ଲୋକକଥା

କୃପଣ

Mahendra Kumar Mishra's Odia Lokakathaa KRUPANA

ସେତେବେଳକୁ ବ୍ରାହ୍ମଣ ଦୁଆରେ କେତେ ଲୋକ ଆସି ଜମା ହୋଇଗଲେଣି । ଲୋକଙ୍କୁ ଦେଖି ବ୍ରାହ୍ମଣୀ ବେଶି ବାହୁନା ପକେଇଲା । ସମସ୍ତେ ମହାଜନକୁ ଛି’ ଛାକର କଲେ ।

କୃପଣ

କଥା ଅଛି- “ଧନ ଯେତିକି ମାଡ଼େ, ଲୋଭ ସେତିକି ବଢ଼େ ।” ଯାହାର ପଛକୁ କିଛି ନାହିଁ, ପୁଅ କି ଝିଅ, ତା’ ଲୋଭ କହିଲେ ନ ସରେ । ମହାଜନ କଥା ସେମିତି । ସମସ୍ତେ ପଛରେ ବିଚାର କରନ୍ତି । ଦେବତା, ବ୍ରାହ୍ମଣ ନାଇଁ, ଦାନଧର୍ମ ନାଇଁ, ମହୁମାଛି ପରି ପେଟକୁ ନ ଖାଇ ଧାନ ସଞ୍ଚୁଚି, କ’ଣ କରିବଟି ? ମଲା ବାସି ଦିନ ପର ଖାଇବେ ସିନା । ମହାଜନ କାନରେ ସେ କଥା ବାଜେ । ସେ ଭାବେ, “ମଲା, ମୋ ଧନ ଲାଗି ୟା’ଙ୍କର ମୁଣ୍ଡ ବଥଉଚି କାଇଁକି ?”

ଦିନ କର ମହାଜନ ଗାଧୋଇ ଯାଇଥିଲା । ହୁଡ଼ା ଉପରେ ଗୋଟିଏ ଖଜୁରି ଗଛ ଦେଖିଲା । ପାଚିଲା କୋଳି ନଦି ହୋଇଚି, ସକାଳ ଖରାରେ ସୁନା କଣ୍ଠି ଭଳି ସୁନ୍ଦର ଦିଶୁଚି । ଖାଇବାକୁ ମନ ହେଲା । ପାଖରେ ନଗି ନାଇଁ । କଅଣ କରିବ ? ଚାରିଆଡ଼କୁ ଚାହିଁଲା, କେହି କୁଆଡ଼େ ନାହାନ୍ତି । ହୁ’ ବୋଲିଆ ହୋଇ ଖଜୁରି ଗଛ ଉପରକୁ ଚଢ଼ିଗଲା । ଚଢ଼ିଗଲା ସିନା, ବଡ଼ ହାଙ୍କାସିଆ ଲାଗିଲା । ମଜ୍ଜା ପାତଳା ଜଣାଗଲା, ଦିହ ଥରିଲା । ମନେ ହେଲା, ସତେ କି ଖସି ପଡ଼ିବ । ବିଚାରିଲା- “ଆଚ୍ଛା କୋଳି ଖାଇ ମନ କଲି । ଏଥିଲାଗି ପ୍ରାଣ ଯିବକି ଆଉ ।” ମହାଜନ ମନେ ମନେ ଭଗବାନଙ୍କୁ ସୁମରଣା କଲା- “ଆହେ ପ୍ରଭୁ, ଏ ଘାଟିରୁ ଉତୁରିଲେ ଶହେ ବ୍ରାହ୍ମଣଙ୍କୁ ଭୋଜନ ଦେବି ।” ମନରେ ସାହସ ବାନ୍ଧି ତଳକୁ ଓହ୍ଲାଇଲା । ଅଧା ଗଛଠେଇଁ ହେଲାରୁ ମନରେ ଭାବିଲା- “ଏତେ ବ୍ରାହ୍ମଣଙ୍କୁ କୁଆଡୁ ଖୁଆଇବି । ପଚାଶ ଜଣ ଖୁଆଇବି ।” ପୁଣି କିଛି ବାଟ ଓହ୍ଲାଇ ଆସିଲାରୁ ଭାବିଲା- “ପଞ୍ଚ ପରମେଶ୍ୱର, ଏତେ ହେଙ୍ଗାମ କିଏ କରୁଛି ? ପାଞ୍ଚୋଟି ବ୍ରାହ୍ମଣ ଖୁଆଇବି ।” ତଳକୁ ଓହ୍ଲାଇ ନିଶ୍ୱାସ ମାରିଲା । ମନରେ ପାଞ୍ଚିଲା, “ବିକଳ ବେଳ ପଡ଼ିଥିଲା ବୋଲି ସିନା, ଏତେ ବ୍ରାହ୍ମଣଙ୍କୁ ଖୁଆଇବି, କହିଦେଲି । ଜଣେ ବ୍ରାହ୍ମଣ ଖୁଆଇବି । ମିଛରେ ଗୁଡ଼ାଏ ଖରଚ କରିବି କାହିଁକି ?”

କହିଚି ଯେତେବେଳେ, ଆପଣା ସତ୍ୟ ଆପେ ରକ୍ଷା କରିବି । ତେଣୁ ମହାଜନ ଜଣେ ବ୍ରାହ୍ମଣ ନିମନ୍ତ୍ରଣ କରିବ, ଭାବିଲା- ଫେର ଭାବିଲା- ବ୍ରାହ୍ମଣ ତା’ ଭୋଜନୀ । ଖାଉଥିବେ ତ ଖାଉଥିବେ, ପେଟ କ’ଣ ତାଙ୍କର ପୂରେ । ଯେତେ ହେଲେ କହିବେ- “ଆଉରି ଦିଅ !” ଏମିତି ଭାବି ମଲଙ୍ଗା ପେଟମରା ବ୍ରାହ୍ମଣଟିଏ ନିମନ୍ତ୍ରଣ କଲା ।

ସେଦିନ ମହାଜନର ଗୋଟିଏ ଜରୁରୀ କାମ ପଡ଼ିଲା । ତହୁଁ ସେ ସାହୁଆଣୀକି କହିଲା- “ଆଲୋ, ମୁଁ କାମରେ ଯାଉଛି, ବ୍ରାହ୍ମଣ ଆସିଲେ ଭଲ କରି ମୁଠିଏ ଖାଇବାକୁ ଦେବୁ । ଯାହି ଦି’ପଇସା ଦକ୍ଷିଣା ଦେବୁ । ତାକୁ ଅସନ୍ତୁଷ୍ଟ କରିବୁ ନାହିଁ ।”

ତହିଁଆରଦିନ ଚିତାପଇତା କରି ବ୍ରାହ୍ମଣ ଆସି ସାହୁଘର ଦୁଆରେ ହାଜର ହେଲା । ସାହୁଆଣୀ ଠାପିଡ଼ା କରି ଭୋଜନ ସାମଗ୍ରୀ ଆଣିବାକୁ କହିଲାରୁ ବ୍ରାହ୍ମଣ କହିଲା- “ମାଆ, ମୁଁ ବେମାରିଆ ଲୋକ । ଖାଇବା ପିଇବା ମୋ ଦିହରେ ଯିବ ନାଇଁ । ମତେ ଟଙ୍କା ଧରିଦିଅ ।” ସାହୁ ତ କହିଥିଲା- “ଯାହା ମାଗିବ ଦବୁ ।” ବ୍ରାହ୍ମଣ କହିଲା- “ଶହେ ଟଙ୍କା । ନହେଲେ ଦୁଆରୁ ମୁଁ ଉଠିବି ନାଇଁ ।” ସାହୁଆଣୀ ବାଧ୍ୟ ହୋଇ ଶହେ ଟଙ୍କା ଧରିଦେଲା ।

ସାହୁ ଫେରିଆସି ସବୁ ଶୁଣିଲା । ମୁଣ୍ଡରେ ହାତ ଦେଲା । ସାହୁଆଣୀ କି ବହେ ଗାଳି ଦେଲା । ଶେଷକୁ ଛତା ବାଡ଼ି ଧରି ଚାଲିଲା ବ୍ରାହ୍ମଣ ଦୁଆରକୁ ।

ବ୍ରାହ୍ମଣ ବଡ଼ ତଟକା । ସାହୁକୁ ଦେଖି ହେଁସ ଘୋଡ଼ି ହୋଇ ଶୋଇ ପଡ଼ିଲା । ଏଣେ ବ୍ରାହ୍ମଣୀ କାନରେ ଫୁସଫୁସ୍ କରି କଅଣ ଶିଖାଇଦେଲା ।

ବ୍ରାହ୍ମଣୀ କଅଣ କଲା ନା ତା’ ଗୋଡ଼ ତଳେ ପଡ଼ି ବାହୁନା ପକେଇଲା- “ଆଲୋ, ମୁଁ କଅଣ କରିବି ଲୋ’, ସେ ମହାଜନ ଘରକୁ କାହିଁକି ଗଲା ଲୋ ? ସେଇଟା ତ ଲୋଭୀ, କଅଣ ଖାଇବାକୁ ଦେଲା ଯେ- ଏତେ ଛଟପଟ ହଉଚ, ପ୍ରାଣ ତ ବାହାରି ଯିବ । ମୁଁ କି ବୁଦ୍ଧି କରିବି ? ଯାଉଚି, ରାଜାଙ୍କ ଦୁଆରେ ଗୁହାରି କରିବି ।”

ବ୍ରାହ୍ମଣୀର କାନ୍ଦବୋବା ଶୁଣି ମହାଜନ ତାଙ୍କ ଦୁଆରେ ଘଡ଼ିଏ ଠିଆ ହେଲା । ସେତେବେଳକୁ ବ୍ରାହ୍ମଣ ଦୁଆରେ କେତେ ଲୋକ ଆସି ଜମା ହୋଇଗଲେଣି । ଲୋକଙ୍କୁ ଦେଖି ବ୍ରାହ୍ମଣୀ ବେଶି ବାହୁନା ପକେଇଲା । ସମସ୍ତେ ମହାଜନକୁ ଛି’ ଛାକର କଲେ । ମହାଜନ ଲୋକଲଜ୍ଜାକୁ ଡରି ବ୍ରାହ୍ମଣୀ ହାତରେ ସୁନା ମୋହରଟାଏ ଦେଲା, କହିଲା- “ତୁ ଆଉ ପାଟିତୁଣ୍ଡ କର ନାଇଁ, ମୁଁ ଯାଉଛି ।” ମହାଜନ ଗଲାରୁ ବ୍ରାହ୍ମଣ ଝାଡ଼ିଝୁଡ଼ି ହେଇ ବସିଲା । ବ୍ରାହ୍ମଣ ବ୍ରାହ୍ମଣୀ ଦୁହେଁ ଭାରି ହସିଲେ । ଗୋଟିଏ ଚୋଠାକୁ ଠକି ଥିବାରୁ ଖୁସି ହେଲେ । ମୁଁ ଗଲାରୁ କଥା କହିଲେ ନାହିଁ ।

ଲୋକପ୍ରିୟ ଲେଖା

To Top