ଣ ?” ଚିତ୍ରଗୁପ୍ତ କହିଲେ “ଇମିତି ଏକ ବ୍ରାହ୍ମଣ ଟୋକାର ବାର ବରଷ ଆଜି ପୂରିଲା ଯେ ଯମଦୂତଙ୍କୁ ସେ ଭୁରୁଡେ଼ଇ ଦେଲା, ଯମରାଜାଙ୍କୁ ପାସଙ୍ଗରେ ପକେଇବାକୁ ନାହିଁ । ମହାଦେବଙ୍କ ଗମ୍ଭୀରାରେ ପଶିଛି, ଯେ ଯାଉଛି, ସେ ତାକୁ ତେଢ଼ି ଦେଉଛି ।” ଇନ୍ଦ୍ର କହିଲେ, “ଓହୋ ! କାଳ ତ ଆସି ଲଟାରେ ପଶିଲାଣି । ଚାଲ ଯିବା ବ୍ରହ୍ମାଙ୍କ ଛାମୁଙ୍କୁ ।” ବ୍ରହ୍ମା ଏ କଥା ସବୁ ଶୁଣିଲେ । ଡକେଇଲେ ମହାଦେବଙ୍କୁ । ମହାଦେବ ଢଳିଢ଼ଳିକା ଆସି ପହଞ୍ଚିଲେ । ବ୍ରହ୍ମା, ଇନ୍ଦ୍ର ଦିହେଁ ତାଙ୍କୁ କହିଲେ, “ଏ କେଉଁ ନିଶାପ, ତୁମ ଯୋଗୁଁ କ’ଣ ଏ ସଂସାର ବୁଡ଼ିଯିବ ?” ମହାଦେବ କହିଲେ “ଆରେ, ମତେ ସିନା ଦୋଷ ଦଉଚ, ମୋର ଚାରା କ’ଣ ? ମାଇପିଙ୍କ ଦାଉରୁ ଏଣିକି ଆଉ ଦାଣ୍ଡରେ ମୁଣ୍ଡଟେକି ଚାଲି ହବ ନାହିଁ । ଇମିତି ଇମିତି ସମାଚାର ।”

ସମସ୍ତେ ସାଙ୍ଗ ହୋଇ ବାହାରିଲେ ବିଷ୍ଣୁଙ୍କ ପାଖକୁ । ଏ ସବୁ ଯାଇ ବୈକୁଣ୍ଠରେ ପହଞ୍ଚିଲା ବେଳକୁ ଲକ୍ଷ୍ମୀ ସାନ୍ତାଣୀ ଏ ବିଚାର ସବୁ ଜାଣି ସାରିଲାଣି । ବିଷ୍ଣୁ ବସିଥିଲେ ମଣୋହିରେ । ଖାଇ ସାରି ଆେଞ୍ଚାଇଲେ । ଲକ୍ଷ୍ମୀ ବିଡ଼ିଆ ଦେଇ ପଣନ୍ତ କାନିକି ଦୋହଡ଼ି କରି ବେକରେ ପକେଇ ଠିଆ ହେଲେ । ବିଷ୍ଣୁ କହିଲେ, “କି ହୋ, ଆଜି ମୁହଁ ଶୁଖେଇଛ କାହିଁକି ?” ଲକ୍ଷ୍ମୀ କହିଲେ, “ଯେବେ ଆଜି ମହତ ରଖିବ ତ କହିବି, ନଇଲେ ଆଉ କୋଉ ଗୁଣକୁ ମୁଁ ମୁହଁ ଦେଖେଇବି । ଜାରମହୁରା ଖାଇବି ।” ବିଷ୍ଣୁ କହିଲେ “ଏଡ଼େ କଥା କିଆଁ କହିଲ, ତୁମ କଥା ମୁଁ ଭାଙ୍ଗିଦିଏ କେଉଁଦିନ ? କ’ଣ କହୁନାହଁ ?” ଲକ୍ଷ୍ମୀ କହିଲେ, “ମୁଁ ନିତି ରାତିରୁ ଉଠି ବୁଲି ଗଲାବେଳେ ଗୋଟିଏ ବ୍ରାହ୍ମଣର ତୁଳସୀ ଚଉରା ମୂଳ ଲିପାପୋଛା ହୋଇ ଗୋବର ପାଣି ପଡ଼ିଥାଇ ଯେ, ମୁଁ ସେଠେଇଁ ଦଣ୍ଡେ ବସେ, ଅଇଲା ବେଳକୁ କହେଁ- “ଯେ ୟାକୁ ଲିପାପୋଛା କରିଛି, ସେ ଅଇସୁଲକ୍ଷଣୀ ହୋଇଥାଉ ।’ ସେ ବ୍ରାହ୍ମଣ ଅଭିଆଡ଼ି ଝିଅଟି ତାକୁ ଲିପିଥାଏ । ମୁଁ ତ ଇମିତି ବର ଦେଲି । ଏଣେ ଫେର ସେହି ଝିଅଟି ଗୋଟିଏ ବ୍ରାହ୍ମଣ ପୁଅକୁ ବିଭା ହେଲା ଯେ ତା’ ପରମାୟୁ ବାର ବରଷ । ତା’ ପରମାୟୁ ପୂରିଲାଣି, ବାଡୁଅ ପାଣି ପଡ଼ିବାର ତ ବରଷ ପୂରି ନାହିଁ, ଆଜିଯାଏ ତ ଗଇଁଠାଳ ଫାଟି ନାହିଁ, ପୁଆଣୀ ଘର ତ କାହିଁ ବୋଲି କାହିଁ, ସେ ଝିଅଟି ତ ବାଳୁତ ବିଧବା ହବ, ତେବେ ମୋ କଥା ତ ପାଣିର ଗାର ।” ୟା’ କହୁଁ କହୁଁ ମହାଲକ୍ଷ୍ମୀ କୋହରେଇ କରି ସକେଇଲେ ।

ବିଷ୍ଣୁ କହିଲେ, “ହଉ ଯାଅ, ଏଥିପାଇଁ ଏତେ ଭାଳେଣି । ସେ ଝିଅର କାଚ ବଜ୍ର ହେଲେ ତ ନାଟ ଯିବ ।” ୟା’ କହି ଦାଣ୍ଡକୁ ବାହାରି ପଡ଼ିଲା ବେଳକୁ ତେତିଶ କୋଟି ଦେବତାଯାକ ପାଳ ଦଉଡ଼ି ଗୋଛାଏ ଲେଖାଏଁ ପକେଇ, ଦାନ୍ତରେ କୁଟା ଦେଇ ଦିହୁଡ଼ିରେ ଠିଆ ହୋଇଛନ୍ତି । ଏ ତ ଅନ୍ତର୍ଯ୍ୟାମୀ ପୁରୁଷ, ସବୁ ଚାହିଁ କହିଲେ- “ମୋର ଆଜି କି ଭାଗ୍ୟ ! ଆସ, ଆସ, ବସ ।” ଦେବତାଯାକ କହିଲେ, “ଆମ ଦେବତାପଣିଆ ଚୁଲିକି ଯାଉ, ତୁମ ରାଜ୍ୟ ଏଣିକି ତୁମେ ବୁଝ, ଆମେ ଗଙ୍ଗାସ୍ନାନ ଫଳ ପାଇଲୁଣି ଯେ !” ବିଷ୍ଣୁ ପଚାରିଲେ, “କ’ଣ ?” ନା ଇମିତି କଥା । ଛାର ଛୁଆ ବକଟେ, ସେ ଯେବେ ତେଢ଼ି ଦେଲା, ଆଉ ଆମେ ସବୁ ଥିଲେ କେତେ, ଗଲେ କେତେ ?

ବିଷ୍ଣୁ କହିଲେ “ଚିତ୍ରଗୁପ୍ତ ପାଞ୍ଜିବିଡ଼ାକ ଦେଲ, ଆମେ ଦେଖିବା ।” ୟା’ କହି ପାଞ୍ଜିକି ଚାହିଁଲେ, ପତ୍ରକୁ ଟିକିଏ କପାଳରେ ଘଷି ଦେଲେ, କହିଲେ, “ଆରେ ମତେ ଏବେ ଟିକିଏ ଜାଲୁଜାଲୁଆ ଦିଶୁଚି, କିଏ ଅଛରେ, ମୋ ପ୍ରଚକ୍ଷୁଖଣ୍ଡ ଆଣିବଟି ?” ଏ ଘର ଭିତରକୁ ଚିତ୍ରଗୁପ୍ତ ପଶିଲେ ଚଷମା ଆଣିବାକୁ, ବିଷ୍ଣୁ କ’ଣ କଲେ, ଏଣେ ସମସ୍ତଙ୍କ ସାଙ୍ଗେ କଥାଭାଷା ହଉଥାନ୍ତି, ପାଞ୍ଜି ବିଡ଼ାକ ଧରିଥାନ୍ତି । କାଣୀ ଆଙ୍ଗୁଠି ନଖ ମୁନରେ ବାର ଡାହାଣ ପାଖରେ ଗୋଟିଏ ମୁଣ୍ଡଳା ବୁଲେଇ ଦେଲେ । ଖାଲି ଆଖିରେ ଦେଖିଲା ବେଳକୁ ଟିକିଏ ରାଞ୍ଚୁ ରାଞ୍ଚୁଆ ଦିଶୁଥାଏ । ବିଷ୍ଣୁ ପ୍ରଚକ୍ଷୁ ଖଣ୍ଡିକ ଆଖିରେ ଦେଲେ, ଦଣ୍ଡେ ଗୁମ୍ ଖାଇଗଲେ, କହିଲେ “କି ହୋ ମୁଁ ଜାଣିଥିଲି, ମତେ ଅବା ଏକା ଚାଳିଶା ଧରିଛି ।” ୟା କହି ସମସ୍ତଙ୍କ ଆଡ଼କୁ ପ୍ରଚକ୍ଷୁ ଖଣ୍ଡିକ ବଢ଼େଇ ଦେଲେ । ଖାଲି ଆଖିରେ ଦେଖିଲା ବେଳକୁ ବାର ପ୍ରଚକ୍ଷୁ ଦେଇ ଚାହିଁଲାବେଳକୁ ବିଶାଶଏ ।

ସମସ୍ତେ ଦେଖି ଜିଭ କାମୁଡ଼ି ପକାଇଲେ । ବିଷ୍ଣୁ କହିଲେ, “ମୁଁ ସେଇଆ ପଚାରୁଚି, କହ, ବ୍ରାହ୍ମଣ ପିଲାର କ’ଣ ଆୟୁଷ ପୁରିଲାଣି ? ସେ କତରା ଘୋଡ଼ି ହଉଛି କିଆଁ ? କାଳ ଆସି କ’ଣ ଓଲଟା ହେଲା । ହଇହୋ ଚିତ୍ରଗୁପ୍ତେ । ତୁମେ ତ ଏଇଲାଗ ଗୋଟାଏ ବ୍ରହ୍ମହତ୍ୟା ଅପରାଧ ମୁଣ୍ଡେଇଥିଲ । ଇମିତି ନିଶାପ ହେଲେ ତ ମଞ୍ଚ ଲୋକେ କାଉଳି ହେଇ ମରିବେ । ଯାଅ, ଫେରେ ଇମିତି ଗରହିସାବି କଥା କରିବ ନାହିଁ । ତୁମକୁ ଚାଳିଶା ଧରିଲାଣି, ଏ ପ୍ରଚକ୍ଷୁ ଖଣ୍ଡିକ ନିଅ । ପାଞ୍ଜି ଦେଖିଲା ବେଳେ ଏ ଖଣ୍ଡିକ ଆଖିରେ ଦେଇ ଏଣିକି ପଢ଼ିବ ।”

ଏବେ ସମସ୍ତଙ୍କ ମୁହଁପାଣି ମୁହଁରେ ମଲା । ବ୍ରାହ୍ମଣ ପୁଅ ହେଣ୍ଡିଟାଏ ମାରି ଦେଉଳରୁ ବାହାରିଲା । ପୁଅବୋହୂ ଦିହେଁଯାକ ଛକୋଡ଼ି ବରଷ ବଞ୍ଚିଲେ, ବାଳଯାକ ଝୋଟ ପରି ହେଲା, ନାକ ଆସି ତଳେ ଲାଗିଲା । ପୁଅ, ନାତି, ଅଣନାତି ଘିନି ସୁଖରେ ଘର ଦୁଆର କଲେ । ମୁଁ ଗଲାରୁ କଥା ନ କହିଲେ ।

ଲୋକପ୍ରିୟ ଲେଖା

To Top