ଲୋକକଥା

ଉପକାରୀ ସାପ

Mahendra Kumar Mishra's Odia folk story Upakaari Saapa

ହଇରେ, ତୁ କାହାଘର ପୁଅ, କ’ଣ କରୁଛୁ ? ଲୋକେ କ’ଣ କହୁଛନ୍ତି ? ଏ କ’ଣ ଭଲ ହଉଚି, ଆରେ ଭଲ ବୁଦ୍ଧି କାଢ଼, ଭଲ ମଣିଷ ହ !

ଉପକାରୀ ସାପ

ଜଣେ ସାଧବ ବୁଢ଼ା ଥାଏ ଯେ, ତା’ର ସାତ ପୁଅ, ଛ’ ପୁଅକୁ ଛ’ ବୋହୂ । ସବା ସାନପୁଅ ଅଭିଆଡ଼ା, ଛ’ ପୁଅ ଯୋଗ୍ୟର, ଆଖିରେ ଫୁଟି କାନରେ ବାହାରୁ ଥାଆନ୍ତି । ସବୁକାମକୁ ପାରଙ୍ଗମ । ସାନପୁଅ ଅବୋଲକରା ଚାଷବାସ, ବୋଇତ ବଣିଜ କୋଉ କାମକୁ ନୁହେଁ । ମୁଠିଏ ପକେଇ ଦେଇ କୁଆଡ଼େ ଯାଏ ଯେ, ଯାଏ । ଘରର ହାନିଲାଭ କୋଉ କଥା ତାକୁ ଲଗା ନାଇଁ, ବସିଲେ ଯାହାଙ୍କ ହାତଗୋଡ଼ ବୋଲ କରେ, ଚାଲିଲା ଶଗଡ଼ରେ ହାତ ଲଗାନ୍ତି, ଏମିତି କେତୋଟି ବଗୁଲିଆ ତା’ର ସାଙ୍ଗ । ବୁଢ଼ା ବୁଝାଏ- “ହଇରେ, ତୁ କାହାଘର ପୁଅ, କ’ଣ କରୁଛୁ ? ଲୋକେ କ’ଣ କହୁଛନ୍ତି ? ଏ କ’ଣ ଭଲ ହଉଚି, ଆରେ ଭଲ ବୁଦ୍ଧି କାଢ଼, ଭଲ ମଣିଷ ହ ! ମୁଁ ତ ଆଜି ନ ହେଲେ କାଲିକି ଆଖି ବୁଜିବି । ତୋରି ଭଲକୁ କହୁଚି, ଏଇଲେ ବୁଝୁନୁ, ସେତେବେଳକୁ କାନ୍ଦିଲେ ବୋବେଇଲେ ଦିନ ସରିବନି ।” ଏ କଥା ସାନପୁଅର ଏକାନେ ଫୁଟି ସେ କାନେ ବାହାରିଯାଏ । କାଲ କାନରେ ମୂଳା ଚୋବେଇଲା ପରି ଲାଗେ । ଯୋଉ କଥାକୁ ସେଇ କଥା । ବୁଢ଼ା ବିଚାରେ-କୋଳପୋଛା ପୁଅ, ଗେଲବସରରେ ବଢ଼େଇବାରୁ ପିଲାଟିର ଏ ଦଶା ହେଲା । ଡାକେ- “ହେ ପ୍ରଭୁ, ମୋ ପୁଅକୁ ସୁବୁଦ୍ଧି ଦିଅ ।”

ବୁଢ଼ା ପୁଅକୁ ଚାହାଳିକୁ ପଠେଇଲା । ଅବଧାନଙ୍କ ବେତ ବାଜିଲେ କେଜାଣି ପିଲାଟି କୁହାର ବୋଲର ହେବ । ହୁଣ୍ଡା ଥରେ ଅଧେ ମାଡ଼ ଖାଇ କିଛି କହିଲା ନାହିଁ । ତା’ପରେ ଅବଧାନଙ୍କ ଆସନରେ ବେତକଣ୍ଟା ଖଞ୍ଜି ରଖିଲା । ତାଙ୍କ ପିଇବା ପାଣିରେ ବାଇଡ଼ଙ୍କ ଗୋଳିଲା । ଏତିକିରେ ଅବଧାନ ଛାଟିପିଟି ହୋଇ ପଳେଇଲେ ।

ତା’ପରେ ଗୋଟେ କୁସ୍ତି/କସରତ ଆଡ୍ଡା ଜମିଲା । ବନାଟିବୁଲା, ଖଣ୍ଡାବୁଲା, ଓଲଟା ଶୂନ୍ୟମରା, ବୁଢ଼ା ବୁଝେଇଲା- “ଆରେ, ଏ ଆମ କୁଳ ବେଉସା ନୁହେଁ, ଏଥିରେ ମାତିଛୁ କାହିଁକି ?” ହୁଣ୍ଡା କହେ, “ଭାଇ ତ ବେଉସା କରୁଚି, ମୁଁ ଯାଇ ଆଉ ଅଧିକା କ’ଣ କରିବି ?”

ଦିନେ ସାଧବ ବୁଢ଼ା ବିଚାରିଲା- “ୟା’କୁ ହାତକୁ ଦି’ହାତ କରିଦେଲେ ବୋଧେ ମନ ବଦଳିଯିବ, ବେକରେ ବାଇଦ ପଡ଼ିଲେ ବଳେ ବଜେଇ ଶିଖିବ ।” ହୁଣ୍ଡାର ବିଭାଘର ହେଲା, କିନ୍ତୁ ତୁ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ, କହିଲେ ନୁହେଁ, ବୋଇଲେ ନୁହେଁ, ସେ ଯାହା ସେଇଆ ।

ଭାରିଯା’ ଥରେ ଦି’ଥର ଶୁଣାଇଲା- “ହଇଏ, ତମେ ତ କୁଟାଖଣ୍ଡକ ଦି’ଖଣ୍ଡି କରୁନା, ଭାଇ ଭଗାରି ଘର, କେତେ ଦିନ ସହିବେ ?” ୟା’ର ଓଲଟାଫଳ ହେଲା । ହୁଣ୍ଡା କରଛଡ଼ା ଦେଲା । ହୁଣ୍ଡାକୁ ଭାଇ ଭାଉଜ ଡରିମରି ପାଟି ଫିଟାଉ ନଥିଲେ, ସେ କରଛଡ଼ା ଦେବାରୁ ତା’ ଭାରିଯାକୁ ଦେଖେଇ କହିଲେ ।

ଶଶୁର ବୁଢ଼ା ଭାରି ଦେଖିପାରୁଥିଲେ । ଦଇବ କୂଟକୁ ସେ ଆଖି ବୁଜିଲେ । ଘରର ଆଡ଼ତିପତର ମିଶିମାଶି ନ କରି ଜାଆମାନେ ସାନବୋହୂ ଉପରେ ନଦି ହେଲେ । ସେ କୁଆ କାଆ କଲାବେଳକୁ ଉଠେ ଯେ ରାତି ଅଧ ହୁଏ । ଗେରସ୍ତ ତ ଏମିତି, ତାରି ହୋଇ ଶଶୁର ଥିଲେ ଯେ, ମଲେ । କାହାକୁ କହିବ ? କିଏ ବୁଝିବ ତା’ର ଗୁହାରି ? ଆଖିରୁ ଧାର ଧାର ଲୁହ ଗଡ଼ିଯାଏ । ଜନମଟା କ’ଣ ଅକାରଣ ହୋଇଯିବ ?

ଛ’ ଭାଇଯାକ ଦିନେ ବସି ବିଚାରିଲେ- “ଆମେ ବିଦେଶରେ ପଡ଼ି ଖଟି ଖଟି ମରୁଥିବୁ, ହୁଣ୍ଡା ବସି ଭୋଜନ ପକାଉଥିବ । ଭାଗ ନେଲା ବେଳକୁ ଅଡ଼ି ବସିବ । ବେଳସୁଁ ଏକଥା ବିଚାର ନ କଲେ ନେଡ଼ିଗୁଡ଼ କହୁଣିକି ବୋହିଯିବ । ଆମେ ତୁନି ପଡ଼ିବାରୁ ତା’ ମୁହଁ ବଢୁଚି, ସେ ଉଛୁଳୁଚି, ତାକୁ ଭିନେ କରିଦବା, ସେତେବେଳକୁ ତା’ କାମ ନ କରି ଯିବ କୁଆଡ଼େ ।”

ଦିନେ ହୁଣ୍ଡାକୁ ଡାକି ଛ’ ଭାଇ ବୁଝାଇ ଦେଲେ- “ଆମ କଥା ନ ଶୁଣିଲେ ତୁ ଅଲଗା ହୋଇ ରହ । ଏ କଥା ଶୁଣି ହୁଣ୍ଡାର ମନ କ’ଣ ହୋଇଗଲା । କଥାଟା ଏତେ ଦୂର ଯିବ ବୋଲି ସେ ବିଚାରି ନଥିଲା, ସେ ଛ’ ଭାଇଙ୍କ ସାଙ୍ଗେ ବୋଇତ ଘେନି ବାହାରିଲା । ସାତ ବୋହୂଯାକ ବୋଇତ ବନ୍ଦେଇଗଲେ ।”

ସାନ ବୋହୂର ଗେରସ୍ତ ତ ନିପାରିଲା । ନୁଆଣିଆଁ ଆଡ଼କୁ ପାଣି ଗଡ଼େ । ସେମିତି ସାନବୋହୂ ଉପରେ ଘରର ସବୁ ଆଡ଼ତି-ପତର ପଡ଼େ ।

ଦିନେ କ’ଣ ହେଲାନା, ଛ’ ବୋହୂ ବେଳବୁଡ଼ିଆ ବନ୍ଧକୁ ଯାଇଥିଲେ । କ’ଣ କବର-କାବର ହେବାରୁ ସାନବୋହୂ କହିଲା- “ମାଛ କ’ଣ ହଉଚନ୍ତି । ଆସ, କାନିଖିଅ ଦେବା ।” ଜଣେ ଦୌଡ଼ିଯାଇ ଘରୁ ଆଇଁଷିଚିଡ଼େଇଟା ଘିନି ଅଇଲା, ଚିଡ଼େଇରେ ଚିଡ଼େଇଏ ମାଛ, ମନ ଖୁସିରେ ବୋହୂମାନେ ମାଛ ନେଇ ସାନବୋହୂକୁ ଦେଲେ । ମସଲାମସଲି ଦେଇ ୟା’କୁ ତାତ୍ପର୍ଯ୍ୟ କରି ରାନ୍ଧ ।

ସାନବୋହୂ ମାଛ କେଳେଇବ ବୋଲି ଚୁଲିରୁ ପାଉଁଶ ମୁଠିଏ ନେଲା । ଆଲୁଅରେ ଦେଖିଲା ବେଳକୁ ବୋଉ ଲୋ- “ଏ କ’ଣ ! ସାପଛୁଆ ! ଏଗୁଡ଼ାକ ମାଛ ବୋଲି ଧରିଛନ୍ତି । ୟା’ଙ୍କ ବାପମାଆ ଏକଥା ଜାଣିଲେ ଆମକୁ ଆଉ ତ୍ରିଭୁବନରେ ବାସ ଦେବେ । ବାଟରେ ଘାଟରେ ଜଗି ଜଗି ଚୋଟ ମାରିବେ । ଯଦି ବଡ଼ସାପ ହୋଇଥାଏ, କାଉଁକିନେ ଗିଳିଦେବ ।”

ଅନ୍ଧାରୁଆ କରି ଆଣିଚନ୍ତି, ଏ କଥା କହିଲେ ଜାଆମାନେ ବିଶ୍ୱାସ ଯିବେ ନାହିଁ । ସାନବୋହୂ କ’ଣ କଲାନା କେଉଟୁଣୀକୁ କୁଲାଏ ଚାଉଳ ଦେଇ କୁଲାଏ ମାଛ ଆଣିଲା । ଚିଡ଼େଇଯାକ ସାପଛୁଆ ନେଇ ପୋଖରୀରେ ଅଜାଡ଼ି ଦେଲା । କହିଲା- “ମୋର କିଛି ଦୋଷ ନାହିଁ । ଏଣେ ମାଛଯାକ ରାନ୍ଧି ଛ’ ଜାଆଙ୍କୁ ଖାଇବାକୁ ଦେଲା । ସାପ ଧରି ଆଣିଥିବା କଥା କାହାକୁ କହିଲା ନାହିଁ । ରାତିରେ ଛାଇ ନିଦ ଆସିଚି କି ନାଇଁ ସପନ ଦେଖିଲା- ଗୁଡ଼ାଏ ସାପ ଚାରିଆଡ଼େ ଫଁ ଫାଁ ହେଉଛନ୍ତି- ଚା’ଖଣ୍ଡେ ଲେଖାଏଁ ଜିଭ, ଆଖି ମଣ୍ଡା କାଇଁଚ ପରି ଲାଲ୍, ପଚାରୁଛନ୍ତି କାଇଁକି ଆମ ଛୁଆଁଙ୍କ ଦିହରେ ହାତ ଲଗାଇଲ ? କାଇଁ କି ? ଜାଣ ନାଇଁକି, ଆମେ କେମିତି ପରାଭବ ଦଉ ? ହାତୀ, ବାଘ, ସିଂହ- ଆମକୁ ଏ ପୃଥିବୀରେ ନ ଡରେ କିଏ ? ସାନବୋହୂର ନିଦ ରଟ୍‌କିନେ ଭାଙ୍ଗିଗଲା । ରାତିଯାକ ଆଉ ତାକୁ ନିଦ ହେଲା ନାହିଁ । ଟିକିଏ ଖସ୍ ଖସ୍ ହେଲେ ବିଚାରେ- “ହେଇ, ସାପ ଆସିଗଲେ ।”

ରାତି ଛ’ ଘଡ଼ିଠେଇଁ ସାପଙ୍କ ମାଆ ବାପ ଫେରିଲେ । ଛୁଆମାନେ ବେଢ଼ିଯାଇ କହିଲେ- “ଆମକୁ ଜୀବନରେ ଦେଖି ନଥାନ୍ତ । ଆମେ ମହାଜନ ଛ’ ବୋହୂଙ୍କ ପେଟରେ ଥା’ନ୍ତୁ, ମାଛ ବୋଲି ଧରି ନେଇଥିଲେ, ଖାଲି ସାନବୋହୂ ଲାଗି ଆମ ପ୍ରାଣ ରହିଗଲା ।

ସାପଙ୍କ ବାପ କହିଲା- “ଆମେ ସତ୍ୟଯୁଗର, ସତ୍ୟରେ ଥାଉ, ଆମର ଇଷ୍ଟ କଲେ ଉପୁଗାର କରୁ, ଅନିଷ୍ଟ କଲେ ଖାଉ । ସାନବୋହୂର ଋଣ ଆମେ ଶୁଝିବା ।”

ତହିଁ ଆରଦିନ ଉଦୁଉଦିଆ ଦି’ପହର । ଖିଆପିଆ ସରିଲାଣି, ସାନବୋହୂ ବାସନ ମାଜୁଚି- ଏତିକିବେଳେ ଜଣେ ଲୋକ କିଏ ଅଗଣାକୁ ଅଇଲା, ଅଚିହ୍ନା ବାରି ଏ ତା’ ମୁହଁକୁ, ସେ ୟା’ ମୁହଁକୁ ଚାହିଁଲା । କିଏ ?

ଲୋକଟି କହିଲା- “ମୁଁ ସାନବୋହୂର ବାପଘରୁ ଆସିଛି- ମୁଁ ତା’ର ଭାଇ, ବାଟକୁ ଯାଇଥିଲି, ଏବେ ଫେରିଚି । ସାନବୋହୂକୁ ଘରକୁ ନବାକୁ ଆସିଛି ।”

ସାନବୋହୂ ଭାଇକି କେବେ ଦେଖି ନଥିଲା, ତା’ର ଭାଇ କିଏ ବାଟକୁ ଯାଇଥିବା କଥା ଶୁଣିଥିଲା । ଘରକୁ ଯିବାକଥା ଶୁଣି ତା’ ମନ ହକହକ ହେଲା, ଜାଆଙ୍କୁ କହିପୋଛି ସେ ଭାଇ ସାଙ୍ଗେ ବାହାରିଲା ।

ଭାଇ ଆଗେ ଆଗେ ଚାଲିଥାଏ । ସାନବୋହୂର ପାଦ ହଠାତ୍ ଅଟକିଗଲା । ଭାଇ କାଇଁ ! ବୋଉ ଲୋ ! ଏ କ’ଣ ? ଅହିରାଜ ସାପ ! କୋଡ଼ି ହାତ ଲମ୍ୱର ସାପଟା ବାଟ ପାଖେ ପାଖେ ଯାଉଥାଏ । ତାକୁ ଦେଖି ସାନବୋହୂର ଛାତି ଶୁଖିଗଲା, ପାଦ ଛନ୍ଦି ହୋଇଗଲା । ଖାଇଲା ଲୋ !

ଅହିରାଜ କିଛିଦୂର ଯାଇ ଦେଖିଲା- ସାନବୋହୂ ଅଟକିଛି । ସେ ଭାଇ ରୂପ ଧରି ପାଖରେ ଆସି ଛିଡ଼ା ହେଲା, କହିଲା- “ମୁଁ ଅହିରାଜ ! ତୁ ମୋ ପିଲାଙ୍କ ଜୀବନ ବଞ୍ଚାଇଛୁ । ମୁଁ ତୋର ଉପକାର କରିବାକୁ ଆସିଚି । ଜାଆମାନେ ତୋତେ ହୀନସ୍ତା କରୁଛନ୍ତି । କହିବୁ ଯଦି, ଏଇକ୍ଷଣି ଗୋଟି ଗୋଟି କରି ଖାଇଯିବି ।” ସାନବୋହୂ କହିଲା- “ଯେତେହେଲେ ମୋର ଜାଆ, ୟା’ଙ୍କ ଶ୍ରୀଅଙ୍ଗରେ ଦାନ୍ତ ଲଗେଇବନି ।”

ତା’ପରେ ଦେଖୁ ଦେଖୁ ଭୂଇଁ ଫାଟିଗଲା- ଅହିରାଜ ସାନବୋହୂକୁ ଘେନି ସେଇ ବାଟେ ତଳକୁ ଗଲା । ଏ କ’ଣ ? ମଣି ମୁକୁତାର ତେଜରେ ଚାରିଆଡ଼ ହାଲ୍ଲୋଳ, କେଡ଼େ ସୁନ୍ଦର ଘରଦୁଆର, କେତେପ୍ରକାର ଗଛଲତା । ସାନବୋହୂ ସେଠି ଦିନ କେତେ ରହିଲା, ତା’ପରେ ଭାଇକି କହିଲା- “ମତେ ଘରେ ଛାଡ଼ି ଦେଇ ଆସ ।” ଅହିରାଜ ହୀରା, ନୀଳା, ମୋତି, ମାଣିକ ଅଳଙ୍କାର ସାନବୋହୂର ଦେହରେ ଖଞ୍ଜିଦେଲା- ଭାର ଭାର ରତ୍ନ, ହୀରା, ନୀଳା ନେଇ ସାନବୋହୂକୁ ଘରେ ଛାଡ଼ି ଦେଇ ଅଇଲା ।

ସାନବୋହୂକୁ ଚାହିଁ ଜାଆମାନଙ୍କ ଆଖି ଖୋସି ହୋଇଗଲା । ଅହିରାଜକୁ ଦେଖି କାହା ପାଟିରୁ ବଚନ ବାହାରିଲା ନାହିଁ ।

ସାନବୋହୂ ସେଇଦିନୁ ସମ୍ମୁଖରେ ରହିଲା । ସାତଭାଇ ବୋଇତରୁ ଫେରିଲେ । ଏ କଥା ଶୁଣି ଧନରତ୍ନ ଦେଖି ତାଟକା ହୋଇଗଲେ । ହୁଣ୍ଡା ମଧ୍ୟ ବଦଳିଲା । ମନ ଲଗାଇ କାମଦାମ କଲା । ସମସ୍ତେ ମହାସୁଖରେ ଚଳିଲେ । ମୁଁ ଗଲାରୁ ମୋତେ କଥା କହିଲେ ନାହିଁ ।

ମୋ କଥାଟି ସରିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top