ନୀତିକଥା

ହରିଣୀର ବୋକାମି

Basudev Mohapatra's Odia Niti Kathaa HARINIRIRA BOKAMI

ଦେଶର ଗୁପ୍ତ କଥା ବାହାରକୁ ଚାଲିଗଲେ ଶାସକ ଓ ପ୍ରଜା ସଭିଏଁ ମରିବେ । ଦେଶ ଛାରଖାର ହୋଇଯିବ । ଏଥିରୁ ଏତିକି ଶିଖ । ନିଜ ଜୀବନ ଯାଉ ପଛକେ ଦେଶର ଗୁପ୍ତ କଥା କାହାକୁ କହିବ ନାହିଁ ।

ହରିଣୀର ବୋକାମି

ଅଜବ ବଣଟାଏ । ତା’ ଭିତରେ ହାତୀ, ବାଘ, ସିଂହ, ଘୋଡ଼ା ଆଦି ପଶୁ ଗୋଟାଏ ବି ନ ଥିଲେ । ସେଠି ଥିଲେ କେବଳ ହରିଣ । ଶହେ ନୁହେଁ କି ଦୁଇଶହ ନୁହେଁ, ହଜାର ହଜାର ହରିଣହରିଣୀ । ସେମାନଙ୍କର ଜଣେ ରାଜା ଥିଲା । ସଭିଏଁ ତାକୁ ମାନି ଚଳୁଥିଲେ ।

କିଛି ଦୂରରେ ଆଉ ଗୋଟିଏ ବଣ ଥିଲା । ସେଠି ସିଂହ, ବାଘ ଆଦି ଶିକାରୀ ପଶୁ ଥିଲେ । ସେମାନେ ହରିଣ ଶିକାର କରିବା ପାଇଁ ଏ ରାଜ୍ୟ ଆଡ଼କୁ ଆସୁଥିଲେ । କିନ୍ତୁ କେଜାଣି କାହିଁକି ସେମାନେ ହରିଣ ବଣରେ ପଶିପାରନ୍ତି ନାହିଁ । ତା’ ପାଖ ମାଡ଼ିଲା କ୍ଷଣି ସେମାନଙ୍କ ଛାତି ଥରେ, ଆଖିରୁ ଲୁହ ଗଡ଼େ, ମଥା ଝିମ୍ ଝିମ୍ କରେ । ତେଣୁ ସେମାନେ ଏ ବଣ ଭିତରେ ପଶି ନ ପାରି କହୁଥିଲେ – କି ଆଶ୍ଚର୍ଯ୍ୟ କଥା ! ଏ ବଣକୁ କିଏ କ’ଣ ଯାଦୁ କରିଦେଇଛି ?

କଥାଟା ଥିଲା ଏମିତି । ହରିଣ ବଣରେ ଗୋଟିଏ ବାଉଁଶ ବୁଦା ଭିତରେ ବନଦେବୀ ରହୁଥିଲେ । ହରିଣ ରାଜା ପ୍ରତିଦିନ ସକାଳେ ବନଦେବୀଙ୍କ ପାଖକୁ ଯାଏ । ତାଙ୍କୁ ମୁଣ୍ଡିଆ ମାରି ତାଙ୍କ ବେକରେ ମନ୍ଦାର ଫୁଲର ମାଳଟିଏ ଗଳାଇଦିଏ । ମା’ ବନଦେବୀ ଖୁସି ହୋଇ କହନ୍ତି – ଆଜି ରାଜ୍ୟର ସବୁ ଶୁଭ ହେବ, କିଛି ଅମଙ୍ଗଳ ହେବ ନାହିଁ । ହସଖୁସିରେ ସମସ୍ତେ ରୁହ ।

ଏଇଟି ଥିଲା ସେଇ ରାଜ୍ୟର ଅତି ଗୋପନ କଥା । ଏଥିପାଇଁ ଶିକାରୀ ପଶୁମାନେ ସେଠି ପଶିପାରୁ ନ ଥିଲେ ।

ଦିନକର ଘଟଣା । ହରିଣ ରାଜାକୁ ଜ୍ୱର ହୋଇଥାଏ । ତେଣୁ ବନଦେବୀଙ୍କୁ ମନ୍ଦାର ଫୁଲ ଚଢ଼ାଇ ପାରି ନଥିଲା । ଭୟରେ ଭାବୁଥାଏ – ଆଜି ଏ ରାଜ୍ୟର ଅମଙ୍ଗଳ ଘଟିବ । ମା’ ରକ୍ଷା କର ।

ସତକୁ ସତ ସେଦିନ ସଞ୍ଜବେଳେ ପାଖ ବଣରୁ ମସ୍ତବଡ଼ ଅଜଗର ସାପଟିଏ ଏଇ ବଣରେ ପଶିଗଲା । ସେ ଏଇ ବଣର ହରିଣ ଛୁଆଟିଏ ଧରି ତାକୁ ଗିଳିବାରେ ଲାଗିଲା । ମା’ ହରିଣୀ ଆଖିରୁ ଲୁହ ଗଡ଼ାଇ ଚୁପ୍ ରହିଲା । ଏବେ ବଣର ସବୁ ହରିଣୀ ବୁଝିଗଲେ ଯେ, ବନଦେବୀଙ୍କୁ ମନ୍ଦାର ଫୁଲ ନ ଚଢ଼ାଇଲେ ରାଜ୍ୟରେ ବିପତ୍ତି ପଡ଼ିବ । ହରିଣ ରାଜା ପ୍ରଜାମାନଙ୍କୁ ଶୁଣାଇ ଦେଲେ – ଏହା ଆମ ରାଜ୍ୟର ଅତି ଗୁପ୍ତ କଥା । ବାହାରର କେହି ଯେମିତି ଏ କଥା ଜାଣିବେ ନାହିଁ । ଜାଣିଲେ ରାଜପ୍ରଜା ସଭିଏଁ ମରିବା ।

ଆଜି ଦିନକର ଘଟଣା । ଅନ୍ୟ ବଣର ହରିଣୀଟିଏ ଏଠି ଥିବା ତା’ ସମୁଦୁଣୀ ଘରକୁ ବୁଲି ଆସିଥିଲା । କଥା ହେଲାବେଳେ ସେ ସମୁଦୁଣୀକୁ କହିଲା- ତୁମର ଏଠି ଶିକାରୀ ପଶୁ ନାହାନ୍ତି । ତେଣୁ ଏଠି ବିପଦ ନାହିଁ । ଆମ ବଣରେ ବାଘ, ସିଂହ ଆଦି ପଶୁ ଅଛନ୍ତି । ଆମ ଜାତିର ପଶୁଙ୍କୁ ଗୋଡ଼ାଇ ଖାଇଯାଉଛନ୍ତି । ଆମ ଦୁଃଖ କହିଲେ ନ ସରେ ।

ସମୁଦୁଣୀ କହିଲା- ଏଠିକା ମା’ ବନଦେବୀଙ୍କ ଦୟାରୁ ଶିକାରୀ ପଶୁମାନେ ଏ ବଣରେ ପଶିପାରନ୍ତି ନାହିଁ ।
ହରିଣୀ କହିଲା- ଏ କେମିତିକା କଥା ! ବନଦେବୀ କାହିଁକି ଦୟା କରୁଛନ୍ତି ?
ସମୁଦୁଣୀ କହିଲା- ଏଇଟି ଆମ ରାଜ୍ୟର ଅତି ଗୁପ୍ତ କଥା । ଏ କଥା କେହି ଖୋଲି କହିବେ ନାହିଁ । କହିଲେ ତା’ ମୁଣ୍ଡକାଟ ହେବ ।
ହରିଣୀ କହିଲା- ମୁଁ କ’ଣ ପର ହୋଇଛି ? ମୋତେ ଖୋଲି କହ । ମୋ ରାଣ, କାହାକୁ କହିବି ନାହିଁ ।
ସମୁଦୁଣୀ ହରିଣୀ କାନରେ କହିଲା- ଆମ ରାଜା ବନଦେବୀଙ୍କୁ ନିତି ମନ୍ଦାର ଫୁଲ ଚଢ଼ାନ୍ତି । ସେଥିରେ ମା’ ଖୁସି ହୋଇ ଆମ ରାଜ୍ୟକୁ ବିପଦରୁ ରକ୍ଷା କରନ୍ତି ।

କିଛି ଦିନ ପରେ ହରିଣୀ ତା ବଣ ରାଇଜକୁ ଚାଲିଗଲା । ସମୁଦୁଣୀର କଥା ତା’ ମନରେ ଥାଏ । ଦିନେ କଥାଭାଷା ହେଉ ହେଉ ସେ ତା’ ଭଉଣୀକୁ ଏ କଥା କହିଦେଲା । ଆଉ କାହାକୁ କହିବୁ ନାହିଁ ବୋଲି ରାଣ ପକାଇ କହିଥିଲା । ହେଲେ କଥା କେତେ ଦିନ ଅବା ଲୁଚି ରହିବ ? କାନରୁ କାନ ହୋଇ ଶେଷରେ ଏ କଥା ତାଙ୍କ ବଣର ବାଘରାଜା ପାଖରେ ପହଞ୍ଚିଗଲା ।

ସେ ବଣର ବାଘରାଜା ଭାରି ଚତୁର । ସେ ଗୋଟିଏ କୌଶଳ ପାଞ୍ଚିଲା । ଦିନେ ସେ ମନ୍ଦାର ଫୁଲମାଳଟିଏ ଗୁନ୍ଥିଲା । ବଡ଼ି ସକାଳେ ସେଇଟି ନେଇ ବନଦେବୀଙ୍କ ପାଖକୁ ଗଲା । ତାଙ୍କୁ ମୁଣ୍ଡିଆ ମାରି ତାଙ୍କ ବେକରେ ମନ୍ଦାର ମାଳଟି ଗଳାଇ ଦେଲା । ବନଦେବୀ ହସି ହସି କହିଲେ- ଆଜି ତୁମର ସବୁ ଶୁଭ ହେଉ ।

ଏହାର କିଛି ସମୟ ପରେ ସେ ବଣର ହରିଣ ରାଜା ବନଦେବୀଙ୍କ ଜାଗାକୁ ଗଲା । ଦେଖିଲା, ମା’ ସେଠାରୁ କୁଆଡ଼େ ଚାଲିଯାଇଛନ୍ତି । ଭୟରେ ତା’ ଛାତି ଥରିଗଲା । ତାକୁ ଚାରିଦିଗ ଅନ୍ଧାର ଦେଖାଗଲା । କଷ୍ଟେମଷ୍ଟେ ଚାଲି ଚାଲି ଘରେ ପହଞ୍ଚିଲା ।

ସେତେବେଳେକୁ ସୂର୍ଯ୍ୟ ଟିକେ ଉପରକୁ ଉଠିଲେଣି । ହଠାତ୍ ବଣ ଭିତରେ ବାଘ ଓ ସିଂହଙ୍କ ଗର୍ଜନ ଶୁଣାଗଲା । ହରିଣହରିଣୀମାନେ ପ୍ରାଣ ଭୟରେ କିଏ କୁଆଡ଼େ ଦୌଡ଼ିବାକୁ ଲାଗିଲେ । ତେବେ ଯିବେ କୁଆଡ଼େ ? ପାଖ ବଣରୁ ଶହେ ଯାଏଁ ବାଘ ଓ ସିଂହ ହରିଣ ବଣରେ ଖେଦିଗଲେ । ସେମାନେ ଗୋଟିଏ ପରେ ଗୋଟିଏ ହରିଣହରିଣୀକୁ ମାରି ଖାଇଲେ । ହରିଣ ରାଜା ଓ ରାଣୀ ମଧ୍ୟ ସେମାନଙ୍କ ମୁହଁରେ ପଡ଼ି ମଲେ ।

ଏଇଟି ଥିଲା ସମୁଦୁଣୀ ହରିଣୀର ବୋକାମି । ସେ ଆଗପଛ କିଛି ଭାବିଲା ନାହିଁ । ରାଜ୍ୟର ଏତେ ବଡ଼ ଗୁପ୍ତ କଥାକୁ ବାହାର ରାଜ୍ୟର ହରିଣୀକୁ ଖୋଲି କହିଦେଲା । ସେଥିପାଇଁ ତା’ ରାଜ୍ୟରେ ବିପଦ ପଡ଼ିଲା । ରାଜାପ୍ରଜା ସମସ୍ତେ ଏଥିଲାଗି ମଲେ । ଗୋଟିଏ ହରିଣୀର ଭୁଲ ଲାଗି ସାରା ହରିଣ ରାଜ୍ୟର ସର୍ବନାଶ ଘଟିଲା ।

ମହାଭାରତରେ ବିଦୁର କହିଛନ୍ତି :-

ପିଇବ ଯେ ବିଷ, ମରିବ ଜାଣ,
ଶରେ ମାରି ପାର, ଏକ ପରାଣ ।
ଫିଟିଲେ ଦେଶର, ଗୁପତ କଥା,
ରାଜା ପରଜାଙ୍କ, ନ ରହେ ମଥା ।

ଏକଂ ବିଷରସୋ ହନ୍ତି ଶସ୍ତ୍ରେଣୈକଶ୍ଚ ବଧ୍ୟତେ ।
ସରାଷ୍ଟ୍ରଂ ସପ୍ରଜଂ ହନ୍ତି ରାଜାନଂ ମନ୍ତ୍ରବିପ୍ଲବଃ ।।

ନୀତିକଥା : ବିଷ ପିଇଲେ ଜଣେ ଲୋକ ମରିବ । ଶର ବିନ୍ଧି ଜଣେ ଲୋକକୁ ମାରିପାରିବ । କିନ୍ତୁ ଦେଶର ଗୁପ୍ତ କଥା ବାହାରକୁ ଚାଲିଗଲେ ଶାସକ ଓ ପ୍ରଜା ସଭିଏଁ ମରିବେ । ଦେଶ ଛାରଖାର ହୋଇଯିବ । ଏଥିରୁ ଏତିକି ଶିଖ । ନିଜ ଜୀବନ ଯାଉ ପଛକେ ଦେଶର ଗୁପ୍ତ କଥା କାହାକୁ କହିବ ନାହିଁ ।

To Top