ଲୋକକଥା

ତୋତେ ମୁଁ ବୋଲଇ ଫୁଲକୁଆଁରୀ ଲୋ’

Mahendra Kumar Mishra's Odia Lokakathaa TOTE MUN BOILA PHULAKUANRI LO

ସେଇ ବାଟରେ ଦୌଡ଼ିଥାଏ ଗୋଟିଏ ଘୋଡ଼ା । ସେଥିରେ ପାଗପଟୁକା ବାନ୍ଧି ବସିଥାଏ ଜଣେ ସିପେଇ । ଆଖିରେ ତା’ର ଦପ୍ ଦପ୍ ତେଜ, ମୁହଁରେ ଦରଫୁଟା ହସ ।

ତୋତେ ମୁଁ ବୋଲଇ ଫୁଲକୁଆଁରୀ ଲୋ'

ରଜା ଝିଅ ହେମମାଳା, ଦିନେ କାହିଁକି ମନ ହେଲା, କହିଲା, “ସଖୀ ଗୋ, ଚାଲ ବନକୁ ଯିବା ।” ସଖୀମାନେ କହିଲେ- “ହଉ ଚାଲ ।”

କହିଲେ “ବୁଦିବୁଦିକିଆ ଜଙ୍ଗଲ, ତା’ପରେ ଅଗନାଗ୍ନି ବନସ୍ତ ପଡ଼ିଲା । ଏଠି ବାଟ ନାହିଁ, ଖାଲି କଣ୍ଟା, ଗଛ ସନ୍ଧିରେ ଗଳି ଗଳି ଜେମା’ ସଖୀଙ୍କ ଗହଣରେ ଚାଲିଲେ । ତିଖ ପାହାଡ଼ କେଉଁଠୁ କେଉଁଯାଏ ଲମ୍ୱିଛି । ଗୋଟିଏ ଟିକି ଝରଣା ଝିରି ଝିରି ହୋଇ ଝରି ଯାଉଛି । କୂଳରେ ଅଶୋକ ବନ, ଫୁଲ ଭାରାରେ ଲୋଟି ଯାଉଥାଏ ।”

ସଖୀମାନେ ପେନ୍ଥା ପେନ୍ଥା ଫୁଲପତ୍ର ତୋଳି ଜେମା’କୁ ମଣ୍ଡିଦେଲେ, ଜେମା’ ତ ସହଜେ ସୁନ୍ଦରୀ, ଏ ଫୁଲ ପତ୍ର ବେଶ ହୋଇ ସାକ୍ଷାତ୍ ଫୁଲକୁମାରୀ ପରି ଦେଖାଗଲେ । କୋଇଲି ବୋଇଲା କୁହୁ ।

ସଖୀମାନେ ଜେମା’କୁ ଫୁଲ ଦୋଳିରେ ବସାଇ ଗାଇଲେ-

“ଦୋଳି ମୁଣ୍ଡ କଟ କଟ
ଜେମା’ଙ୍କ ମୁଣ୍ଡରେ ସୁନା ମୁକୁଟ
ଦିଶୁ ଅଛି ଝଟ ଝଟ ।
ରଡ଼ ନିଆଁ ଦହକିଲା
ଜେମା’ଙ୍କ ମୁଣ୍ଡରେ କି ଫୁଲ ଥିଲା
ବଣଯାକ ମହକିଲା ।”

ଦୋଳିରୁ ଅଳ୍ପ ଦୂରରେ ଗୋଟିଏ ଚଲାବାଟ ବଣେ ବଣେ ବଙ୍କେଇ ବଙ୍କେଇ ପାହାଡ଼ ଉପରକୁ ଉଠିଥାଏ । ସେଇ ବାଟରେ ଦୌଡ଼ିଥାଏ ଗୋଟିଏ ଘୋଡ଼ା । ସେଥିରେ ପାଗପଟୁକା ବାନ୍ଧି ବସିଥାଏ ଜଣେ ସିପେଇ । ଆଖିରେ ତା’ର ଦପ୍ ଦପ୍ ତେଜ, ମୁହଁରେ ଦରଫୁଟା ହସ । ସେ ଟପକ୍ ଟପ୍ ଘୋଡ଼ା ଚଲେଇ ଜେମା’ଙ୍କୁ ଆସି ପଚାରିଲା-

“ତୋତେ ବୋଲୁଥାଇ ଫୁଲକୁଆଁରୀ ଲୋ’
ଏ ବାଟ କୋଉ ରାଇଜକୁ ?”

ଜେମା’-

“ତୋତେ ବୋଲୁଥାଇ ସିପେଇ ଭାଇରେ
ଏ ବାଟ ବଣେଇ ଗଡ଼କୁ
ଏ ବାଟ ଲହଡ଼ା ଗଡ଼କୁ
ଏ ବାଟ କେଉଁଝର ଗଡ଼କୁ ।”

ସିପେଇ ପୁଣି ସେଇ କଥା ପଚାରିଲା, “ତୋତେ ବୋଲୁଥାଇ ଫୁଲ କୁଆଁରୀ ଲୋ’. . . ।”

ଜେମା’ କହିଲା, “ତୋତେ ବୋଲୁଥାଇ ସିପେଇ ଭାଇରେ ଏ ବାଟ ବଣେଇ ଗଡ଼କୁ. . . ।”

ସିପେଇର ଆଖି ଜେମା’ଙ୍କ ମୁହଁରେ ଲାଖି ଯାଇଥାଏ । ଜେମା’ ବି ସିପେଇ ରୂପରେ ଭୋଳ ହୋଇ ଚାହିଁଥାନ୍ତି । ସିପେଇ ବାଟ କୁଆଡ଼କୁ ଯାଇଛି ବୋଲି ତିନିଥର ପଚାରିଲା । ଜେମା’ ତିନିଥର ଉତ୍ତର ଦେଲେ । ତା’ପରେ ସେ ଘୋଡ଼ାକୁ କୋରଡ଼ା ମାରି ଛୁଟେଇ ଦେଲା, ଟାପୁ ଶବ୍ଦ କିଛି କାଳ ଶୁଣାଯାଇ ବଣରେ ସୁଉ ସାଆ ଶବ୍ଦରେ ହଜିଗଲା ।

କି ମନ୍ତ୍ର କରିଗଲା କେଜାଣି, ଜେମା’ଙ୍କ ମନ ତା’ ପଛେ ପଛେ ଦୌଡ଼ିଲା । ନଈକୂଳ ବୁଲା, ଫୁଲତୋଳା କିଛି ଭଲ ଲାଗିଲା ନାହିଁ । ଜେମା’ ସଖୀଙ୍କୁ ଛାଡ଼ି ବାଇଆଣୀ ପରି ଘୋଡ଼ା ପଛେ ପଛେ ଧାଇଁଲା । ସିପେଇ ହାଡ଼ି, ଖଡୁରା, ତନ୍ତୀ, ବଣିଆକୁ ଟଙ୍କା ଦେଇ କହିଲା, “ଏ ବାଟେ ଜଣେ ତିରିଲା ଆସିବ, ହେ ହାଡ଼ି, ତୁ ଗୋଟିଏ ସୁନ୍ଦର ପେଡ଼ି ତିଆରି କରିଦେବୁ, ହେ ଖଡୁରା, ତୁ ତା’ ପାଇଁ ଖଡୁ ଗଢ଼ିଦେବୁ, ହେ ତନ୍ତୀ, ତୁ ତା’ ପାଇଁ ଲୁଗା ବୁଣିଦେବୁ, ହେ ବଣିଆ, ତୁ ତା’ ପାଇଁ ସୁନା ଅଳଙ୍କାର ଗଢ଼ିଦେବୁ ।”

ଜେମା’ ଦୌଡୁ ଦୌଡୁ ପହଞ୍ଚିଲେ ସେଇ ହାଡ଼ିକି ଭେଟିଲେ ଓ ପଚାରିଲେ-

“ତୋତେ ବୋଲୁଥାଇ ହାଡ଼ି ଭାଇ କିରେ
ଏ ବାଟେ କିଏ ଯାଇଛି ?
କାଳିଆ ଘୋଡ଼ାରେ ବସିଛି
ଝୁମୁକି କଠଉ ମାଡ଼ିଛି ।”

ହାଡ଼ି କହିଲା-

“ତୋତେ ମୁଁ ବୋଲଇ ଫୁଲ କୁଆଁରୀ ଲୋ’
ଏଇ ବାଟେ ଜଣେ ଯାଇଛି
ଦେହରୁ ବିଜୁଳି ଖସୁଛି ।
ଝୁମୁକି କଠଉ ମାଡ଼ିଛି
କଟିରେ ଖଡ଼ଗ ଝୁଲୁଛି
ମୋତେ ସୁନାମୁଦି ଦେଇଛି
ତୁହି ତ ପେଡ଼ି ନେବୁ ବାଛି ।”

ରଜାଝିଅ ପେଡ଼ି ମୁଣ୍ଡେଇ ପୁଣି ସେ ବାଟରେ ଚାଲିଲା, ଖଡୁରାକୁ ପଚାରିଲା-

“ତୋତେ ବୋଲୁଥାଇ ଖଡୁରା ଭାଇ କିରେ
ଏ ବାଟେ କିଏ ଯାଇଛି ?
କାଳିଆ ଘୋଡ଼ାରେ ବସିଛି
ଝୁମୁକି କଠଉ ମାଡ଼ିଛି ।”

ଖଡୁରା କହିଲା-

“ତୋତେ ମୁଁ ବୋଲଇ ଫୁଲ କୁଆଁରୀ ଲୋ’
ଏଇ ବାଟେ ଜଣେ ଯାଇଛି
କାଳିଆ ଘୋଡ଼ାରେ ବସିଛି
ଝୁମୁକି କଠଉ ମାଡ଼ିଛି
ରୂପରେ ହାଲ୍ଲୋଳ କରୁଛି
ସୁନାମୁଦି ଦେଇ ଯାଇଛି
ତୁହି ଲୋ’ ଖଡୁ ନେବୁ ବାଛି ।”

ରଜାଝିଅ ଖଡୁରା ପାଖରୁ ଖଡୁ ପିନ୍ଧି ଯାଉ ଯାଉ ବାଟରେ ତନ୍ତୀକି ଭେଟି ପଚାରିଲା-

“ତୋତେ ବୋଲୁଥାଇ ତନ୍ତୀ ଭାଇ କିରେ
ଏ ବାଟେ କିଏ ଯାଇଛି ?
କାଳିଆ ଘୋଡ଼ାରେ ବସିଛି
ଝୁମୁକି କଠଉ ମାଡ଼ିଛି ।”

ତନ୍ତୀ କହିଲା-

“ତୋତେ ମୁଁ ବୋଲଇ ଫୁଲ କୁଆଁରୀ ଲୋ’
ଏଇ ବାଟେ ଜଣେ ଯାଇଛି
କାଳିଆ ଘୋଡ଼ାରେ ବସିଛି
ଝୁମୁକି କଠଉ ମାଡ଼ିଛି
ମୁଚୁ ମୁଚୁ କରି ହସୁଛି
ବାଟେ ବାଟେ ଫୁଲ ବିଞ୍ଚୁଛି
ସେହି ତ ପଇସା ଦେଇଛି
ତୁହି ତ ଲୁଗା ନେବୁ ବାଛି ।”

ରଜା ଝିଅ ଲୁଗା ପିନ୍ଧି ଘୋଡ଼ାଟାପୁ ଚିହ୍ନ ପଡ଼ିଥିବା ବାଟରେ ପୁଣି ଚାଲିଲା । ବାଟରେ ବଣିଆକୁ ଭେଟି ପଚାରିଲା-

“ତୋତେ ବୋଲୁଥାଇ ବଣିଆ ଭାଇ କିରେ
ଏ ବାଟେ କିଏ ଯାଇଛି ?
କାଳିଆ ଘୋଡ଼ାରେ ବସିଛି ।”

ବଣିଆ କହିଲା-

“ତୋତେ ମୁଁ ବୋଲଇ ଫୁଲ କୁଆଁରୀ ଲୋ’
ଏଇ ବାଟେ ଜଣେ ଯାଇଛି
କାଳିଆ ଘୋଡ଼ାରେ ବସିଛି ।
ଗୋରା ତକ ତକ ଦିଶୁଛି
ନୂଆ ଜହ୍ନ ସତେ ଉଇଁଛି
ହାତରେ ଲଗାମ୍ ଧରିଛି
ଝୁମୁକି କଠଉ ମାଡ଼ିଛି
ସେ ତ ସୁନା ମୁଦି ଦେଇଛି
ଅଳଙ୍କାର ଯେ ନିଅ ବାଛି ।”

ରାଜାଝିଅ ଅଳଙ୍କାର ପିନ୍ଧି ଚାଲିଲା, ବାଟ ପାହାଡ଼ ଉପରକୁ ଉଠିଛି । ରଜାଝିଅ ପାହାଡ଼ ଚଢ଼ିଲା, ପାହାଡ଼ କୂଳରେ ଶଙ୍ଖ ମଲମଲ ପଥରର ଉଆସ, ତା’ ଚଉକତି ବଗିଚା, ମାଣିକ ଗଛରେ ହୀରାଫୁଲ ଫୁଟିଛି, ବଗିଚା ମଝିରେ ଗୋଟିଏ ପୋଖରୀ, କାଚକେନ୍ଦୁ ପରି ପାଣି, ଧଳା ହଂସ ଦଳ ହୋଇ ପହଁରୁଛନ୍ତି, ଦୀପଦଣ୍ଡି ଦେଉଳ ଅଗରେ ବସି ହଂସରାଳି ଡେଣା ଶୁଖଉଛି । ଘୋଡ଼ାଟାପୁ ଚିହ୍ନି ବାରି ରାଜାଝିଅ ସେଇ ବଗିଚାରେ ପଶିଲା । ବଗିଚା ହସି ଉଠିଲା ।

କୋଇଲି ବୋବେଇଲେ, ପ୍ରଜାପତି ଉଡ଼ି ବୁଲିଲେ, ମାଳତୀ ଲତାର ଦୋଳିରେ ବସି ସିପେଇ ବେଶ ଧରି ରାଜାପୁଅ ଗାଇଲା-

“ତୋତେ ମୁଁ ବୋଲଇ ଫୁଲକୁଆଁରୀ ଲୋ’
ତୁହି ମୋର ଗଳାମାଳି କି ?
ଆ’ ତେବେ ଏଇ ଦୋଳିକି !”

ଜେମା’ ଯାଇ ଦୋଳିରେ ବସିଲା । ସେତେବେଳେ ସଖୀମାନେ ସେଠି ପହଞ୍ଚି ଦୋଳି ଖେଳାଉ ଖେଳାଉ ଗାଇଲେ-

“ରଙ୍ଗି ଧାନ କିଏ କୁଟି ନେଇଛି ଲୋ’
ବାଟରେ ପଡ଼ିଛି ତଷୁ
ସଖୀମାନେ ସବୁ ହୁଳହୁଳି ଦିଅ
ଜେମା’ ଆମ ଦୋଳିରେ ବସୁ
ଜେମା’ ଆମ ବେଦୀରେ ବସୁ
ଦୋଳି ବେଦୀ ପରି ହସୁ ।”

ଲୋକପ୍ରିୟ ଲେଖା

To Top